ଆଶ୍ୱାସନା
ଆଶ୍ୱାସନା
ଅଶାନ୍ତ ହୃଦୟେ ଶାନ୍ତି ବୀଜ ବୁଣେ
ଆଶ୍ୱାସନା ଭରା ବାଣୀ,
ପ୍ରେରଣା ଯୋଗାଏ ଲେଖିଯିବା ପାଇଁ
ସଫଳତାର କାହାଣୀ l
ମାଆ ଆଶ୍ୱାସନା ଶିଶୁର ପାଟିରେ
ଦରୋଟି କଥା କୁହାଏ,
ଅଝଟପଣିଆ ଦୂର କରିଥାଏ
ବୁଝିବା ଶକ୍ତି ବଢାଏ l
ପିତା ଆଶ୍ୱାସନା ବଳରେ ଶିଶୁ ଟି
ଆଗକୁ ତାପାଦ କାଢ଼େ,
ଜୀବନର ବାଧା ଦୂର କରି ସିଏ
ସଂସାର ର ସିଢି ଚଢେ l
ଶିକ୍ଷାର୍ଥୀ ବୟସେ ବିଦ୍ୟାଜ୍ଞାନ ପାଇଁ
ଗୁରୁଙ୍କର ଆଶ୍ୱାସନା,
ନୂଆରାହା ଧରି ଆଗେଇ ଯିବାକୁ
ଦେଇଥାଏ ଯେ ପ୍ରେରଣା l
ଯୌବନ ସମୟେ ବନ୍ଧୁ ଆଶ୍ୱାସନା
ସୁଗମ ବାଟ ଦେଖାଏ,
କୁସଙ୍ଗ ସହିତ ସଙ୍ଗୀ ହୋଇଗଲେ
କୁପଥଗାମୀ କରାଏ l
ଜୀବନ ସାଥୀର ଆଶ୍ୱାସନା ପଦ
ସଂସାର ସୁଗମ କରେ,
ଜୀବନ ଜଞ୍ଜାଳ ଲାଗେନା ବିଷମ
ମଧୁମୟ ଛନ୍ଦ ଭରେ l
ଅସୁସ୍ଥ ଦେହରେ ଜୀବନ ସଞ୍ଚାରେ
ଚିକିତ୍ସକ ଆଶ୍ୱାସନା,
ଔଷଧ ଠାରୁ ବି ବେଶୀକାମ ଦିଏ
ତାଙ୍କର ସେ ପ୍ରବୋଧନା l
ଜୀବନର ପ୍ରତି ପଦେ ଆଶ୍ୱାସନା
ଆଶାର ଜ୍ୟୋତି ଦେଖାଏ,
ଆତ୍ମହତ୍ୟା ପରି ଜଟିଳ ଭାବନା
ମନରୁ ଦୂର କରାଏ l
ମନର କ୍ରୋଧ ଓ ବିଷାଦ ବିବ୍ରତ
କରିପାରେ ଶାନ୍ତ ସିଏ ,
ଆଶ୍ୱାସନା ବାଣୀ ସୁରଧୂନୀ ସମ
ମନ ଦ୍ୱନ୍ଦ୍ୱ ଟାଳି ଦିଏ l
ସବୁ ଧନ ଠାରୁ ଆଶ୍ୱାସ ବଚନ
ଶ୍ରେଷ୍ଠ ସଦା ହୋଇଥାଏ,
ସୁଗମ କରାଏ ଜୀବନ କୁ ସେହି
ପଥଦ୍ରଷ୍ଟା ବନିଯାଏ l
