ଆସ ମାତେ ଦୁର୍ଗତିନାଶିନୀ
ଆସ ମାତେ ଦୁର୍ଗତିନାଶିନୀ
ନବକାଶ, ନବମଲ୍ଲି,
କୁନ୍ଦ ଓ କୁମୁଦ,
ଶେଫାଳି ମାଳତୀ
ବନେ ଶୁଭ୍ର ସପ୍ତଚ୍ଛଦ,
ଶୁଭ୍ର ରଙ୍ଗେ ଶ୍ୱେତବର୍ଣ୍ଣା
ଆଜି ଏ ଧରଣୀ,
ଶାରଦୀୟ ଶୋଭା
ଜନ ମନ ନିଏ କିଣି ॥
ବହେ ମନ୍ଦ ଶୀତଳ ସମୀର
ପୁଲକିତ ସର୍ବ ତନୁମନ,
ମେଘମୁକ୍ତ ନଭେ ଆଜି ହସେ
ଅଶିଣର ତୋଫା ରୂପା ଜହ୍ନ ॥
ସରୋବରେ ମରାଳଙ୍କ
ହଂସଧ୍ୱନି ସ୍ୱନ,
କଳି ପାଶେ ଅଳି କରେ
ମଧୁର ଗୁଞ୍ଜନ,
ପୁରପଲ୍ଲି ସହର ନଗର
ନାନା ରୂପେ ଆଜି ସୁଶୋଭିତ,
ପୂଜାସ୍ଥଳେ ସୁରମ୍ୟ ତୋରଣ
ନାନା ରଙ୍ଗେ ଆଜି ଆଲୋକିତ ॥
ଆସ ମାତେ ଶୈଳପୁତ୍ରୀ
ହେ ବ୍ରହ୍ମଚାରିଣୀ,
ଚନ୍ଦ୍ରଘଣ୍ଟା ହେ କୁଷ୍ମାଣ୍ଡା,
ସ୍କନ୍ଦମାତା ଆହେ ଯଶସ୍ୱିନୀ,
ହେ କାଳରାତ୍ରି, କାତ୍ୟାୟନୀ,
ମହାଗୌରୀ ସିଦ୍ଧିପ୍ରଦାୟିନୀ ॥
ଆସ ମାତ ଆସ ଅବତରି
ଏ ଧରା ଧାମରେ
ଦୂର କର ସକଳ ଦୁର୍ଗତି
ଆଗୋ ମାତେ ଦୁର୍ଗତିନାଶିନୀ ।।
