ଆସ କରିବା ରାଜନୀତି
ଆସ କରିବା ରାଜନୀତି
ଗାଁରେ ରଡୁଛି ଗଧ
ବଣ ଭୂଆଁ ବୋଲେ ଓଧ
ସରକାର ସବୁ ବାଣ୍ଟୁଛି ଚାଷୀକୁ
ହଉ ତୁ କିଆଁ ନିର୍ବୋଧ ।
ଧାଆଁ ନା ବିଲକୁ ମାଧ
ଚାଷରେ କି ଅଛି ଲାଭ ?
ନାଁଟା ଗଡୁଛି ଚାଷୀ ତାଲିକାରେ
ଋଣ କଲେ ଭାରି ଶୁଭ ।
ବୁଢାଏ ଶୁଂଘନ୍ତି ଗଦ
ଟୋକାଏ ଭସାନ୍ତି ମଦ
ଚାଷୀକୁ ମିଳିବ ସ୍ମାର୍ଟଫୋନ
ବନ୍ୟା ବାତ୍ୟାକୁ ଦେଇ ବରାଦ ।
ଟଙ୍କାରେ ଚାଉଳ ଚାଷୀକୁ ମିଳଇ
ଅମଳ ଖଳାରେ ମୂଷା ଖାଉଥାଇ
ଧୋଇ ମରୁଡ଼ିର ସହାୟତା ରାଶି
ବାବୁଙ୍କ ଖାତାରେ ଯାଉଥାଏ ପଶି ।
ତାଲିମ ନିଅନ୍ତି ବେକାରି ବାପୁଡା
ଔଷଧୀୟ ବୃକ୍ଷ ଉଦ୍ୟାନ କୃଷି
ଛତୁ ମାଛ ଚାଷ ଭାରି ଖୁସି ବାସି
ହାତେଇବା ପାଇଁ ସବସିଡି ରାଶି ।
ବାହା ବାହା ନିଏ ସରକାର ବସି
ଉନ୍ନତ କିସମ ଆଧୁନିକ ଯନ୍ତ୍ରପାତି
ଲଙ୍ଗଳ ହଜିଲା ଟ୍ରାକ୍ଟର ଚାଲିଲା
ସୁନାର ଫସଲେ ଦେଶର ବଢ଼ିବ ଖ୍ୟାତି ।
ଅଧିକ ଅମଳ ଲୋଭରେ ପାଗଳ
ରସାୟନ ସାରେ ବନ୍ଧ୍ୟା ହେଲାଣି ମାଟି
ବଇଦ ପାଖରେ ପେଟ ରୋଗୀ ଭିଡ଼
ଯୋଜନା ସବୁ ଯାଉଛି ଫସର ଫାଟି ।
ରାଜନୀତି କଳେ ଚାଷୀ ହୁଏ ପେଶି
ହଳ ଲଙ୍ଗଳଠୁ ଚାଷ ତାଙ୍କ ବେଶି
ଋଣ ଭାରେ କରେ ଆତ୍ମହତ୍ୟା ଚାଷୀ
ଖୁସିର ସଂସାର ଯାଏ ତାର ଭାସି ।
ଭୋଟ ବେଳକୁ ଲଘୁ ଚାପ ନେଇ
ଗାଁକୁ ଆସନ୍ତି ମନ୍ତ୍ରୀ
ତୁହାକୁ ତୁହା ବରଷା ଭଳିଆ
ଘୋଷଣା କରନ୍ତି ବଦଳିବ ଚାଷ ନୀତି ।
ଚାଷୀକୁ ମିଳିବ କିସାନ କାର୍ଡ଼
ଇନ୍ଦିରା ଆବାସ ଛତା ଯୋତା ପାଇଖାନା
ସାଇକେଲ ଚଢ଼ି ଝିଅ ଯିବ ପଢ଼ି
ପୁଅ ଲାପଟପେ ଡେଇଁବ ବିଲୁଆ ନନା ।
ଅଧା ପାଠୁଆ ପୁଅଟା ତାହାର
ଜିଦ୍ ଧରିଛି ରୁଷି
ସ୍ମାର୍ଟ ଫୋନଟେ ତା'ପାଇଁ ନକଲେ
ଦାଦନ ଯିବ ସେ ଖସି ।
କୋଦାଳ ଛାଡ଼ିକି କଣ କରିବ
ଚାଷୀ ପୁଅ ଭାବେ ବସି
ଖରଚ ବେଶିକୁ ଫସଲ ନିଅଣ୍ଟ
ଚାଷେ ରକତ ଯାଉଛି ଭାସି ।
ଦଇବ ଚଡ଼କ କମ୍ ଥିଲା କି !
ମହଙ୍ଗାଇ ମାରେ ନିତି
ବିଷ ପିଇ ଆଉ ଦବନି ଜୀବନ
ବଦଳିଛି ମତି ଗତି ।
ଠେକାକୁ ହକାଳି ଗାନ୍ଧୀ ଟୋପି ପିନ୍ଧି
କରିବ ସେ ରାଜନୀତି
ଭୋଟ ଫସଲ କାଟିବ ଖୁସିରେ
ଦେଶର ହେବ କି ଗତି ?
