STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଆସ ଦେବୀ ସିଂହବାହିନୀ

ଆସ ଦେବୀ ସିଂହବାହିନୀ

1 min
354

ଉଦୀଚୀ ଦିଗରୁ ଲହରେ ଅଧୀରେ ଶିକର ଶିକ୍ତ ଅନିଳ

ଶୀତେଇ ଉଠୁଛି ଦେହ,ମନ,ପ୍ରାଣ ହୋଇ ଯାଉଛି ଶୀତଳ

ଆସି ଯେ, ପ୍ରବେଶେ ଶରତ କାଳ

ଏ ଶରତ କାଳ ଅତି ମନୋହର ପ୍ରାବୃଟ ହେଲାଣି ସିଥିଳ

ଆସି ଯେ, ପ୍ରବେଶେ ଶରତ କାଳ ।।

 

ଜୁଣ ତୃଣ ଶୁଭ୍ର ଚାମର କୁସୁମ ବିଶୋଭିତ ଦଶ ଦିଶ

ବିହାୟସେ ଭାସେ ଶୁଭ୍ର ଅଭ୍ର ମାଳା ଚିତ୍ର ସମ ପରକାଶ

ଶରତ, ଆହା କି ସୁରମ୍ୟ ବେଶ

ଧରଣୀ ନାଚଇ ହୋଇ ପୁଲକିତ ପାର୍ବଣ ହେଲାଣି ପ୍ରବେଶ

ଶରତ, ଆହା କି ସୁରମ୍ୟ ବେଶ ।।

 

ଏହି ଅବସରେ ବେଦ ମନ୍ତ୍ର ସ୍ଵରେ ଆବାହନୀ ଗୀତ ଗାଇ

ସ୍ଵାଗତ କରନ୍ତି ସକଳ ଜନତା ଆସ ଆସ ମହାମାୟୀ

ଧରାରେ, ମହାମାରୀ ଜାଲ ବିଛାଇ

ଧରିନେଉଅଛି ସମନ ଭୁବନ ସେ ବେଳ କାଳ ମାନୁନାହିଁ

ଧରାରେ, ମହାମାରୀ ଜାଲ ବିଛାଇ ।।

 

ମହିଷା ସମାନ ଏ ଏକ ଅସୁର ତା ଭୟରେ ଥରଇ ବିଶ୍ୱ

ତା କବଳୁ ତ୍ରାହି ନପାଆନ୍ତି କେହି କରିଲାଣି ଆସି ନିଶ୍ଵ

ଜନନୀ, ଜେହ୍ନେ କାଳକୁଟ ବିଷ

ଅକାଳେ ମରଣ କରନ୍ତି ବରଣ କେତେ ଯେ ବୀର ସୁପୁରୁଷ

ଜନନୀ, ଯେହ୍ନେ କାଳକୁଟ ବିଷ ।।

 

ଏହି ଅସମୟେ ତୋର ନିରାଜନା ପାଇଁ ସଜବାଜ ହୋଇ

ଚାହିଁଛି ଧରିତ୍ରୀ ଆସ ଜଗଧାତ୍ରୀ ସିଂହ ବାହାନ ଆରୋହୀ

ଭବାନୀ, ୟେ ବିପଦୁ କର ତ୍ରାହି

ବଦ୍ଧକର ଏହି କରୋନା ମହିଷା ମୋ ଅଳି ତୋରେ ମହାମାୟୀ 

ଭବାନୀ ୟେ ବିପଦୁ କର ତ୍ରାହି ।।

 

 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍