ଆଣେ ନୂଆ ଜାଗରଣ
ଆଣେ ନୂଆ ଜାଗରଣ
ମଣିଷେ ମଣିଷ ବନ୍ଧୁତ୍ଵ ତ ଆଜି
କଳୁଷିତ ହୋଇଯାଏ
ବନ୍ଧୁ ପାଇଁ କେତେ ନିଷ୍ଠୁରତା ଛନ୍ଦ
ବସି ବସି ଗଢାହୁଏ
ଶେଷରେ ବଇରି ଭାବ ପ୍ରକଟଇ
ବନ୍ଧୁ ଶତ୍ରୁ ହୋଇଯାଏ, ମଣିଷେ ମଣିଷ… ।।
ନାହଁ ପୁଣ୍ୟମୟ ପବିତ୍ର ବନ୍ଧନ
ମିଛ ମାୟା ପ୍ରହେଳିକା
ଅଭିନବ ନାଟ ରଚଇ ମାନବ
ଦିଅଇ ଅକାଳେ ଧୋକା
ଦେଖରେ ମଣିଷ ନରରୂପି ବିଷ
କିପରି ସଂଚରି ଯାଏ, ମଣିଷେ ମଣିଷ... ।।
ପଶୁ ପକ୍ଷୀ ପ୍ରେମ ବନ୍ଧୁତ୍ୱ ବନ୍ଧନ
ପ୍ରକୃତି ନିୟମ ମାନି
ନିଜ ନିଜ ଭାବ ଆଦାନ ପ୍ରଦାନ
ସତେ କି ପାରନ୍ତି ଜାଣି
ସ୍ନେହ ଭାବ ପ୍ରେମ ବନ୍ଧୁ ବନ୍ଧନରେ
କେତେ ନିବିଡତା ଥାଏ, ମଣିଷେ ମଣିଷ... ।।
ପଶୁ ହେଲେ ତାଙ୍କ ଆମର ପ୍ରେମର
ଅନାବିଳ ସ୍ନେହ ଭାବ
ଉନ୍ନତ ତର ସେ ସହଜେ କେହି ବି
ତାକୁ ଭାଙ୍ଗି ନପାରିବ
ଜଣେ ହଜିଗଲେ ଆରେକ ଖୋଜଇ
ଖୋଜା ଖୋଜି ହେଉଥାଏ, ମଣିଷେ ମଣିଷ…. ।।
ଆଜିର ମଣିଷ ଭୁଲିବା ପଣରେ
ସଂପର୍କ ଦିଏ ତୁଟାଇ
ସ୍ନେହ,ପ୍ରେମ ଭାବ ଜଳି ଜଳି ଯାଏ
ଅସ୍ତିତ୍ବ ଯାଏ ଉଭେଇ
ପଶୁଙ୍କର ଦେଖି ସ୍ନେହ ଭାବ ମନେ
ନୂଆ ଜାଗରଣ ଦିଏ, ମଣିଷେ ମଣିଷ... ।।
