ଆମକୁ ଆଶିଷ ଦିଅ
ଆମକୁ ଆଶିଷ ଦିଅ
ସେନେହ ମମତା ସରାଗ ସମତା
ସବୁ ଲାଗେ ମିଛ ପରି
ଶରତ ଆସିଲେ ମରତକୁ ତୁମେ
ଆସିଥାଅ ଅବତରି
ମାଆ ତୁମେ ଏଠି ସତ
କରୁଣାମୟୀ ଗୋ ତୁମରି ଚରଣେ
କୋଟି କୋଟି ଦଣ୍ଡବତ ।।
ଗ୍ରୀଷମ ଫେରିଲା ବରଷା ଫେରିବ
ବସିଥିଲୁ ଆମେ ଚାହିଁ
ତୁମକୁ ଛାଡିଲେ ଆଉ କଥା ଏବେ
ମନରେ ଆମରି ନାହିଁ
ଖୁସି ଆଜି ଧରା ଧାମେ
ତୁମ ପାଦ ପୂଜା କରିବା ପାଇଁକି
ଶେଫାଳି ରଖିଛୁ ଆମେ ।।
ସଫା ଦିଶିଲାଣି ଆକାଶରେ ଜହ୍ନ
ତୁମେ ତ ଆସୁଛ ବୋଲି
ଟୁବି ଗଡିଆରେ ସରମୀ କଇଁଟା
 
; ହସିଲାଣି ମନ ଖୋଲି
କେତେ ଗପ କେତେ କଥା
ମନଟା କାହାର ଫୁଲି ଫୁଲି ନାଚେ
ନଇଁଯାଏ କା'ର ମଥା ।।
ନଈପଠା ପରେ କାଶଫୁଲ ଗାଏ
ତୁମ ଆବାହନ ଗୀତି
ତୁମରି ଖୁସିରେ ବାରି ବଗିଚାରେ
ଜହ୍ନି ଫୁଲ ଫୁଟେ ନିତି
ମଞ୍ଜୁଆତି ଫୁଟେ କେତେ
ଦେଖ ମାଆ ଦେଖ ଶାଗୁଆ ଲହରୀ
ଖେଳେ ଚାଷୀ ଧାନକ୍ଷେତେ ।।
ପୁରରେ ପଲ୍ଲୀରେ ସବୁରି ମୁହଁରେ
ଏବେ ଖାଲି ତୁମ ନାଆଁ
ଆସି ଆମ ପାଶେ ଧୂପ ଦୀପ ପୂଜା
ଘେନ ଗୋ ଶୁଭଦା ମାଆ
ଆମରି ଶରଧା ନିଅ
ମମତାମୟୀ ଗୋ ଦେବୀ ଦଶଭୁଜା
ଆମକୁ ଆଶିଷ ଦିଅ ।।