STORYMIRROR

Ajayakumar Mohanty

Others

4  

Ajayakumar Mohanty

Others

ଆମେ ଓଡ଼ିଶା ମାଟି ଛୁଆ

ଆମେ ଓଡ଼ିଶା ମାଟି ଛୁଆ

1 min
23.3K


ଆମେ ଓଡ଼ିଶା ମାଟି ଛୁଆରେ 

ଆମେ ଓଡ଼ିଶା ମାଟି ଛୁଆ 

ଆମକୁ କଚ୍ଛି ସାଇତି ଅଛି 

ସକଳ ସୁଆଦିଆରେ 

ଆମେ ଓଡ଼ିଶା ମାଟି ଛୁଆ।। 

ନଲିଆ ରବି କଅଁଳ ଛବି 

ଆହାକି ସୁନ୍ଦୁରିଆ 

ରୂପା ବରଣ ପୁନେଇଁ ଜହ୍ନ 

ହସେ କି ମଧୁରିଆରେ 

ଆମେ ଓଡ଼ିଶା ମାଟି ଛୁଆ।। 

କୋଇଲି ଗୀତ ହରଇ ଚିତ୍ତ 

ବହେ ମଳୟ ବାଆ 

ହଂସ ଖେଳଇ ଲାଞ୍ଜ ହଲାଇ 

ବଗର ମାଛ ଖିଆରେ 

ଆମେ ଓଡ଼ିଶା ମାଟି ଛୁଆ।। 

ପଦୁଅଁ ଫୁଲ ଦିଶଇ ଭଲ 

ତିଖ ଖରା ଦିନିଆ 

ମଲ୍ଲୀ ଫୁଲରେ ବାସନା ଝରେ 

ଚଇତି ପାହାନ୍ତିଆରେ 

ଆମେ ଓଡ଼ିଶା ମାଟି ଛୁଆ।। 

ବରଷା ଦିନେ ଟଗର ବନେ 

ଫୁଲ ତରା ଭଳିଆ 

ସେବତୀ ଜୁଇ ମାଳତୀ କଇଁ 

ଫୁଟେ ଶୀତ ଦିନିଆରେ 

ଆମେ ଓଡ଼ିଶା ମାଟି ଛୁଆ।। 

ଆମ୍ବ ନଡ଼ିଆ ପଣସ ଢିଆ 

କଇଁଥ କେନ୍ଦୁ କେଲା 

ଜାମୁ ଖଜୁରି ବେତ ପିଜୁଳି 

ବେଲ ବର ପପେୟାରେ 

ଆମେ ଓଡ଼ିଶା ମାଟି ଛୁଆ।। 

ମାଆର କୋଳ ସବୁଠୁ ଭଲ 

ପୁଲକେ ଭରେ ହିଆ 

କି ଦିନ ରାତି ଯାଉଛି ବିତି 

ମାଆତ ହିମତ ଦିଆରେ 

ଆମେ ଓଡ଼ିଶା ମାଟି ଛୁଆ।। 

କୋଳେ ପୁରିଛ ଶାକ ସବିଜି 

ଆମ ପାଇଁ କି ଥୁଆ 

ଖାଇ ନାଇବା ପିଇ ପିନ୍ଧିବା 

ଦରବ ଜାତି ଜାତିଆରେ 

ଆମେ ଓଡ଼ିଶା ମାଟି ଛୁଆ।। 

ବର୍ଷା ଶରତ ଶିଶିର ଶୀତ 

ବସନ୍ତ ଖରାଟିଆ 

ଦୁଃଖରେ ଦୁଃଖୀ ସୁଖରେ ସୁଖୀ 

ମାଆତ ଆମର ସାହାରେ 

ଆମେ ଓଡ଼ିଶା ମାଟି ଛୁଆ।। 



Rate this content
Log in