ଆମ ଚୁଲି ହାଣ୍ଡି
ଆମ ଚୁଲି ହାଣ୍ଡି
ଚୁଲିରେ ଦେଖ ମା କାଠ ଜାଳିଛି,
ନିଆଁ ଦାଉ ଦାଉ ହୋଇ ଜଳୁଛି ।
ଚୁଲିପରେ ପାଣି ହାଣ୍ଡି ରଖିଛି,
ହାଣ୍ଡି ପରେ ଦେଇ ଚାପା ଘୋଡ଼ାଇ ଅଛି ।
ପାଣି ଟକ ଟକ ଫୁଟିଲେ ତହିଁ,
ମା ଚାଉଳ ପକାଇ ଦେବ ଗୋଳାଇ ।
ଗବଗବ ହୋଇ ଭାତ ଫୁଟିବ,
ଭାତ ରାନ୍ଧି ମା' ପରଷିଦେବ ।
ପିଲା ଛୁଆ ମୁଖେ ଦେଇ ଆହାର,
ହସଖୁସି ମନେ ଚଳେ ପରିବାର ।
ଶୀତଦିନେ ପୁଣି କାଲୁଆ ଶୀତ,
ଚୁଲି ନିଆଁକୁ କରିବେ ପିଲାଏ ମିତ ।
ବୁଢ଼ା ବୁଢ଼ୀ ଛୁଆ ଯେତେକ ଥିବେ,
ଚୁଲିକୁ ଆବୋରି ବସିଣ ଯିବେ ।
ମା' ରାନ୍ଧି ଦେବ କେତେ ତିଅଣ,
ଚୁଲି ପାଖରେ ବସି କରିବେ ମେଲଣ ।
ସାଙ୍ଗ ହୋଇ ଭାତ ଡାଲମା ଖାଇ,
ମା' ଗୁଣ ସଭିଏଁ ଭାଇ ଭଉଣୀ ଗାଇ ।
ନିଜ ନିଜ ପଢା ଘରକୁ ଯିବେ,
ଖୁସି ମନେ ସିଏ ପାଠ ପଢିବେ ।
ରାତି ଗଡି ଯିବ ହେବ ସକାଳ,
ଏପରି ଲାଗିଥାଉ ସଂସାର ଜଂଜାଳ ।
କେତେ ମଜ୍ଜା ଗପ ଚୁଲି ମୂଳରେ,
ଘେରି ବସିଥାଇ ସଭିଏଁ ଯେବେରେ ।
ଏପରି ଦିନ ହୋଇଲା ସପନ
ଆଉ ନାହିଁ ସେ ହଜିଲା ଦିନ ।
