ଆଲୁଅ ଆଡକୁ
ଆଲୁଅ ଆଡକୁ


ଏତେ ସହଜ ନୁହେଁ ଏଵଂ ନିରାପଦ ନୁହେଁ
ଏଠି ଏବେ ଚାଲିବାଟା
ଅନ୍ଧାର ଭର୍ତ୍ତି ରାତିରେ ଶେଷ ହୀନ ରାସ୍ତାର
ନିରବ ଯାତ୍ରୀଟିଏ ମୁଁ
ନିରବରେ ଇତସ୍ତତଃ ହୁଏ
ଅନେକ ଉଠାଣି ଆଉ ଗଡ଼ାଣିରେ
ପାଦ ମୋର ଟଳମଳ
ବେଳେ ବେଳେ ଲାଗେ
ଯେମିତି କି ଭାରସାମ୍ୟ ହରାଇ ବସିଛନ୍ତି ମୋର ସମସ୍ତ ଅବୟବ
ମେଘ ଆଛନ୍ନ କରିଛି ଆକାଶକୁ
ଜହ୍ନ ନାହିଁ ଆକାଶରେ ତାରା ନାହିଁ
ଅନ୍ଧାର ଗ୍ରାସିଛି ସାରା ପୃଥିବୀକୁ
ଏମିତି ଅନ୍ଧାର ଭିତରେ
ଦଲକାଏ ଶୀତଳ ପବନ ବି
ଥରାଇ ଦେଉଛି ଦେହ ଆଉ ମନ
ଚେନାଏ ଆଲୁଅ ଭ୍ରମ ସୃଷ୍ଟି କରେ ଆଲୁଅର
ବାଟ କି ଅବାଟ କିଛି ବି ମାନେ ନା
ଏଇ ମୋର ଅମାନିଆ ପାଦ
ଯେହେତୁ ଚାଲିବା ତା ଧର୍ମ
ଦୃଢ ଆତ୍ମପ୍ରତୟର ସହ
ମାଡିଚାଲେ ଆଗକୁ ଆଗକୁ
କାଳେ କେଵେ
ଓହ୍ଲାଇ ଆସିବେ ଈଶ୍ୱର
ଆଲୋକର ବିନ୍ଦୁଟିଏ ହୋଇ
ହାତ ଧରି କଢାଇ ନେବେ ଅପହଞ୍ଚ ଦୂରତ୍ୱ !!