ଆକାଶ
ଆକାଶ
ଶୂନ୍ୟ ଶୂନ୍ୟ ମହାଶୂନ୍ୟ ୟେ ନୀଳ ଆକାଶ
କୋଟି କୋଟି ଗ୍ରହ ତାରା ନକ୍ଷତ୍ର ଭୂଷିତ
ସୂର୍ଯ୍ୟ ଦେବ ଙ୍କର ଗତି ସପ୍ତାଶ୍ଵ ରଥରେ
ବିଚରନ୍ତି ବଳାହକେ ଆକାଶ ପଥରେ ।।
ଆକାଶରୁ ଝରିପଡେ ପାଣି ବରଷାରେ
ଶରତ, ହେମନ୍ତ,ଶୀତେ ଶିଶିର ବିନ୍ଦୁରେ
ଏମନ୍ତ ୟେ ବିହାୟସ ଅନନ୍ତ ଅପାର
କିପରି ଖଞ୍ଜିଲା କିଏ କେଉଁ ଚିତ୍ରକର ।।
ପ୍ରଭାତରେ ରବି କର ଆଲୋକର ରଶ୍ମି
ରାତ୍ରି ଆକାଶରେ କଳା ରଙ୍ଗର ରୋଷଣୀ
ମଧ୍ୟାହ୍ନ ଆକାଶେ ରକ୍ତ ଲୋହିତ କିରଣ
ସନ୍ଧ୍ୟା ଆକାଶ ଦିଶଇ ସୁବର୍ଣ୍ଣ ବରଣ ।।
ଶାରଦ ଆକାଶେ ସ୍ଵଚ୍ଛ ଶୁଭ୍ରାଂଶୁ ଚନ୍ଦ୍ରିକା
ଝରିପଡେ ଧରଣୀ ରେ କେଡେ ମନଲୋଭା
ପ୍ରାବୃଟ୍ଟେ ଆକାଶ ଶ୍ୟାମ କୃଷ୍ଣ ରଙ୍ଗେ ଉଭା
ସୁନାସୀର ଶାୟକ ଯେ ଦିଶଇ କି ଶୋଭା ।।
ତାରକା ଖଚିତ ଚନ୍ଦ୍ରାତପ ୟେ ଆକାଶ
ଜହ୍ନର ଜୋଛନା ଦୀପ ପ୍ରକାଶ ସଦୃଶ
ଧୂମକେତୁ ଲାଞ୍ଜାତାରା ପରାଗ ଗ୍ରହଣ
ଚନ୍ଦ୍ର ସୂର୍ଯ୍ୟ ମଣ୍ଡଳ ଆକାଶେ ଦୃଶ୍ୟମାନ ।।
ମହାଜାଗତିକ ଯୋଗ ହୁଏ ସଂଗଠିତ
ଅରୂପ ଦୃଶ୍ୟ ଆକାଶେ ହୁଅଇ ପ୍ରତୀତ
ଆକାଶ କୁହଇ କୃଷ୍ଣ ଶୁକ୍ଳ ପକ୍ଷ ତିଥି
ଆକାଶ ରଚେ ଦିବସ ରଚେ ମଧୁରାତି ।।
“ୟେ ଆକାଶେ ବଇକୁଣ୍ଠ” “ମନ୍ଦାକିନୀ ବହେ
ଅଳକା କାନନେ ପାରିଯାତ ଫୁଟୁଥାଏ
ଯମ ଭୁବନେ ସରଗ ନରକ ରୌରବ
ପିତୃ ଲୋକ, ବ୍ରହ୍ମ ଲୋକେ ବିଜେ ବ୍ରହ୍ମଦେବ ।।
ଧନ୍ୟ ସେ ବିଧାତା ରଚି ଦେଇଛି ଆକାଶ
ସୁ-ସ୍ଥିର ଅବିଚଳିତ ୟେ ବିଶ୍ଵ ପୁରୁଷ
ଅନନ୍ତ ଆକାଶ ନାହିଁ ଆରମ୍ଭ କି ଶେଷ
ବିଚିତ୍ର ମୟ ବ୍ରହ୍ମାଣ୍ଡେ ବିଚିତ୍ର ଆକାଶ ।।