STORYMIRROR

T.Durga Prasad Rao

Others

5.0  

T.Durga Prasad Rao

Others

ଆଜିଠାରୁ

ଆଜିଠାରୁ

1 min
347



ଆଜିଠାରୁ

ତୁମ ଗଳି ରାସ୍ତା ମୋ ପାଇଁ ଅଚିହ୍ନା

ଅଚିହ୍ନା ହେବ ଆମ୍ବ ବଉଳର ବାସ୍ନା

ତୁମ ଘର ଶ୍ୱାନ ଛୁଆ ବି ଭୁକିବ

ମୋତେ ଦେଖି ବେଗେ ଝିଙ୍ଗାସି ଆସିବ

ପର ଆପଣାର ପ୍ରାଚୀରଟେ ଗଢ଼ି

ଦୂରେଇ ରଖିବ କ୍ରୁଦ୍ଧ ନେତ୍ର ବାଢ଼ି

ତୁମ ଦାଣ୍ଡ ପିଣ୍ଡା ମସିଣା ବି ମୋତେ

ନ ଦେଖିଲା ପରି ଆଡ଼ ଆଡ଼ ନେତେ

ନିରବ ନିଥର ପଡ଼ି ରହିଥିବ

ସତେ କି ମୁଁ ଏକ ଗ୍ରହାନ୍ତର ଜୀବ


ଆଜିଠାରୁ

ତୁମ ବାପା ଭାଇ ବନ୍ଧୁ ପରିଜନ

ମୋ ପାଇଁ ସାଜିବେ ପୋଥି ପୁରାତନ

କାଁ ଭାଁ ଦେଖା ହେଲେ ବାଟେ ଘାଟେ

ପଚାରିବେ ତୋଳି ନିରସ ମୁହଁଟେ

ଉତ୍ତର ସକାଶେ ଅପେକ୍ଷା ନ ଥିବ

ଅଲୋଡ଼ା ଅଜଣା ସତେ ଲାଗୁଥିବ

ଛିନ୍ନ ଅଧିକାରେ ଫେରି ଚାହିଁବାକୁ

ଅବା ତୁମ କଥା କିଛି ଶୁଣିବାକୁ

ଏ ଭଗ୍ନ ହୃଦୟେ ସାହସ ନ ଥିବ

ଶୂନ୍ୟ ଆଖି ତୋଳି ଖାଲି ଚାହୁଁଥିବ


ଆଜିଠାରୁ

ତୁମ ଗାଁ ତୁଠ ହେବ ସାତ ପର

ନଈ ପଠା ହେବ ଅଶ୍ରୁର ନଅର

ଗାଁ ମୁଣ୍ଡେ ସ୍ଥିତ ବୁଢ଼ୀ ଠାକୁରାଣୀ

ପର ହେଇଯିବ ଦେଖୁ ଦେଖୁ ପୁଣି

ବିଲ ହିଡ଼ ବନ୍ଧ ଗାଁ ଗିରି ତରୁ

ଲିଭି ଲିଭି ଯିବେ ମାନସ ପଟରୁ

ଯେ ସମୟେ ତୁମେ ସବାରି ଊିତରେ

ପାଦ ବଢ଼ାଇବ ଖୋଜିଲା ଆଖିରେ

ସାହସ ମୋ ବେଳୁ ବେଳୁ କ୍ଷୀଣ ହେବ

ମନେ ଯା ଗାରଟେ ଗାଢ଼ ହେଇଯିବ


ଆଜିଠାରୁ

ସ୍ମୃତି ତଳେ ତୁମେ ନିତି ଜଳୁଥିବ

ଅପାଶୋରା କ୍ଷଣ ଇନ୍ଧନ ସାଜିବ

ହସୁଥିବ ଓଠ କାନ୍ଦୁଥିବ ହିଆ

କୋହର ଅନଳେ ଜାଳି ମୋ ଦୁନିଆଁ

ମାନ ଅଭିମାନ ଏକା ଏକା ହେବ

ତୁମ ଭାଗିଦାରୀ ଆଦୋଉ ନ ଥିବ

ନିଜ ହାତେ ନିଜ ଲୁହ ପୋଛୁଥିବି

ତୁମ ପଣତକୁ ଝୁରି ମରୁଥିବି

ଆତ୍ମା କି ଅଲଗା ହୁଏ ଦେହ ଠାରୁ

ଜଡ଼ ପାଲଟିବି ନିଶ୍ଚେ ଆଜି ଠାରୁ



ଟି.ଦୁର୍ଗା ପ୍ରସାଦ ରାଓ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍