ଆଜିକାଲିର ରଜ
ଆଜିକାଲିର ରଜ
ଆଜିକାଲିର ରଜ
ନାହିଁ ଆଗ ପରି ସଜବାଜ,
ଅବା ନାହିଁ ମଜା ମଉଜ
ଦିଏ ଖାଲି ଦରଜ।
ପ୍ରବଳ ଗରମ ଗୁଳୁଗୁଳି
ନାଲି ନାଲି ଘିମିରିରେ
ଦେହ ଯାଏ ଫଳି ଫଳି,
ଗମଗମ ବହେ ଝାଳ
ସର୍ବାଙ୍ଗରେ ଭରିଯାଏ ମଳି।
କାଁ ଭାଁ ଛାଡ଼ି ଦେଲେ
ନାହିଁ ଗାଁ ଗଣ୍ଡାରେ ଦୋଳି,
ନାହିଁ ଗୀତର ଲହରୀ
ଆମ୍ବ ତୋଟା ଖାଁ ଖାଁ
ନାହିଁ କୋଉଠି ଗହଳି।
ଆରିସା କାକରା ସଙ୍ଗେ
ସୁଆଦିଆ ପୋଡ଼ପିଠା,
ଛାଡ଼ି ଦେଇ ସଭିଏଁ
ଆଦର କରନ୍ତି ମିଠା।
ନାହିଁ ଆଉ ଭେଣ୍ଡିଆଙ୍କ
ଡୁଡୁ ବାଗୁଳି
ଦାଣ୍ଡିଆ ଖେଳର କୌତୁକ,
ଦଳ ଦଳ ମାଳ ମାଳ ହୋଇ
ଦେଖିବାକୁ ନାହାଁନ୍ତି ଦର୍ଶକ।
ଗଛ ଛାଇ ତଳେ
ମୁରବିଙ୍କ ତାସ୍ ଖେଳ,
ଶୁଭୁନାହିଁ ଆଉ
କାହାରି ହାସ୍ୟରୋଳ।
ପରୁଣା ପରମ୍ପରା ଐତିହ୍ୟର କଥା,
ଏବେ ଶୁଣୁ ଖାଲି ତାର ଗାଥା।
ମୌସୁମୀ ଆସେ କେବେ
ଲଗାଣ ବର୍ଷାକୁ ନେଇ
କେବେ ଆସେନା ଜମାରୁ
ହନ୍ତସନ୍ତ କରି ମାରୁଥାଏ
ଚାହିଁ ଚାହିଁ ଆକାଶକୁ
ଚାଷୀକୂଳ ହତାଶ।
ଦେଖିବାକୁ ମିଳେ ନାହିଁ
ମନରେ ଆନନ୍ଦ ଉତ୍ସାହ...
ରଜ ଦୋଳିଝୁଲା ଯାନ୍ତି ସବୁ ଭୁଲି,
ଅସଲିକୁ ଛାଡି
ଶରଧା କରାହୁଏ ନକଲି।
ଆଧୁନିକ ଯୁଗ ଆଗୁଆ ସଭ୍ୟତା
ଏକା ଏକା ସବୁ ବ୍ୟସ୍ତ,
ସକାଳୁ ସଞ୍ଜ କେତେ କାମର ଚାପ
ଜଣକ ଉପରେ ଥାଏ ନ୍ୟସ୍ତ।
