ଆହ୍ଵାନ
ଆହ୍ଵାନ
ଅନ୍ଧାର ହେଳେ ଅପସରି ଯିବ କ୍ଷୁଦ୍ର ରଶ୍ମି ରେଖା ଧାରେ
ବିଚ୍ଛୁରିତ ହୋଇ ପରିବ୍ୟାପ୍ତ ହେବ ନିଶ୍ଚେ ଏହି ପୃଥିବୀରେ
ପ୍ରେମର ସଦ୍-ଗୁଣ ମଣିଷ ମନକୁ କରିବରେ ଆଚ୍ଛାଦିତ
ଆଲୋକିତ ହେବ ଅନ୍ଧାର ହଟାଇ ଦିନେ ନା ଦିନେ ସର୍ବତ୍ର ।।
ଅହଂକାରୀ ମନ ସିକ୍ତ କରିବରେ ପ୍ରେମର ଅମୀୟ ଧାରା
ପରାଚି ଗଗନେ ସୂରୁଯ ଉଦୟେ ଅପସରି ଯିବେ ତାରା
ମୈତ୍ରେୟର ଫୁଲ ବିକଚିତ ହେବ ପ୍ରେମ ତରୁ ଡାଳ ବୃନ୍ତେ
ସଂହତି ମଳୟ ପ୍ରୀତିର ପ୍ରବାହେ(ଦେଖ) ଶାନ୍ତି ସଉରଭ ଛୁଟେ ।।
ସୁଦିନ ଆସୁଛି କୋକିଳ ମଧୁର ଗୀତ ମୃଦୁ ଗୁଞ୍ଜରିତ
ମନ୍ଦ୍ରେ ନିନାଦିତ ଭ୍ରମର ଗୁଞ୍ଜନ ବୀଣା ସ୍ଵରେ ମୁଖରିତ
ମହାଜାଗତିକ ଅମୃତ ଆହ୍ଵାନ ବାଜୁନିକି ତୋର କାନେ
ଜାଗରିତ ହୁଅ ଜାଗରେ ମାନବ ଏହି ନବଜାଗରଣେ ।।
ଅଧରମ ଶେଷ ପ୍ରାନ୍ତରେ ଏବେ ଧରମର ବିକଶିତ
ଆନନ୍ଦେ ବିହ୍ଵଳେ ଛଳଛଳ ନାଦେ ପ୍ରବାହେ ଜୀବନ ସ୍ରୋତ ।।
