ଆଚାର
ଆଚାର
ଆଚାର
ମା ଙ୍କ କଥା ସବୁ ଏତେ ମନେ ପଡ଼ିଲା
ଆଚାର କରିଦେବାକୁ ମନ ମୋ ବଳିଲା
ଲେମ୍ବୁ ଲଙ୍କା ଆମ୍ବ କିଛି ଧୋଇ ମୁଁ କାଟିଲି
ରସୁଣ ଧନିଆ ସୋରିଷ ଚିକ୍କଣ ବାଟିଲି
ଗାଜର କୋବି ବିଟ ଖଣ୍ଡକୁ ସଙ୍ଗେ ନେଇ
ଅଁଳାକୋଳିକୁ ଦେଲି ତେଲରେ ଭିଜେଇ
ଜିରା ଲଙ୍କା ଆଉ ମେଥି ଗୁଣ୍ଡକୁ ଦେଲି
ଖରାରେ ନେଇ ସବୁ ଯତ୍ନେ ଶୁଖେଇଲି
ପାଞ୍ଚ ପ୍ରକାରର ଆଚାର କରିଲି
ଖଟା ମିଠା ରାଗ ସ୍ୱାଦକୁ ଭରିଲି
ସୁନ୍ଦର କାଚରେ ଭରି ରଖିଦେଲି
ଖାଇବା ବେଳକୁ ସଭିଙ୍କୁ ଯାଚିଲି
ଏତେ ମେନୁ ଅଛି ଆଚାର କି ହେବ
କହି ଅଳ୍ପ ଚାଖି ରଖିଦେଲେ ସର୍ବ
ମନଟା ଟିକିଏ ଦୁଃଖ ହେଲା ମୋର
ଫ୍ରିଜରେ ପୁରେଇ ରଖିଦେଲି ଆଚାର
ଭୁଲିଯାଇଥିଲି ମୁଁ ଆଚାର କଥାକୁ
କାର୍ଯ୍ୟେ ବ୍ୟସ୍ତ ରହି ନ ଦେଖି ତାହାକୁ
ନିୟମିତ କାମ ସବୁ ବନ୍ଦ ହୋଇଗଲା
ଭାଇରସ ପାଇଁ ଯେବେ ଲକ୍ ଡାଉନ୍ ହେଲା
ଜୀବନଶୈଳୀଟା ଟିକେ ଅଲଗା ଲାଗିଲା
ଘରେ ସବୁ ରହିଲେ..ଆନନ୍ଦ ବି ଆସିଲା
ଖାଇବା ଅଭ୍ୟାସ ସବୁ ସତେ ବଦଳିଲା
ଆଚାର କଥାଟି ସେତେବେଳେ ମନେପଡ଼ିଲା
ଖରାରେ ଆଉ ଟିକେ ତାକୁ ଶୁଖାଇ ଦେଲି
କାଲିଠୁଁ ନିଶ୍ଚୟ ଦେବି ବୋଲି ହସି କହିଲି
ସନ୍ଧ୍ୟାରେ ଆସିଲା ମୋର କାମବାଲୀ
ଆୟ ବିନୁ ତା ଦୁଇହାତ ପୁରା ଖାଲି
ଘରେ ରହୁଛି ସେ ଯେ ସଂକ୍ରମଣ ଡରେ
ପୁଅ ତା ମୂଲିଆ ଏବେ କାମ ତ ନ କରେ
ବିକଳ ହୋଇ କିଛି ସାହାଯ୍ୟ ମାଗିଲା
ତାକୁ ଦେଖି ସତେ ମୋ ହୃଦୟ କାନ୍ଦିଲା
ଚାଉଳ ଡାଲି ଅଟା କିଛି ମୁଁ ଆଣିଲି
ଆଚାର କାଚ ପାଖେ ଟିକେ ଅଟକି ଗଲି
ବିଚରା ମୋ ଠାରୁ ତା ଦରକାର ଅଧିକ
ପାଟି ସୁଆଦରୁ ଯେ ପେଟ ପୋଡ଼ା ବଳକ
କିଛି ଭାବି ସବୁ ଆଚାରକୁ ଆଣି
ଦେଇଦେଲି ଯେବେ ଭରିଲା ତା ମୁଣି
ହାତ ଯୋଡ଼ି କାନ୍ଦିଲା ପୁଣି ଆଶିଷ ଦେଇ
ଖୁସିରେ ଗଲା ସେ ମୁଁ ରହିଲି ଖାଲି ଚାହିଁ
କବାଟ ଦେଇ ଯେବେ ଆସେ ଭିତରକୁ
ଚାହିଁଥାନ୍ତି ସର୍ବେ ଖାଲି ମୋହରି ମୁହଁକୁ
ଆଚାର ସବୁ ମୁଁ ଯେ ଦେଇ ଦେଇଛି
ଗରୀବଟିକୁ ଟିକେ ସାହାଯ୍ୟ କରିଛି
ଭାବିଲି ସମସ୍ତେ ନିଶ୍ଚୟ ରାଗିବେ
ଚାଖିବାକୁ ଦେଲ ନାହିଁ ବୋଲି ହିଁ କହିବେ
ତାଳି ମାରି କିନ୍ତୁ ଘରେ ସବୁ ଖୁସିହେଲେ
ମଣିଷ ପଣିଆ ପାଖରୁ ଦେଖିଲୁ କହିଲେ
ଆଚାର ସବୁ ଆହୁରି ସ୍ଵାଦିଷ୍ଟ ହୋଇଗଲା
ପେଟ ପାଇଁ ଯେବେ ସେ କାମରେ ଲାଗିଲା
ପାଟି ଠାରୁ ପେଟ ସବୁଠି ସବୁବେଳେ ବଡ଼
ପୁଣି ଆଚାର କରିବାକୁ ମନ ମୋ ସଡସଡ
ଏଥର ବଜାର ନାହିଁ ଅନଲାଇନ୍ ମଗେଇବି
ଆହୁରି ମନ ଦେଇ ବହୁତ ଆଚାର କରିବି
