ଆ ମିତ ଆମେ ଉଡିବା
ଆ ମିତ ଆମେ ଉଡିବା
ଆ ମିତ ଆମେ ଉଡିବା .....
ଦୂରେ ଦୂରେ ରହି ଉଡିବା I
ଦୁଇ ମନ ଯୋଡି ପରସ୍ପର ଟିକେ
ହୃଦୟ ଆବେଗ ମାପିବା,
ଦୃଶ୍ୟ ଅନ୍ତରାଳୁ ଅଦୃଶ୍ୟ ନହୋଇ
ସମIନ୍ତର ପଥ ଧରିବା I [୧ ]
ଆ ମିତ ଆମେ ଉଡିବା........
ସୁନେଲି ସୂରୁଜ କିରଣେ ଗାଧୋଇ
ଚିକି ମିକି ଚିକି ଦିଶିବା,
ମନ୍ଦ ସମୀରର ମିଠା ମିଠା ଛୁଆଁ
ପୁଲକେ ଶିହିରି ଉଠିବା I [୨]
ଆ ମିତ ଆମେ ଉଡିବା........
ଆକାଶ ଛାତିର ଢେଉଢେଉ ମେଘ
ସାଥେ ଲୁଚକାଳି ଖେଳିବା,
ତୁଉ ମୁଁଉ ଭାବ ଭୁଲିଯାଇ ଟିକେ
ବିଭୋର ବେଳରେ ମଜିବା I [୩]
ଆ ମିତ ଆମେ ଉଡିବା........
ନିରାଶ ମନରେ ଅୟୁତ ଯୁଗର
ପିପାସାକୁ ଆଣି ଭରିବା,
ଉଦାସ ଆଖିରେ ଆଖିଏ ଇନ୍ଦ୍ରଧନୁ
ଆଶା ତୋଳି ଧରିବା I [୪]
ଆ ମିତ ଆମେ ଉଡିବା........
ଜୀବନର ପ୍ରାପ୍ତି ଅପ୍ରାପ୍ତିର ସ୍ମୃତି
ସମୀକରଣରେ ମଜିବା,
ଅନୁଭୂତି ଆଉ ପରିପକ୍ୱ ଜ୍ଞାନେ
ଜୀବନ ଦର୍ଶନ ଖୋଜିବା I [୫]
ଆ ମିତ ଆମେ ଉଡିବା........
ଅଙ୍ଗାରକୁ ଧୋଇ ସଫା କରିବାର
ଉନ୍ମାଦ ପ୍ରୟାସ ତେଜିବା,
ବିବେକ ଜ୍ଞାନର ଉଜ୍ଜ୍ଵଳ କିରଣେ
ମନର ମଇଳା ଧୋଇବା I [୬]
ଆ ମିତ ଆମେ ଉଡିବା........
ମିଛ ମରୀଚିକା ପଛେ ଧାଇଁ ଧାଇଁ
ହତାଶେ ଆଉ ନ ଡୁବିବା,
ଚିର ଅମ୍ଲାନ ସତ୍ୟ ସନ୍ଧାନର ବ୍ରତୀ
ହୋଇ ଆମେ ହଜିବା I [୭]
ଆ ମିତ ଆମେ ଉଡିବା........
ଲୋଭ ମୋହ କାମ ବନ୍ଧନରୁ ଚିର
ମୁକ୍ତିର ଆନନ୍ଦ ଖୋଜିବା,
ଜୀବନର ଶେଷ ପ୍ରହରରେ ଟିକେ
ପରମାନନ୍ଦଙ୍କୁ ଭଜିବା [୮]
ଆ ମିତ ଆମେ ଉଡିବା........।
