'ଅ' ରେ ଆରମ୍ଭ 'କ୍ଷ' ରେ ଶେଷ
'ଅ' ରେ ଆରମ୍ଭ 'କ୍ଷ' ରେ ଶେଷ
କହିବି ନାହିଁ ମୁଁ ଚାଲିଯିବି ଦୂରେ
କହିବାକୁ ମୋତେ
ସୁଯୋଗ କାହିଁ !
ସୁଯୋଗ ଥିଲେ ବି ସମୟ ତ ସ୍ୱଳ୍ପ
କହି କି ପାରିବି
କାହାକୁ ଯାଇ !
ପଦଧ୍ୱନି ମୋର ଶୁଭି ତ ନଥିଲା
ଅଗ୍ରୀମ ଭାବରେ
ଆସିବା ବେଳେ ।
ଆସିଛି ମୁଁ ଏକା ଯିବି ଚାଲି ଏକା
ନିଶୂନ୍ ପ୍ରହରେ
ନିର୍ବାଣ କୋଳେ ।
ଜନମ ମରଣ ବିଧିର ବିଧାନ
ସମୟକ୍ରମରେ
ଅନୁପୂରକ ।
ଜୀବନ ରଥର ଆବର୍ତ୍ତିତ ପଥେ
ଧରମ କରମ
ପରିପୂରକ ।
ପରିପୂରକ ଏ କର୍ମ ବଳୟରେ
ଅନୁପୂରକ ତ
ସୁଖ ଓ ଦୁଃଖ ।
ସୁଖରେ ବିଭୋର ଦୁଃଖରେ ଅଧୀର
ହୋଇନି,ହେବିନି
ଆତ୍ମବିମୁଖ ।
ଏ ଜୀବନ ମୋର ମଧୁ ବର୍ଣ୍ଣମାଳା
'ଅ' ରେ ଆରମ୍ଭ
'କ୍ଷ' ରେ ଶେଷ ।
ଜନମିଥିଲି ମୁଁ ମାଆ କୋଳେ ସିନା
ମଶାଣିରେ ଅଛି
ମରଣ ଦୋଷ !
ଅଲଙ୍ଘନୀୟ ଏ ମରଣ ବକ୍ଷରେ
ମୋ' ବିଜୟ ହେବ
ଅପରାଜେୟ ।
ଚାଲିଯିବି ସିନା ରହିଯିବ ମୋର
ଅନଶ୍ଵର କୃତି
ହୋଇ ବିସ୍ମୟ !
