ଆନ୍ଦୋଳନ ଚାଲିଥିଲା
ଆନ୍ଦୋଳନ ଚାଲିଥିଲା
ଆନ୍ଦୋଳନ !
ହଁ,ଦୀର୍ଘ ଚାରି ଘଣ୍ଟା ଧରି ସହରରେ ଆନ୍ଦୋଳନ ଚାଲିଥିଲା।ସେଇ ଆନ୍ଦୋଳନରେ ସହରବାସୀଙ୍କ ଶାନ୍ତି, ସନ୍ତୋଷ କୁଆଡେ ହଜି ଯାଇଥିଲା ଯେମିତି।
କିଛି ମୁଷ୍ଟିବଦ୍ଧ ହାତ ଉପରକୁ ଉଠୁଥିଲା।ଶୁଭୁଥିଲା ଚିତ୍କାର।ଝାଳନାଳ ହୋଇ ସ୍ଲୋଗାନ ଦେଇ ଚାଲିଥିଲେ ସେମାନେ।
ମେ ମାସର ଖରା।ପ୍ରଚଣ୍ଡ ଗ୍ରୀଷ୍ମ।ଚାରିଆଡେ ଗ୍ରୀଷ୍ମର କଡା ଶାସନ।ସର୍ବତ୍ର ରୁକ୍ଷତା।ସୂର୍ଯ୍ୟଙ୍କର କିରଣ ବେଶ୍ ପ୍ରଖର।ତାପ ଅସହ୍ୟ।ହେଲେ ଏସବୁ ପ୍ରତି ସେମାନଙ୍କର ଖାତିର୍ ନ ଥିଲା।
ଗଳି,ଉପଗଳି,ଦୋଛକି,ତିନିଛକି,ଚାରିଛକି - ସବୁଠି ସେମାନେ ଦଳବଦ୍ଧ ଭାବରେ ଆନ୍ଦୋଳନ ଚଳାଇ ରଖିଥିଲେ।ଏମିତି ଦମ୍ ରେ ଲାଗିଥିଲେ ଯେମିତି ସେଇ ସଙ୍ଗେସଙ୍ଗେ ସେମାନଙ୍କ ଦାବି ପୂରଣ ହୋଇଯିବ।ସନ୍ତୁଷ୍ଟ ହୋଇ ଘରକୁ ବାହୁଡିଯିବେ ସମସ୍ତେ।ଶାନ୍ତିରେ ନିଃଶ୍ୱାସ ମାରିବେ।
ଜରୁରୀକାଳୀନ ପରିସ୍ଥିତିରେ କିମ୍ବା କର୍ଫ୍ୟୁ ଜାରି କରାଗଲେ ସୈନ୍ୟଦଳ ଯେପରି ଖେଦି ଯାଆନ୍ତି ସେପରି ଖେଦି ଯାଉଥିଲେ ସେମାନେ।ପଛକୁ ଫେରି ଚାହୁଁ ନ ଥିଲେ କି ସେମାନଙ୍କର ପାଦ ସବୁ ଥକିଯିବା ପରି ଜଣା ପଡୁ ନ ଥିଲା।
ବୁଲା କୁକୁର ଗୁଡାକ ସମୟେ ସମୟେ ଭୁକି ଉଠୁଥିଲେ।ହୀନଜାତିରେ ଜନ୍ମ।କ'ଣ ବା ବୁଝନ୍ତି ସେମାନେ ! ଅଧିକାର ପାଇଁ ନିଜେ ଲଢନ୍ତି,କିନ୍ତୁ ମଣିଷ ଯେ ଲଢୁଛି ତାହା ଜାଣି ପାରନ୍ତିନି।
ସାରା ସହରରେ ପୋଲିସ ଛାଉଣୀ।କେଜାଣି କେତେ ପ୍ଲାଟୁନ ପୋଲିସ ଆସି ପହଞ୍ଚିଛନ୍ତି ! ହେଲେ ସେମାନଙ୍କୁ କାହାକୁ ସକ୍ରିୟ ଥିବା ଦେଖିବାକୁ ମିଳୁ ନ ଥିଲା।ଗଣତନ୍ତ୍ର ବ୍ୟବସ୍ଥାରେ ଜନସାଧାରଣ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିପାରିବେ।ସେମାନଙ୍କ କଣ୍ଠରୋଧ କରିବାର କ୍ଷମତା କାହାର ନ ଥାଏ।ଲୋକମାନଙ୍କର ସ୍ୱର ହିଁ ଈଶ୍ୱରଙ୍କ ସ୍ୱର - ଆଗରୁ ରୁଷୋ କହି ଯାଇଛନ୍ତି।ତେଣୁ ସେମାନେ ସବୁ ଦେଖି ନ ଦେଖିବାର ଛଳନା କରୁଥିଲେ।
କିଛି ମଦୁଆ ଟୋକା ନାଚି ନାଚି ଯାଉଥିଲେ।ହାତ ଝାଡି,ଅଣ୍ଟା ହଲେଇ ସେମାନେ ନାଚିବାରେ ଲାଗିଥିଲେ।ସେମାନଙ୍କ ନାଚ ବେଶ୍ ଉପଭୋଗ୍ୟ ଥିଲା।କାହା ପାଟିରୁ କ'ଣ ଯେ ବାହାରି ଯାଉଥିଲା ଆଦୌ ବୁଝି ହେଉ ନ ଥିଲା।ବରଂ ବୁଝି ହେଉଥିଲା ଏସବୁ ମଦର କମାଲ୍ ବୋଲି।
ମେଳି ବାନ୍ଧିଥିବା ଲୋକମାନଙ୍କୁ ପାରିହୁଏନି।ତେଣୁ ସେମାନଙ୍କୁ କେହି କିଛି ବି କହୁ ନ ଥିଲେ।ତା' ଛଡା ସେମାନେ ସେମାନଙ୍କର ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରୁଥିଲେ।ଅଧିକାର ସାବ୍ୟସ୍ତ କରିବାରେ ଲାଗିଥିଲେ।
ଚାହା ଦୋକାନ, ପାନ ଦୋକାନ ସବୁ ଭିଡରୁ ବର୍ତ୍ତି ପାରି ନ ଥିଲା।ଆନ୍ଦୋଳନକାରୀଙ୍କ ହାତକୁ ପାନ ପୁଡିଆ ଅଥବା ଚାହା କପ୍ ବଢାଉ ବଢାଉ କେହି କେହି ପଚାରି ଦେଉଥିଲେ - ତୁମେ କେଉଁ କୃଷକ ସଂଗଠନର ?ତୁମେ କେଉଁ ଦଳର ? କେଉଁ ଶ୍ରମିକ ସଂଗଠନର ଲୋକ ତୁମେ ? ତୁମେ କ'ଣ କେଉଁ କର୍ମଚାରୀ ସଂଗଠନର ? କେଉଁ କଲେଜରୁ ଆସିଛନ୍ତି ଆପଣ ? ଆପଣ କେଉଁ ଛାତ୍ର ୟୁନିଅନର ? କେଉଁ ଧର୍ମ ଆପଣଙ୍କର ?
ଆନ୍ଦୋଳନକାରୀମାନେ ପରସ୍ପରକୁ ଚାହିଁ ରହୁଥିଲେ।ସେମାନଙ୍କ ପାଖରେ ଏସବୁର ସନ୍ତୋଷଜନକ ଉତ୍ତର ନ ଥିଲା।ବାସ୍ତବରେ ସେମାନେ ଏହା ବୁଝି ପାରୁ ନ ଥିଲେ।ତେଣୁ ନିରବ ରହୁଥିଲେ।
ହେଲେ ସେମାନଙ୍କର ଦମ୍ଭ ଭାଙ୍ଗୁ ନ ଥିଲା।କିଏ ଯେମିତି ସେମାନଙ୍କ ଭିତରେ ସାତ ସିଂହର ବଳ ଭର୍ତ୍ତି କରି ଦେଇଥିବା ପରି ଲାଗୁଥିଲା।
ହଠାତ୍ ଗହଳି ଭିତରୁ କେହି ଜଣେ କହି ଉଠିଲା - ଆମେ କୋଉ ଦଳ ଫଳର ନୋହୁଁ।ଆମେ ସବୁ ଦିନ ମଜୁରିଆ।ମଜୁରି ଆଶାରେ ଆସିଛୁ।
ଦିନ ମଜୁରିଆ ! ମଜୁରି ଆଶାରେ ଆସିଛନ୍ତି ! ଆନ୍ଦୋଳନ ପାଇଁ ବି ଏଠି ଦିନ ମଜୁରିଆ ଲୋଡା ହୁଅନ୍ତି ! ହାୟରେ ଆମ ଗଣତନ୍ତ୍ର !
ସାଧାରଣ ଲୋକେ ଏପରି କୁହାକୁହି ହେଉଥିବା ଶୁଣିବାକୁ ମିଳୁଥିଲା।
ଆନ୍ଦୋଳନ ଚାଲିଥିଲା।ସାରା ସହରରେ ଦୀର୍ଘ ଚାରି ଘଣ୍ଟାର ଆନ୍ଦୋଳନ ଚାଲିଥିଲା।