Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Others

3  

Sachidananda Kar

Others

ଅଭିନେତା

ଅଭିନେତା

2 mins
554


--------------------
ଅଭିନେତା
-----------------

ଜୀବନରେ ନିଜ ପାଇଁ କେବେ କିଛି ବାଛି ନ ଥିଲି - ନା' ସାଥି, ନା' ସ୍ତ୍ରୀ,ନା' ପିଲାପିଲି,ନା' ସଂପର୍କ।ଲୋକମାନଙ୍କ ସହିତ ମିଶିବା ମୋର ଖୁବ୍ ପସନ୍ଦ ଥିଲା।ଯିଏ ମୋ ସଂସ୍ପର୍ଶରେ ଆସୁଥିଲା ତା' ସହିତ ମିଶୁଥିଲି।
ସୁରେଶ ବୋଲି ଜଣେ ମୋ ସଂସ୍ପର୍ଶରେ ଆସିଥିଲା। ଥରେ ସେ ତା'ର ଜଣେ ବନ୍ଧୁଙ୍କର ନିନ୍ଦା କରିବାକୁ ଲାଗିଲା। ବନ୍ଧୁଙ୍କୁ ଅହଂକାରୀ କହି ଅଭିଯୋଗର ଗୋଟେ ଲମ୍ବା ଫର୍ଦ୍ଦ ମୋ ଆଗରେ ରଖିଲା।
ମୁଁ ବିସ୍ମିତ ହୋଇଗଲି।ବାସ୍ତବରେ ସେ ହିଁ ଅହଂକାରୀ ଥିଲା।ତେଣୁ ତାକୁ କହିଲି - ' ଯଦି କିଛି ଅଭିଯୋଗ କରିବାର ଅଛି ତେବେ ଭଗବାନଙ୍କ ପାଖରେ କର।ବନ୍ଧୁଙ୍କ ଅହଂକାରକୁ ତାଙ୍କର ଗୁଣ ବୋଲି ଏବେ ଭାବିନିଅ।ସମୟ ଆସିଗଲେ ଅହଂକାର ଚୂନା ହୋଇଯାଏ। '
ଏହାପରେ ସୁରେଶ ଆଉ କେବେ ବି ମୋ ସହିତ ମିଶି ନ ଥିଲା।ମୁଁ ମଧ୍ୟ ତା' ସହିତ ମିଶିବାକୁ ଚାହିଁ ନ ଥିଲି।
ମୋର ଜଣେ ବନ୍ଧୁ ଥିଲେ - ପ୍ରଶାନ୍ତ।ଆମେ ବହୁତ ମିଶିଥିଲୁ।ଯେବେ ମିଶୁଥିଲୁ ମଦ ଆଉ ମଦ୍ୟପଙ୍କ ବିରୋଧରେ ଖୁବ୍ ଲମ୍ବା ଭାଷଣ ଦେଉଥିଲେ ସେ।ଥରେ ତାଙ୍କୁ କହିଲି - ' ଅଭ୍ୟାସରେ ପଡିଗଲେ ଜଣେ ଖରାପ ବାଟରେ ବି ଚାଲିପାରେ।ସେଆଡକୁ କାହିଁକି ନଜର ଦେବା! ଝୁଣ୍ଟିପଡିଲେ ବଳେ ଅଭ୍ୟାସ ବଦଳିଯିବ। '
ସେ ଆଉ ମୋ ସହିତ ମିଶିଲେ ନାହିଁ।ମନେମନେ ତାଙ୍କୁ ଖୋଜୁଥିବାବେଳେ ଦିନେ ସେ ମଦ ପିଇ ରାସ୍ତାରେ ଝୁଲିଝୁଲି ଯାଉଥିବା ଦେଖିଲି।ବୁଝିଗଲି।ମନକୁ ବୁଝାଇଲି।ଆଉ ତାଙ୍କୁ କେବେ ବି ଖୋଜିଲି ନାହିଁ।
ଆଉ ଜଣେ ବନ୍ଧୁ ଥିଲେ - ସୁଦର୍ଶନ।ଯେବେ ବି ସେ ପାଖରେ ବସୁଥିଲେ ନିଜ ସ୍ତ୍ରୀର ପ୍ରଶଂସା କରୁଥିଲେ।ମୋତେ ଭାରି ଖୁସି ଲାଗୁଥିଲା।ଖୁସି ଲାଗୁଥିଲା ଏଇଥିପାଇଁ ଯେ ମୁଁ କେବେ ବି ସେହିପରି ମୋ ସ୍ତ୍ରୀଙ୍କର ପ୍ରଶଂସା ତାଙ୍କ ଆଗରେ କରିପାରୁ ନ ଥିଲି।ସ୍ତ୍ରୀ ମୋଟି ଥିବାରୁ ବେଳେବେଳେ ଟିକିଏ ମନ ଦୁଃଖ କରୁଥିଲେ ସେ।
ଥରେ ତାଙ୍କୁ ବୁଝାଇ କହିଲି - ' ମୋଟିମାନେ କେବେ କେବେ ପତଳା ବି ହୋଇଯାନ୍ତି।ପତଳା ସ୍ତ୍ରୀମାନଙ୍କୁ ନେଇ ଅନେକ ଦୁଃଖୀ ଥିବାର ଶୁଣିଛି।ମନ ଦୁଃଖ କରନ୍ତୁନି। '
ମୋ କଥା ବୁଝିବା ପରି ଦିଶିଲେ ସେ।ଖୁସି ହେଲେ।
ଠିକ୍ ଦି' ଦିନ ପରେ ଜଣେ ପତଳା ସ୍ତ୍ରୀଲୋକ ସହିତ ତାଙ୍କୁ ସିନେମା ଘର ଆଗରେ ଦେଖିଲି।ସ୍ତ୍ରୀଲୋକଟିର ହାତ ଧରି ଖୁସିରେ ଚାଲିଥିଲେ ସେ।ଆଶ୍ଚର୍ଯ୍ୟ ହେଲି।
ମୋତେ ଦେଖି ତାଙ୍କ କପାଳରେ ଝାଳ ଜମିଗଲା।ସ୍ତ୍ରୀଲୋକଟିର ଚେହେରାରେ ଲାଜ ବାରି ହୋଇପଡିଲା।
- ' ମୋଟି ସ୍ତ୍ରୀ ପାଖରୁ ବୋଧହୁଏ ବନ୍ଧୁଙ୍କର ମନ ଭରୁନାହିଁ। ' ନିଜକୁ ନିଜେ କହିଲି।ବାଟ ଭାଙ୍ଗି ଚାଲିଗଲି।
କାହିଁକି କେଜାଣି ବନ୍ଧୁଙ୍କ ସ୍ତ୍ରୀଙ୍କ କାନରେ କଥାଟା ପକେଇଦେବି ଭାବିଲି।
ଏଇ ସ୍ତ୍ରୀଲୋକମାନେ ତ ଏଠି ଯୁଗଯୁଗ ଧରି ଅବହେଳିତ।ଗୋଟେ ଅତି ପରିତ୍ଯକ୍ତ କବର ଭିତରେ ପଡି ରହିଥାନ୍ତି ସବୁବେଳେ।ଯିଏ ଯେମିତି ମନେ କରି ପାରିଲା କଲା।ଗୋଟେ ଖୁବ୍ ସର୍ବଂସହା ଶରୀର ନେଇ ସବୁ ପରିସ୍ଥିତିରେ ହସଖୁସିରେ ରହିବାରେ ସେମାନେ ଅଭ୍ଯାସ୍ତ।ମନରେ ଦୟା ଆସିଲା।ମନକୁ ବୁଝାଇଦେଲି।
ଏଇ ଘଟଣା ପରଠାରୁ ବନ୍ଧୁ ସୁଦର୍ଶନ ଆଉ କେବେ ବି ମୋର ସାମ୍ନା କରି ନ ଥିଲେ।
ମୋର ଅନେକ ବନ୍ଧୁ ଥିଲେ। ଏହାପରେ କୋୖଣସି ବନ୍ଧୁଙ୍କୁ ଚିହ୍ନିଥିବା ଜାଣିଥିବା ପରି ମୋର ଆଉ ମନେ ହେଲା ନାହିଁ।ସମସ୍ତେ ମୋତେ ଭିନ୍ନ ଭିନ୍ନ ଭୂମିକାରେ ଜଣେ ଜଣେ ଅଭିନେତା ପରି ଲାଗିଲେ।
- ' ମୁଁ କ'ଣ ଜଣେ ଅଭିନେତା ନୁହେଁ ? ମୁଁ କ'ଣ ବାସ୍ତବ ଜୀବନ ବଞ୍ଚୁଛି ସତରେ ? ' ଏହାପରେ ଏଭଳି ପ୍ରଶ୍ନ ସବୁ ନିଜକୁ ପଚାରିବାକୁ ଲାଗିଲି ।
- ' ଏଠି କିଏ ଅଭିନେତା ନୁହେଁ ଯେ ! '
ଉତ୍ତର ଦେବା ଆଗରୁ ଧୀରେ ଏତିକି କହି ନିଜ ମନକୁ ବୁଝାଇଦେଲି।


Rate this content
Log in