ଇଚ୍ଛା : ଦୁଃଖର ଅନ୍ୟନାମ
ଇଚ୍ଛା : ଦୁଃଖର ଅନ୍ୟନାମ
କୁଆଡ଼େ ବାହାରିଛ, ବନ୍ଧୁ ? ପଚାରିଲେ ବୁଦ୍ଧ।
ଚମକିପଡିଲେ ମାନବ।ବୁଦ୍ଧଙ୍କୁ ଦେଖି କହିଲେ - ' କାଲି ଜି.ପି.ଏଫ୍. ମିଳିଗଲା।ଆଜି ଆନନ୍ଦ ବଜାରକୁ ବାହାରିଛି। '
ନିଜର ଇଚ୍ଛା ଅପୂରଣ ଥିବା କାରଣରୁ ତାଙ୍କ ମନରେ ଆନନ୍ଦ ନ ଥିଲା।ବୁଦ୍ଧ ଜାଣିଥିଲେ।ତଥାପି କହିଲେ - ' ଚାଲ,ମୁଁ ତୁମ ସହିତ ଯିବି।ତୁମ ଆନନ୍ଦ କିଣାକିଣି ଦେଖିବି।'
ଦୁହେଁ ସାଙ୍ଗହୋଇ ଗଲେ। ବାଟରେ ମାନବ ସ୍ଥିର କଲେ ଆଗେ ପୁଅର,ତା'ପରେ ଝିଅର, ପଛରେ ସ୍ତ୍ରୀଙ୍କ ପାଇଁ ଆନନ୍ଦ କିଣିବେ। ପ୍ରଥମେ ପୁଅ ପାଇଁ ଗୋଟେ ବାଇକ୍,ତା'ପରେ ଝିଅ ପାଇଁ ଗୋଟେ ଆଇ ଫୋନ୍ ଏବଂ ଶେଷରେ ସ୍ତ୍ରୀ ପାଇଁ ଗୋଟେ ସୁନାହାର କିଣିଲେ ମାନବ।
ଆନନ୍ଦ ଉଛୁଳି ଉଠୁଥାଏ ତାଙ୍କ ଭିତରେ।ତାଙ୍କୁ ଲକ୍ଷ୍ୟ କରି ବୁଦ୍ଧ କହିଲେ - ' ତେବେ ଆନନ୍ଦ ଏପରି କିଣାଯାଏ ଜାଣି ନ ଥିଲି। '
ସ୍ମିତ ହସିଦେଇ ମାନବ କହିଲେ - ' ସବୁରି ମୂଳରେ ଟଙ୍କା।ଯାହା ପାଖରେ ଯେତେ ଟଙ୍କା ସିଏ ସେତେ ଆନନ୍ଦ କିଣିପାରୁଛି।ଏଇ ଆନନ୍ଦ ବଜାରକୁ ବି ମାନିବାକୁ ପଡିବ। '
ଏତିକିବେଳେ ତାଙ୍କର ମନେ ପଡ଼ିଲା ଝିଅ ଜିନିସ୍ ଆଣିବାକୁ କହିଥିଲା।ସେ ପର୍ସ ଚେକ୍ କଲେ।ଟଙ୍କା ଥିବାରୁ ତାହା ସେ କିଣିଲେ।ଏହାପରେ ପର୍ସ ପୁରା ସଫା ହୋଇଗଲା।
ମାନବ ଘରକୁ ଫେରିବେ ଭାବିଲେ।ଏବେ ତାଙ୍କ ପାଖରେ ବହୁତ ଆନନ୍ଦ ଥିଲା। ସେ ବୁଦ୍ଧଙ୍କୁ କହିଲେ - ' ଚାଲ,ଘରକୁ ଫେରିବା।'
- ' ଆନନ୍ଦ କିଣା ସରିଗଲା ତେବେ ! ' ବୁଦ୍ଧ କହିଲେ।
ପୁଣି ସ୍ମିତ ହସିଲେ ମାନବ।କହିଲେ - ' ଆନନ୍ଦ ବିନା ସେ କି ଜୀବନ ! '
ଏତିକି ବେଳେ ସ୍ତ୍ରୀ ଫୋନ୍ କଲେ।କହିଲେ - ' ମୋ ପାଇଁ ଗୋଟେ ଦାମୀ ଶାଢ଼ୀ ନେଇ ଆସିବ ତ ! '
ହଠାତ୍ ଯେମିତି ଆକାଶରୁ ଛିଣ୍ଡି ତଳକୁ ଗଳି ପଡିଲେ ମାନବ।ମୁହଁରେ ଦୁଃଖର ଛାୟା।
- ' କ'ଣ ହେଲା ? ' ପଚାରିଲେ ବୁଦ୍ଧ।
- ' ଆନନ୍ଦ ଖୋଜୁଛି।ହଠାତ୍ ଯେମିତି କୁଆଡ଼େ ନିଖୋଜ ହୋଇଗଲା ସେ, ସେପରି ଲାଗୁଛି। ' ମାନବ କହିଲେ।
ହସିଲେ ବୁଦ୍ଧ। କହିଲେ - ' ମୋ ସହିତ ଆସ।ମୁଁ ତୁମକୁ ଆନନ୍ଦ ପାଖରେ ପହଞ୍ଚାଇ ଦେବି। '
ମାନବ ବୁଦ୍ଧଙ୍କ ସହିତ ଚାଲିଲେ।ଦୁହେଁ ଗୋଟିଏ ନିରୋଳା ଜାଗାକୁ ଚାଲି ଆସିଲେ।ମାନବଙ୍କ ହାତରେ ବୁଦ୍ଧ ଗୋଟିଏ ଛୁରୀ ଧରାଇ ଦେଇ କହିଲେ - ' ଏହି ଛୁରିଟି ଧରିଥାଅ।ତୁମକୁ ତୁମ ଦୁଃଖର କାରଣ କହି ଦେଉଛି।ତାକୁ ହତ୍ଯା କରିଦେବ।ତା'ପରେ ତୁମେ ଆପେ ଆନନ୍ଦ ପାଖରେ ପହଞ୍ଚି ଯିବ। '
ହାତରେ ଛୁରୀ।ମାନବଙ୍କ ନଜର ଥିଲା ବୁଦ୍ଧଙ୍କ ମୁହଁ ଉପରେ।
ବୁଦ୍ଧ କହିଲେ - ' ତୁମ ଇଚ୍ଛା ହିଁ ତୁମ ଦୁଃଖର କାରଣ। ତାକୁ ହତ୍ଯା କର। '
- ' କେମିତି ହତ୍ଯା କରିବି ନିଜର ଇଚ୍ଛାକୁ ! ' ଭାବିଲେ ମାନବ।ତାଙ୍କ ନଜର କେବଳ ଛୁରୀ ଉପରେ ହିଁ ରହିଥିଲା।