Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମାଟି ମା '
ମାଟି ମା '
★★★★★

© Satyaprakash Sethy

Others Tragedy

15 Minutes   14.7K    17


Content Ranking

କେଉଁ ପ୍ରହରରୁୁ ତରାସିଆ ଖରାଟା ଡ଼େଇଁ ଡ଼େଇଁ ବୁଲିଲାଣି । ଗାଁ ତଳକୁ ଗହୀର ଜମିରେ ଘୋଡ଼ା ମୁହାଁ ଧାନ ଗୁଡ଼ାକ ସାଇଁ ସାଇଁ ହୋଇ କ’ଣ ଗୁଡ଼ାଏ ବକି ଯାଉଥିଲେ କେଜାଣି ଖାଲି ମୁଣ୍ଡ ହଲାଇବାଟା ଜଣାପଡୁଥିଲା । ଜଣାପଡୁଥିଲା ସତେକି ସେମାନଙ୍କର ଏ ତରାସିଆ ଖରାଟା ଉପରେ ଶରଧା ନାହିଁ ଆଉ ସେଇଥି ପାଇଁ ତାକୁ ମୁଣ୍ଡ ହଲାଇ ଆସିବା ପାଇଁ ମନା କରୁଥିଲେ । ଖୁବ୍ ଦୂରକୁ ଲକ୍ଷ୍ୟକଲେ ସେଇଠି ଆକାଶଟା ତଳେ ମିଶି ଯାଇଛି । ଦିଗ୍ବଳୟ ମେଲିଛି ଗୋଟାଏ ରୂପା ଚାନ୍ଦୁଆ । ତା’ରି ପଛକୁ କ’ଣ ଯେ ଅଛି ତାହା କେହି କେବେ କହି ପାରିନାହିଁ, କେହି ବି ଦେଖିନି । କିନ୍ତୁ ତା’ ପାଖକୁ ଗଲେ ସେ ମଧ୍ୟ ଆଗକୁ ଆଗକୁ ଚାଲିଯାଏ । ଖାଲି ନିରସିଆ ଏ ପୃଥିବୀଟା । ସବୁ ଗୁଡ଼ାକ ଦୂରରେ । ହାତ ପାହାନ୍ତାରେ କିଛି ନାହିଁ । ଯେଉଁଠିକି ଚାହିଁବ ଖାଲି ଶୂନ୍ୟ, ମହାଶୂନ୍ୟ ତଥାପି କେଉଁଠି କିଛି ଯଦି ଥାଏ ସେଗୁଡ଼ାକ ସବୁ ବିଭତ୍ସ । ସତେକି ସେଇଠି ଆଦିମାନବର ପ୍ରେତାତ୍ମା ଘୂରି ବୁଲୁଛି । ଏହି ମଣିଷ ସମାଜଟାକୁ ଏକା ଢୋକେ ନିଃଶେଷ କରି ଦେବାକୁ । କିନ୍ତୁ ପାରିବତ ? ଏଇ ଅଣୁ ଅସ୍ତ୍ର ଗୁଡ଼ାକ ତା ପେଟରେ ହଜମ ହେବ ତ ? ନା- ଟ୍ୟାଙ୍କ୍, ମିଜାଇଲ୍ ଗୁଡ଼ାକ ନିଶ୍ଚୟ ତା’ ପେଟକୁ ଫଟାଇ ଦେବ । ହୁଏତ ସେଇ ବାଟ ଦେଇ ଉଡ଼ାଜାହାଜ ଏବଂ ରକେଟ ଗୁଡା ପଳାଇ ଆସିବେ । ତେବେ ତ ଅବସ୍ଥା ପୁଣି ଅସମ୍ଭାଳ ହୋଇ ପଡ଼ିବ । ଅବଶ୍ୟ ଜର୍ମାନୀ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଅକ୍ଷମ ହୋଇପଡ଼ିଛି । ତାହା ବୋଲି କ’ଣ ଚାଇନା ଅକ୍ଷମ ନା, ୠଷ୍ ଆମେରିକା ଅକ୍ଷମ? କିଏ କହିବ ଅକ୍ଷମ ବୋଲି– ବେଶ୍ କ୍ଷମ । ଯଦି ତୃତୀୟ ବିଶ୍ୱ ଯୁଦ୍ଧଟା ହୋଇ ଯାଆନ୍ତା ତେବେ କି ମଜା ? ଗୁଡ଼ାଏ ଲୋକ ତ ସର୍ବହରା ହେବେ ନିଶ୍ଚୟ । ଥୋକେ ଖଣ୍ଡିଆ ଖାବରା ହେବେ । ଥୋକେ ମରି ହଜି ଯିବେ -ସେଟା ସୁନିଶ୍ଚିତ । କିନ୍ତୁ ……………… ଥୋକେ ଟଙ୍କା ପଇସା ସୀମାନ୍ତରେ ଜଳି ପୋଡି ପାଉଁଷ ହେଲେ ମଧ୍ୟ ଏ ସମାଜରେ ଥୋକେ ତ ଧନୀ ବୋଲି ବି ଆଖ୍ୟାୟିତ ହେବେ । ସେଇମାନେ ନେବେ ଗରିବ ସମାଜର ନିଷ୍ପେଷଣା ଏବଂ ଶୋଷଣ ଦାୟିତ୍ୱ । ଅବଶ୍ୟ ସେତେବେଳେ ପାଉଁଶ ଗଦାରୁ ଉଠି ଆସିଥିବା ଦରପୋଡ଼ା କଙ୍କାଳ ସମାଜର ଅଧିପତିମାନେ ସେମାନଙ୍କୁ ଏ କାର୍ଯ୍ୟରେ ସାହାଯ୍ୟ କରିବେ । କାରଣ ସେମାନେ ମଧ୍ୟ ଚାହୁଁଥିବେ ଗୁଳିମାଡ଼ରେ ଖସି ପଡ଼ିଥିବା ରାଜଧାନୀ ଘର କିପରି ଗଢ଼ିଉଠିବ । ବିଚରଣ କରିବା ନିମିତ୍ତ ବଡ଼ ବଡ଼ ବଗିଚାମାନ ତିଆରି କରାଯାଇ ସେଗୁଡ଼ିକରେ କିପରି ଫୁଲ ତରାଖୋସା ହେବ । କିମ୍ବା କିପରି ବନ୍ଦ ହୋଇଯାଇଥିବା ବଡ଼ ବଡ଼ କଳ କାରଖାନା ଗୁଡ଼ିକ ଫସ୍ ଫାସ୍ ଧୁଆଁ ଛାଡ଼ିବେ । ବାସ୍ତବିକ କେଡ଼େ ମଜାଟାଏ ନ ହେବ ସତେ ? ବହୁତ ଗୁଡ଼ାଏ ଜିନିଷ ପୋଡ଼ି ଯାଇଥିଲେ ମଧ୍ୟ ଦୁନିଆର ସବୁ କିଛି ତ କଳା ହୋଇ ଯାଇନଥିବ । କିଛି ବି ଏ ତରାସିଆ ଖରାରେ ଚିକ୍ ଚିକ୍ ଦେଖାଯାଉଥିବ । ଆଉ ଦାଣ୍ଡରେ ଯେତେବେଳେ କଙ୍କାଳ ସମାଜ ଭିକ ମାଗି ବୁଲୁଥିବେ ସେତେବେଳେ କୋଠା ଉପରେ ବସି ଦଳେ ଲୋକ ତାଳିମାରି ହୁରୁଡାଉ ଥିବେ ! ସତେକି ପୋକ ମାଛି ସେମାନେ । ସେହି ବିଭତ୍ସ ଦୃଶ୍ୟକୁ ପରିସ୍ଫୁଟ କରାଇବା ପାଇଁ ଯେ ଏଇ ଖରାଟା ସାହାଯ୍ୟ କରିବ, ତାହା ନୁହେଁ, ନିଶ୍ଚୟ ସାହାଯ୍ୟ କରିବ । ବରଂ ଦୁଃଖ ଦରିଦ୍ରତାର ମଞ୍ଚତଳେ ଠେଙ୍ଗା ଗୋଇଠା ଖାଇ ନିଜର ଝାଳ ବଲବଲ ମୁହଁ ଉପରକୁ ଯେତେବେଳେ ଦି ଟୋପା ଲୁହ ଗଡ଼ାଇ ଆଣୁଥିବା, ସେତେବେଳେ ଏହି ଖରାଟା ମୁଁହ ଉପରେ ପଡ଼ି ଚିକ୍ ଚିକ୍ କରିପାରେ । ଦେଖାଇ ଦେଇପାରେ ମଣିଷ ଦୁନିଆଟା ସବୁଦିନ ପାଇଁ ଏଇଆ ।

ସାଧୁ ପଧାନଙ୍କ କୋଠାଘର ନୂଆକରି ତୋଳା ଯାଇଛି । ବେଶ୍ ସୁନ୍ଦର ହୋଇଛି । ସେହି ଘରର ଦାଣ୍ଡ କୋଠରୀରେ ପଧାନ ପ୍ରତି ସକାଳେ ଠାକୁରଙ୍କ ସେବାରେ ରତ ଥିବାଭଳି ଜଣାଯାଏ — ଦେଖିଲେ । ତେଣୁ ଆଜି ବି ସେଇଆ । ପଧାନଙ୍କ ଖୋଲା ଆଖି ଦୁଇଟା ସିଧାସଳଖ ରାଧା ଗୋବିନ୍ଦଙ୍କ ଚକ୍ଷୁ ଉପରେ ପଡ଼ିଥାଏ । ଠିକ୍ ତାଙ୍କର କୃଷ୍ଣାନନ ଉପରେ । ହୁଏତ ସାଧୁ ପଧାନଙ୍କ ନାତି ବା ନାତୁଣୀ କେହି ଯଦି ଏଠାରେ ଥାଆନ୍ତେ ତେବେ ପଧାନଙ୍କୁ ଏ ଅବସ୍ଥାରେ ଦେଖି କହିଥାନ୍ତେ–ଗୋସେଇଁ ବାପା , ରାଧା ଗୋବିନ୍ଦ କୁଆଡ଼େ ପଳେଇବେ ନାହିଁ ଯେ ତାଙ୍କ ଉପରେ ଏମିତି ନିରାଟିଆ ଚାହାଣୀ ପକାଉଛ କାହିଁକି ? ତାଙ୍କ ମୁହଁ ଯଦି ବେଶି କଳା ପଡ଼ିଗଲା ତେବେ କ’ଣ କରାଯିବ ? ତାହା ପରେ ସାଧୁ ପଧାନେ ନୀରବ ହସଟିଏ ଉପହାର ଦେଇଥାନ୍ତେ ? କିନ୍ତୁ ……..ପଧାନଙ୍କର ସେ ଭୟ ତ ନ ଥିଲା । କାରଣ ସେତେବେଳେ ତାଙ୍କର ନାତି, ନାତୁଣୀ ପାଖରେ ବା ଅନ୍ୟ କେହି ରହନ୍ତି ନାହିଁ । ସମସ୍ତଙ୍କୁ ଦୂରରେ ରଖି ସେ ତାଙ୍କରି କଣ୍ଟ୍ରୋଲ ଦୋକାନ ସମ୍ବନ୍ଧରେ ପ୍ରତିଦିନ କିଛି ଚିନ୍ତା କରନ୍ତି । ସେ ଭାବୁଥିଲେ– ଯୁଦ୍ଧଟା ଏବେ ହୋଇଯାନ୍ତା ନା ତେବେ ସେ ନିଶ୍ଚୟ ୧୦୦ ବସ୍ତା ଗହମ ଓ 200 କ୍ବିଣ୍ଟାଲ ଚାଉଳ ଆଗତୁରା କିଣି ରଖି, ପୂରା ଦରରେ ବିକନ୍ତେ । କେତେ ଗୁଡ଼ାଏ ଲାଭ ହୁଅନ୍ତା ସତେ ? ସବୁ ଜିନିଷରୁ କିଛି କିଛି ରଖି ଦେଇ ପରେ କଳା ବଜାର କଲେ ତୃତୀୟ ତାଲାଟା ଭଲ ଭାବରେ ହୋଇଯା’ନ୍ତା ।

* * * *

ନୀଳ ଗଗନଟା ମିଳେଇ ଯାଇଥିଲା ସେଇଠି । ସେହି ଦୂର ଦିଗ୍ବଳୟର ମୁଣ୍ଡ ଉପରେ ଝୁଲି ଝୁଲି ଲମ୍ବି ଯାଇଥିଲା କେତେ ବାଟକୁ । ଯେଉଁଠିକି ଆଖିପାଏ ନାହିଁ । ଅନାଇଲେ ଆଖି ଝିଲିମିଲି ହୋଇଉଠେ । ଅନ୍ଧାରିଆ ରାଇଜଟା ଆଖି ଆଗକୁ ଆସି, ଥେଇ ଥେଇ ନାଚେ , ହାତ ଠାରି ଡ଼ାକେ । କେହି ଯାଇ ପାରନ୍ତି ନାହିଁ । ସେହି ଆକାଶ ତଳେ ମଣିଷର ରାଇଜ, ନଈ, ବଣ, ପାହାଡ଼, ପର୍ବତ ଶ୍ୟାମଳ ପ୍ରାନ୍ତର । ସେଇଠି ପ୍ରଜାପତି ଉଡ଼େ , ସିଂହ ଗର୍ଜନ କରେ, ମୃଗ ଦିନ ସାରା ନୃତ୍ୟରତ ହୋଇ ବଲ୍ଲୀ କୁଞ୍ଜ ତଳେ ଆଶ୍ରୟ ନିଏ । ବ୍ୟାଘ୍ର ପୁଣି ଦଉଡ଼େ ତାହାରି ଅନ୍ୱେଷଣରେ । ସେଇଠି ମଣିଷ ଘରତୋଳେ — କୋଠାଘର, ପକ୍ଷୀପରି ଉଡ଼େ ,ଆଗ୍ନେୟଗିରି ଭଳି ମାଟି ପଥର, ମଣିଷ, ଗୋରୁ ଗାଈ ସବୁ ଜାଳିଦିଏ, କଳ କାରଖାନା ଗଢ଼େ, ବନ ଗହନର ତଳେ ପୂରିଉଠେ ଆଦିବାସୀ ସଙ୍ଗୀତର ମୁର୍ଚ୍ଛନା, ନିରଳସ ଜୀବନ ଯାପନର ଛନ୍ଦ, ପୁଣି ସେଇଠି ମଣିଷ ଜାତିର ନିର୍ଯ୍ୟତନା,ଲାଂଛନା, ନିଷ୍ପେଷନା ।

ଗଣ୍ଠୁରୀ ନଈଟା ମୋଡ଼ି ମୋଡ଼ି ହୋଇ ଦୂରେଇ ଯାଇଛି ବେଶ୍ କିଛି ବାଟକୁ । କେତେବେଳେ ସେ ଫୁଲିଯାଇ ମାପ ମୁଣ୍ଡ ଛିଡ଼ାଏ । କେତେ ବେଳେ ଫସଲ, ଘରଦ୍ୱାର ମଣିଷ, ଗାଈ ଗୋରୁ ଭସାଏ । ଆଉ କେତେବେଳେ ମଧ୍ୟ ନିଜ ପେଟ ମଧ୍ୟରେ ନିଶ୍ଚଳ ହୋଇ ପଡ଼ିରହେ । ତା’ରି ପାଖକୁ ବାଲିଆ ରାସ୍ତାଟା । ବାଲି ଆଧିକ୍ୟରୁ ରାସ୍ତାଟା ଜଣାପଡ଼େ ନାହିଁ । ଚାଲିଲେ ଖାଲି ଧସ୍ ଧସ୍ ହୋଇ ପଛକୁ ଟାଣେ । ସେଇଠିକି ଟିକିଏ ଛାଡ଼ି ଶ୍ମଶାନ, ଆମ୍ବ ତୋଟା ସିଧା ସଳଖ ଅନାଇଲେ ବୀର ଦେବ ପୁରର ଶିବ ମନ୍ଦିର । ବାସ୍ ସେତିକି । ପୁଣି ନଈ ସେପଟକୁ ମୋଟା ମୋଟା ରସାଳିଆ ଆଖୁକ୍ଷେତ, ମେଘମାଳ ଧାନର ଉଆଁସି ଜଙ୍ଗଲ– ସବୁ ସାଧୁ ପଧାନଙ୍କର ।

ସେହି ବାଲିଆ ରାସ୍ତାଟା ଉପରେ ଓହଳି ଓହଳି ଚାଲିଛି ବିଶୁ– ଦାଣ୍ଡରେ ଯେଉଁମାନେ ଭିକ୍ଷାଥାଳି ଧରି ହାତ ପାତି ବୁଲନ୍ତି, ଗୋଇଠା ମାଡ଼ ଖାଆନ୍ତି, ମୁଠେ ଅଧେ ଖାଇବାକୁ ନ ପାଇ ଗୋହିିରି ଜମିରେ ପଚିଯା’ନ୍ତି , ଖଣ୍ଡିଏ ପିନ୍ଧିବାକୁ ନପାଇ ମଲା ମଣିଷର ଲୁଗା ଛିଡ଼ାନ୍ତି ସେହି ମାନଙ୍କ ସମାଜରୁ ଜଣେ ବିଶୁ । କାଳିଆ ବିଲି-ବିଲା ଦେହ, ପାଉଁଶିଆ ଚର୍ମ ,ଜଟାଳିଆ ମୁଣ୍ଡ, ଲମ୍ବା ଲମ୍ବା ଦାଢ଼ି । ଫାଙ୍ଗୁଳା ଛାତି ଓ ସେଏଁକା ହାତ ତଳେ ଚିରା ଝୁଲିଟିଏ ଯାହା ତା’ର ସମ୍ବଳ । ଉପରକୁ ଅନାଇଲା ବିଶୁ, ବାଦଲ ଦୁନିଆଟା ଝିଲମିଲ ହେଉଛି । ତଳେ ପୁଣି ପାକଲା ମାଟି ମା’ । ତା’ ରି କୋଳକୁ ଫଟାଇ ଏହି ଗଣ୍ଠୁରୀ ନଈଟା ଧାଇଁଛି । କେଡ଼େ ନୃଶଂସ ଏ ନଈଟା କେତେ ଲୋକଙ୍କୁ ପରା ସର୍ବହରା କରିଛି । ସେ ବର୍ଷ ତା’ରି ବାପାକୁ ଭସାଇ ନେଲା, ଜମି ଧୋଇନେଲା- ସୁନା ଫସଲର କିଆରୀ ହେଲା ଲୁହାର କିଆରୀ, ଟାଙ୍ଗରା ବାଲିଚର । ସେଇଥିପାଇଁ ସିନା ସେ ହେଲା ଦାଣ୍ଡର ଭିକାରୀ । ସାଧୁ ପଧାନ ତାଙ୍କର ସବୁ ଜମି ବାଡ଼ି ହସ୍ତଗତ କରି ଲୋକଙ୍କ ଦ୍ୱାରା ରାତା ରାତି ତାଙ୍କୁ ତଡ଼ି ଦେଲା । ସେହିଦିନ ତା’ରି ବୃଦ୍ଧା ମା’ ଭୋକ ଉପବାସରେ ଛଟପଟ ହୋଇ ଗାଁ ମୁଣ୍ଡ ବରଗଛ ତଳେ ଟୁପୁ ଟୁପୁ ବରଷା କୋଳରେ ଆଶ୍ରୟ ନେଲା । ତା’ ପରେ ସେ ହେଲା ସର୍ବହରା । ସେତେବେଳେ ଆଖିରୁ ଝରି ପଡିଥିଲା ଲୁହ । ଆଖିରୁ ଲୁହ ପୋଛି ଛାତିକୁ କରିଥିଲା ପଥର, ମନରେ ଛୁଟିଥିଲା ବତାସ । ଅସହନର ଝଞ୍ଜା । ମା’କୁ ମାଟିତଳେ ପୋତି ଧାଇଁ ଯାଇଥିଲା ଦୂର ଦୁନିଆକୁ ପ୍ରତିଶୋଧର ଆଶାରେ ଶଯ୍ୟା ପାତିବାକୁ । କିନ୍ତୁ କାହିଁ କିଛି ପରିନି ତ ସେ? ସବୁ ପ୍ରତିଶୋଧର ଚିନ୍ତା ଧୋଇ ହୋଇ ଯାଇଛି, ଲିଭି ଯାଇଛି ମନରୁ । ଏହି ମଣିଷର ଶୋଷଣ ମଞ୍ଚତଳେ ସବୁ ସେ ଛାଡ଼ି ଆସିଛି । ସମାଜର ଅଶରୀରୀ ତା’ ପାଖରୁ ସବୁ ଜୋର କରି ଛଡ଼ାଇ ନେଇଛି । ସେଇଥି ପାଇଁ ସେ ଆଜି ହୋଇଛି କଙ୍କାଳ ଦୁନିଆର କାଙ୍ଗାଳ, ହାତ ପତା, ବାର ବୁଲା ଭିକାରୀ । କିନ୍ତୁ, ତା’ପାଇଁ କ’ଣ ଏଇ ଗଣ୍ଠୁରୀ ନଈ କେବଳ ଦାୟୀ । ନାଁ ନାଁ ସେ ପ୍ରକୃତିର ରାଣୀ, ସେ ସର୍ବଂସହା, ଦାନୀ, ତା’ରି କୋଳରେ ସେ କେତେ ଖେଳିଛି , ବୁଲିଛି ମାଛ ଧରିଛି । ତା’ରି ବାପା ଏହାରି କୋଳରୁ ପାଣିନେଇ ସାଧୁ ପଧାନେ ଯେଉଁ ଜମିରେ ଆଖୁ କରିଛି ସେହି ଜମିରେ ବଡ଼ ବଡ଼ କାକୁଡ଼ି କଲରା ଫଳାଏ; କଳା କଳା ବାଇଗଣ, କୋବି, ଏଇମିତି ନାଲି ମୋଟା ମୋଟା ରସାଳିଆ ଆଖୁ– ସବୁହୁଏ । ଏଇ ନଈ ସବୁଦିଏ । ତେବେ ସେ ଏହାକୁ ନିନ୍ଦିବ କାହିଁକି ? ନାଁ ସେ ତା’ର ମା । ତଳକୁ ଗଡ଼ିଲା ବିଶୁ । କାର୍ତ୍ତିକର ନଈ କାଚଧାର ଜଳକୁ ନେଇ ଝିରି ଝିରି ହୋଇ ବହିଯାଉଛି । ଭିତରକୁ ପଶିଲା ସେ । ଚଳା ଚଳା କରି ପାଣି ପିଇଲା । ପାଣି ଟୋପେ ନେଇ ମୁଣ୍ଡରେ ମାରିଲା । ମୁଁହରୁ ହାତରେ ପାଣି ପୋଛି ପିଠିରେ ଲେପିଲା । ଉପରକୁ ଉଠିଲା ପୁଣି ।

ବେଳ ଉପରକୁ ଉଠିଲାଣି । ତିନି ଦିନ ହେଲା ମୁଠାଏ ହେଲେ ପେଟରେ ପଡ଼ି ନାହିଁ । ସେ ପୁଣି ଆଗକୁ ଯିବ– ମୁଠାଏ ଖାଇବା ପାଇଁ । ମନରେ ସବୁ ଆଶା ଭରସା ନେଇ ସେ ଧାଇଁଛି ଏଇ ଗାଁକୁ । ଏଇ ତା’ରି ଗାଁ । ତା’ର ଜନ୍ମ ମାଟିରେ ସେ ପହଞ୍ଚିଛି । ଏଇଠି ସେ ନିଶ୍ଚୟ ଖାଇବାକୁ ମୁଠେ ପାଇବ । ଆଖି ଆଗରେ ପଡ଼ିଲା ମା’ର ସମାଧି । ଶ୍ମଶାନ ମାଟିର ପେଟ ଭିତରେ ତା’ରି ମା’ର ହାଡ଼ ଗୋଡ଼ ରହିି ଯାଇଛି, ପଚି ଯାଇଛି । ତା’କୁ ଆଉ ଦେଖି ପାରିବ ନାହିଁ ସେ– ଯେ ତାକୁ ୧୦ ମାସ ପେଟରେ ଧରିଥିଲା, ମୁଁହରେ ଦେଇଥିଲା ବୋକ, ନିଜ ପେଟକୁ ପଥର କରି ଖୋଇ ପେଇ ବଢ଼ାଇଥିଲା, ଅଣ୍ଟିରେ ପୂରାଇ ଚାନ୍ଦ ଦେଖାଇ ଥିଲା, ସେଇ ମା’ । ମନେ ପଡ଼ିଗଲା ତା’ର ଡ଼ାକ– “ରେ ବିଶୁନି !…. ବିଶୁନି ରେ ……. ।” ସତେ କଡ଼େ ମଧୁରିଆ ଡ଼ାକ । ମା’ର ସମାଧି ଉପରେ ମୁଣ୍ଡ ଲଗାଇଲା । ଆଖିରୁ ଝରାଇଲା ଲୁହ । ସେ ଯଦି ତା ମା’ ସହିତ ସେ ଘରକୁ ଯାଇଥା’ନ୍ତା ତା’ମା ତା’କୁ କୋଳରେ ଧରିଥାନ୍ତା; ତା’ର ପେଟକଥା ବୁଝିଥାନ୍ତା । କିନ୍ତୁ ଏଠି ଆଉ କିଏ ଅଛି ତା’ର ? କିଏ ବୁଝିବ ତା’ର ପେଟକଥା ? କିଏ ବୁଝିବ ତା’ର ଦୁଃଖ ? ମା’ ଆଗରୁ ବାପା ତ ସେ ପୁରକୁଯାଇଛି କେଉଁ ଦିନରୁ । ଆଖିରୁ ପୋଛିଲା ଲୁହ । ମନଟା ବହୁୂତ ଅବୋଧ ଲାଗୁଥିଲା । ଯେଉଁ ଦିନ ମା’ ତା’ର ବରଗଛ ତଳେ ମରିଗଲା ସେଦିନ ସେ ସେଇଠି ମାଟି କାମୁଡ଼ି ଥିଲା , ଦାନ୍ତ କଡ଼ ମଡ଼ କରିଥିଲା, ହାତ ମୁଠା ମୁଠା କରି କହିଥିଲା- ସାଧୁ ପଧାନକୁ ଧ୍ୱଂସ କରିବାକୁ, ଏଇ ମାଟିରେ ଟିକି ଟିକି କରି ମିଶାଇବାକୁ । କିନ୍ତୁ ସେ ପାରିନାହିଁ । ପେଟ ତା’କୁ ପଛକୁ ଠେଲିଛି । ମନରେ ପଡ଼ିଲା ସବୁ । ପୁଣି ରାଗହେଲା- ନାଁ ନାଁ ସେ ନିଶ୍ଚୟ ଡ଼କାୟତି କରିବ । ସାଧୁ ପଧାନର ଘରକୁ ଲୁଟ୍ କରିବ । ସାଧୁ ପଧାନକୁ ତିଳ ତିଳ କରି ଶ୍ମଶାନ ମାଟିରେ କୁଆ କୁକୁରଙ୍କୁୂ ବାଣ୍ଟି ଦେବ । ମନରେ ପ୍ରତିଶୋଧର ବହ୍ନି ଜଳି ଉଠିଲା । ଦାନ୍ତରେ ଉଠିଲା ଥର ।

ଗାଁ ଆଡ଼କୁ ଚାଲିଛି ଏକ ମୁହାଁ ହୋଇ । ଗାଁର ରୂପ ଢେରେ ବଦଳିଛି । କେତେଟା ଖାନଦାନ୍ ଘର ବର୍ଷା ପାଣିରେ ତିନ୍ତୁଛିି । ଘର ତୋଳା ହୋଇଛି ଇଟା, ପଥର, ସିମେଣ୍ଟରେ । ଗାଁ ଭିତରେ କେତେଜଣ ପୁରୁଖା ଲୋକ ତାହାରି ଆଡ଼କୁ ବଲବଲ କରି ଅନାଉଥାନ୍ତି । କାହାରିକି କିଛି ସେ କହିନାହିଁ । କେହି ତାକୁ ବିଶେଷ ପଚାରି ନାହାନ୍ତି । କେବଳ- “ଘର କେଉଁଠି?”

— “ମୁଁ ବାରବୁଲା ଭିକାରୀ । ମୋର ତ ବସବାସ ନାହିଁ । ଯେଉଁଠି ରହିଲି ସେଇଠି ଘର । ଆଉ ମୋର ଘର କେଉଁଠି ହେବ” । ବାସ୍ ଏତିକି । ଏଇଥିରେ ସେମାନେ ସନ୍ତୁଷ୍ଟ । ନିଜ ଗାଁ ବୋଲି ବହୁତ କିଛି ଭରସା କରି ଆସିଥିଲା । କିନ୍ତୁ କାହା ଘରୁ ହେଲେ ଗଣ୍ଡିଏ କି ମୁଠିଏ ପାଇ ନାହିଁ । ସେ ଗାଁରୁ ଆଣିଥିବା ଚାଉଳ ମୁଠିକ ମୁଣିରୁବାହାର କଲା । ସେଇଥିରେ ତା’ର ଉଦର ଭରିବ । ଗାଁ ମୁଣ୍ଡର ଥୁଣ୍ଟା ଘରଟିଏ । ସେଇଠି ସେ ମାଗିଥିଲା ପାଣି ମୁନ୍ଦାଏ । ମିଳିଥିଲା ପାଣି ମୁନ୍ଦାଏ । ଗୃହକର୍ତ୍ତା ପାତ୍ରଟିଏ ଧରି ବାହାରି ଆସିଥିଲେ । ବିଶୁ ପାଖରେ ତ ପାତ୍ର ନଥିଲା । ସେ କ’ଣ ପାତ୍ରଟି ଆଣିବ ? ତାକୁ ସେ ସୁଯୋଗ ମିଳିବତ ? ନାଁ …., ସେ ଆଜି ଦରିଦ୍ର, ଅଛୁଁଆ । ତାକୁ ଏ ପାତ୍ରଟିକୁ ହାତରେ ଧରିବାର ଭାଗ୍ୟ ମିଳି ନପାରେ ।

-“ଦିଅ ମା ଦିଅ । ମୋରି ହାତରେ ଟିକେ ଟେକି ଦିଅ ।” ହାତପାତି ଦେଇଥିଲା । ସେଇଠି ମଧ୍ୟ ଝରି ପଡ଼ିଥିଲା କୃତଜ୍ଞତାର ଅଶ୍ରୁଟୋପେ ।

ଫେରିଗଲା ଆମ୍ବତୋଟା ଆଡ଼କୁ । ଆମ୍ବ ଗଛ ତଳେ ସେ ଅବଶିଷ୍ଠ ସମୟ କଟାଇବ ।ଶ୍ମଶାନର ସବୁ ପ୍ରେତାତ୍ମାକୁ ଠୁଳକରି ସାଧୁ ପଧାନ ବିରୁଦ୍ଧରେ କରିବ ଅଭିଯାନ । ପଧାନେ ଆସୁଥିଲେ ସେହି ଆଡକୁ । ଚିହ୍ନି ପାରିଲେ ବୋଧ ହୁଏ । ଖାଲି ହସଟିଏ ଦେଇଗଲେ । କୁଟିଳ ହସଟିଏ । ଛି ଛି କେଡ଼େ ବଦମାସ୍ ଲୋକଟା, କେଡ଼େ ଚଣ୍ଡାଳ । ଏହାରି ତଣ୍ଟି ଚିପିବା ଉଚିତ । ହାତ ଉଠି ଗଲା । ପୁଣି ଥମିଗଲା । ସବୁ ପଧାନଙ୍କ ଅଲକ୍ଷ୍ୟରେ । ଏଇ କ’ଣ ପଧାନ ବୁଢ଼ାକୁ ଶାସ୍ତି ଦେବାର ଉପଯୁକ୍ତ ସମୟ ? ନାଁ, ନାଁ ସେ ଆଜି ରାତିରେ ତା’ର ବଧ୍ୟ ହେବ । ସଂନ୍ଧ୍ୟାବେଳେ ଚୁପ୍ ଚୁପ୍ କରି ଘର ଭିତରକୁ ପଶିଯିବ ଏବଂ ରାତି ବେଶି ହେଲେ ସାଧୁ ପଧାନକୁ ନିଶ୍ଚୟ ହାଣିବ । କିନ୍ତୁ ସେ ……ସେ ଧରା ପଡ଼ିବ ନାହିଁ ତ ? ଯଦି କେହି ଶୁଣେ ? ଯଦି କେହି ଦେଖେ ? ତେବେ ତ ସର୍ବନାଶ । ଛାତି ଭିତରଟା ଦପଦପ ହୋଇ ଉଠିଲା । ଗୋଡ଼ ହାତ ଥର ଥର ଲାଗିଲା । ସତେକି ଆଉ ଜୋର୍ ନାହିଁ ଦେହରେ । ବାରମ୍ବାର ମନେ ପକାଇଲା– ଯେଉଁ କଥା ସେ ଭାବୁଛି ତାହା କ’ଣ ପ୍ରକାଶ୍ୟରେ କହି ପକାଉଛି? ନହେଲେ ତା’କୁ ଦେଖି ପଧାନ ବୁଢ଼ା ହସିଥାନ୍ତା କାହିଁକି ? ନାଁ ନାଁ ସେ କେବେ କହିନାହିଁ, ଠିକ୍ ମନେ ଅଛି– ସିଦ୍ଧାନ୍ତକୁ ଆସେ । ମନରେ ନୂଆ ରକମର ସାହସ, ନୂଆ ଭାବନା, ନୂଆ ଆନନ୍ଦ–ଆଜି ସେ ପଧାନ ବୁଢ଼ାକୁ ମାରିବ । ଯିଏ କି ତା’କୁ ସର୍ବହରା କରିଛି, ଦୁନିଆର ଗରିବ ଲୋକ ମାନଙ୍କୁ ପୋକ ମାଛି ପରି ଦେଖିଛି । ଶହ ଶହ ଲୋକଙ୍କର ରକ୍ତ, ଝାଳରେ ଗଢ଼ିଛି ତା’ର ଧବଳ ପ୍ରାସାଦ, ଯେ କି କେତେ ଲୋକଙ୍କର ଅନ୍ତ ନାଡ଼କୁ ଶୁଖାଇ ଶୁଖାଇ ତା’ର ଧନ ଦ୍ରବ୍ୟକୁ ଶୋଷଣ କରିଛି । ସେହି ପଧାନ ବୁଢ଼ାର ଲୋହିତ ଲହୁରେ ସେ ଭାଙ୍ଗି ଦେବ ତା’ ର ଆତ୍ମାର ସନ୍ତାପ, ଦେଖାଇଦେବ ଦୁନିଆକୁ ଗୋଟାଏ ନୂତନ ସହ୍ୟତା । ଯେଷାକୁ ତେଷା– ହାରାମଜାଦାକୁ ଟାଙ୍ଗିଆ ପଶା– ଆଉ ଲଭିବ ପଧାନ ରକ୍ତର ମଧୁ ଆସ୍ୱାଦନ ।

ତୋଟା ତଳେ ବସିଲା । ଆମ୍ବ ଗଛର ମାଳେ ମାଳେ ସେଇଠି ଝଙ୍କାଳିଆ ପ୍ରକୃତି ଝୁଲେ । ବିଭତ୍ସ ଅନ୍ଧକାର ହସେ । ସେଇଠିବି ଝରିପଡ଼େ ଅସ୍ତାଚଳ ଭେଦୀ ସୁନେଲି ଜଗତ । ପୁଣି କେତେବେଳେ ଆମ୍ର କଳିର ସୁଗନ୍ଧ ସହିତ ପୁରି ଉଠେ କମ୍ର କୋକିଳର ମୃଦୁ ଧ୍ୱନି । କେତେବେଳେ ଫଳବତୀ ହୋଇ ଏହି ଆମ୍ରମାଳ ଶହ ଶହ ଲୋକଙ୍କୁ ମଧ୍ୟ ବିନା ଆମନ୍ତ୍ରଣରେ ଅବାଞ୍ଛିତ , ଅକୀଂଚନ ମନେ ନ କରି ହସି ହସି ଆତିଥ୍ୟ ପ୍ରଦାନ କରେ । ଶହ ଶହ ଲୋକ ତା’ରି ପେଟର ସଞ୍ଚିଲା ଧନକୁ ଖାଇ ଉଦର ଭରନ୍ତି, ମନରେ ଶାନ୍ତି ପାଅନ୍ତି ।ଶହ ଶହ ପିଲା ଡ଼ାଳ ମାଙ୍କୁଡ଼ି ଖେଳି ତା’ର ରଖିଲା ଖାଦ୍ୟକୁ ନଷ୍ଟ କରନ୍ତି । ତା’ର ହାତ ଗୋଡ଼ ଭାଙ୍ଗି ଦିଅନ୍ତି-ତାକୁ ନଷ୍ଟ କରି ଦିଅନ୍ତି । କିନ୍ତୁ କେଉଁଥିରେ ହେଲେ ତା’ର ଆପତ୍ତି ନଥାଏ । ପୁଣି ବି ଦିନ ଆସେ, ସେ ହୁଏ ନୀରସ, ହେୟର ବସ୍ତୁ । କୋଇଲି ପାଖରୁ ଆରମ୍ଭ କରି ସବୁ ପଶୁ ପକ୍ଷୀ ପର୍ଯ୍ୟନ୍ତ ଗୋଟି ଗୋଟି ହୋଇ ତାହା ପାଖରୁ ଦୂରେଇ ଯା’ନ୍ତି । ସେଥିରେ ବି ତାହାର ଆପତ୍ତି ନଥାଏ । ତଥାପି ବିଶୁଭଳି ଲୋକ ବେଳେ ବେଳେ ଏହାରି ତଳକୁ କେତେବେଳେ କେମିତି ଆସିଥାନ୍ତି । ହେଲେ କାହାରି ପ୍ରତି ତା’ର ସରାଗ ନଥାଏ । ଖାଇବାକୁ ଦେବାକୁ ତା’ ପାଖରେ କିଛି ନଥାଏ । ଖାଲି ଯାହା ଉଲୁସିଆ ପବନ ଟିକକ ସମ୍ବଳ । କେହି କେମିତି ତା’ରି ଆଡ଼କୁ ପେଟ ଦେଖାଇ ଶୋଇ ପଡ଼ିଲେ ସେ କେବଳ ସକାଳେ ସୂରୁଯ ଆଡ଼କୁ ମୁଣ୍ଡ ହଲାଇ ତାହାରି ରକ୍ତରେ ରଙ୍ଗି ହୁଏ । ସନ୍ଧ୍ୟା ଆସିଲେ ପୁଣି ତାହାରି ଆଡ଼କୁ ଅନାଇ କିଛି ସମୟ ତା’ ର ରୂପକୁ ଧରି ରଖି ଫୁଲିଯାଏ । ତା’ପରେ ଆସେ ଅନ୍ଧାର । ସେହି ଅନ୍ଧାର ଭିତରେ ସଙ୍କୁଚିତ ହୋଇ ସେ ନିଜକୁ ଲୁଚାଇବାକୁ ଚେଷ୍ଟାକରେ । ପଥିକକୁ କୁହେ– ସେ ତ ସବୁଦିନ ପାଇଁ ଏଇଆ । ତା ମଧ୍ୟରେ ନୂଆ ଆସିବ କେଉଁଠୁ ? ପଥିକ ଉଠେ । ପୁଣି କେଉଁଠିକି ଚାଲିଯାଏ । ହୁଏତ କାହରି ପିଣ୍ଡା ତଳକୁ । ଆଜି ବି ବିଶୁ ତା’ର ଅତିଥି । ସବୁଦିନ ପରି ସେ ଏଇଆ କହିବ । ଅନ୍ୟ ପଥିକମାନେ ଏହି ବିଭତ୍ସ ଅନ୍ଧକାରକୁ ଡ଼ରି ଅନ୍ୟତ୍ର ସିନା ଚାଲିଯାନ୍ତି, ମାତ୍ର ବିଶୁ ସେହି ବିଭତ୍ସ ପ୍ରକୃତିକୁ ଗୋଡ଼ ତଳେ ଦଳି ଦେଇ ଥିଲା । ସେଇଠିକି ଯିବ ତା’ର ପୁରାତନ ଡ଼ାକରେ ନୂତନତ୍ୱର ପ୍ରତିଧ୍ୱନି ତୋଳିବାକୁ ।

ଧୀର ମନ୍ଥର ଗତିରେ କେତେବେଳୁ ଧରଣୀ ଉପରୁ ଆଲୁଅ ଖାଲି ହୋଇ ଗଲାଣି । ଚାରିଆଡ଼େ ଖାଲି ଅନ୍ଧକାରର ବୋଝ । ଆଗେଇ ଚାଲିଲା ବିଶୁ-ତାହାରି ମା’ର ସମାଧି କୋଳକୁ । ଶପଥ ନେଲା– ମା ମୁଁ ତୋ’ରି ବିଶୁନି ଶପଥ କରି କହୁଛି, ସାଧୁ ପଧାନ ଉପରେ ନିଶ୍ଚୟ ପ୍ରତିଶୋଧ ନେବି । ତା’ରି ରକ୍ତରେ ଏହି ଶ୍ମଶାନ ଭୁଇଁକୁ ରଙ୍ଗା କରିବି । ବୀରଦେବ ପୁରର ନିରୀହ ଜନତା ମୁଖରେ ଖେଳାଇବି ହସର ଜୁଆର । କିମ୍ବା…….. ମୁଁ ଯଦି ନପାରେ ତେବେ ତୋ’ କୋଳକୁ ଫେରି ଆସିବି । ତୋରି ଉପରେ ପଚି ସଢ଼ି ଯିିବି । ତୁ ମୋର ମା’ । ଚିରଦିନ ପାଇଁ ତୋ’ରି କ୍ରୋଡ଼ରେ ଶାନ୍ତି ଲଭିବି ।

ସଂନ୍ଧ୍ୟା ବେଳର ଆଲୋକ ମାଳିନୀ; ଦୁଆର ଖୋଲା । କୋଠାଘର ହସି ହସି ଫାଟି ପଡ଼ୁଛି । ସେହି ହସ ସହିତ ତାଳ ଦେଇ ପ୍ରଥମେ ବିଶୁ କିଛି ହସିନେଲା । ତା’ପରେ ତା’ର କାର୍ଯ୍ୟ ଘର ମଧ୍ୟକୁ ପ୍ରବେଶ କରିବା । ସିଧା ସଳଖ ଟିକେ ଦୂରରୁ ଘର ମଧ୍ୟକୁ ଭଲକରି ଅନାଇ ନେଲା- ସମସ୍ତେ ଘର ଭିତରେ ଅଛନ୍ତି । ଦାଣ୍ଡ ଘର ଫାଙ୍କା । ତେଣୁ ଏହି ସୁବିଧାରେ ପ୍ରବେଶ କରିବା ସୁବିଧା ହେବ । ସେଇଆ କଲା । ପୁଣି କିଛି ସମୟ ପରେ ରନ୍ଧାବଢ଼ା, ଖିଆପିଆ– ବାସନା ଚାଉଳର ଭାତ, ଭାକୁଡ଼ ମାଛର ଭଜା, ଛେଞ୍ଚଡ଼ା, କାଲିଆ । ତିନି ଦିନ ଭିତରେ ସେ ଖାଇଛି ଚାଉଲ ମୁଠାଏ । ତେବେ କ’ଣ ବାହାରକୁ ଯାଇ ଗଣ୍ଡେ ଭାତ ମାଗିବ । ନାଁ ନାଁ ସେ ଯିବ ନାହିଁ । କାରଣ ଭାତ ଗଣ୍ଡେ ମିଳିବା ତ ଦୂରର କଥା ତା’ର କାର୍ଯ୍ୟ ମଧ୍ୟ ଅସିଦ୍ଧ ରହିବ । ଇତି ମଧ୍ୟରେ ସମସ୍ତେ ନିଜ ନିଜର ଶୋଇବା ସ୍ଥାନକୁ ଚାଲି ଗଲେଣି । ତେଣୁ ଏହି ସମୟରେ ପଧାନ ବୁଢ଼ା କୋଠରୀରେ ପଶିଯିବାକୁ ହେବ । ଦାଣ୍ଡଘରୁ କୁରାଢ଼ୀ ଧରିଲା । ଆସ୍ତେ ଆସ୍ତେ ଯାଇ ପଧାନ ବୁଢ଼ାର ଖଟତଳେ ବସି ପଡ଼ିଲା । ତା’କୁ କେହି ଦେଖି ପାରି ନାହାଁନ୍ତି । ନିର୍ବିଘ୍ନରେ ସେ ଚାଲି ଆସିଛି । ଇତି ମଧ୍ୟରେ ସାଧୁ ପଧାନେ ସବୁ ଘରର କବାଟ ଦେବାକୁ ଯାଇ ପୁନରାୟ ଫେରି ଆସିଲେ । କରଜ ଖାତାରେ ‘୦’ କୁ ‘୫’, ‘୮’ କୁ ‘୯’, ‘୨’ କୁ ‘୩’ କରିବା ଇତ୍ୟାଦି କାର୍ଯ୍ୟ ପରେ କଣ୍ଟ୍ରୋଲ ଖାତାରେ ଆଚ୍ଛାକରି ଥୋକେ ଜାଲ ନାଁ ଚଢ଼ାଇ ଦେଇ ଶୋଇଲେ । କିଛି ସମୟ ପରେ ବିଶୁ ଭଲକରି ଲକ୍ଷ୍ୟକଲା– ପଧାନେ ପ୍ରାୟ ଶୋଇ ଗଲେଣି । ଘୁଙ୍ଗୁଡ଼ି ମାରୁଛନ୍ତି । ଚୁପ୍ ଚୁପ୍ କରି ପ୍ରଥମେ କବାଟ ଗୁଡ଼ା ଫିଟାଇ ଦେଇଗଲା– ବିଶୁ । କାରଣ ପଧାନେ ପାଟି କରି ଉଠିଲେ ସମସ୍ତେ ଉଠି ତାକୁ ଘେରିଯିବେ । ସେ ଶୀଘ୍ର ପଳାଇ ଯାଇ ପାରିବ ନାହିଁ । ପୁଣି ପଧାନଙ୍କ କୋଠରୀକୁ ପ୍ରବେଶ କରି ଠିକ ତାଙ୍କରି ବେକ ସଳଖରେ କୁରାଢ଼ି ଟେକିଲା । ମନେମନେ କହୁଥାଏ ହେ ପଧାନେ ଏଥର ଠାକୁରଙ୍କୁ ସ୍ମରଣ କର । କିନ୍ତୁ-ଶେଷ କାର୍ଯ୍ୟଟି ବିଶୁ କରି ପାରିଲା ନାହିଁ । କିଏ ଯେପରି ତା’ର ହାତକୁ ଟାଣି ଧରିଲା । କାହିଁକି ସେ ସାଧୁ ପଧାନକୁ ହତ୍ୟା କରିବ ?

ସେ ତା’ର ସର୍ବସ୍ୱ ଲୁଟି ନେଇଛି ବୋଲି ତ? ତା’ ମା’ର ମୃତ୍ୟୁର କାରଣ ହୋଇଛି ବୋଲି ତ ?

କିନ୍ତୁ ଅନ୍ୟ ଯେଉଁମାନେ ସମାଜରେ ଅଛନ୍ତି ସେମାନେ ତ ସାଧୁ ପଧାନକୁ ଭଲ ବୋଲି କହିଛନ୍ତି । କେହି ହେଲେ ତା’ ବିରୁଦ୍ଧରେ ଯାଇ ନାହାଁନ୍ତି ?କେହି ତା’କୁ ଗଣ୍ଡିଏ ପେଟ ପୁରା ମୁଠାଏ ଖାଇବାକୁ ଦେଇ ନାହାଁନ୍ତି ? ବହୁ ଲୋକ ତ ସାଧୁ ପଧାନ ଭଳି ତାକୁ ଦେଖି ଦେଖି ଥଟ୍ଟା କରିଛନ୍ତି, ହସରେ ଉଡ଼ାଇଛନ୍ତି ? ସେହି ସମସ୍ତ ଲୋକେ ତେବେ ଏ ମଣିଷ ସମାଜର କେତୁ । ସେ ସମସ୍ତଙ୍କୁ ଶାସ୍ତି ଦେଇ ପାରିବ ତ ? ସିଦ୍ଧାନ୍ତରେ ପହଞ୍ଚି ମଧ୍ୟ ପହଞ୍ଚି ପାରି ନଥିଲା ବିଶୁ । ପଛକୁ ଫେରିଥିଲା । କିନ୍ତୁ, ଆଗକୁ ଯାଇ ପାରି ନଥିଲା । ମନରେ ଛୁଇଁଥିଲା କାଳ । ପୁର୍ଣ୍ଣ ତିନି ଦିନରେ ଉପବାସ ପରେ ସେ ଯେଉଁ ସାହସ ନେଇ ଆଗେଇ ଆସିଥିଲା , ଯେଉଁ ଶକ୍ତି ତା’ ମନରେ ଭରି ଯାଇଥିଲା ସେ ସବୁ ତିଳ ତିଳ ହୋଇ ସେଇଠି ଖସି ପଡ଼ିଲା । ଯେଉଁ କୁରାଢ଼ୀକୁ ସେ ମହାଅସ୍ତ୍ର ରୂପେ ପ୍ରତିଶୋଧର ବହ୍ନି ଜାଳିବ ବୋଲି ଉଠାଇ ଥିଲା– ସେ ଖସି ପଡ଼ିଲା । ଧିରେ ଧିରେ ଫେରି ଆସିଲା ବାହାରକୁ । ସବୁ ସାହସ ସବୁ ଆନନ୍ଦ ତା’ର ଲୋପ ପାଇ ଯାଇଥିଲା । ଯେତେ ଆସ୍ତେ ଆସ୍ତେ ଆସିଲେ ମଧ୍ୟ ନିଜର କାନକୁ ଶୁଭୁଥିଲା ବେଶି । ଦାଣ୍ଡକୁ ଚାଲି ଆସିଲା । ଭାରି ଦୁର୍ବଳ ଲାଗୁଥାଏ । ସତେକି ଦେହରେ ରକ୍ତ ନାହିଁ । ଉପାସିଆ ମଣିଷ ଏବେ ଭୋକର ଦାଉରେ ନଇଁ ନଇଁ ଚାଲିଲା । ଦାଣ୍ଡର କୁକୁର ଗୁଡ଼ାକ ଭୋ ଭୋ ହୋଇ ଭୂକି ଉଠିଲେ । ମନରେ ରାଗ ହେଲା । ସେ କୁକୁର ଗୁଡ଼ାକୁ ପିଟି ପିଟି ମାରି ଦିଅନ୍ତା । ପୁଣି ମନ ଶାନ୍ତ ହେଲା । ଏ କୁକୁର ଗୁଡ଼ାକୁ ସେ ଗାଳି ଦେଉଛି କାହିଁକି ? ଏମାନେ ମଣିଷଠାରୁ ଢେରେ ଉଚ୍ଚରେ । ଯେତେବେଳେ ମଣିଷମାନେ ମଣିଷଙ୍କର ଶୋଷଣରେ ଲାଗି ପଡ଼ିଥାନ୍ତି ସେତିକି ବେଳେ ଏହି ବୁଲା କୁକୁର ମାନେ କାହାଘରୁ ମୁଠେ ଅଧେ ଖାଇ ଗାଁ ଦାଣ୍ଡରେ ବୁଲି ବୁଲି ଗାଁକୁ ଜଗି ରହିଥାନ୍ତି । ସେମାନେ ସେମାନଙ୍କର କାର୍ଯ୍ୟ ଠିକ୍ ବଜାୟ ରଖିଛନ୍ତି ।

ଆସ୍ତେ ଆସ୍ତେ ଶ୍ମଶାନ ମାଟିରେ ଗୋଡ଼ ଦେଲା । ଧରଣୀର କାର୍ତ୍ତିକ ବୁକୁ କାକର ଭିଜା ହୋଇ ଭାରି ଥଣ୍ଡା ଲାଗୁଥାଏ । ଚାଲିଲା ବେଳକୁ ବୁଦା ମୂଳେ ବେଙ୍ଗଟାଏ ବା ସାପଟାଏ ଖସ୍ ଖାସ୍ କରୁଥାନ୍ତି । ମା’ର ସମାଧି ଉପରେ ମୁଣ୍ଡ ରଖି ଲୋଟି ପଡ଼ିଲା । ସେଇଠି କେତେ କାନ୍ଦିଲା । କହିଲା — ମା’ ମୁଁ ମୋର ପ୍ରତିଜ୍ଞା ରଖି ପାରି ନାହିଁ । ତୋର ୠଣ ଆଉ ସୁଝି ପାରିବି ନାହିଁ । ମୁଁ ଦୁର୍ଭାଗା, ଆଜି ଦୀନ ଦରିଦ୍ର, ଭିକ୍ଷୁ, ତୋରି କୋଳରେ ଲୋଟିଯିବ ।

ମା’ଟି ମା’କୁ ବିଶୁ ଜୁହାର ହେଲା । କହିଲା– ମା’ ତୋରି କୋଳରେ ବୁଲି, ଖେଳି ମଣିଷ ହୋଇଥିଲି । ତୋର ମଧ୍ୟ ୠଣ ସୁଝି ପାରିଲି ନାହିଁ । କେବଳ ମୁଁ ମୋର ଏହି ଦେହଟାକୁ ତୋରି ପାଇଁ ସଞ୍ଚି ରଖିଛି, ତାକୁ ପାଇ ତୁ ସନ୍ତୁଷ୍ଟ ହେବୁ ।

ମା’ର ସମାଧି ଉପରେ ଶୋଇ ପଡ଼ିଲା । ଅବଶ ଦେହ ହାତ ଥଣ୍ଡା ଲାଗୁଥିଲା । ରାତିରେ କୁକୁର ଶିଆଳ, ହେଟା କିଏ କେତେ ପାଟି କରି କରି ଡ଼ାକୁଥାନ୍ତି । କାହାରିକୁ ତା’ର ଖାତର ନାହିଁ । ସେ ମା’ କ୍ରୋଡ଼ରେ ନିଶ୍ଚଳ ନିରୁତ୍ତର । ସକାଳ ହୋଇଛି । ଦୀର୍ଘ ତମସାକୁ ଆଡ଼େଇ ଦେଇ ରବି ରଙ୍ଗରେ ରଙ୍ଗି ହୋଇଛି ଏହି ପୃଥିବୀଟା । ଝଲସି ଉଠିଛି ଚକ୍ରବାଳ । ଆକାଶ, ବାଦଲ ସବୁ ନିଜ ନିଜ ସ୍ଥାନକୁ ଆଦରି ନେଇଛନ୍ତି, କର୍ମମୟ ଜୀବନ ପୁଣି କର୍ମତତ୍ପର ହୋଇ ଉଠିଛି । ପକ୍ଷୀ ସମାଜ ଉଡ଼ି ବୁଲିଛି ତା’ର ଖାଦ୍ୟ ଅନ୍ୱେଷଣରେ, ପଶୁ ସମାଜ ଘୂରି ବୁଲିଛି ଗୁଳ୍ମ ଠାରୁ ଆରମ୍ଭ କରି ମାଂସ ପର୍ଯ୍ୟନ୍ତ ସବୁ ଖାଦ୍ୟର ଅନ୍ୱେଷଣରେ । କିନ୍ତୁ ବିଶୁନିର ନିଦ ଆଉ ଭାଙ୍ଗିନାହିଁ । ସେ ତାହାରି ମା’ର କୋଳରେ ଶୋଇ ପଡ଼ିଛି । ତାହାରି ଦେହଟାକୁ ତା’ରି ମାଟି ମା’କୁ ଦେଇ ଦେଇଛି ଯା’ ପାଖରୁ ନେଇଥିଲା ।

ହଠାତ୍ ସେପଟରୁ ଯେମିତି ପ୍ରତିଧ୍ବନିତ ହେବାକୁ ଲାଗିଲା – ‘ଆମେ ନଛୋଡ଼ବନ୍ଧାର ଦଳ, ମରିବୁ ପଛେ ଛାଡିବୁ ନାହିଁ। ଆମେ ଜନମୀ ନାହୁଁ, ଏଠି ଭଜିବାକୁ ଖାଲି ବିଲୀନ। ଯେଣୁ ବିଦ୍ରୋହଟା ବସା ବାନ୍ଧି ବାନ୍ଧି ଆସିଲାଣି, ତୁମେ ସାଲିସ୍ କର ବା ନ କର ରକ୍ତ ଆମ ଟକମକ୍ ହୋଇ ଫୁଟେ, ପରିଣତିଟା ତହିଁ କି ଅତୀବ ଭୟଙ୍କର, ତେଣୁ ହେ ଶୋଷକ ଗୋଷ୍ଠୀ! ତୁମେ ହଟିବା ଆମେ ଚାହିଁ।

ହଠାତ୍ ବିଶୁନିର ଚିହିଁକିଲା ପ୍ରାୟ ଉଠିଲା, ସେ ଯେମିତି ହଜାଇ ପାଇଲା ତା’ର ଚେତନା ଫେରି।ସେ ଉଠିଲା ତତକ୍ଷଣାତ ରୋଷ ଭରେ ହାତରେ ଜଷ୍ଟି । ଆଖିରେ ଲେଲିହାନ ଶିଖା, ଦେହରେ ଅନୁକୋଟି ବଳ, ଅନ୍ତରରେ ବିଦ୍ରୋହର ଭାଷା, ମୁଖ ମଣ୍ଡଳରେ ଅଗ୍ନିର ସ୍ଫୁଲିଙ୍ଗ, ପାଟିରେ ଲହ ଲହ ହେଉଥିଲା ବିଦ୍ରୋହର ସ୍ଲୋଗାନ୍। ସେ ଶୁଣି ପାରିଛି ଉଦଘୋଷଣ, ବିଦ୍ରୋହର ଉଦ୍ଦାମ ସଙ୍ଗୀତ। ମନରେ ଆସିଛି ସଙ୍କଳ୍ପ ତାକୁ ବଞ୍ଚିବାକୁ ହେବ, ଏ କାଙ୍ଗାଳ ସମାଜର ନେତୃତ୍ୱ ତାକୁ ନେବାକୁ ହେବ। ସେ ଧାଇଁ ଯାଇଛି ସଦ୍ୟ ସମାଧିସ୍ଥ ମଶାଣି ପଦର, ଭଙ୍ଗା ହାଣ୍ଡିରୁ ଭାତ, ଛେଲୁଆରୁ ପାଣି ଆଣି ଉଦର ଭରିଛି। ସେଠି ଲାଗିଥିବା ନାଲି ଧଣ୍ଡି ଟାଣି ଆଣିଛି। ହାଣ୍ଡିରୁ କୋରି ବାହାର କରିଛି ଚୂନ। ତା’ ‘ଉପରେ ସାମାଜିକ ନ୍ୟାୟ ପ୍ରତିଷ୍ଠାନ’ ଲେଖି ବ୍ୟାନର ପ୍ରସ୍ତୁତ କରିଛି, ମୁଣ୍ଡରେ ବାନ୍ଧିଛି ଶକ୍ତ କରି ନାଲି କପଡ଼ା। ଲକ୍ଷ୍ଯ ତା’ର ସାମାଜିକ ପରିବର୍ତ୍ତନ, ଗତି ତା’ର ଆଗକୁ ଆଗକୁ। ଦେହରେ ନୂଆ ରକମର ସାହସ, ନୂଆ ଉଦ୍ଦୀପନା। ପାଦ ଦୁଇଟା ଲମ୍ବ ଲମ୍ବ ହୋଇ ଖାଲି ଆଗକୁ ଧାଉଁଥାଏ । ସତେ କି ସେ ଚିନ୍ତା ନାୟକ ଦାର୍ଶନିକ ଅବା ଧ୍ୟାନସ୍ଥ ରୁଷିଶୃଙ୍ଗ ପରି ଧ୍ୟାନମଗ୍ନ ଅଥଚ ଉଚ୍ଚକିତ ନୂତନ ଆଲୋକର ସନ୍ଧାନରେ ଉଦ୍ବିଗ୍ନ।

ଘୁମନ୍ତ ନିଦ୍ରାର ବହଳ ବହଳ ସ୍ଵପ୍ନ ଥରାଇ ଦେଉଥାଏ ତା’ର ଶିରା ପ୍ରଶିରାକୁ। ଏକ ସ୍ବପ୍ନିଳ ରାଇଜରେ ବିଚରଣ କରୁ କରୁ ସେ ଦେଖୁଥାଏ – ଏକ ନୂତନ ପୃଥ୍ବୀ, ନୂଆ ସୂର୍ଯ୍ୟ, ଯେଉଁଠି ଗୋଟିଏ ମଞ୍ଚ ତଳେ ରୁଣ୍ଡିଭୂତ ହେଉଥାନ୍ତି, ଅନେକ ଦୀନ, ହୀନ, ଭିକ୍ଷୁ, କାଙ୍ଗାଳ ମଣିଷ। ସମସ୍ତଙ୍କ ମୁଖରେ ଗୋଟିଏ ସ୍ଲୋଗାନ୍ – “ହଟି ଯାଅ ହଟି ଯାଅ! କୁସଂସ୍କାରରୂପୀ ଶୋଷକ ଗୋଷ୍ଠୀ କାଳରୂପୀ ମହାସମୁଦ୍ର ବକ୍ଷରୁ।ଏଥକୁ ନିସ୍ତାର ନାହିଁ, ଆସନ୍ନ ପରିବର୍ତ୍ତନ ଯେଣୁ ଅବଶ୍ୟମ୍ଭାବୀ।

ଖରା ସାଧୁ ପଧାନ ବିଶୁ ଧାନ

Rate the content


Originality
Flow
Language
Cover design

Comments

Post

Some text some message..