Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସ୍ୱାମୀ , ସ୍ତ୍ରୀ ଓ ସେ
ସ୍ୱାମୀ , ସ୍ତ୍ରୀ ଓ ସେ
★★★★★

© Prasant Kumar Senapati

Others

4 Minutes   7.4K    12


Content Ranking

ସ୍ୱାମୀ , ସ୍ତ୍ରୀ ଓ ସେ  (ମାନ ଅଭିମାନ)-:

 

ଆଜି ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କ ମଧ୍ୟରେ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇଥିଲା । ଶ୍ରୀମାନ ରାମାନନ୍ଦ ବାବୁ ନିଜ ସାହିତ୍ୟକାର ମିତ୍ରଙ୍କ ସହିତ ବସି କିଛି ଆଲୋଚନା ରତ ଥିଲେ ଓ ଏହି ପମୟରେ ପରଦା ପଛରେ ରହି ତାଙ୍କ ସ୍ତ୍ରୀ ସୁଶୀଳା ଦେବୀ ସଂକେତ ମାଧ୍ୟମରେ ବହୁତ ଥର ଡାକିଥିଲେ । ରାମାନନ୍ଦ ବାବୁ ଦେଖି ପାରିଥିଲେ ସ୍ତ୍ରୀର ସଂକେତକୁ କିନ୍ତୁ କଥାବାର୍ତ୍ତା ଏପରି ଏକ ବିଷୟବସ୍ତୁ ଉପରେ ଥିଲା ଯାହାକି ଅଧାରୁ ଉଠିବା ଅର୍ଥ ସାହିତ୍ୟିକ ଗୋଷ୍ଠୀର ଅପମାନ ଓ ମର୍ଯ୍ୟାଦାକୁ ଉଲଙ୍ଘନ କରିବା ସହିତ ସମାନ ଭାବୁଥିଲେ । ତେଣୁ ସେ କଥାବାର୍ତ୍ତାର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ସ୍ତ୍ରୀର ସଂକେତକୁ ଦେଖି ଅଣଦେଖା କରିଥିଲେ । କିନ୍ତୁ ସ୍ତ୍ରୀ ଏହି କଥାକୁ ଧରି ନିଜ ଅପମାନ ଓ ପ୍ରତିଷ୍ଠା ଉପରେ ପ୍ରଶ୍ନବାଚୀ ଭାବିନେଲେ । ମିତ୍ର ଚାଲିଯିବା ପରେ ରାମାନନ୍ଦ ବାବୁ ତତ୍କ୍ଷଣାତ୍ ସ୍ତ୍ରୀଙ୍କୁ ପଚାରିଲେ ବୋଧେ କିଛି କହୁଥିଲ ? ସୁଶୀଳା ଦେବୀ ଏତେ ମାତ୍ରାରେ କ୍ରୋଧିତ ଥିଲେ ଯେ କିଛି ଉତ୍ତର ଦେଇନଥିଲେ । ରାମନନ୍ଦ ବାବୁ ଶୁସିଳା ଦେବୀଙ୍କ କ୍ରୋଧକୁ ଦେଖି ଜାଣି ପାରିଥିଲ କୈକେୟି ଆଜି କୋପବନରେ ପ୍ରବେଶ କରିଛନ୍ତି । ସେ ନିଜକୁ ନିଜେ ଅପରାଧି ସ୍ୱୀକାର  କରି କହିଥିଲେ ତୁମେ କ୍ରୋଧାନ୍ୱିତ ହେବାର ଯଥାର୍ଥତା ଅଛି କିନ୍ତୁ ମୋ ସ୍ଥିତି ଓ ବିବଶତାକୁ ବୁଝିବା ପାଇଁ ଚେଷ୍ଟା କର । ସ୍ତ୍ରୀ ହିସାବରେ ତୁମେ ମୋର ଅସୁବିଧାକୁ ବୁଝିବ ନାହିଁ ତ କିଏ କରିବ । ସୁଶୀଳା ଦେବୀ ତୀକ୍ଷ୍ଣ ନଜରରେ ଚାହିଁଥିଲେ ରାମାନନ୍ଦ ବାବୁଙ୍କୁ, ଯେପରି ତାଙ୍କ କ୍ରୋଧାଗ୍ନିରେ ସାରା ସଂସାର ଭସ୍ମ ହୋଇଯିବ । ରାମାନନ୍ଦ ବାବୁ କହିଥିଲେ ମୁଁ ଅପରାଧ ସ୍ୱୀକାର କଲି ଓ ତୁମେ ଶାନ୍ତ ହୋଇଯାଅ । ଯାହା ହେଲା ତାକୁ ଭୁଲିଯାଅ । ନିଜ ନିଜ ଭିତରେ ତିକ୍ତତା ନ ବଢୁ ଏହି ଦୃଷ୍ଟିରୁ ସେ ନିଜକୁ ସମର୍ପଣ କରିବା ଢଙ୍ଗରେ କହିଥିଲେ ପ୍ରଥମ ଭୁଲ୍ ମାଫ୍ କର । ଭବିଷ୍ୟତରେ ଏପରି ପରିସ୍ଥିତି ସୃଷ୍ଟି ହେବନାହିଁ କଥା ଦେଲି । ତୁମ ଭାବନା ଓ ବିଚାରକୁ  ଆଘାତ ହେବା ପରି କୌଣସି କାମ କରିବି ନାହିଁ । ଏବେ କୁହ , କିଛି ତ କୁହ, ଆରେ ମୋ ଲାଜକୁଳି ଲତା ନିଜ କ୍ରୋଧକୁ ଭୁଲି କୁହ କଣ ପାଇଁ ଡାକୁଥିଲ, ଯାହାକୁ ନେଇ ଏ ମହାଭାରତର ସୃଷ୍ଟି । 

 

କିନ୍ତୁ ସୁଶୀଳା ଦେବୀ ଥିଲେ ନୀରବ, ନିଶ୍ଚଳ । ସେ ବୋଧେ ଆଉକିଛି ଖୋସାମଦ କଥା ଶୁଣିବାକୁ ଚାହୁଁଥିଲେ ଓ ମନକୁ ମନ ରାମାନନ୍ଦ ବାବୁଙ୍କ ସରଳ ଅସହାୟତାକୁ ଦେଖି ଦୟା ଆସିଥିଲା ହେଲେ ଭାବିଥିଲେ ଆଉଥରେ ବୁଝାଇଲେ ନିଜକୁ ମୁଁ ବି ସମର୍ପି ଦେବି ତାଙ୍କ ବକ୍ଷରେ । ଏତେସବୁ ପରେ ରାମାନନ୍ଦ ବାବୁଙ୍କ ଧୈର୍ଯ୍ୟର ବନ୍ଧ ଭୁଷୁଡି ପଡିଥିଲା । ପ୍ରଥମେ ସେ ଜଣେ ପୁରୁଷ ଓ ସାହିତ୍ୟକାର । ନିଜ ସମ୍ମାନର କୌଣସି ମର୍ଯ୍ୟାଦା ସ୍ତ୍ରୀଙ୍କ ପାଖରେ ପ୍ରତିଫଳିତ ନହେବାରୁ ସେ ବି ନିର୍ଣ୍ଣୟ ନେଲେ ଯେ ପର୍ଯ୍ୟନ୍ତ ସୁଶୀଳା ଦେବୀ ନିଜେ ନିଜ ଭୁଲକୁ  ବୁଝିବେ ନାହିଁ, ସେ ବି କଥା ହେବେନାହିଁ । ଏବେ ପରିସ୍ଥିତି ବହୁତ କଠିନ ଥିଲା । ଘରେ କେବଳ ଦୁଇ ପ୍ରାଣି ସ୍ବାମି ଓ ସ୍ତ୍ରୀ । ସମସ୍ୟାର ସମାଧାନ ପାଇଁ କୋଣସି ତୃତୀୟ ପକ୍ଷ ନଥିଲେ । ସ୍ତ୍ରୀ ଅପେକ୍ଷ୍ୟାରେ ରହିଲେ ଯେତେବେଳେ ତାଙ୍କୁ ଭୋକ ଲାଗିବ କିମ୍ଭା ଚା' ପିଇବାକୁ ଇଛା ହେବ, ସେତେବେଳେ ନିଶ୍ଚୟ କଥାହେବେ । କାରଣ ଆଜି ରବିବାର ହେତୁ କୌଣସି ଦୋକାନ ବଜାର ଖୋଲା ନାହିଁ । ସ୍ତ୍ରୀ ମନେମନେ ଏହି ବିଚାର ନେଇ ଖୁସି ଓ ପ୍ରସନ୍ନତା ଥିଲା ।  ରାମାନନ୍ଦ ବାବୁଙ୍କ ବହୁତ ଭୋକ ଲାଗିଲାଣି । ସାହିତ୍ୟକାର ଗୋଷ୍ଠୀରେ ବହୁତ ସମୟ ଧରି ସାହିତ୍ୟ ଚର୍ଚ୍ଚା ହୋଇଥିଲା  ଓ ତାଙ୍କୁ ସେହି ସମୟରୁ ଭୋକ ଲାଗୁଥିଲା । ସେ କିଚେନକୁ ଯାଇ ଦୁଇଗ୍ଲାସ୍ ପାଣି ପିଇଲେ ତଥାପି ମନ କାହିଁକି ଆନମନା ଥିଲା, କିଛି ଅଦ୍ଭୁତ ପ୍ରକାରର ଅନିଶ୍ଚୟତା କିଛି ହଜିଲା ହଜିଲା ପରି ଅନୁଭବ କରୁଥିଲେ । 

 

ସେପଟେ ସ୍ତ୍ରୀ ରୋଷେଇ ଆରମ୍ଭ କରିଲେ । ରୋଷେଇରେ ହାଲକା ହାଲକା ପାତ୍ରର ଶଦ୍ଦ ଓ ତରକାରୀର ବାସ୍ନା ରାମାନନ୍ଦ ବାବୁଙ୍କ ଭୋକକୁ ଦ୍ୱିଗୁଣିତ କରୁଥିଲା । ସାହିତ୍ୟିକ ଭାଷାରେ ସେ ନିଜ ମନକୁ ବୁଝାଇଲେ ଯେଉଁଠି ଦୁଇଟି ପାତ୍ର ଥିବ ଶବ୍ଦ ନିଶ୍ଚୟ ହେବ । କିନ୍ତୁ ପରବର୍ତ୍ତି କ୍ଷଣରେ ତାଙ୍କ ପୌରୁଷତ୍ୱ ମନ ଦମ୍ଭ କରୁଥିଲା । ମୁଁ ପ୍ରୟାସ କରିଥିଲି ବୁଝାଇବା ପାଇଁ କିନ୍ତୁ ସେ ମୋ ଭାବନାକୁ ବେଖାତିର କଲେ । ରୋଷେଇର ମଦମୋହକ ବାସ୍ନା ତାଙ୍କ ଭୋକକୁ ତୀବ୍ର ଗତିରେ ବଢାଇ ଚାଲିଥିଲା । ସାହିତ୍ୟିକ ମନ କହୁଥିଲା ସବୁ ଭୁଲିଯିବା ଠିକ୍ ହେବ କାରଣ ସେ ମୋ ଜୀବନ ସଙ୍ଗୀନି, ମୋ ଅର୍ଦ୍ଧାଙ୍ଗିନି । ନିଜ ନିଜ ଭିତରେ କି ପ୍ରକାରର ମାନ ସ୍ୱାଭିମାନ । କିନ୍ତୁ ପୌରୁଷତ୍ୱ ବୁଝିବା ପାଇଁ ସମ୍ପୁର୍ଣ୍ଣ ଅସଫଳ ଥିଲା । ସୁଶୀଳା ଦେବୀ ସ୍ୱାମୀଙ୍କ ମନ ଭାବନାକୁ ବୁଝି ପାରିଥିଲେ କିନ୍ତୁ ଏହି ପ୍ରତିକ୍ଷାରେ ଥିଲେ ସେ ଥରୁଟିଏ ଭୋକ ଲାଗିଲାଣି କହିଦେଲେ ସବୁ ମାନ ସ୍ୱାଭିମାନର ରାଗ ଋଷା ସମାପ୍ତ ହୋଇଯିବ । ଏବେ ଖାଦ୍ୟ ପ୍ରସ୍ତୁତ୍ । ସେ ଖାଦ୍ୟ ବାଢି ସଜେଇବାରେ ବ୍ୟସ୍ତ । ସ୍ୱାମୀର ଚେହେରାରୁ ତାଙ୍କର ଅସହାୟତାକୁ ସେ ସ୍ପଷ୍ଟ ରୂପେ ଦେଖି ସାରିଥିଲା । ଏପରି ଅସହାୟ ଭୋକିଲା ଚେହେରାକୁ ଦେଖି ତାଙ୍କ ମନରେ ପ୍ରେମ ଯାତ ହେଲା, ଯେପରି ମା ନିଜ ସନ୍ତାନର ଭୋକିଲା ମୁହଁକୁ ଦେଖି ଦୁଃଖି ମନୋଭାବ ଆଣିଥାଏ । ସ୍ତ୍ରୀ ବି ଏକ ପ୍ରକାରର ମା ହୋଇଥାଏ । କେବଳ ମା ନୁହେଁ ମା, ଭଉଣୀ, ଝିଅ ଓ ଅର୍ଦ୍ଧାଙ୍ଗିନିର ସମାହାରରେ ସ୍ତ୍ରୀ ଶବ୍ଦଟି ଗଢା ହୋଇଛି । କେତେବେଳେ ମାଆର ସ୍ନେହ, କେତେବେଳେ ଭଉଣୀର ମମତା, କେତେବେଳେ ଅର୍ଦ୍ଧାଙ୍ଗିନି ହୋଇ ଭଲ ବିଚାର ଦେଇଥାଏ । ନାରୀ ଯେକୌଣସି ଭୂମିକାରେ ଥାଉ ନା କାହିଁକି ପ୍ରଥମେ ସେ ମା`ର ସମ୍ମାନ ପାଇବା ପାଇଁ ହକଦାର୍ । ରାମାନନ୍ଦ ବାବୁ ବଢାଯାଇଥିବା ଖାଦ୍ୟକୁ ବାରମ୍ବାର ଦେଖି ମନରେ ଲାଳସା ଆସୁଥିଲା । ଏବେ ତାଙ୍କୁ ଲାଗୁଥିଲା ତାଙ୍କ ପୌରୁଷତ୍ୱ ପରାଜିତ ହୋଇଯିବ । ସେ ନିଜକୁ ନିଜେ ନିୟନ୍ତ୍ରଣ ରଖିବାକୁ ପ୍ରୟାସ କରୁଥିଲେ, କିନ୍ତୁ ସେ ଅନୁଭବ କରୁଥିଲେ ମନ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି ଓ ଏବେ ସେ ନିଜକୁ ସମର୍ପଣ କରିଦେବ । ନିଜ ହାର୍ ମାନିନେବ । ଟେବୁଲ୍ ଉପରେ ସୁଶୀଳା ଦେବୀ ଖାଦ୍ୟ ରଖି ମମତା ଭରା ପ୍ରେମପୁର୍ଣ୍ଣ କଣ୍ଠରେ ନମ୍ର ଭାବେ ଡାକିଲେ ଆସୁନା ଭାତ ଥଣ୍ଡା ହେଉଛି । ରାମାନନ୍ଦ ବାବୁ ସାମାନ୍ୟ ରୁପେ କହିଥିଲେ ମୋତେ ଭୋକ ଲାଗୁନାହିଁ । ହଁ, ହଁ  ସେକଥା ମୁଁ ବୁଝିପାରୁଛି ଭୋକ ଅଛି କି ନାହିଁ । ତଥାପି ମୋ ଖୁସି ପାଇଁ ଖାଇନିଅ । କାହା ଆଖିରୁ ଲୁହ ଗଡେ କିନ୍ତୁ ସ୍ତ୍ରୀର ଏହି ପ୍ରେମଭରା ନିଜର ପଣିଆରେ ପଦେ କଥାରେ ରାମାନନ୍ଦ ବାବୁଙ୍କ ହୃଦୟ ବି ଓଦା ହୋଇଗଲା ଏବଂ କାଳ ବିଳମ୍ବ ନକରି ଖାଦ୍ୟ ପାଖରେ ବସିପଡିଲେ । ସ୍ୱାମୀ, ସ୍ତ୍ରୀ ଓ ସେ । ସେ ହେଉଛି ଦୁହିଁକ ମାନ ଓ ଅଭିମାନ ।

 

ସ୍ୱାମୀ ଓ ସ୍ତ୍ରୀ ସମ୍ପର୍କ ଜନ୍ମ ଜନ୍ମ ପାଇଁ । ଏହି ଛୋଟ ଛୋଟ ମାନ ଅଭିମାନ କୁ ଧରି ବସିଲେ ସମ୍ପର୍କରେ ତିକ୍ତତା ଆସିଥାଏ । କେବଳ ସ୍ୱାମୀ ସ୍ତ୍ରୀ ସମ୍ପର୍କ ନୁହେଁ, ସବୁ ସମ୍ପର୍କରେ ଯଦି ବୁଝାମଣା ଠିକ ନରହିବ ଓ ଆମେ ମାନ ଅଭିମାନକୁ ଗୁରୁତ୍ବ ଦେବା, ସେ ସମ୍ପର୍କ ଅଳ୍ପ ଦିନ ପାଇଁ । ନିଜେ ବୁଝନ୍ତୁ, ଅନ୍ୟକୁ ବୁଝାନ୍ତୁ ଓ ପ୍ରେମ ଏତେ କରନ୍ତୁ ଯେ ବୁଝାଇବା ପାଇଁ ଆବଶ୍ୟକ ହେବ ନାହିଁ । ଓଠର ନୀରବତାରୁ ଓ ଆଖିର ଚାହାଣିରୁ ସବୁ ବୁଝି ହୋଇଯିବ ।

Husband wife & relation

Rate the content


Originality
Flow
Language
Cover design

Comments

Post

Some text some message..