Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଗପ ହେଲେ ବି କଥାଟି ସତ -15
ଗପ ହେଲେ ବି କଥାଟି ସତ -15
★★★★★

© Anil Kumar Parhi

Classics Others Inspirational

7 Minutes   21.2K    10


Content Ranking

ଅମରତ୍ୱ

ସେଦିନ ପ୍ରାୟ ତୃତୀୟ ପିରିଅଡରେ ସ୍କୁଲରୁ ଡକାହୋଇ ଘରକୁ ଆସିଲି। ମୂଲିଆ ଶୁକମାମୁଁ ଡାକିବାକୁ ଯାଇଥିଲା। ମୁଁ ଘରେ ପହଁଚିବାବେଳକୁ ବାପା ଚିରାଚରିତ ଭଙ୍ଗିରେ ପଛକୁ ଦୁଇହାତ କରି ବ୍ୟସ୍ତ ପଦଚାରଣା କରୁଛନ୍ତି। ବୁଢୀମା ଏପଟସେପଟ ହେଇ ବାପାଙ୍କ ଉଦ୍ଦେଶ୍ୟରେ କହୁଛି - ଗେଡା ବେସ୍ତ ହ'ନା। ବୁଢୀମା ବାପାଙ୍କୁ ଗେଡା ଡାକେ।

ମା ପ୍ରାୟ ଦୁଇଦିନ ତଳୁ ମାମୁଁଘରେ। କୁଡେଇରେ। ଆଈର ଦେହ ଭୀଷଣ ଖରାପ। ଆଈକୁ ଆମେ କୁଡେଇମା ବୋଲି ଡାକୁ।

ମୋତେ ଦେଖି ବାପା କହିଲେ - ଚାଲ୍।

ରାସ୍ତାସାରା ଉଁ କି ଚୁଁ ନାହିଁ। ଆମେ ବେଲଗଡିପଦା ପାର୍ ହୋଇଗଲୁ। ମୋର ହିଡ ରାସ୍ତାରେ ଚାଲିବାର ଅଭ୍ୟାସ। ମାମୁଁଘରକୁ ଯିବାବେଳେ ଗୋଟିଏ ଜାଗାରେ ମୋତେ କେବଳ ଡରଲାଗେ। ଘାସିପଦା ଗାଁ ପରେପରେ ପଡୁଥିବା ବାଉଁଶ ପୋଲ। ତଳେ ତିନିମଣିଷ ଗଭୀରର ନାଳ, ତା ଉପରେ ଦୁଇଟି ସମାନ୍ତରାଳ ବାଉଁଶ। ତା ଉପରେ ଚାଲିବାବେଳେ ମୋ ମୁଣ୍ଡ ଘୂରେଇ ଦିଏ।

ବାପା ଆଗେଆଗେ ପାରେଇଗଲେ। ମୁଁ ପୋଲର ମଝାମଝିରେ ନିଜର ଭାରସମ୍ୟ ରକ୍ଷା କରିବାକୁ ଦୁଇବାହୁ ଉପର ତଳ କରି ଚେଷ୍ଟା କରୁଥାଏ। କିଛିବାଟ ଗଲାପରେ ବୋଧେ ବାପାଙ୍କର ମୋ କଥା ମନେପଡିଲା। ସେ ଫେରିଆସି ମୋ ହାତଧରି ପୋଲ ପାରିକରେଇଦେଲେ। ଆଗରେ ପଳାଶ ବଣ। ଏହି ପଳାଶ ବଣକୁ ମୋର ଭାରି ଡର। ଏ ଡର ବିଷୟରେ ଆଉ କେବେ କହିବି। ପ୍ରତିଥର ମାମଁଘରର ମଜାକୁ କିରକିରା କରିଦିଅନ୍ତି ବାଉଁଶ ପୋଲ ଆଉ ପଳାଶ ବଣ।

ମାମୁଁଘର ଆଉ କିଛିବାଟ ଅଛି ମିଳିତ କାନ୍ଦଣା ଶୁଭିଲା। ମୁଁ କିଛି ବୁଝିପାରୁନଥାଏ। ଠିକ୍ ମାମୁଁ ଘର ଗେଟ ପାଖରେ ପାଗଳା ବାୟାନ୍ନା ସହ ଭେଟ ହୋଇଗଲା। ସେ ବାପାଙ୍କୁ ଝିଙ୍କିପକେଇ ବହେ କାନ୍ଦିପକେଇଲା ଆଗ।

ଇଏ ଥିଲା ମୋ ଜୀବନର ପ୍ରଥମ ମୃତ୍ୟୁର ଦୃଶ୍ୟ। କୁଡେଇମାର ଦେହାନ୍ତ ହୋଇଯାଇଥିଲା। ଏମିତି ବି କୁଡେଇମା ସହିତ କିଛି ବିଶେଷ ଆନ୍ତରିକତା ନଥିଲା ମୋର। ମୁଁ ତାକୁ କେବଳ ମୋ ମା'ର ମା ବୋଲି ଜାଣିଥିଲି। ମାମୁଁଘରେ ମୋର ପ୍ରଧାନ ଆକର୍ଷଣ ଥିଲା ବଡମାମୁଙ୍କ ପୁଅ ଜୁଲୁ। ପୂଜାଛୁଟି କି ଖରାଛୁଟିରେ ଜୁଲୁ ଭୁବନେଶ୍ବରରୁ ଆସିଲେ ମୋତେ ଖୋଜେ। ଆମେ ଦୁଇଜଣ ପ୍ରାୟ ଏକା ବୟସର।

କୁଡେଇମା ଶୋଇଥାଏ ଗୋଟିଏ ସଉପ ଉପରେ। ବାଲେଶ୍ବର ବାପା ( ଅଜା) ମରେଇ ପାଖ ତାଙ୍କ ପଲଙ୍କ ଉପରେ ସ୍ଥାଣୁହୋଇ ବସିଥାନ୍ତି। ମାମୁମାଇଁ ସମସ୍ତେ କାନ୍ଦୁଥାନ୍ତି। ମୋ ମା ଘଡିକୁ ଘଡି ମୂର୍ଚ୍ଛା ଯାଉଥାଏ ଓ ପୁଣି ସାଷ୍ଟାମ ହୋଇ କାନଫଟା ସ୍ବରରେ ଚିତ୍କାରକରି କାନ୍ଦୁଥାଏ। ମା ର ଏପରି କାନ୍ଦିବାଟା ମୋତେ ଭଲଲାଗୁନଥାଏ। ଭାଗ୍ୟଭଲ ଜୁଲୁ ଥାଏ ଘରେ।

ମୁଁ ଜୁଲୁକୁ ପଚାରିଲି - ଜୁଲୁ କୁଡେଇମା ମରିଗଲା? କେମିତି ମଲା? ମଲାବେଳେ କଣ ଯମଦୂତ ଆସିଥିଲେ? ଜୁଲୁ ଭୁବନେଶ୍ବର ପିଲା। ସେ ମୋ ଗାଉଁଲିକଥା ଶୁଣି ହସିଥିଲା। ଆରେ ନା, ସେ କହିଥିଲା। ମୋ ନାକ ଅଗକୁ ଚିପି ବନ୍ଦ କରୁକରୁ ମୁଁ ଅଣନିଃଶ୍ବାସୀ ହୋଇ ପାଟି ମେଲା କରିଦେଲି। ସେ କହିଲା, ନିଶ୍ବାସ ବନ୍ଦ ହୋଇଗଲେ ଏମିତି ହୁଏ।

ମୋର ତୃତୀୟ ଶ୍ରେଣୀ ହେବ କି କଣ। ଜୁଲୁ କି ମୁଁ ଜାଣିପାରୁ ନଥିଲୁ ଯେ ଆମର କଣ କରିବା ଉଚିତ। ମୋତେ କି ଜୁଲୁକୁ କାନ୍ଦ ଆସୁନଥିଲା। ଆମେ କାହାକୁ ପଚାରି ବି ପାରୁନଥିଲୁ ଯେ କଣ କୁଡେଇମା ସବୁଦିନ ଏଇଠି ପଡିରହିବ ଆଉ ମା,ମାମୁ ଆଉ ମାଇଁମାନେ ସବୁଦିନ ଏମିତି କାନ୍ଦିବେ! ମୋର ପିଲାବେଳେ କୃଷକ ହେବାର ଇଚ୍ଛା ଥିଲା। ମୁଁ ଯେତେବେଳେ ରୋଇବା ଆଉ ବାଟିଆ ପକେଇବା ଦେଖୁଥିଲି ଇଚ୍ଛା ହେଉଥିଲା ମୁଁ ବି ଏ କାମ କରନ୍ତି। ଏଥିପାଇଁ ବାଧକ ସାଜିଥିଲା ପାଠପଢା। କେମିତି କେଜାଣି ପ୍ରାୟ ପାଠ ନପଢି ମୁଁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ସବୁ କ୍ଲାସରେ ଫାଷ୍ଟ ହେଉଥିଲି!

ମୁଁ ଭାବିଲି ଯଦି କୁଡେଇମା ଏମିତି ସବୁଦିନ ପାଇଁ ଏଇଠି ପଡିରହେ, ତେବେ, ବାପାମା ଆଉ ଆମ ଗାଁ ଜଡିଦାକୁ ଫେରିବେ ନାହିଁ। ମୁଁ ବି ଫେରିବିନି। ଏଣୁ ପାଠପଢା ବନ୍ଦ! ସତରେ ମୁଁ ଉଲ୍ଲସିତ ହୋଇଉଠିଥିଲି। ହେଲେ, କିଛି ସମୟ ପରେ ଘଟିବାକୁ ଯାଉଥିବା ଘଟଣା ବିଷୟରେ ଶୁଣିଲା ପରେ ମୁଁ ଡରରେ ଥରିଉଠିଲି। ସେଠି ଜମାହୋଇଥିବା ଲୋକମାନେ ମଡା ଉଠେଇବାର କଥା ହେଉଥିଲେ। କାଠ ପ୍ରସ୍ତୁତ ହେଲା। ଶୁଣିଲି ସେହି କାଠରେ କୁଡେଇମାକୁ ଜଳେଇ ଦିଆଯିବ! କି ନିର୍ଦ୍ଦୟ ଲୋକଗୁଡାକ ଯେ। ମଣିଷଟିଏକୁ ପୋଡିଦେବେ କେମିତି! ତାକୁ କେତେ କଷ୍ଟ ହେବ! ମୋ ମା ଏତେ କାନ୍ଦୁଛି ଅଥଚ ଲୋକଗୁଡାଙ୍କୁ ବାରଣ କରିପାରୁନି! ମୋର ପ୍ରତିବାଦ କରିବାକୁ ଇଚ୍ଛା ହେଲା। ମୋ କଥା ଶୁଣିବ ବା କିଏ।

ରାମ ନାମ ସତ୍ୟ ହେ ଉଚ୍ଚାରଣରେ ଗୁଂଜରିତ ହେଲା ମାମୁଁଙ୍କ ଗାଡିଆ ପାଖକୁ ରାସ୍ତା। ବାଉଁଶ ଉପରେ କୁଡେଇମା। ଆମ ହାତରେ ଗୋଟେଗୋଟେ ବତୀ। ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ପହଁଚିଲା ପରେ ଆମକୁ ଫେରେଇଦିଆଗଲା।

ଆଉ କେବେ ବି ଫେରିଲାନି କୁଡେଇମା। ଦଶଦିନ ଗଲା, ବାରଦିନ ବି। ତେରଦିନ ଫେରିବା କଥାନୁହେଁ। ଚଉଦଦିନରେ ଆମେ ଫେରିଲୁ ଗାଁକୁ। ମୁଁ ଆସିଲାବେଳେ ସେହି ନିଷିଦ୍ଧ ଜାଗାଟିକୁ ଟିକେ ବୁଲିକି ଅନେଇଥିଲି। କଣ ଗୋଟିଏ ଭାବ ମୋତେ କୋହାଚ୍ଛନ୍ନ କରିଦେଲା। ଏମିତି କେବେ ଫେରିନଆସିବା କଣ ମୃତ୍ୟୁ!!

ଦିନେ ମୁଁ ବୁଢୀମା ପାଖରେ ଶୋଇଥିଲି। ମୋତେ କାନ୍ଦକାନ୍ଦ ଲାଗିଲା। ମୁଁ ଉଠିଆସିଲି ମା ପାଖକୁ। ମା ର ଫୁଙ୍ଗୁଳା ପିଠି ଉପରେ ହାତ ପକେଇ ଶୋଇଲି। ମା ଚାହିଁଥିଲା। ସେ ମୋ ମୁଣ୍ଡରେ ହାତ ବୁଲେଇଲା। ମୁଁ ଡାକିଲି - ମା! ମା ଲୋ! ମା ହୁଁ ବୋଲି କହିଲା। ମୋ କଣ୍ଠ କୋହାଚ୍ଛନ୍ନ ହୋଇଉଠିଥାଏ। ପଚାରିଲି - ମା ତୁ ବି କଣ ମରିଯିବୁ! ତୋତେ ପୋଡି ଦିଆଯିବ! ମୁଁ ଯେତେ ଡାକିଲେ ବି ତୁ ଫେରିକି ଆସିବୁନି! ମା ମୋତେ ଟିକେ ଜୋରରେ ତା ଛାତି ଉପରେ ଚାପିଧରିଲା ଆଉ କହିଲା - ବାପା ଇଏ ପରା ସଂସାରର ନିୟମ। ଭଗବାନଙ୍କ ଖେଳ! ମୁଁ ରାଗିକି କହିଲି - ଭଗବାନ କଣ ନବାବ! ସେ ଦେଖିବା କେମିତି ତୋତେ ମାରିଦେବେ! କଟୁରୀ ଧରି ମୁଁ ଗୋଡେଇବିନି! ମା ମୋ ପାଟିରେ ହାତଦେଲା।

ପୁଣି କିଛି ସମୟ ନୀରବତା। ମୁଁ ପଚାରିଲି - ମା ଅମୃତ ଖାଇଲେ ପରା କେହି ମରନ୍ତିନି! ମା ବୋଧେ ହସିଲା କି କଣ। ମୁଁ କହିଲି - ଦେଖିବୁ ରହିଥା, ମୁଁ ତୋ ପାଇଁ ଅମୃତ ଆଣିଦେବି! ମୁଁ ଜାଣେ ଯେ ଅମୃତ ହିମାଳୟରେ ଅଛି! ମା କିଛି କହିଲା ନାହିଁ। ମୁଁ ଏକଦମ କାନ୍ଦିପକେଇଲି - ମା ଲୋ ମୋତେ ଛାଡିକି କୁଆଡେ ଯିବୁନି! କହ ଯିବୁନି। ମୁଁ ତୋତେ ଛାଡି ବଞ୍ଚିପାରିବିନି ଲୋ ମା!

ଦୁଇହଜାର ଆଠ ମସିହା। ରାଉରକେଲାର ବେଦବ୍ୟାସ ପୀଠରେ ମା ଜଳୁଥିଲା ମୋ ଆଗରେ। ମୋ ସାଂସାରିକ ଜଂଜାଳ ଭିତରେ ବୁଡିରହି ମୁଁ ହିମାଳୟରୁ ଅମୃତ ଆଣିବାକୁ ଭୁଲିଯାଇଥିଲି କି ଅମୃତ ଉପରୁ ମୋର ବିଶ୍ୱାସ ତୁଟିଯାଇଥିଲା କେଜାଣି!! ଈଶ୍ୱର କଣ ଜଣେ ତାନାଶାହା! ଆମେ ସମସ୍ତେ ମିଶି କଣ ମା ମାନଙ୍କ ପାଇଁ ତାଙ୍କ ପାଖରୁ ଅମୃତ ଛଡେଇ ଆଣିପାରିବା ନାହିଁ!!!

ମୃତ୍ୟୁ ଜୀବନ ଝୁରିବା

Rate the content


Originality
Flow
Language
Cover design

Comments

Post

Some text some message..