ମାଆ : ପୃଥିବୀ ଯାହାର ନାଆଁ
ମାଆ : ପୃଥିବୀ ଯାହାର ନାଆଁ
ସେ ମୋତେ ସବୁ ଦେଇଛି, ଦିନେ ମୁଁ ଏକଥା ଜାଣିଗଲି ।
ସେ ମୋର ମାଆ : ପୃଥିବୀ ଯାହାର ନାଆଁ ।
ସମସ୍ତଙ୍କୁ ନିଜ ଛାତିରେ ଆଉଜେଇ ନେଇପାରେ ସେ । ମୋତେ ବି ଆଉଜେଇ ନେଇଛି । ଏ ହେଉଛି ତା'ର ଆପଣାପଣ ଓ ଉଦାରତା ।
କିଏ ଏଠି ତା'ର ଆପଣାର ନୁହେଁ ! କେଉଁ ବିଶ୍ୱାସ ତା'ର ଗାଢ ନୁହେଁ ଏଠି ! ସେସବୁ କଥା ଭାବିଲେ ମୁଁ ତ ଭାବବିହ୍ବଳ ହୋଇଯାଏ ।
କେତେ କଥା କହିବାକୁ ଇଚ୍ଛା ହୁଏ ତାକୁ । ଦେଖିଲେ ସିନା କହିବି । ସେ ଦେଖାହୁଏନି କି ମୁଁ କହିପାରେନି । ଅସଲ କଥା ହେଲା ମୁଁ ତା' ଠାରୁ ବହୁ ଦୂରରେ ଥାଏ ।
ବହୁତ ବର୍ଷ ବିତି ଯାଇଥିଲା । ଦିନେ ଏକ ଅତି ସୁନ୍ଦର ମୁହୂର୍ତ୍ତରେ ମୁଁ ତା' ପାଖକୁ ଆସିଲି । ଆମେ ଦୁହେଁ ଭେଟାଭେଟି ହୋଇଗଲୁ ।
- " ୟା ଭିତରେ କେତୋଟି ବର୍ଷ ବିତିଗଲାଣି । ଛୋଟ ଚାରା ଦ୍ରୁମ ପାଲଟିଲା ପରି ଛୋଟ ପିଲାରୁ ବଡ ମଣିଷ ହୋଇଗଲିଣି ମୁଁ । ହେଲେ ତୋର ସେ ଲାଳନପାଳନ, ତୋର ସେ ମିଠାବୋଳା କଥା କେବେ ବି ଭୁଲିପାରିନି । " ମୁଁ ତାକୁ କହିଲି ।
ସେ କେବଳ ମୁର୍କି ହସିଲା ମୋ କଥା ଶେଷରେ ।
- " ଧୂଆଁବାଣ ମାରି ସମୟ କୁଆଡେ ଗଡି ଚାଲିଗଲା । ଆଖି ପିଛୁଳାକେ ପିଲାଦିନ, କୈଶୋର ଉଭାନ୍ ହୋଇଗଲେ । ନିଜ ଘର,ବନ୍ଧୁ ମେଳ,ଚିହ୍ନା ରାସ୍ତା - ଏମିତି ବହୁତ କିଛି ପଛରେ ଛାଡି ଚାଲି ଆସିଲି । ମାଆ ଲୋ ! ଆଜି ବିଶ୍ୱାସ ହେଉନି,ତୋର ସେ ଅନ୍ତରରୁ ଅନ୍ତରୀକ୍ଷ ବାଲିବନ୍ଧ ଡେଇଁ କେମିତି ଦୌଡୁଛି ମୁଁ ଅନନ୍ତ ଅସୀମ ଆଡ଼କୁ ! " ମୁଁ ପୁଣି କହିଲି ।
ସେ ପୁଣି ମୁର୍କି ହସିଲା । ମୋତେ ମୋ କଥାର ସମ୍ମତି ତା' ଠାରୁ ମିଳିଗଲା ପରି ଲାଗିଲା ।
ମୁଁ ପୁଣି ମୋ କଥା ଆରମ୍ଭ କଲି ।
- "ମୋର କାହିଁ ମନେହେଉନି, ତୁ ମତେ କେବେ ଗାଳି ଦେଇଛୁ ବୋଲି !ସବୁ ମାଆ ଏମିତି, ନୁହେଁ ? ମିଠା ମିଠା ପବନ ଦେଇଛୁ । ବାହୁରେ ଜଡାଇ ଧରିଛୁ । ରଙ୍ଗ ବେରଙ୍ଗ ଆଶା ଦେଇ ଉତଫୁଲ୍ଲ କରିଛୁ । ଏକାନ୍ତ ଇଚ୍ଛାରେ ତୋ ବନାନୀ, ନଦନଦୀ, ଘଞ୍ଚ ସବୁଜିମା ଭ୍ରମିବାକୁ ଆମନ୍ତ୍ରିଛୁ । ତୋ ଆମନ୍ତ୍ରଣକୁ ମୁଁ ବି କେବେ ପଛରେ ପକାଇ ଦେଇନି । ବୁଲି ବୁଲି ସବୁ ଦେଖିଛି, ଉପଭୋଗ କରିଛି ।"
ମୋର ଏଇ କଥା ତାକୁ ବେଶ୍ ଖୁସି ଦେଲା । ତା' ହସରୁ ଜାଣିପାରିଲି । ସେ ଖୁସି ଦିଶୁଥିଲା ।
ଟିକେ ଅଟକି ଯାଇ ମୁଁ ପୁଣି କହିଲି - " ମୁଁ କେବେ ଥକିଗଲେ ମୋତେ ଉତ୍ସାହିତ କରିଛୁ ତୁ । ତୁ ତ ମୋର ଇଚ୍ଛାମୟୀ ମାଆ । ଫୁଲର ବାସ୍ନା ମୋ ଭିତରେ ଭରିଦେଇ ମୋତେ ମହକାଇଛୁ ତୁ । ଭରି ଭରି ସ୍ୱପ୍ନ ନିଦରେ ଶୁଆଇ ଦେଇଛୁ । "
ସେ ହସିଦେଇ କହିଲା - " ଏସବୁ ମୋର କରିବାର ଥିଲା । ମୁଁ କରିଛି । ମାଆର ଜନ୍ମ ପରା ସେଇଥିପାଇଁ । "
- "ସବୁ ତ ଦେଇଛୁ । ତୋତେ ମୁଁ କ'ଣ ଅବା ଦେବି ? କେବେ ଅବମାନନା କରିବିନି ତୋର । କେବେ ନିନ୍ଦିବିନି । ଏବେ ଆଉ ଗୋଟିଏ ଜିନିଷ ଦେ' ,ଯାହା ତୁ ମୋତେ ଦେଇନୁ ଆଜିଯାଏ । କାରଣ ମୁଁ ତୋର ଆପଣାର,ଅତି ଆପଣାର ।" ମୁଁ କହିଲି ।
- "ହେଲେ ମୋର ତୋତେ କ'ଣ ଆଉ ଦେବାକୁ ବାକି ରହିଲା ଯେ ?" ସେ କହିଲା । ଆଶ୍ଚର୍ଯ୍ୟ ନୟନରେ ମୋ ଆଡେ ଚାହିଁ ରହିଲା ।
- " ଏବେ ମୋତେ ଆଦେଶଟିଏ ଦେ' , ମାଆ ।" ମୁଁ କହିଲି ।
ବୋଧହୁଏ ସେଇଟି ମୋ ପାଖରେ ନାହିଁ । ଗୋଟାଏ ମାଆ ପାଖରେ ତାହା ଥାଏ କ'ଣ ? " ସେ ଦୁଃଖ ଦୁଃଖ ଭଙ୍ଗୀରେ କହିଲା । ପ୍ରଶ୍ନିଳ ଆଖିରେ ମୋତେ ଚାହିଁ ରହିଲା ।
- " ନ ଥାଏ . . . ? " ତାକୁ ପଚାରିଲି ମୁଁ ।
ଧୀରେଧୀରେ ବାକଶୂନ୍ୟ ହୋଇଗଲି । ତାକୁ ଚାହିଁ ରହିଲି ଆଶ୍ଚର୍ଯ୍ୟରେ ।