Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

3  

Arabinda Rath

ଭାଲୁଲେଊଟାଣି ଦିବସ

ଭାଲୁଲେଊଟାଣି ଦିବସ

9 mins
14.4K


କଲେଜ୍ ରେ ଘମାଘୋଟ ଆଲୋଚନା। କିଛି ଗୋଟେ କରିବାକୁ ହେବ। ଏ ଅନ୍ଯାୟ ଆଉ ସହି ହେବନି। ଦଳେ ପିଲାଙ୍କ ପଛକୁ ନଖି ଠିଆ ହୋଇ ଶୁଣିବାକୁ ଲାଗିଲା। ଜଣେ ନେତାଳିଆ ପିଲା ଭାଷଣ ଝାଡିବାରେ ବ୍ଯସ୍ତ।

– ଆମ ସ୍ବାଧୀନତାକୁ ଜୋତା ତଳେ ମାଡିମକଚି ଦେଲେ ଆମେ କେବେ ବି ଚୁପ୍ ହୋଇ ବସିବାନି। ସ୍ବର ଉଠେଇବାକୁ ହେବ। ଗାନ୍ଧିଜୀଙ୍କର ଅହିଁସା ଧର୍ମ ପାଳନ କରି, ମାଡ ଖାଇଲେ ବି ଆମେ ଏ ଦିବସ କୁ ପାଳନ କରିବା। ନିଜକୁ ଶକ୍ତ କରିବାକୁ ହେବ। ଗଲା ସନ ର ଠିଆ ଗୋଇଠା, ବ୍ରହ୍ମ ଚାପୁଡା, ପଞ୍ଜରାଥରା ଚିମୁଟା, ସାତ ବେଣ୍ଟିଆ ଚୁଟି କଟା କୁ ଭୁଲି ପ୍ରେମର ପ୍ରଦୀପ ଜଳେଇବାକୁ ହେବ।

ଭାଷଣ ଶୁଣିଲା ବେଳେ ସେ ନେତାଳିଆ ଟୋକାର ମୁହଁକୁ ଦେଖିଲା ନଖି। ଛାମୁ ଦାନ୍ତ ଦୁଇଟା ଗଳି ପଡି ଜିଭଟା ଲହଲହ ହେଉଛି। ପଚାରିବାରୁ ଜଣା ଗଲା ଯେ ଗଲା ସନ ଦିବସ ପାଳିଲା ବେଳେ ତା ଦାନ୍ତ ଦୁଇଟା ଶହୀଦ୍ ହୋଇଯାଇଛନ୍ତି। ସେଇ ରାଗରେ ସେ ଭାଷଣ ଝାଡୁଛି। ଏଥର ବହେ ଚେଲା ଚାମୁଣ୍ଡା ଧରି ଦିବସ ପାଳନ କଲେ ବାକି ଦାନ୍ତ ତକ ରହିଯିବ। ନଖି ବିଚାରିଲା, ବଡ ଜୋରଦାରିଆ ଦିବସ ହୋଇଥିବ ପରା। ଗାନ୍ଧୀ ବୁଢା ଯେମିତି ସ୍ବାଧିନତା ପାଇଁ ଲଢେଇ କରି କେତେ ନା କେତେ ଦିବସ ପାଳୁଥିଲା ସେମିତି କିଛି ହୋଇଥିବ। ଆଉ ଜଣେ ପିଲାକୁ ପଚାରିଲାରୁ ସେ କହିଲା-- ଆରେ ବୋକା ଏଇଟା ପରା “ ଭାଲେଣ୍ଟାଇନ୍ ଡେ ପାଳନ” ମାନେ ପ୍ରେମ ଦିବସ ପାଇଁ ମିଟିଙ୍ଗ ଚାଲିଛି।

ନଖିର ଇଂରାଜୀ ଜ୍ଞାନର ପଟ୍ଟାନ୍ତର ନାହିଁ। ସେ ଆଜି ଯାଏ “ଟିଏ ବିଲେଇ”( ଟେବୁଲ୍), ଆଇ ଗୋ, ଦେ ଗୋ, ଦେ ଶଳା ଗୋ ରୁ ମୁକ୍ତି ପାଇନାହିଁ। ଇଂରାଜୀରେ ଏତେ ବଡ ଶବ୍ଦ ମନେ ରଖିବା ତା ପାଇଁ ଅସମ୍ଭବ। ପିଲା ଟା କଣ କହିଲା ମନେ ପକେଇଲା ବେଳେ, ସେଇ “ଆଇ ଗୋ” ସୂତ୍ରରେ ଦିବସ କୁ ପକେଇ ନିର୍ଯ୍ଯାସ କାଢିଲା ଯେ ଦିବସ ର ନାମ ଟା ହେଲା “ଭାଲୁ ଲେଉଟାଣି ଦିବସ”।

ସେଦିନ କଲେଜରେ ପାଠ ପଢା ଛାଡି ସବୁ ପିଲା କେମିତି ସେ ଦିନଟାକୁ ପାଳନ କରିବେ ସେ ଚିନ୍ତାରେ ବ୍ଯସ୍ତ। ନଖି ମୂଷାପରି ସବୁ ପିଲାଙ୍କ ପାଖରେ ଘେରାଏ ମାରି ପ୍ରେମ ଦିବସ ପାଳନର ତାତ୍ପର୍ଯ୍ଯଟା ଆକଣ୍ଠ ପାନ କରି ଯାଉଥାଏ।

କିଏ ଜଣେ କହିବାର ଶୁଭିଲା ଯେ – ବହୁତ୍ ଦିନ ତଳେ ରୋମ୍ ଦେଶରେ ଜଣେ ଦାଢିଆ ବାବାଜୀ ଥିଲେ। ସେ ଦେଶରେ ସୈନିକ ମାନେ ବାହା ହୋଇ ପାରିବେନି ବୋଲି ନିୟମ ଥିଲା । ମାତ୍ର ସେ ବାବାଜୀ କଳେ ବଳେ କୌଶଳେ କେତେ ଟା ସୈନିକଙ୍କ ହାତଗଣ୍ଠି ପକେଇଦେଲେ। ରାଜା ଏ କଥା ଜାଣି ଭାରି ଖପା ହେଲେ ଓ ତାଙ୍କୁ ଜେଲ୍ ରେ ଠୁଙ୍କି ଦେଲେ। ବିଚାର ହେଲା ଯେ ତାଙ୍କୁ ଫାଶୀ ଦିଆଯିବ। ବାବାଜୀ ତାଙ୍କ କରାମତି ଦେଖେଇ ଜେଲରଙ୍କ ଅନ୍ଧୁଣୀ ଝିଅ ଆଖିରେ ଆଲୁଅ ଜଳେଇ ଦେଲେ। ସେ ଝିଅ ଟି ଜନ୍ମ ରୁ ଅନ୍ଧ ଥିଲା, ମାତ୍ର ବାବାଜୀ ଆଜ୍ଞାଙ୍କ ଯାଦୁ ଫଳରେ ଝିଅ ଟି ଭଲମନ୍ଦ ଦେଖିବାର ବରଦାନ ପାଇଲା। ବାବାଜୀ ଜଣେ ମହାପୁରୁଷ ଜାଣି ପାରିଲେ ବି, କେହି ତାଙ୍କୁ ବଞ୍ଚେଇ ପାରିଲେନି। ବିଚରା ବାବାଜୀ ଫାଶୀ ଖୁଣ୍ଟରେ ଝୁଲିବା ଆଗରୁ ସେ ଝିଅଟିକୁ ଖଣ୍ଡେ ଚିରିକୁଟି କାଗଜରେ କଣ ସବୁ ଲେଖି ତଳେ ଲେଖିଦେଲେ “ତୁମର ଭାଲେଣ୍ଟାଇନ୍”। ସେଇ ବାବାଜୀଙ୍କ ଡାକଟା ଆଜି ଯାଏ ଟୋକା ଟାକଳିଆଙ୍କ କାନରେ ଗୁଣୁଗୁଣୁ ହୋଇ ଶୁଭୁଛି। ତାଙ୍କୁ ମନେ ରଖିବାକୁ ଏ ଦିବସ ପାଳନ ହେଉଛି।

ଆଉଜଣେ ଗଞ୍ଜା ଚୁଟିଆ ପିଲା ବଡ ପାଟିରେ କହିଲା-- ଆରେ ଭାଇ ଖାଲି କଣ ସେତିକି। ଏବେ ପରା ପ୍ରେମ ସପ୍ତାହ ପାଳନ ଆଡେ କଥା ଗଲାଣି। ଢାବା ରେ ଖାଇବା ଆଗରୁ ଯେମିତି ପାମ୍ପଡ, ସାଲାଡ୍ ନ ହେଲେ ପକୋଡା ପରଶା ଯାଏ, ତା ପରେ ମୁଖ୍ଯ ଖାଦ୍ଯ ଆସେ, ସେମିତି ଭାଲେଣ୍ଟାଇନ୍ ଦିବସ ଆଗରୁ କେତେ ଦିବସ ଅଛି। ଯେମିତି କି ଗୋଲାପ ଦିବସ, ପ୍ରଣୟ ଦିବସ, ଚକୋଲେଟ୍ ଦିବସ, ତୁଳା ଭର୍ତ୍ତି କଣ୍ଢେଇ ଦିବସ, ଶପଥ ଦିବସ, କୁଣ୍ଢାକୁଣ୍ଢି ଦିବସ, ଚୁମ୍ବନ ଦିବସ ଓ ଉଦଯାପନୀ ଦିନ ହେଲା ପ୍ରେମ ଦିବସ। ସହରର ପିଲା ଗୁଡା ବୋଲ୍ ବମ୍ ମାସିଆ କୁକୁର ପରି ଚାରି ଆଡକୁ ଖେଦି ଯାଉଛନ୍ତି ସପ୍ତାହ ପାଳନ କରିବାକୁ। ଆମକୁ ଦେଖ, କେତେ ପଛରେ ଆମେ ଅଛେ। ସେଇଥିପାଇଁ ପରା ଆମକୁ ସବୁ ଚୁଡାମାର୍କା କହୁଛନ୍ତି। କଣ ଖାଲି ତାଙ୍କ ଦେହରେ ରକ୍ତ ବୋହୁଛି, ଆଉ ଆମ ଦେହରେ ଅଳତା ବୋହୁଛି? ଆମକୁ ଅଣ୍ଟା ଭିଡିବାକୁ ହେବ। ମୁଣ୍ଡ ଫାଟୁ ବା ଗୋଡ ପେଙ୍ଗଉ ଆମକୁ ଏ ପ୍ରେମ ଦିବସ ପାଳିବାକୁ ହେବ। କିଏ ଜଣେ ଜିଜ୍ଞାସୁ ପ୍ରଶ୍ନକର୍ତ୍ତା ପଚାରିଲା-- ଭାଇ, ଏ ସବୁ ଦିବସ ପାଳନ କଲେ କେତେ ଖର୍ଚ୍ଚ ହେବ।

ଗଞ୍ଜା ଚୁଟିଆ ଟିକେ ଚିହିଁକି ଉଠିଲା-- ଆମେ ଏଇ କାରଣ ପାଇଁ ସଦା ବେଳେ ପଛୁଆ। କିଛି ଗୋଟେ ଭାବିଲା ବେଳକୁ ଖର୍ଚ୍ଚ ଟା ଆଗରେ ମାରଣା ଷେଣ୍ଢ ପରି ବାଟ ଓଗାଳି ଠିଆ ହେଉଛି। ଅତି କମ୍ ରେ ପାଞ୍ଚଶହ ଟଙ୍କା ଲାଗିବ। ଏବେ ବି ଦିନ ଅଛି। ମୋତେ ପାଞ୍ଚ ଶହ ଟଙ୍କା ଦେଲେ ଦିବସ ପାଳନର ସବୁ ବ୍ଯବସ୍ଥା କରିଦେବି।

ନଖି କୁ ଏ ଗଞ୍ଜାଚୁଟିଆର କଥା ଭାରି ଓଜନିଆ ଲାଗିଲା। ତା କଥାରେ ଲୋମ ମୂଳ ଗୁଡାକ ଟାଙ୍କୁରି ଝିଙ୍କ କାଠି ପରି ଠିଆ ହୋଇଗଲା। ଭାବିଲା ପିଲାର କଥାରେ ଦମ୍ ଅଛି। ଏମିତି ତ ଅଙ୍ଗୁର ରସ ପିଆରେ କେତେ ଟଙ୍କା ଉଡି ଯାଉଛି। ତେବେ ଦିବସ ପାଳନରେ ଗଲେ କି ପରବାୟ ଅଛି। ଦୁନିଆ ପଛେ ଓଲଟ ପାଲଟ ହେଇଯାଉ, ସେ ଯାହା ହେଲେ ବି ଭାଲୁ ଲେଉଟାଣି ଦିବସ ଟା ପାଳିବ। ସେ ଖାଣ୍ଟି ମରଦ ପିଲା, କାହାକୁ ଡରିଛି ନା କଣ?

xxxxxxxxxxxx

– କାଇଁ ସକାଳଟାରୁ ବେଙ୍ଗ ପରି କେଁ କଟର ଚଲେଇଛୁ। ପାଠଘର ତ ଶୂନ, ପୁଅର ଟଙ୍କା ମାଗିବାରେ ଉଣା ନାହିଁ, ତତଲା କଡେଇରେ ବରା ପକଉପକଉ ବିରକ୍ତ ହୋଇ କହିଲା ଚେଙ୍ଗୁଡୁ ସାହୁ। କାନପଛ କୁଣ୍ଡେଇ ପୁଅ ନଖି କହିଲା – ଆଲୋ ବାଆ, ଆମ କଲେଜର ସବୁ ପିଲା ପରା ସେ ଦିବସ ପାଳିବେ। ବହୁତ ବଡ ଦିବସ ସେଇଟା। ମୁଁ କଣ ନିଆଁରେ ପରିଶ୍ରା କରିଛି ନା କେଉଁ ଛୋଟ ଘର ପିଲା ହେଇଛି ଯେ ପାଳନ କରିପାରିବିନି। ଟଙ୍କା ପାଞ୍ଚଶହ ଦେଲେ ଯାହାକୁ ଯେତେ। ଗାଁଆ ଯାକରେ ତୁମ ନାମ କହିଲେ ଲୋକଙ୍କ ପାଟିରୁ ଲାଳ ଝରିପଡେ ପରା। ରୁଚି ଗୋଲ୍ଡ ତେଲରେ ବରା ଗୁଡାକୁ ଯେମିତି କଡକଡିଆ,ମୁସୁମୁସିଆ,ସୁଆଦିଆ ଓ ମନଲୋଭାଣିଆ କରି ଛାଣୁଛ, ମଣିଷ କଣ ଦେବତାଙ୍କ ପାଟିରୁ ଲାଳ ଗୁଡା ମ୍ଯୁନିସିପାଲଟି କଳରୁ ପାଣି ଝରିଲା ପରି ବୋହି ପଡିବ।

ପାଞ୍ଚଶହ ଟଙ୍କା ଶୁଣି ଚେଙ୍ଗୁଡୁ ହାତରୁ ହାତରୁ ଚଟୁଟା ତେଲ କଡେଇରେ ଖସି ପଡୁପଡୁ ରହି ଗଲା। ମାତ୍ର ଯେତେ ବେଳେ ପୁତ୍ରମଣି ପ୍ରଶଂସାର ତାଳଗଛ ଉପରେ ଚଢେଇ ଦେଲା , ଚେଙ୍ଗୁଡୁ ଲାଜମିଶା ସ୍ବରରେ କହିଲା-- ଆବେ ଯାଉନୁ, ଶେଷକୁ ବୋପାକୁ ଲଣ୍ଠନ ଦେଖେଇବୁ?

– ଆଲୋ ବାଆ, ତୋତେ ପରା ସଦାବେଳେ ମୋ କଥା ଗୁଡାକ ଗନ୍ଧେଇବ। ସେ ଚୁଲି ମୁଣ୍ଡ ଛାଡି ଥରେ ଗାଁଆ ଭିତରେ ଘୁରି ଆସେ, ମୁଁ ଯାହା କହୁଛି ସତ କି ମିଛ ଜାଣିଯିବୁନି।

ଚେଙ୍ଗୁଡୁ ନାଲି ଟହଟହ କଡକଡିଆ ବରା ଗୁଡାକୁ ତେଲରୁ କାଢି, ଚଟୁକୁ କଢେଇରେ କେତେ ଥର ବାଡେଇ ତେଲ ଗୁଡିକୁ ଝଡାଇଦେଲା। ମସମସିଆ ବରା ମାନଙ୍କୁ ବାଉଁଶ ପାଛିଆରେ ଶୁଏଇ ଦେଇ, ଅଣ୍ଟିରୁ କିଛି ଟଙ୍କା କାଢିଲା।

– – ଆଲୋ ବାଆ ତିନି ଶହ ଟଙ୍କାରେ କଣ ହେବ ଯେ?

– – ୟା’ପ ଯାଉଛୁ ନା ଦେଖିବୁ ଏଇଲେ। କିନ୍ତୁ, କି ଦିବସ ପାଳିବୁ କହି କି ଯାଆ।

– ଭାଲୁ ଲେଉଟାଣି ଦିବସ ପାଳିବି ମ। ତୁମେ ବୁଝିବନି। ନୂଆ ବାହାରିଛି। କଲେଜ୍ ରେ ସବୁ ପିଲା ପାଳୁଛନ୍ତି।

କିଛି ବୁଝି ନ ପାରି ବଲବଲ ହୋଇ ଚାହିଁଲା ଚେଙ୍ଗୁଡୁ। ଭାବିଲା ପିଲାଟା କଲେଜ୍ ଯାଉଛି। କେତେ ନୂଆ ପାଠ ପଢୁଛି। କିଛି ଗୋଟେ ପାଠୁଆ ଦିବସ ହୋଇଥିବ ପରା। ତା ପିଲା ଦିନେ ସିନା “ଉତ୍କଳ ଦିବସ”, “ସ୍ବାଧିନତା ଦିବସ” “ସାଧାରଣତନ୍ତ୍ର ଦିବସ” ପାଳନ ହେଇଥିଲା। ଆଜି କାଲି ଦୁନିଆ କେତେ ଆଗେଇଲାଣି। ଦିବସ ର ସଂଖ୍ଯା ବି ବଢି ଚାଲିଛି। ସେମିତି କିଛି ଗୋଟେ ହୋଇଥିବ ବୋଧେ।

ଲମ୍ବା ପାହୁଣ୍ଡ ପକେଇ ନଖି ଅଦୃଶ୍ଯ ହୋଇଗଲା।

କଲେଜ୍ ରେ ପୁରା ଯାତ୍ରାଭିଡ ଲାଗିଛି। ପୁଅ ଝିଅ ମାନେ ବଗୁଲାବଗୁଲୀ ପରି ଗଛମୂଳରେ, ପିଣ୍ଡା ତଳେ, ଛାତ ଉପରେ, ସାଇକେଲ୍ ଷ୍ଟାଣ୍ଡରେ, ଗୁପ୍ ଚୁପ୍ ଦୋକାନୀ ପାଖରେ ଯୋଡି ହୋଇ ବସିଛନ୍ତି। ଦୁନିଆ ଯାକର ଖୁସି ଅଜାଡି ହୋଇପଡିଛି ତାଙ୍କ ଉପରେ। ହସଖୁସି ର ଝରଣା ଝରଝର ବୋହି କଲେଜ୍ କୁ ପୁରା ଓଦା କରି ଦେଲାଣି। ସମସ୍ତଙ୍କୁ ବଲବଲ କରି ଚାହିଁଲା ନଖି। ଆଜି କେଉଁ କାରଣରୁ ପୁଅଝିଅ ଗୁଡା ଲାଜ ସରମ ଛାଡି ଦାଣ୍ଡପିଣ୍ଡାରେ ପ୍ରେମ ଝରଣା ବୁହେଇବାରେ ଲାଗିଛନ୍ତି, ସେ କଥା ଭାବିଲା ବେଳକୁ ଗଞ୍ଜାଚୁଟିଆ ପିଲାଟା ହାବୁଡି ଗଲା।

– କିରେ ଭାଇ, ଦେଖ୍ ସମସ୍ତେ କେତେ ଆଗେଇ ଗଲେଣି। ତୁ ସେମିତି ଜୁଳୁଜୁଳୁ ଚାହୁଁଥା। ନିଜେ ଦେଖ୍ କେତେ ପିଲାଙ୍କୁ ମୁଁ କୂଳରେ ଲଗେଇ ସାରିଲିଣି। ପକେଟ୍ ହାଲୁକା କର, ତୋ କଥା ବି ବୁଝିଦେବି। କଣ ଦିବସ ପାଳନ କରିବୁ ନା ନାହିଁ?

– କରିବି ଯେ......

– ଆରେ... ଯେ କଣ ? ମାଲ୍ ଟା ହାତକୁ ଦେ। ଏମିତି ରେ ତ ଏତେ ଡେରି କଲୁଣି। ଆଗରୁ ଦେଇଥିଲେ ଆଜି କୁଣ୍ଢାକୁଣ୍ଢି ଉତ୍ସବରେ ଯୋଗ ଦେଇପାରିଥାନ୍ତୁ। ଭଲ ଚଡେଇ ସବୁ ଉଡି ଗଲେଣି। ଆଉ ଯାହା ଘରଚଟିଆ, ହରଡ, ଗୁଣ୍ଡିରି, ଓଟପକ୍ଷୀ ମାନେ ବାକି ଅଛନ୍ତି। ଯଦି ସେତକ ବି ହାତ ରୁ ପଳେଇବେ ଶେଷରେ ଶାଗୁଣା,ଚିଲ ନ ହେଲେ କୁଆ ମାନେ ମିଳିବେ।

ଆଗପଛ ଚିନ୍ତା ନ କରି ନଖି ତିନି ଶହ ଟଙ୍କା ସେ ପିଲା ହାତକୁ ବଢେଇ ଦେଲା। ଅଳ୍ପ ସମୟ ଭିତରେ ସେ ପିଲା ଜଣେ ଝିଅକୁ ସାଙ୍ଗରେ ଧରି ଆସିଲା। ନଖି ଦେଖିଲା, ସେ ଝିଅ ଟା ତାଙ୍କ ଉପର କ୍ଲାସ୍ ରେ ପଢେ। ତା ରୂପ ଏମିତି ଯେ, ଦେଖିବା ଲୋକ ହାଉଳି ଖାଇ ପାଞ୍ଚ ଘେରା ବୁଲି ଯିବ। ଭ୍ରୁଲତା ଯୋଡିକ ଦେଖିଲେ ଲାଗିବ ସତେ କି କାଳିଆ ମୋଟା ସଂବାଳୁଆ ସଜନା ଗଛରେ ଲାଖିଛନ୍ତି। କପାଳଟି ବାହାରକୁ ଟିକେ ବାହାରି ପଡିଛି। ଦୁଇଟି ଯାକ ଆଖି ଟେରା। ତେଣୁ କୁଆଡେ ଦେଖି କଣ କହୁଛି ବୁଝିବା କାଠିକର ପାଠ। ଗାଲ ଗୁଡିକରେ ଶୋଭା ପାଉଛି କୁନିକୁନି ଦାଢି। ନାକ ତଳେ ଥିବା ଲୋମ ଗୁଡିକ ଆଉ ଟିକେ କଳା ହେଇଗଲେ ନିଶରେ ପରିବର୍ତ୍ତିତ ହେବ ଏଥିରେ ସନ୍ଦେହ ନାହିଁ। କେଶ ରାଶିର ବାଗ ବାଇଶ ନାହିଁ। ତେଲ ବାଲଟିଏ ଢାଳିବା ପରେ ବି ବାଉଁଶଗଛ କେନା ପରି ଠିଆ ହୋଇ ଝିଅଟିର ଶୋଭା ଆହୁରି ବର୍ଦ୍ଧନ କରୁଛନ୍ତି। ପିଚୁରଙ୍ଗିଆ ଝିଅଟି ଗାଢ ଗୋଲାପୀ ରଙ୍ଗର ସାଲଓ୍ବାର କମିଜ୍ ପିନ୍ଧି ଟେରି ଆଖିରେ ପ୍ରେମ ଭାବ ଉକୁଟାଇ ନଖି ଆଡକୁ ଚାହିଁଲା। ଗଞ୍ଜାଚୁଟିଆ କହିଲା

– ଦେଖ ଭାଇ, ଏ ହେଲେ ମୋର ଧରମ ସିଷ୍ଟର୍। ସେ ଗୋଟେ ଗୁଣର ପିଲା ଖୋଜୁଥିଲେ ପ୍ରେମ ଦିବସ ପାଳନ ପାଇଁ। ଏତେ ପିଲାଙ୍କୁ ନାକଚ କରିସାରିବା ପରେ ତୁମେ ହିଁ ଯୋଗ୍ଯତମ ପ୍ରାର୍ଥୀ ଭାବରେ ଉଭା ହେଲ। ତୁମେ ପ୍ରେମ ଦିବସ ପାଳନ ଆରମ୍ଭ କର। ସୁବିଧା ଅସୁବିଧା କୁ ମୁଁ ଅଛି।

– ହଠାତ୍ ନଖି ଚମକି ପଡିଲା। ତାଙ୍କ ଗାଁଆରେ ମଇଁଷି ହମ୍ବା ରଡି ଦେଲେ ସେପରି ଶୁଭେ ସେମିତିି କିଛି ଗୋଟେ ଶୁଭିଲା। ଚାରି ଆଡକୁ ନଜର ବୁଲେଇ ଦେଖିଲା ବେଳକୁ ସେ ଝିଅଟି ତାକୁ ହାତଠାରି ଡାକୁଛି।

ନଖି ପାଟିରୁ ବାହାରି ଗଲା “ ମୋ ବୋଉଲୋ”। ଝିଅଟିର ହାତରେ ବଢିଲା ଦୁବ ଘାସ ପରି ଲୋମ ଗୁଡାକ ପବନରେ ଲହଡି ମାରୁଛନ୍ତି। ମନେ ମନେ ସେ ଗଞ୍ଜାଚୁଟିଆକୁ ବହେ ଶୋଧିଲା।

ଟଙ୍କା ଦେଇଛି ମାନେ ପ୍ରେମ କରିବାକୁ ହେବ। ସେ ଝିଅଟି ପାଖକୁ ଗଲା। ଝିଅଟି ଧମକାଇବା ପରି କହିଲା-- ଆରେ ଟୋକା, ମୋତେ ଜାଣିଛୁ ତ? ମୋ ନାଁଆ ହେଲା କୁନ୍ଥେଇ ସେଠି। କଲେଜ୍ ରେ ମୁଁ ତୋ ଉପର କ୍ଲାସ୍ ରେ ପଢେ। ଯାହା କହିବି ସବୁ କରିବୁ। ନୋହିଲେ ତୋର ଭଲ ଗତି ନାହିଁ। କିଛି ନ କହି ନଖି ମୁଣ୍ଡ ଟୁଙ୍ଗାରିଲା।

ସେଦିନ ନଖି କୁଣ୍ଢାକୁଣ୍ଢି ପର୍ବରେ ସାମିଲ ହେଲା କି ନାହିଁ ଜଣା ନାହିଁ। କିନ୍ତୁ ଢେର ସମୟ ଯାଏ ପିନ୍ଧା ସାର୍ଟରୁ ଲୋମ ଝଡା କାମରେ ଲାଗିଥିଲା। ଆଷାଢ ମାସରେ ପଡିଆରେ ଚାଲିଲା ବେଳେ ଯେମିତି ଗୁଗୁଚି କଣ୍ଟା ପ୍ଯାଣ୍ଟରେ ଲାଗିଯାଏ, ସେମିତି ଗୁଗୁଚିମାର୍କା ଚୁଟି ଗୁଡାକ ସାର୍ଟଟିକୁ କବଜା କରି ଦେଇଥିଲେ। ତା ସାଙ୍ଗକୁ ରୁପି ଗୁଡାକ ବି ବେଶ୍ ଜଳଜଳ ଦିଶୁଥିଲା।

କୁଣ୍ଢାକୁଣ୍ଢି ପର୍ବର ବାସି ଦିନ ପ୍ରେମ ଦିବସ ପାଳନ ହେବ। ପୁଅ ଝିଅ ଗୁଡା ଖୁସିରେ ବେଙ୍ଗରାବ ଦେଇ ରଡି ଛାଡୁଥାଆନ୍ତି। କିନ୍ତୁ ନଖି ବୁଝି ପାରୁ ନ ଥାଏ ଏମିତି ଖୁସି ହେବାର କାରଣ କଣ?

ସେତିକି ବେଳେ ସେ ଗଞ୍ଜାଚୁଟିଆ ପିଲା ଓ ଭାଷଣ ଦେଉଥିବା ଛାମୁଦାନ୍ତ ବିହୀନ ପିଲା ଦୁଇଟା ଆସିଲେ। ମସସ୍ତଙ୍କୁ କହିଲେ ସକାଳ ସାତ ଟା ରେ ସବୁ ଯୋଡି ହାଜିରା ଦେବାପାଇଁ। ତା ପରେ ସବୁ ମିଳିମିଶି ପ୍ରଭାତଫେରି କଲା ପରି ପ୍ରେମ ଫେରି କରି ଗୋଟେ ପାର୍କ କୁ ଯିବେ। ସେଇ ପାର୍କରେ ପ୍ରେମ ଦିବସ ପାଳନ ହେବ। କୁନ୍ଥେଇ ଆଖି ମାରି ନଖିକୁ କାଲି ଆସିବାକୁ ଇସାରା ଦେଲା।

ନଖି ମନେମନେ କହିଲା – ଏ ରାହାବଳୀ କୁଆଡେ ଥିଲା କେଜାଣି, ମୋ ଭାଗ୍ଯରେ ଜୁଟିଲା।

ତା ପରଦିନ ସକାଳେ ପୂର୍ବ ଯୋଜନା ଅନୁସାରେ ସବୁ ଯୋଡି ମାନେ କଲେଜ୍ ପଡିଆରେ ଏକତ୍ରୀତ ହେଲେ। ପୁଣି ଭାଷଣବାଜୀ ଚାଲିଲା ପରେ ଲମ୍ବା ପାହୁଣ୍ଡ ପକେଇ ପାର୍କ ଅଭିମୁଖେ ଅଗ୍ରସର ହେଲେ। କୁନ୍ଥେଇ ନାମକ ଝିଅଟି ନଖି ହାତକୁ କୁମ୍ଭୀର ଯାବ ପକେଇଲା ପରି ଧରିଥାଏ। କୁଆଡେ ଯେମିତି ଖସି ନ ଯିବ।ବାଟରେ ଗୋଟେ ପିଲା ସେ ଛାମୁଦାନ୍ତ ବିହୀନ ପିଲାକୁ କିଛି ଗୋଟେ ଗୁରୁତର କଥା କହିଲା ବୋଧେ। ଟୋକା ଟାର ମୁହଁରୁ ହସ ଉଭେଇ ଗଲା। ହାଡୁଆ ମୁହଁଟା ଆହୁରି ଶେତାଳିଆ ଦିଶିଲା। ଇଞ୍ଜିନ ଠିଆ ହେବା ଦେଖି ସବୁ ବଗି ମାନେ ବି ଅଟକି ଗଲେ। ପିଲା ଟା ସମସ୍ତଙ୍କୁ କହିଲା – – ପିଲେ ତୁମେ ମାନେ ପାର୍କ କୁ ଚାଲ। ପେଟ ଟା ରାମ୍ପୁଡି କାମ୍ପୁଡି ହେଉଛି। ମୁଁ ଟିକେ ଘରୁ ହାଲୁକା ହୋଇ ଆସୁଛି।

ନଖି ଭାବିଲା ଏଇ ଟିକେ ତଳେ ତ ପିଲାଟା କେଡେ ଜୋର ରେ ପାଟିତୁଣ୍ଡ କରି ପ୍ରେମ ଦିବସ ପାଳିବାର ମାହାତ୍ମ୍ଯ ଗାଉଥିଲା,ଏବେ ସାପ ଶୁଙ୍ଘି ଦେଲା ପରି ଚୁପ୍ ହୋଇଗଲା କଣ ପାଇଁ? ଦେଖିଲା ବେଳକୁ ସେ ପିଲା ପଳେଇ ସାରିଥିଲା। କିନ୍ତୁ ପରବାୟ ନାହିଁ। ଗଞ୍ଜାଚୁଟିଆ ପିଲା ଟା ପଇସା ନେଇଛି ସବୁ ଯୋଗାଡ ଯନ୍ତ୍ର ପାଇଁ, ସେ ତ ଚାଲିଛି ଆଗରେ ଚିନ୍ତା କଣ? ସବୁ ଯୋଡି ମାନେ ବତକଙ୍କ ପରି ପାର୍କ ଭିତରେ ପଶିଲେ। ଶେଷକୁ ଗେଟରେ ଜଣେ ଲୋକ ତାଲା ଟେ ପକେଇଦେଲା। ସବୁ ପଚାରିବାରୁ ଗଞ୍ଜାଚୁଟିଆ କହିଲା-- ଆରେ ଭାଇ ଆଗରୁ ଫିକ୍ସିଙ୍ଗ କରି ଦେଇଛି।। ଏଠି ମନ ଭରି ପ୍ରେମ ଦିବସ ପାଳନ କର, କେହି ବି ଆସିବେନି। କାହାକୁ ଡରିବାର ନାହିଁ, ମୁଁ ପଇସା ନେଇଛି ମାନେ ତୁମକୁ ସବୁ ସୁବିଧା ଦେବି।

ଫିକ୍ସିଙ୍ଗ ର ଅର୍ଥ ନଖି ପାଇଁ ଅବୋଧ୍ଯ ଥିଲା। ସେ ଖାଲି ଏତିକି ଜାଣିଲା ଯେ ଏବେ ବାହାର ଗେଟ ରେ ତାଲା ପଡିଲା ଓ ପ୍ରେମ ଦିବସ ପାଳନ କରି ସାରିବା ପରେ ତାଲା ଖୋଲିବ। କେଜାଣି କଣ ପାଇଁ ନଖିର ଛାତି ଭିତରଟା ଜୋର ରେ ଧୁଡୁଧୁଡୁ ହେବାକୁ ଲାଗିଲା। ଡର ଡର ଲାଗୁଥାଏ ତାକୁ। ସେତେବେଳକୁ କୁନ୍ଥେଇ ଦେଇ ତାକୁ କଣ୍ଢେଇ ପରି ପକେଇ ଉଠେଇ ବୋକ ରେ ପୋତି ପକେଇଲାଣି। ଛାଡ୍ ଛାଡ୍ ବୋଲି ଯେତେ କହିଲେ ସେ ଶୁଣିବାକୁ ନାରାଜ୍। ବରଂ ଧମକେଇ ନଖି କୁ କହିଲା-- ଆବେ, ବେଶି ପାଟି କଲେ ମୁହଁରେ ପଥରଟେ ଠୁସି ଦେବି। ଅସହାୟ ହୋଇ ଚାରି ଆଡକୁ ଦେଖିଲା ନଖି। ସେ ଦୃଶ୍ଯ ବର୍ଣ୍ଣନାତୀତ। ସ୍ବୟଂ କୃଷ୍ଣ ଆସିଲେ ବି ପସ୍ତେଇବେ ଯେ ସେ କାହିଁକି ଏବେ ପୃଥିବୀରେ ଜନ୍ମ ନେଇନାହାଁନ୍ତି। ପ୍ରେମୀ ଯୋଡା ଗୁଡାକ ପୋକ ମାନଙ୍କପରି ସାଲୁବାଲୁ ହୋଇ ପାର୍କଟାକୁ ଖେଦି ପକଉଥାନ୍ତି। କେତେ ଜଣ ଗୀତ ଲଗେଇ ନାଗ ନାଗୁଣୀ ନାଚିଲା ପରି ଗଡା ତଡା ହେଇଥାଆନ୍ତି। ନଖି ର ମନ ଟା ଦୁଃଖରେ ଭରି ଗଲା।

କେତେ ଆଶା ନେଇ ଆସିଥିଲା ପ୍ରେମ ଦିବସ ପାଳିବାକୁ,କିନ୍ତୁ ଏମାନେ ତ କୁକୁର ବିଲେଇଙ୍କଠୁ ବଳି ଗଲେ। ଛିଃ.....

କୁନ୍ଥେଇ ସେଠୀ ଯେତେ ବେଳେ ନଖିକୁ ବିଲେଇ, ମୂଷାକୁ ମାଡିବା ପରି ତା ଉପରେ ମାଡି ବସିବାକୁ ଉଦ୍ଯମ କରୁଥିଲା। ହଠାତ୍ ଦଳେ ମୁଖାପିନ୍ଧା ଟୋକା ହାତରେ ଠେଙ୍ଗା, ବାଡି ଧରି ପାଚେରି ଡେଇଁ ପାର୍କରେ ପଶିଲେ । ସେଠାରେ ଥିବା ସବୁ ପୁଅଝିଅଙ୍କ ଚଉଦ ପୁରୁଷ ଓଝାଳିଲା ପରେ, ଠେଙ୍ଗା ବାଡି ଧରି ଗଉଡବାଡି ଖେଳିଲା ପରି ଖେଳି ଦେଇଗଲେ। “ ବୋପାଲୋ – – ମାଆଲୋ ” “ ମାରିଦେଲେ ଲୋ” ଡାକରେ ପାର୍କଟି ପ୍ରକମ୍ପିତ ହେଉଥାଏ। କୁନ୍ଥେଇ କୁ ସେ ପିଲା ଗୁଡା ଟୋକା ଟେ ଭାବି ବହେ ଛେଚିଲେ। ପରେ ଝିଅ ବୋଲି ଜାଣିବା ପରେ, କାଇଁ ଆଗରୁ କହିଲାନି ବୋଲି ପୁଣି ଛେଚିଲେ। ବିଚରା ନଖି, ମାଡ ଖାଇ ରକ୍ତାକ୍ତ ହୋଇ ତଳେ ପଡିଥାଏ। କିଏ ଗୋଟେ ଆସି ତା ଚୁଟି ଗୁଡାକ ସାତ ବେଣ୍ଟିଆ କରି କାଟିଦେଲା। କେବଳ ସେ ନୁହଁ, ସବୁ ଟୋକା ମାନେ ସାତ ବେଣ୍ଟିଆ ହୋଇ ପାର୍କରୁ ବାହାରିଲେ।

ତା ପର ଦିନ ସକାଳେ ନଖିର ଦେହ କଥା ପଚାରିବାକୁ ଗାଁଆ ଲୋକେ ଆସିଲେ। ଚେଙ୍ଗୁଡୁ ସାହୁ କହିଲା – – ପୁଅଟା “ଭାଲୁ ଲେଉଟାଣି” ଦିବସ ପାଳନ କରିବାକୁ ସହର ଯାଇଥିଲା। ଫେରିଲା ବେଳକୁ ଲହୁଲୁହାଣ ସାତବେଣ୍ଟିଆ ଅବସ୍ଥା। କଣ ହୋଇଛି, ହୋସ୍ ଆସିଲେ ସେ ବଳେ କହିବ।

ଗଞ୍ଜାଚୁଟିଆ କୁ କହିବାର ଶୁଣାଗଲା-- ସବୁ ଠିକ୍ ଥିଲା ଯେ, ଗଲାବର୍ଷ ପରି ଏଥର ବି ସେ “ବ୍ରହ୍ମକୀଳା” କ୍ଲବ୍ ର ପିଲାଗୁଡା ପ୍ରେମୀ ମାନଙ୍କୁ ଉକୁଣୀ ପରି ଦଳିଦେଇ ଗଲେ।

ଅରବିନ୍ଦ ରଥ


Rate this content
Log in