ମନେପଡେ ଜନ୍ମଦିନ
ମନେପଡେ ଜନ୍ମଦିନ
ସବୁଦିନ ପରି ଆଜି ସକାଳୁ ଉଠି ମିତା ଘରକାମ ଆରମ୍ଭ କଲା। ନିତ୍ୟକର୍ମ ପରେ ଗ୍ୟାସଚୁଲି ପାଖ ପୋଛିବା, କିଚେନ୍ ସିଂଙ୍କ ସଫା କରିବା ଓ ଚା ଯୋଗାଡ଼ କରିବା। ତାପରେ କାମବାଲୀ ଆସିଵ। ସେ ଆସିବା ଆଗରୁ ମିତା ଏତକ କାମ ସାରିଦେଇଥାଏ। ବାହାହେଲା ପରେ ସେ ଏସବୁ କାମ ଶିଖି ଅଭ୍ଯାସରେ ପକେଇଦେଲାଣି। ଘର ଓଳାପୋଛା ଓ ବାସନ ମଜା କାମ କରିଦେଇଯିବ, କାମବାଲୀ। ୟାଭିତରେ ସମରେଶ୍ ରେଡ଼ି ହେଇ ଅଫିସ୍ ଯିବେ ଜଳଖିଆ ଖାଇ। ସାଙ୍ଗରେ ଲଞ୍ଚ ବକ୍ସ ବି ନେବେ। ଶାଶୁ ଶଶୁର ଙ୍କୁ ଚାହା ଓ ବିସ୍କୁଟ ଦେଇସାରି ଜଳଖିଆ ପ୍ରସ୍ତୁତ କରିବାକୁ ଗଲା ମିତା। ସେତେବେଳେ ଆସିଲା ରାନ୍ଧୁଣିଆ। ମିଶିକି ସେମାନେ ଜଳଖିଆ କଲେ। ତାପରେ ସମରେଶଙ୍କୁ ଜଳଖିଆ ବାଢି ଟିଫିନ୍ ବକ୍ସ ସଜାଡ଼ିଲା ତାଙ୍କ ପାଇଁ। ଶାଶୁ ଶଶୁର ଙ୍କୁ ଜଳଖିଆ ବାଢିଦେଇ ଦିନବେଳେ କଣ କଣ ରୋଷେଇ ହେବ ବୋଲି ପଚାରିଲା ଶାଶୁଙ୍କୁ। ତାଙ୍କ କହିବା ଅନୁଯାୟୀ ରାନ୍ଧୁଣିକୁ କାମ ବରାତ୍ କଲା ଓ କେତେ ପରିବା କାଟିବ ଶାଶୁଙ୍କୁ ଦେଖେଇ କାଢିକି ଦେଲା ମିତା।
ଶାଶୁ ପଚାରିଲେ "ତୁ ଖାଇବୁନିକି ମା"
ହଁ ଖାଇବି କହି ନିଜପାଇଁ ଜଳଖିଆ ବାଢିଲା ସେ। କିନ୍ତୁ ଖାଇବାକୁ ବିଲକୁଲ୍ ମନ ନଥିଲା ତାର। ଆଜି ବହୁତ ମନେ ପଡ଼ୁଥିଲା ଘରକଥା ଆଉ ବାପା ବୋଉଙ୍କ କଥା । ସକାଳୁ ସକାଳୁ ଫୋନ୍ ବି ଆସିଥିଲା। କିନ୍ତୁ କାମରେ ବ୍ଯସ୍ତ ରହି ସେ ଫୋନ୍ ଉଠେଇପାରି ନଥିଲା। ଆଜି ତାର ଜନ୍ମଦିନ, ସେଥିପାଇଁ ବାପା ବୋଧେ ଫୋନ୍ କରିଥିବେ। ଶାଶୁଙ୍କ ମନ ରଖିବାକୁ କଣ ଦିଟା ପାଟିରେ ଗେଞ୍ଜିଦେଇ ବାପାଙ୍କୁ ଫୋନ୍ ଲଗେଇଲା। ବୋଉ ବାପା ଦିଜଣ ଯାକ କଥାହେଲେ, ଆଶୀର୍ବାଦ କଲେ। ନୂଆ ଶାଢ଼ୀ ପିନ୍ଧିଲୁକି ନାହିଁ ପଚାରିଲେ। ଆଗରୁ ନୂଆ ଶାଢ଼ୀ ଟିଏ ଦେଖାଦେଇଥିଲା ବୋଉ। ତାପରେ ଚିରାଚରିତ ଢଙ୍ଗରେ ସମରେଶ ଓ ଶାଶୁ ଶଶୁରଙ୍କ ଭଲମନ୍ଦ ପଚାରିଲେ। ଶେଷରେ ମନ୍ଦିର ଯାଇ ଠାକୁର ଦର୍ଶନ କରି ଆସିବୁ କହି ଫୋନ୍ ରଖିଲେ।
ମନେ ପଡ଼ୁଥିଲା ବାହାଘର ପୂର୍ବର କଥା। ଘରେ ତାର ଜନ୍ମଦିନ କିପରି ପାଳନ କରାଯାଏ। ସ୍ଵନକ୍ଷତ୍ର ଦିନ ବୋଉ ଖିରି ପିଠା କରି ଷଠି ଠାକୁରାଣୀ ଙ୍କୁ ଭୋଗ ଲଗାଏ ଓ କଳସ ବସାଏ। ଅଜା ଆଈ, ଆଉ ମାଉସୀ ଇତ୍ୟାଦି କେହି ଆତ୍ମୀୟ ଥିଲେ ଆସନ୍ତି। କକେଇ ଖୁଡୀ ଓ ପାଖ ପଡୋଶୀ ବି ବେଳେବେଳେ ଆସିଥାନ୍ତି ନିମନ୍ତ୍ରିତ ହେଇ। ଏ ତ ଗଲା ନକ୍ଷତ୍ର ଅନୁସାରେ ଜନ୍ମଦିନ। ପୁଣି ତାରିଖ ଅନୁସାରେ ଆଉଥରେ ପାଳନ ହୁଏ। ସାଙ୍ଗମାନେ ଆସନ୍ତି। କେକ୍ କଟାଯାଏ। ଖାଇବା ପିଇବା ହୁଏ। ଗୋଟେ କଥା ଥିଲା, ହୋଟେଲ୍ ରେ ଯାଇ ପାର୍ଟି କରିବାକୁ, ତାଙ୍କ ବାପା ପସନ୍ଦ କରୁନଥିଲେ। ତେଣୁ ସେଇଟା ତାଙ୍କ ଘରେ ହୁଏନାହିଁ। ଖୁବ୍ ଗେହ୍ଲାରେ ବଢିଥିଲା ସେ। ପ୍ରଥମ ଓ ଗୋଟେ ବୋଲି ଝିଅ।ତା ତଳେ ଦୁଇ ଭାଇ। ତେଣୁ ଘରେ ତାର ପ୍ରାଧାନ୍ୟ ଅନେକ ବେଶୀ। ଭାବୁ ଭାବୁ ଆଖିରୁ ଦୁଇ ଟୋପା ଲୁହ ଗଡି ଆସିଲା ମିତାର। ମୋବାଇଲ୍ ବାଜି ଉଠିଲାରୁ ତା ଭାବନା ରାଜ୍ୟରୁ ଫେରିଆସିଲା ସେ। ତାର ପ୍ରିୟ ସାଙ୍ଗ ଝିଲିର ଫୋନ୍ ଥିଲା। ଜନ୍ମଦିନର ଶୁଭ କାମନା ପାଇଁ ଧନ୍ୟବାଦ୍ ଦେଇ ଆଉ ଦିଚାରି ପଦରେ କଥା ସାରିଲା। ଇଚ୍ଛା ନଥିଲା ବେଶୀ କିଛି କଥା ହେବାକୁ।
ରାନ୍ଧୁଣିଆ କାମସାରି ଯିବାକୁ ବାହାରିଲାଣି।
ଏଠି ତାକୁ କେହି ଖରାପ ବ୍ୟବହାର କରନ୍ତିନି। ଶାଶୁ ଶଶୁର ଖୁବ୍ ନିଜର ପରି କଥା ହୁଅନ୍ତି, ନିଜ ଝିଅପରି ଭାବନ୍ତି। କିନ୍ତୁ ମିତା କୁ କେମିତି ଗୋଟେ ଅଲଗା ଲାଗେ। ତା ମନରେ ଭାବନା, ତା ଇଚ୍ଛା, ତା ରୁଚି, ତା ଭଲ ଲାଗିବା ପ୍ରତି କାହାର ବି କେବେ ନଜର ନଥାଏ। ଏଇ ଛୋଟ କଥାଟିଏ, କେହିବି ତାର ଜନ୍ମଦିନ ଜାଣିବାକୁ ଚେଷ୍ଟାବି କରିନାହାନ୍ତି। ଜନ୍ମକଲା ବାପା ମା ହେଇଥିଲେ ସିନା ମନେ ରଖିଥାଆନ୍ତେ ତାରିଖଟି। ଆଉ ସମରେଶ, ତାଙ୍କ କାମ ଭଲତ ସେ ଭଲ। ମୋ ବାପା ମା'ଙ୍କର ଠିକ୍ ରେ ଯତ୍ନ ନେଉଥିବ ଏଇ କଥାଟିକୁ ଅନେକ ଥର କୁହନ୍ତି। ମିତାର ପିଲାଦିନୁ ଗୁରୁଜନ ମାନଙ୍କୁ ଶ୍ରଦ୍ଧା ଓ ଭକ୍ତି। ତେଣୁ ସେ ତାର ମନକୁ ଶାଶୁ ଶଶୁରଙ୍କ ପାଇଁ କରେ। କାହାର ବାଧ୍ଯବାଧକତାରେ ନୁହେଁ। ରାନ୍ଧୁଣିଆ ଯିବାପରେ ଶାଶୁ ଶଶୁରଙ୍କ ସହ ଟିକେ ଗପକଲା ମିତା। ତାପରେ ଓ୍ବାସିଙ୍ଗ ମେସିନରେ ଲୁଗା ପକେଇ ସମ୍ବାଦ ପତ୍ର ପଢିଲା
ପୁଣି ଫୋନ୍। ସାଙ୍ଗମାନେ , ମାଉସୀ , ଖୁଡି ଇତ୍ୟାଦି ଜନ୍ମଦିନ ଶୁଭେଚ୍ଛା ପାଇଁ ଫୋନକରି ଲାଗିଲେ । ସମସ୍ତଙ୍କର ଫୋନ୍ ତାକୁ ଖୁସୀ ଦେଉଛି ନା ଭାରି ପଡୁଛି। ବୁଝିପାରୁନଥିଲା। ସମସ୍ତଙ୍କ ସହ କଥା ହେଇ ପୂର୍ବକଥା ଅଧିକ ମନେ ପଡ଼ୁଥିଲା,ଆଉ ବେଶୀ ଦୁଃଖ ଲାଗୁଥିଲା। ଏତେ ଫୋନ୍ ଶୁଣି ଶଶୁର ବି ପଚାରିଲେ। କାହାକୁ କିଛି ନକହିବାକୁ ସ୍ଥିର କଲା ମିତା। ତେଣୁ ଶଶୁରଙ୍କ କଥାକୁ ବାଆଁରେଇଦେଲା ସେ। କିନ୍ତୁ ଲୁହ ଟଳମଳ ଆଖିକୁ ଲୁଚେଇବାକୁ ଯାଇ ନିଜ ଶୋଇବା ଘରକୁ ଚାଲିଗଲା। ମନକୁ ବୁଝୋଉଥିଲା, ଏଇ ଛୋଟ କଥା ପାଇଁ ମନକଷ୍ଟ କରିବା ଉଚିତ୍ ନୁହେଁ। ତେଣୁ ଚେଷ୍ଟା କରୁଥିଲା ସେ ବିଷୟରେ ନଭାବିବାକୁ।
ତା ବୋଉ କହେ ବାପଘର ସହିତ ଶାଶୁଘରକୁ ତୁଳନା କରିବା ଉଚିତ୍ ନୁହେଁ। ଅଯଥାରେ ତିକ୍ତତା ବଢେ। ଲଞ୍ଚ୍ ଖାଇସାରିବା ପରେ ଖରାବେଳେ ଟିକେ ଶୋଇବାକୁ ଚେଷ୍ଟାକଲାସେ । ଶୋଇପଡ଼ିଲେ ସବୁ ଭୁଲିହେଇଯିବ। ଟିକେ ଆଖି ଲାଗିଛି କି ନାହିଁ କଲିଂବେଲ୍ ଟା ବାଜି ଉଠିଲା।
ଏ ଖରାବେଳେଟାରେ କିଏ ? ବଡ଼ ବିରକ୍ତ ହେଇ ଉଠି ବସିଲା ଆଉ ଗଲା କବାଟ ଖୋଲିବାକୁ। କବାଟ କାଚବାଟେ ଦେଖି ପାରିଲା ସମରେଶଙ୍କୁ। ଆଶ୍ଚର୍ଯ୍ୟ, ଏ ଅବେଳରେ କଣ ସମରେଶ। ତୁରନ୍ତ କବାଟ ଖୋଲି ଦେଖିଲା ଖାଲି ସମରେଶ ନୁହଁନ୍ତି। ପଛରେ ତା ବାପା ଓ ବୋଉ। ଏମାନେ କଣ ହଠାତ୍ । କିଛି ଅଘଟଣ ହେଇନି ତ। ମୁହୂର୍ତ୍ତକ ପାଇଁ ମନରେ ଛନକା ପଶିଗଲା ମିତାର।
ହାବି ବାର୍ଥ ଡେ ଟୁ ୟୁ କହି ଫୁଲତୋଡ଼ା ଟିଏ ଧରେଇ ଦେଲେ ସମରେଶ। ସେମିତି ଦୂଆର ମଝିରେ ଠିଆ ହେଇ ଚକିତ ହେଇ ଚାହିଁରହିଲା କିଛି ସମୟ। ଆରେ ଆମକୁ ଘରେ ପୁରେଇଦେବନି ନା କ'ଣ? ସମ୍ୱିତ ଫେରି ପାଇଲା ମିତା। ଫୁଲତୋଡ଼ାଟି ଧରି ଘୁଞ୍ଚିଗଲା ଟିକେ। ଘରକୁ ପଶି ଆସୁ ଆସୁ ବାପାଙ୍କ "ସମୁଦୁଣୀ ନମସ୍କାର" ଶୁଣି ପଛକୁ ଚାହିଁ ଦେଖିଲା ତା ଶାଶୁ ଓ ଶଶୁର ହସ ହସ ମୁହଁରେ ପ୍ରତିନମସ୍କାର କରୁଛନ୍ତି ଧଡପଡ ହେଇ ଯାଇ ସମସ୍ତଙ୍କୁ ମୁଣ୍ଡିଆ ମାରିଲା ମିତା। ୟା ଭିତରେ ସମରେଶ୍ ଗାଡିରୁ ଯାଇ ଜିନିଷ ଆଣୁଥିବା ଦେଖି ମିତା ସାହାଯ୍ୟ କରିବାକୁ ବାହାରିଲା ବେଳେ , ସେ କହିଲେ, "ଯାଅ ବାପା ବୋଉଙ୍କୁ ଧୁଆଧୁଇ ହେବା ପାଇଁ ଗାଧୁଆଘରକୁ ନିଅ। ଆଉ ଶୁଣ ସନ୍ଧ୍ୟା ବେଳେ ମୋର ଦିଜଣ ସାଙ୍ଗ ଆସିବେ। ସମସ୍ତଙ୍କ ପାଇଁ ମୁଁ ରାତି ଖାଇବା ବରାତ୍ କରିଦେଇଛି।"
ମିତା ଅବାକ୍ ହେଇ ଚାହିଁଥିଲା ସମରେଶଙ୍କୁ। ଭାବିଲା ଏଇଟା ବୋଧେ ତାର ବେଷ୍ଟ ଜନ୍ମଦିନ ପାଳନ।
