Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rajabala Tripathy

Others

5.0  

Rajabala Tripathy

Others

ନିଷିଦ୍ଧ ଫଳ

ନିଷିଦ୍ଧ ଫଳ

8 mins
334


     

ଶୁଭଦାର ହାତରୁ ହଳଦୀ ମିଶା କ୍ଷୀର ଗ୍ଲାସଟି ନିଜ ଦୁର୍ବଳ ହାତରେ ଧରିବାକୁ ଚେଷ୍ଟା କରୁ କରୁ ଅସଫଳ ହେଲା ରାମାନନ୍ଦ । ଦୁର୍ବଳତାରେ ଥରି ଯାଉଥିବା ତା ଶରୀରକୁ ଶେଯ ଉପରେ ତକିଆ ଭରା ଦେଇ କାନ୍ଥରେ ଆଉଜେଇ ଦେଲା ଶୁଭଦା । ଅତି ଯତ୍ନରେ ଓଠ ପାଖରେ ତୋଳିଧରିଲା କ୍ଷୀର ଗ୍ଲାସଟିକୁ । କ୍ଷୀର ତକ ଶେଷ କରି ମୁହଁ ଟେକି ଚାହିଁଲା ରାମାନନ୍ଦ। ନିର୍ଲିପ୍ତ ହୋଇ ଯନ୍ତ୍ର ବତ ନିଜର କାମ ତକ କରିଯାଉଛି ଶୁଭଦା । ଭୀଷଣ ଜ୍ବରରେ ପ୍ରାୟ ପନ୍ଦର ଦିନ ହେବ ଶଯ୍ୟାଶାୟୀ ରାମାନନ୍ଦ। ଜ୍ଵର କମିଯାଇଥିଲେ ମଧ୍ୟ ଶରୀରର ଦୁର୍ବଳତା ଏବେ ବି ଯାଇନି। ସୁସ୍ଥ ହେବା ଯାଏଁ ତାର ସେବା ଶୁଶ୍ରୁଷାର ଦାୟିତ୍ୱ ଶୁଭଦା ଉପରେ ନ୍ୟସ୍ତ କରିଛନ୍ତି ଗୁରୁ ଆଲୋକ ନାଥ ।


ଉତ୍ତର କାଶୀର ପରମାନନ୍ଦ ଧାମ ଆଶ୍ରମର ମୁଖ୍ୟ ହେଲେ ଗୁରୁ ଆଲୋକ ନାଥ ।ପରମାନନ୍ଦ ଧାମ ପ୍ରାୟ ଦୁଇଶହ ଅନ୍ତେବାସୀଙ୍କର ବାସସ୍ଥାନ। ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ସାଧନାର ପଥ ବାଛି ନେଇ ନିଜ ନିଜର କାମ କରିଚାଲିଛନ୍ତି। ଏକ ମାତ୍ର ଲକ୍ଷ୍ୟ ପରମାନନ୍ଦ ପ୍ରାପ୍ତି। ଆତ୍ମାର ପରମାତ୍ମାଙ୍କ ସହ ମିଳନ। ଏ ମଣିଷ ଜୀବନର ଦୁଃଖ ଯନ୍ତ୍ରଣାରୁ ମୁକ୍ତି। ରୁଟିନ ବନ୍ଧା ଅନୁଶାସିତ ଜୀବନ। ପ୍ରଭାତରୁ ଉଠି ନିତ୍ୟକର୍ମ ପରେ ଧ୍ୟାନ। ଆଶ୍ରମର ମନ୍ଦିରରେ ପୂଜା ପାଠ ସହ ଆଶ୍ରମର କର୍ମ କର୍ତ୍ତାଙ୍କ ଦ୍ଵାରା ନିର୍ଦେଶିତ କର୍ମ କରିବା ସହ ପଠନ ବି କରିବାକୁ ପଡିଥାଏ। ଆଶ୍ରମର ପାଠାଗାର ଗୀତା ଭାଗବତ ବେଦ ବେଦାନ୍ତ ପୁରାଣ ଆଦି ଅନେକ ଧର୍ମ ଶାସ୍ତ୍ରରେ ଭର୍ତ୍ତି। ମଧ୍ୟାହ୍ନ ଭୋଜନ ପରେ ପରେ ଆରମ୍ଭ ହୋଇଯାଏ ପ୍ରସ୍ତୁତି ଗୁରୁଜୀଙ୍କର ସନ୍ଧ୍ୟା ପ୍ରବଚନ ପାଇଁ। ସନ୍ଧ୍ୟା ସମୟରେ ଆଶ୍ରମରେ ଖୁବ ଭିଡ଼ ହୁଏ। ଅନ୍ତେବାସୀମାନଙ୍କ ସହ ଦୂର ଦୁରାନ୍ତରୁ ଅନେକ ଶ୍ରୋତା ଛୁଟି ଆସନ୍ତି ଗୁରୁଜୀଙ୍କର ଦିବ୍ୟ ପ୍ରବଚନ ଶୁଣିବା ପାଇଁ। ରାମାନନ୍ଦ ଗୁରୁଜୀଙ୍କର ପଟ୍ଟଶିଷ୍ୟ । ଆଶ୍ରମରେ ଗୁରୁଜୀଙ୍କ ସେବାରେ କଟି ଯାଇଛି ତାର ପିଲା ଦିନ କୌଶର ଓ ପ୍ରାକ ଯୌବନ। ପଇଁତିରିସ ବର୍ଷ ବୟସର ଯୁବକ ସେ। ଗୁରୁଜୀଙ୍କ ଉତ୍ତରଧିକାରୀ ଭାବେ ମୁଖ୍ୟ ଦାବିଦାର ରାମାନନ୍ଦ ଆଶ୍ରମରେ ସ୍ୱାମୀ ରାମାନନ୍ଦ ଭାବେ ବେଶ ପରିଚିତ।ବେଦ ଉପନିଷଦ ଧର୍ମ ଶାସ୍ତ୍ରରେ ପ୍ରକାଣ୍ଡ ବିଦ୍ୱାନ ରାମାନନ୍ଦ ଦେଖାଯାଏ ଗୁରୁ ଆଲୋକନାଥଙ୍କ ଛୋଟ ଅଵତାରଟି ପରି। ଆଶ୍ରମରେ ନାରୀ ପୁରୁଷମାନେ କଡା କଡ଼ି ଭାବେ ବ୍ରହ୍ମଚର୍ଯ୍ୟର ପାଳନ କରନ୍ତି। ନାରୀମାନଙ୍କ ଭିତରେ ନିଜ ମାଆକୁ ଦେଖିବା ପାଇଁ ଓ ପୁରୁଷମାନଙ୍କୁ ନିଜ ସନ୍ତାନ ଭାବେ ଦେଖିବାକୁ ଗୁରୁଜୀଙ୍କର ବାରମ୍ବାର ଉପଦେଶ ଓ ନିର୍ଦ୍ଧେଶ ମଧ୍ୟ ।


ପାଖାପାଖି ପଚାଶ ବର୍ଷ ପୁରୁଣା ଖ୍ୟାତାନାମା ପରମାନନ୍ଦ ଧାମରେ ଆଜି ଯାଏଁ କୌଣସି ସ୍ଖଳନର ଉଦାହରଣ ନାହିଁ।ରାମାନନ୍ଦର ଜୀବନର ଅର୍ଦ୍ଧେକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ନାରୀ ପ୍ରତି କେବେ ଆସକ୍ତି ଅନୁଭବ କରିପାରିନାହିଁ। ଗୁରୁଜୀଙ୍କର କଡା ନିର୍ଦ୍ଦେଶ, " ନାରୀ ହିଁ ସ୍ଖଳନ ପାଇଁ ଦାୟୀ ରାମ। ଯଦି ପରମ ଆନନ୍ଦର ପ୍ରାପ୍ତି କରିବାକୁ ଚାହଁ। ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତି ପାଇବାକୁ ଚାହଁ ତେବେ ପ୍ରତି ନାରୀକୁ ନିଜ ମା ବୋଲି ଭାବିବ, ତାର ପାଦ ବ୍ୟତୀତ ଅନ୍ୟ କେଉଁ ଅଙ୍ଗ ଦର୍ଶନର ଲାଳସା ରୁ ନିଜକୁ ମୁକ୍ତ ରଖିବ। ତେବେ ହିଁ ଜୀବାତ୍ମା ପରମାତ୍ମାଙ୍କ ସହ ଲୀନ ହୋଇପାରିବ। ନହେଲେ-ପୁନରୁପି ଜନ୍ମମ ପୁନରୁପି ମରଣମ ପୁନରପି ଜନନୀ ଜଠରେ ଶୟନମ ।ଏହି ପରି ଘାଣ୍ଟି ହେଉଥିବ ଜନ୍ମ ମୃତ୍ୟୁର ଚକ୍ରରେ। ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୁଷ୍ଟ ଭଗବାନ" ଗୁରୁଜୀଙ୍କ ଉପଦେଶ ମନଦେଇ ଶୁଣେ ରାମାନନ୍ଦ । ଖୁବ ନିଷ୍ଠାରେ ପାଳନ କରେ ତା ସାଧକ ଜୀବନର କର୍ମ।  


ଶୁଭଦାର ଚିବୁକର ଠିକ ତଳକୁ ଥିବା ଛୋଟ କଳା ଜାଇଟିକୁ ଚାହିଁ ଅନ୍ୟମନସ୍କ ଭାବେ ଭାବନାରେ ବୁଡିଯାଇଥିବା ରାମାନନ୍ଦର ଚେତା ପଶିଲା। ଅନେକ ସମୟ ଧରି ଯେ ସେ ଶୁଭଦାକୁ ଚାହିଁ ରହିଛି। ଲଜ୍ଜିତ ହୋଇ ତଳକୁ ମୁହଁ କଲା ରାମାନନ୍ଦ। କୋଠରୀଟି ପରିଷ୍କାର କରି ପାଖ ଟେବୁଲଟିରେ ପିଇବା ପାଣି ଥୋଇ ଧୀର ପାଦରେ ବାହାରି ଗଲା ଶୁଭଦା ।ସେମିତି କାନ୍ଥକୁ ଆଉଜି ନିଜ ଭାବନାରେ ବୁଡିଗଲା ରାମାନନ୍ଦ।


ଶୁଭଦାର ଆଶ୍ରମ ଆସିବା ପାଖାପାଖି ପାଞ୍ଚ ବର୍ଷ ହେଇଗଲାଣି। କେବେ କେବେ ଦେଖା ହେଲା ପ୍ରଣାମ ବୋଲି କହିବା ବ୍ୟତୀତ ତାଙ୍କ ଭିତରେ ଅନ୍ୟ କୌଣସି ବାକ୍ୟ ବ୍ୟୟ ହୁଏନା। ଥରେ ମଧ୍ୟ ସେ ତା ପ୍ରଣାମର ଉତ୍ତର ଫେରେଇବା ପରି ମନେ ହୁଏନା। ଏକ ଗମ୍ଭୀର ଚେହେରା ସହ ଅତିକ୍ରମ କରିଯାଏ କେବଳ। ପ୍ରାୟ 27 28 ବର୍ଷ ବୟସର ସାଧାରଣ ସ୍ୱାସ୍ଥ୍ୟର ଝିଅଟିଏ ଶୁଭଦା। ଦୂର ଏକ ଗାଁରେ ନିଜ ସାବତ ମାଆଠୁ ନିର୍ଯ୍ୟାତିତ ଜୀବନରେ ଗୁରୁଜୀଙ୍କ ପ୍ରଵଚନ ଥିଲା ଅମୃତ ସଦୃଶ। ହଠାତ ଘର ଛାଡ଼ି ଆଶ୍ରମରେ ଯୋଗଦେଇଥିଲା। ଲକ୍ଷ୍ୟ ପରମାନନ୍ଦ ପ୍ରାପ୍ତି। ସବୁ ଆନନ୍ଦ ବିହୀନ ଜୀବନ କାଟୁଥିବା ଜୀବନମାନେ ପରମାନନ୍ଦର ଲୋଭରେ , ଏଇ ଯନ୍ତ୍ରଣାମୟ ଜୀବନ ଚକ୍ରରୁ ମୁକ୍ତିର ଆନନ୍ଦର କଳ୍ପନାରେ ବାଛି ନେଇଛନ୍ତି ସାଧନାର ପଥ। ରାମାନନ୍ଦର ଦେହ ଅସୁସ୍ଥ ହେଲା ପରଠୁ ସେ ଏଇ କୋଠରୀରୁ ବାହାରି ପାରି ନାହିଁ। ବିଗତ 15 ଦିନ ଧରି ତାର ସବୁ କାମ ନ୍ୟସ୍ତ ହେଇଛି ଶୁଭଦା ଉପରେ। ସନ୍ତାନକୁ ସ୍ନେହରେ ଲାଳନ ପାଳନ କଲା ପରି ଶୁଭଦା ମଧ୍ୟ ନିଜର ସବୁ କାମ କରିଚାଲିଛି। ମାଆ ପରି ଆଦର ଯତ୍ନ ପାଇ ରାମାନନ୍ଦ ଶୁଭଦାକୁ ମାଆ ବୋଲି ଭାବିବାକୁ ଅନେକ ପ୍ରୟାସ କରିଛି।ହେଲେ ତା ଭିତରେ କେହି ଜଣେ ଏହା ମାନିବାକୁ ନାରାଜ।


ଶୁଭଦା ତା ଦେହକୁ ଓଦା ଲୁଗାରେ ପୋଛିଦେଲା ବେଳେ, ତାକୁ ଖୁଏଇଦେଲା ବେଳେ ରାମାନନ୍ଦକୁ ମାଆର ସ୍ନେହ ବୋଲି ମନେ ହେଇନି। ତାକୁ ହେଇଛି ଆଉ କିଛି ନିଷିଦ୍ଧ ଆକର୍ଷଣର ଅନୁଭବ। ଶୁଭଦାର ପାଦ ଦୁଇଟି ଉପରେ ଦୃଷ୍ଟି କେନ୍ଦ୍ରିତ କରିବାକୁ ଯେତେ ଚେଷ୍ଟା କଲେ ବି ଆପେ ଆପେ ଧ୍ୟାନ ଚାଲିଯାଇଛି ତାର ନିରୀହ ମୁହଁଟି ଉପରକୁ। ପୁରାଣର ପୃଷ୍ଠାରେ ଦେଖା ଯାଇଛି ଶୁଭଦାର ମୁହଁ। ମନକୁ ନିୟନ୍ତ୍ରଣ କରିବାକୁ ଧ୍ୟାନ ମଗ୍ନ ହେଲେ ମନ ଭିତରେ ଫୁଟି ଉଠିଛି ଶୁଭଦାର ଛବି। ବେଳେ ବେଳେ ଇଛା ହେଇଛି ସେ ଏମିତି ଅସୁସ୍ଥ ହୋଇ ରହି ଯାଆନ୍ତା କି ସବୁଦିନ ପାଇଁ। ଏଇ ବାହାନାରେ କିଛି ନିଜର ବୋଲି ସମୟ ମିଳିଯାଆନ୍ତା ଏଇ କୋଠରୀ ଭିତରେ ବିତେଇବାକୁ ଶୁଭଦା ସହ । ଛି କଣ ଭାବୁଛି ସେ । ମନକୁ ଆୟତ୍ତ କରିବାକୁ ଚେଷ୍ଟା କଲା ରାମାନନ୍ଦ। ସେ ଯେ ସାଧକ। ଗୁରୁ ଆଲୋକନାଥଙ୍କ ର ଉତ୍ତରାଧିକାରୀ, ସ୍ଵାମୀ ରାମାନନ୍ଦ। ଏହି ଭଳି ସ୍ଖଳନ ତା ଠୁ ଆଶା କରାଯାଏନା। ମନେ ପକେଇବାକୁ ଚେଷ୍ଟା କଲା ଗୁରୁଜୀଙ୍କର ଉପଦେଶ, ବେଦ ଉପନିଷଦର ବାଣୀ।

ଆଃ..ଫୁଲ ହାର ଗୁଂଠୁ ଗୁଂଠୁ ଆଙ୍ଗୁଳିରେ ଛୁଞ୍ଚିଟା ପଶିଗଲା ଶୁଭଦାର ।


ଆଜି କାଲି କଣ ହେଇଛି କେଜାଣି ତାର। ଭାରି ଅନ୍ୟମନସ୍କ ଲାଗୁଛି। ଆଶ୍ରମର ସେହି ନିର୍ଦ୍ଧିଷ୍ଟ କୋଠରୀଟି ହେଇଚି ତାର ଆକର୍ଷଣର କେନ୍ଦ୍ରବିନ୍ଦୁ। ସେହି ଘଣ୍ଟାଏ ସମୟ ଯାହା ନୀରବତାରେ କଟିଯାଏ ସେ କୋଠରୀ ଭିତରେ ସେତିକି ସମୟ ହିଁ ଯେମିତି ତାର ଜୀବନର ଅମୂଲ୍ୟ ସମୟ। କଣ ହୋଇଛି ମୋର। ମୁହଁରେ ପାଣି ଛାଟୁ ଛାଟୁ ଆଶ୍ରମର ପୋଖରୀରେ ନିଜ ମୁହଁର ପ୍ରତିବିମ୍ବକୁ ଲକ୍ଷ୍ୟ କଲା ଶୁଭଦା । ଅନେକ ବର୍ଷ ପରେ ଆଜି ସେ ନିଜକୁ ଦେଖୁଛି। ଯେମିତି ପ୍ରଥମ ଥର ପାଇଁ ଦେଖୁଛି ନିଜକୁ । ରାମାନନ୍ଦର ପରିବର୍ତ୍ତିତ ଵ୍ୟଵହାର ବି ବେଶ ଭଲ ଭାବରେ ଲକ୍ଷ୍ୟ କରି ପାରିଛି ସେ। ଏତେ ଦିନ ଧରି ଖୁବ ସୁସ୍ଥ ଲାଗୁଥିବା ଲୋକଟି ଶେଯରୁ ଉଠିବାକୁ ଚାହୁଁନି କାହିଁକି। ତାର ଉପସ୍ଥିତିରେ ରାମାନନ୍ଦର ମୁହଁରେ ରଙ୍ଗ ଫୁଟିଉଠିବାର, ଲୁଚି ଲୁଚି ତା ମୁହଁକୁ ଦେଖିବାର ବି ସେ ଲକ୍ଷ୍ୟ କରିପାରିଛି। ତେବେ ସେ କଣ ଗୁରୁଜୀଙ୍କର ପଟ୍ଟ ଶିଷ୍ୟ, ଆଶ୍ରମର ଉତ୍ତରାଧିକାରୀ ସ୍ୱାମୀ ରାମାନନ୍ଦର ଏ ସ୍ଖଳନ ପାଇଁ ଦାୟୀ। ନା ..ଦୁଃଖର ବାଦଲଟିଏ ଓହ୍ଲେଇ ଆସିଲା ତା ହୃଦୟକୁ। ସ୍ଥିର ପାଣିରେ ଦେଖା ଯାଉଥିବା ତା ପ୍ରତିବିମ୍ବକୁ ହାତ ଲଗେଇ ଗୋଳେଇ ଦେଲା ଶୁଭଦା। 

ଆଜି ପାଦ ଉଠୁନି ଯିବାକୁ ସେ କୋଠରୀଟିକୁ। ଜାଣିଛି ବେଶ ଆତୁର ହୋଇ କେହି ଜଣେ ଅପେକ୍ଷା କରିଥିବ ତା ଆସିବା ବାଟକୁ। ୟା ଭିତରେ ବିନା ବାକ୍ୟ ବ୍ୟୟରେ ବି ନିଶ୍ୱାସ ନିଶ୍ୱାସମାନଙ୍କ ଭିତରେ ଗଢି ଉଠିଛି ଏକ ସମ୍ପର୍କ। ହେଲେ ଏ ଯେ ପାପ। କଣ ହେବ ଏ ନିଷିଦ୍ଧ ସମ୍ପର୍କର ଭବିଷ୍ୟତ। ରାମାନନ୍ଦକୁ ଦୂଷିତ କରିଥିବାର ସବୁତକ ଅଠା ବୋଳା ଯିବ ତା ମୁଣ୍ଡରେ। ଯୁଗେ ଯୁଗେ ତ ଏୟା କରି ଆସିଛି ସମାଜ। ନାରୀ ନର୍କର ଦ୍ୱାର। ନାରୀ ସବୁ ସ୍ଖଳନ ପାଇଁ ଦାୟୀ ବୋଲି ଉଚ୍ଚ ସ୍ୱରରେ ଘୋଷଣା କରିଛି।ଦୀର୍ଘଶ୍ୱାସ ନେଲା ଶୁଭଦା। ଯୁଦ୍ଧ ଚାଲିଛି ତା ଭିତରେ ଜଣେ ଟାଣି ନେଉଛି ତ ଜଣେ ପାଦକୁ ରୋକି ଦେଉଛି।କଣ କରିବ ସେ ଏଣେ ଯେ ରାମାନନ୍ଦର ନିତ୍ୟକର୍ମ ବେଳ ଗଡି ଯାଉଛି।


କୋଠରୀର ଦୁଆର ବନ୍ଧ ପାଖରେ ଘଡ଼ିଏ ଠିଆ ହେଲା ଶୁଭଦା । ସତେ ଯେପରି କୋଠରୀଟି ମାଟି କାଦୁଅରେ ନୁହେଁ ତିଆରି ହେଇଛି ଚୁମ୍ବକରେ କେବଳ।ଯାହା ତାକୁ ଟାଣି ନେଉଛି। ଯେତେ ଚେଷ୍ଟା କଲେ ବି ନିଜକୁ ଅଟକେଇ ପାରୁନି । କବାଟ ଖୋଲିଲା ସେ । ତା ଆଗରେ ଜଳ ଜଳ କରି ଜଳୁଛି ଦୁଇଟି ଆଖି। ସେ ଆଖିର ଦୃଷ୍ଟି ସ୍ଥିର ତା ଆଖିରେ। ସେ ଦୃଷ୍ଟିରେ ନା ଲଜ୍ୟା ନା ପଶ୍ଚାତପ କେବଳ ଏକ ଆତୁରତା । ସେ ଦୃଷ୍ଟି ର ଜ୍ୱାଳାରେ ତରଳି ଯାଉଥିଲା କଣ ଗୋଟେ ତା ଛାତି ଭିତରେ।ତଳକୁ ମୁହଁ କରି ଯନ୍ତ୍ର ବତ କୋଠରୀଟିର ସଫା ସୁତୁରାରେ ମନ ଦେଲା ଶୁଭଦା। ତଥାପି ବି ଅମାନିଆ ମନଟି ତାର ଚାଲି ଯାଉଥିଲା ରାମାନନ୍ଦ ଆଡ଼କୁ। ଓଦା କପଡା ଧରି ଧୀର ପାଦରେ ରାମାନନ୍ଦର ପାଖକୁ ଆସିଲା ଶୁଭଦା। ବେଶ ଅନୁଭବ କଲା ଖୁବ ଜୋରରେ ଧକ ଧକ କରୁଛି ତା ହୃଦୟ। ସତେ ଯେପରି ଏଇ ମାତ୍ର ବାହାରକୁ ବାହାରି ଆସିବ। ଗରମ ହେଇଯାଉଛି ତା କାନ ମୁଣ୍ଡା, ପୁରା ଦେହ। କପଡ଼ାରେ ପୋଛି ଦେବା ପାଇଁ ରାମାନନ୍ଦର ପାପୁଲି କୁ ଧୀରେ ଧରିଲା ଶୁଭଦା। ରାମାନନ୍ଦର ହାତର ଛୁଆଁରେ ଶିହିରୀ ଗଲା ତା ଦେହ। ତର ବର ହେଇ ଉଠି ଆସିଲା ବେଳକୁ ପାପୁଲି ତାର ଜାଵ ପଡି ଯାଇଥିଲା ରାମାନନ୍ଦର ପାପୁଲିରେ। ଵିଵଶ ହୋଇ ବସି ପଡ଼ିଲା ସେ। ମୁହଁ ଟେକି ଚାହିଁଲା ରାମାନନ୍ଦର ମୁହଁକୁ। ଗୋଟିଏ ହାତ ଶୁଭଦାର ପାପୁଲିରେ ପାପୁଲିଵଦ୍ଧ କରି ଅନ୍ୟ ଏକ ହାତରେ ସ୍ନେହରେ ଆଉଁସି ଦେଲା ଶୁଭଦାର ଗାଲ ରାମାନନ୍ଦ। ଛଳ ଛଳ ହୋଇ ଲୁହ ଦୁଇ ଧାର ଗଡି ପଡିଲା ଶୁଭଦାର ଆଖିରୁ। ଏ ଲୁହ ଭୟର ଲଜ୍ୟାର ନା ସୁଖର ବୁଝିପାରିଲାନୀ ଶୁଭଦା । ଶୁଭଦାର ଲୁହ ପୋଛି ଦୁଇ ହାତରେ ଭିଡି ଧରି ଛାତିରେ ଲଗେଇଲା ରାମାନନ୍ଦ। ରାମାନନ୍ଦର ଗରମ ନିଃଶ୍ୱାସରେ ଆହୁରି ତାତି ଯାଉଥିଲା ଶୁଭଦା। ଥର ଥର ହୋଇ କମ୍ପୁଥିବା ଶୁଭଦାର ଓଠରେ ଓଠ ଲଗେଇଲା ରାମାନନ୍ଦ। ପରସ୍ପରକୁ ଆଲିଙ୍ଗନ ବଦ୍ଧ କରି ଜୀବନର ମଧୁ ପିଇବାରେ ଲାଗି ଯାଇଥିଲେ ଦୁଇ ପ୍ରାଣ। ଏଇ ତ ସେହି ପରମ ଆନନ୍ଦ ଯାହା ଆଜି ଯାଏଁ ଖୋଜି ଚାଲିଥିଲା ରାମାନନ୍ଦ, ଯାହା ପାଇଁ କଠିନ ସାଧନରତ ଥିଲା ଶୁଭଦା। ନିଜକୁ ଭୁଲି ମୁକ୍ତ ହେଇଯାଉଥିଲେ ଦୁଇଟି ଶରୀର, ଦୁଇ ମନ ଦୁଇ ଆତ୍ମା। ସତେ ଯେପରି ଆତ୍ମା ଆଜି ମିଶି ଯାଉଥିଲା ପରମାତ୍ମା ରେ। ନିଜ ନିଜ ଭିତରେ ତଲ୍ଲୀନ ରାମାନନ୍ଦ ଓ ଶୁଭଦା ଭୁଲି ଯାଇଥିଲେ ଆଖ ପାଖର ପରିବେଶକୁ। କେତେବେଳେ ଯେ ଖୋଲା କୋଠରୀ ଦୁଆର ମୁହଁରେ ପ୍ରିୟ ଶିଷ୍ୟ ର ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଉପସ୍ଥିତ ହୋଇଯାଇଥିଲେ ଗୁରୁ ଆଲୋକନାଥ। ତାଙ୍କର ଏକ ମାତ୍ର ଆଶା ଭରସା ରାମାନନ୍ଦର ଏଭଳି ସ୍ଖଳନ ଦେଖି ହତବାକ ହୋଇଯାଇଥିଲେ। ନିସ୍ତବ୍ଧରେ ଫେରି ଯାଇଥିଲେ ନିଜ ପ୍ରକୋଷ୍ଠକୁ।


ଗୁରୁଜୀଙ୍କ ପ୍ରକୋଷ୍ଠରେ ମିଞ୍ଜି ମିଞ୍ଜି ହୋଇ ଜଳୁଥିବା ଦୀପର ଆଲୁଅର ଅପରାଧୀଟିଏ ପରି ମୁହଁ ତଳକୁ କରି ଛିଡା ହୋଇଥିଲା ରାମାନନ୍ଦ। ପ୍ରକୋଷ୍ଠରେ ଥିଲେ ଆଶ୍ରମର ବଛା ବଛା ବୟୋଜ୍ୟେଷ୍ଠ ଓ ବିଜ୍ଞ ବ୍ୟକ୍ତିମାନେ।ପ୍ରକୋଷ୍ଠର ଅନ୍ୟ ଏକ କୋଣରେ ଏକୁଟିଆ ଛିଡା ହୋଇ ଅଶ୍ରୁପାତ କରୁଥିଲା ଶୁଭଦା। ସତେ ଯେପରି ବିଚାରପତିଙ୍କ ଦଣ୍ଡ କୁ ଅପେକ୍ଷା କରି ଛିଡା ହୋଇଛନ୍ତି ଦୁଇ ଅପରାଧୀ।ସମସ୍ତଙ୍କ ଆଖିରେ ଘୃଣାର ଦୃଷ୍ଟି ସ୍ପଷ୍ଟ ଦେଖା ଯାଉଥିଲା।ସକାଳର ଏହି ଘଟଣା ପରେ ସ୍ତବ୍ଧ ହୋଇଯାଇଥିବା ଆଲୋକନାଥ ମୁହଁ ଖୋଲିଲେ, "ଆଶ୍ରମର ଉତ୍ତରଧିକାରୀ ସ୍ୱାମୀ ରାମାନନ୍ଦଙ୍କୁ କଳୁଷିତ କରିଥିବା ଅପରାଧରେ କୁମାରୀ ଶୁଭଦାଙ୍କୁ ଏଇ ଆଶ୍ରମରୁ ସବୁଦିନ ପାଇଁ ବହିସ୍କୃତ କରାଗଲା। ବିନା ବାକ୍ୟ ବ୍ୟୟରେ ତାଙ୍କୁ ଏହି ମୁହୂର୍ତ୍ତରେ ଖାଲି ଆଶ୍ରମରୁ ନୁହେଁ କାଶୀ ମଧ୍ୟ ଛାଡି ଚାଲି ଯିବାକୁ ହେବ।"ରାମାନନ୍ଦ ଆଡ଼କୁ ମୁହଁ ଫେରେଇଲେ ଆଲୋକନାଥ "ନାରୀ ମାୟାରୁ ନିଜକୁ ରକ୍ଷା କରିବାକୁ ଅସମର୍ଥ ରାମାନନ୍ଦଙ୍କୁ କରିବାକୁ ହେବ ଆହୁରି କଠିନ ସାଧନା । ତା ପୂର୍ବରୁ ସେ କରିଥିବା ଏଇ ପାପ ପାଇଁ ଛଅ ମାସ ପାଇଁ ଚାରି ଧାମ ଯାତ୍ରା କରି ନିଜ ପାପର ବୋଝକୁ କମ କରିବାକୁ ପଡିବ।" ଗୁରୁଙ୍କ କଥାରେ ଅନ୍ୟ ମାନେ ସମର୍ଥନର ମୁଣ୍ଡ ହଲେଇଲେ। କୋଠରୀଟି ମୃଦୁ କୋଳାହଳରେ ଭରି ଗଲା। 


" ଗୁରୁଜୀ ମୁଁ ଏହି ନିଷ୍ପତ୍ତିକୁ ମାନିବାକୁ ଅସ୍ୱୀକାର କରେ। " କୋଳାହଳକୁ ଚିରି ଶୁଣାଗଲା ରାମାନନ୍ଦର ସ୍ୱର। "କେଉଁ ପାପ ପାଇଁ ଏ ଦଣ୍ଡ।ନାରୀ ପ୍ରତି ପୁରୁଷର ପୁରୁଷ ପ୍ରତି ନାରୀର ଆକର୍ଷଣ ଯେ ପ୍ରାକୃତିକ। ଏ ଆକର୍ଷଣ କଣ ସୃଷ୍ଟି କର୍ତ୍ତା ଙ୍କ ସୃଷ୍ଟି ନୁହେଁ କି? ଯଦି ଏହା ପାପ ତେବେ ଏହାର ଦଣ୍ଡ ଏଇ ଆକର୍ଷଣର କର୍ତ୍ତାଙ୍କୁ ମିଳିବା ଉଚିତ। ଯିଏ ନାରୀ ଓ ପୁରୁଷ ଶରୀର ତିଆରି କରିଲା । ଯିଏ ପୁରୁଷ ମନରେ ନାରୀ ପ୍ରତି ନାରୀ ମନରେ ପୁରୁଷ ପ୍ରତି ଆକର୍ଷଣ ଭରି ଦେଲା। ଯଦି ଏହା ପାପ ତେବେ ଏ ପାପ ତ ଶ୍ୱାଶତ, ସ୍ବର୍ଗୀୟ। ସୃଷ୍ଟିର ଆଦ୍ୟ ମନ୍ତ୍ର। ଏ ପାପ ନଥିଲେ କଣ ସୃଷ୍ଟି ସମ୍ଭବ ହେଇ ପାରିଥାନ୍ତା। ନା ସମ୍ଭବ ହୋଇଥାନ୍ତେ ଆପଣ ନାଁ ମୁଁ । ଜୀବନ ସୃଷ୍ଟିର ପ୍ରବାହକୁ ଅବିରତ ଆଗକୁ ନେଇଯିବା ତ ପ୍ରକୃତିର ଏକମାତ୍ର ଲକ୍ଷ୍ୟ ଓ ଉଦ୍ଧେଶ୍ୟ। ନିଜ ଭିତରର ଆକର୍ଷଣକୁ ଜୋର ଜବରଦସ୍ତି ମାରି ଆମେ କଣ ପରୋକ୍ଷ ରେ ପ୍ରକୃତି ଦ୍ରୋହ କରୁ ନାହୁଁ କି। ତଥାପି ମଧ୍ୟ ଯଦି ଆପଣଙ୍କ ଦୃଷ୍ଟିରେ ଏହା ପାପ, ଏଥି ପାଇଁ ଏକମାତ୍ର ଶୁଭଦା ଦାୟୀ କେମିତି। ଶୁଭଦାକୁ ନିଜ ମାଆ ପରି ଭାବିପାରିନଥିବାରୁ ମୁଁ ହିଁ ଅପରାଧି । ନାରୀ ନର୍କର ଦ୍ୱାର କିପରି, ନାରୀ ସବୁ ସ୍ଖଳନ ପାଇଁ ଦାୟୀ କିପରି, ଯଦି ଜଣେ ପୁରୁଷ ଆଖିରେ ନାରୀ ମାତୃ ସ୍ୱରୂପ ହୋଇପାରେ ତେବେ ସେ କଣ କେବେ ସେହି ପୁରୁଷର ସ୍ଖଳନର କାରଣ ହୋଇପାରେ। ନିଜ ଆତ୍ମନିୟନ୍ତ୍ରଣ ଅସମର୍ଥ ପୁରୁଷ ଯୁଗ ଯୁଗ ଧରି ନାରୀକୁ ଦାୟୀ କରିଚାଲିଛି କାହିଁକି? କୁହନ୍ତୁ ଗୁରୁଜୀ ଉତ୍ତର ଦିଅନ୍ତୁ।"


" ରାମାନନ୍ଦ ତୁମେ ସୀମା ଲଙ୍ଘନ କରୁଛ। ଶାସ୍ତ୍ର କୁ ଆକ୍ଷେପ କରିବାର ସାହସ ତୁମର ଆସିଲା କେଉଁଠୁ।ସେ ଦୁଷ୍ଟ ନାରୀ ତୁମ ମନ ପ୍ରାଣ ଆତ୍ମାକୁ କଳୁଷିତ କରିଛି। ତୁମେ ବୁଦ୍ଧିଭ୍ରଷ୍ଠ ହେଇ ଯାଇଛ।ଏଇ ମୁହୂର୍ତ୍ତରେ ମୋ ସମ୍ମୁଖରୁ ଚାଲିଯାଅ।"ଗର୍ଜି ଉଠିଲେ ଆଲୋକନାଥ।" ହଁ ମୋର ବୁଦ୍ଧି ଭ୍ରଷ୍ଠ ହେଇଛି।ପରମାନନ୍ଦ ପ୍ରାପ୍ତିର ଲୋଭ, ଜୀବନ ଯନ୍ତ୍ରଣାରୁ ମୁକ୍ତିର ମୋହରେ ବାନ୍ଧି ହୋଇ ପ୍ରେମର ପରମଆନନ୍ଦରୁ ବଞ୍ଚିତ ହେଉଥିବା ସବୁ ଆଶ୍ରମ ବାସୀଙ୍କର ମୋ ପରି ବୁଦ୍ଧି ଭ୍ରଷ୍ଟ ହେବା ଉଚିତ। ଆଜି ମୋତେ ମିଳିଯାଇଛି ସେ ପରମ ଆନନ୍ଦ ଯାହା ପାଇଁ ଏତେ ସବୁ ଧର୍ମ କର୍ମ। ତେଣୁ ଆଉ ମୋ ପାଇଁ ନା ଅଛି ସେ ବ୍ୟର୍ଥ ସାଧନାର ଆଵଶ୍ୟକତା ନା ମଠାଧିଶର ମୋହ। ଆଶ୍ରମର ନିୟମ ଭାଙ୍ଗିଥିବା ଅପରାଧରେ ମୁଁ ବି ଶୁଭଦା ସହ ସହଭାଗୀ ।ତେଣୁ ମୁଁ ବି ଚାଲିଯିବି ଖାଲି ଆପଣଙ୍କ ସମ୍ମୁଖରୁ ନୁହେଁ ଏଇ ଆଶ୍ରମରୁ, କାଶିରୁ ସବୁଦିନ ପାଇଁ।"

ସେତେବେଳେରୁ ମୁହଁ ପୋତି ନିର୍ବାକ ହୋଇ ଠିଆ ହୋଇଥିବା ଅଶ୍ରୁ ମୁଖୀ ଶୁଭଦାର ହାତ ଧରିଲା ରାମାନନ୍ଦ। "ଆସ.."ପଦୁଟିଏ ଉଚ୍ଚାରିତ ହେଲା ରାମାନନ୍ଦର ଓଠରୁ। ହାତ ଧରା ଧରି ହୋଇ ପ୍ରକୋଷ୍ଠରୁ ନିଷ୍କାସିତ ହେଇଗଲେ ରାମାନନ୍ଦ ଓ ଶୁଭଦା ।ସତେ ଯେପେରି ଭଗବାନଙ୍କ ବାରମ୍ବାର ବାରଣ ସତ୍ତ୍ୱେ ନିଷିଦ୍ଧ ଫଳ ଭକ୍ଷଣ କରିବା ଅପରାଧରେ ଏଇମାତ୍ର ଇଡେନ ଉଦ୍ୟାନରୁ ବିତାଡିତ ହୋଇଥିବା ଆଦମ ଇଭ ଆଗେଇ ଯାଉଥିଲେ ସୃଷ୍ଟିର ଆରମ୍ଭ ପାଇଁ।



Rate this content
Log in