Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Others

2.0  

Sachidananda Kar

Others

ପ୍ରେମ-ଏକ ଭୁଲ୍ ଗଣିତ

ପ୍ରେମ-ଏକ ଭୁଲ୍ ଗଣିତ

2 mins
385



    ବୁଝାମଣା ହୋଇଥିଲା । କଥା ଦିଆନିଆ ହୋଇଗଲା । ସନ୍ଦୀପର ମନ ଆକାଶରେ ଉଡିଲା ।

ନିଜକୁ ଆଉ ଏକା ଭାବି ପାରିଲାନି ସନ୍ଦୀପ । ନିଜର ଡ୍ରେସ୍ ସହିତ ଦୀପାର ଡ୍ରେସ୍ କିଣିଲା । ନିଜର ଜୋତା କିଣିଲେ ଦୀପାର ବି ଆଣିଲା । ଏପରିକି ସେ ତା'ର ଫ୍ଲାଟରେ ସିଙ୍ଗଲ ବେଡ୍ ବଦଳରେ ଡବଲ୍ ବେଡ୍ ପକାଇଦେଲା । ଗୋଟିଏ ବଦଳରେ ଦୁଇଟି ତକିଆ ରଖିଲା । ଦୀପା ପାଇଁ ଗୋଟେ ଆକଟିଭା ବି କିଣି ଆଣି ଥୋଇଦେଲା ନିଜର ବାଇକ୍ ପାଖରେ ।

ଏବେ ସବୁଦିନ ସକାଳେ ଦୁଇ କପ୍ ଚା କରୁଥିଲା ସନ୍ଦୀପ । ଗୋଟିଏ କପ୍ ନିଜେ ପିଉଥିଲା । ଅନ୍ୟ କପଟି ଦୀପା ପାଇଁ ରଖୁଥିଲା ଟେବୁଲର ଆରପଟେ । ଚା ପିଇଲାବେଳେ ଗୁଣୁଗୁଣୁ ଗପୁଥିଲା ବି , ଯେମିତି ସେ ଗପେ ଦୀପା ସହିତ ପାର୍କରେ ।

ଏହି ଯେ ପ୍ରେମ । ଏବେ ସବୁଥିରେ ସନ୍ଦୀପ୍ ନିଜ ସହିତ ଦୀପାକୁ ରଖୁଥିଲା । ମନେମନେ ଏକରୁ ଦୁଇ ହୋଇ ଯାଇଥିଲା । ହେଲେ ଦୀପା ଟିକିଏ ଟେନସନ୍ ଭିତରେ ଥିଲା । କାଳେ ବାପା ତା'ର ବାହାଘର ଅନ୍ୟ କୋଉ ପିଲା ସାଙ୍ଗରେ କରିଦେବେ,ସେମିତି ଭାବୁଥିଲା ସେ ।

ଦିନେ ପାର୍କରେ ଦୁଇଟି ବାଦାମ ପୁଡିଆ ଆଣିବା ବେଳେ ସନ୍ଦୀପର ଇଚ୍ଛା ବୁଝିପାରି ଦୀପା କହିଲା - ଗୋଟିଏ ଆଣିଥିଲେ ତ ଚଳିଥାନ୍ତା । ଦୁଇଟି କ'ଣ ପାଇଁ ?

ସନ୍ଦୀପ୍ କହିଲା - ଏବେ ସବୁଥିରେ ମୋର ଦୁଇଟି । ଆଉ କ'ଣ ଏକା ଅଛି ?

ସ୍ମିତ ହସିଲା ଦୀପା ।

ତା'ପରେ ସନ୍ଦୀପ୍ ସବୁକଥା ଗପିଦେଲା ।

ଦୀପା କହିଲା - ତା'ହେଲେ ଏମିତି କଥା ! ଏତେ ଶ୍ରଦ୍ଧା ! ଏତେ ଭଲପାଇବା ! ତେବେ ଚାଲ,ତୁମ ସହିତ ଆଜି ପଳେଇବି ।

- ନା,ନା,ସେମିତି ହୋଇ ପାରିବନି । ଚିହିଁକି ଉଠିଲା ସନ୍ଦୀପ୍ ।

- କାହିଁକି ! ମୁଁ ତ ରାଜି । ଅସୁବିଧା କୋଉଠି ! ଦୀପା ହସିହସି କହିଲା ।

- ବଡଭାଇ ଏଯାଏଁ ବାହା ହୋଇନାହାନ୍ତି । ଆଉ କିଛି ଦିନଯାଉ,ସନ୍ଦୀପ୍ କହିଲା ।

- ତାଙ୍କର ଲଭ୍ ନାହିଁକି ? ଅଳ୍ପ ହସି କହିଲା ଦୀପା ।

ସନ୍ଦୀପ୍ ନିରୁତ୍ତର ରହିଲା । ଦୁହେଁ ବାଦାମ ଖାଇଲେ, ଗପିଲେ । ସଂଧ୍ୟାକୁ ଉପଭୋଗ କଲେ । ଦୀପା ଘରକୁ ଫେରିଗଲା ।

ଆଉ ଦିନେ ପାର୍କରେ ଦୀପା ଗୋଟେ ପଇଡ ଆଣିଲା । ଦୁଇଟି ଷ୍ଟ୍ର ଧରିଥାଏ । - ଆସ,ପଇଡ ପିଇବା ।  ସନ୍ଦୀପକୁ ଡାକି କହିଲା ସେ ।

- ଆଉ ଗୋଟେ ଆଣିଲନି? ସନ୍ଦୀପ୍ କହିଲା ।

- ନା,ଆଜି ଆମକୁ ଦୁଇରୁ ଏକ ହେବାକୁ ପଡିବ । ଦୀପା କହିଲା ।

ସନ୍ଦୀପ୍ କହିଲା - ବଡଭାଇର ବାହାଘର ହୋଇପାରୁନି ଏଯାଏଁ । କ'ଣ କରିବା !

ଦୀପା କହିଲା - ହେଲେ ବାପା ମୋର ବାହାଘର ସ୍ଥିର କରି ସାରିଲେଣି । ଆସନ୍ତା ଲଗ୍ନରେ ମୋର ବାହାଘର ।

- ଆଁ ! ସତେ ନା କ'ଣ ! କହିଲା ସନ୍ଦୀପ୍ ।

ସେଦିନ ପାର୍କରୁ ଆଉ ଘରକୁ ଫେରି ନଥିଲା ଦୀପା । ସନ୍ଦୀପର ଫ୍ଲାଟରେ ପହଞ୍ଚିବା ପରେ ପାଖରେ ବସି ବେଶ୍ ହସହସ ହୋଇ କହିଲା - ପ୍ରେମଟା ଗୋଟେ ଭୁଲ୍ ଗଣିତ । ଆଗେ ଥିଲେ ଦୁଇ, ଏବେ ହେଲେ ଏକ । ସନ୍ଦୀପର ମୁହଁରେ ସ୍ମିତ ହସ ଫୁଟିଉଠିଲା ।

ଦୀପାର ଟେନସନ୍ ଓହ୍ଲାଇଗଲା ।


Rate this content
Log in