ପ୍ରତାରଣା
ପ୍ରତାରଣା
ସାଧାରଣତନ୍ତ୍ରର ତ୍ରିପୁଟ ବୈଜୟନ୍ତୀ ତଳେ
ଜନ-ଗଣ-ମନ- ଅସ୍ଫୁଟ ସ୍ଵରର
ଦ୍ରୁତ ସ୍ତବ – ଉପହାସ କରୁଛି ସେମାନଙ୍କୁ
ଯେଉଁମାନେ ଅକାତରେ ତରିଗଲେ ପୂଣ୍ୟବେଦୀରେ
ଅସ୍ତିଖଣ୍ଡକୁ ଜଳାଇଲେ ଯେ ମଶାଲରେ ॥
ଜାତିର ଜୈତ୍ରରେ ନିଜେ ପୁଣ୍ୟ ମୃତାହତ ହୋଇ
ହିମାଳୟ-ହିମାନୀରେ ଟୁକୁରା ଟୁକୁରା ହୋଇ ମିଶିଗଲେ
ରସାନ୍ତଳ ମଧ୍ୟେ ନଗଣ୍ୟ ଦୃଷ୍ଟାନ୍ତ ସାଜି ॥
ସେହି ଅଗଣିତ ଲଘୁ ଦୀପ ଆମ୍ଭର
ବତାସର ପ୍ରତାରଣାରେ, ନିଶୀଥରେ
ଜଳି ଜଳି ଲିଭିଗଲେ, କେହି ଜାଣିଲେନି,
ଯାହାର ସିଂହନାଦରେ, ବିକଟ ଗର୍ଜନରେ,
ସ୍ଖଳିତ-ବନ୍ଧୁକର ତ୍ଵରିତ ଶବ୍ଦରେ,
କରାଳ ପୃଥିବୀ ଏବେ ମଧ୍ୟ କମ୍ପୁଛି
ନିଜ ବକ୍ଷର ବିଦାରକ ଦୃଶ୍ୟ ଦେଖି ॥
କାହିଁ ସେ ଲୁକ୍କାୟିତ, ଭବ୍ୟ ଇତିହାସ?
ହେଜିନାହିଁ ଯେ ଲୁପ୍ତ ଦକ୍ଷଙ୍କ ଆସ୍ୟ
ଦେଖିନାହିଁ ନିଜ ପୂର୍ବ ଦାୟାଦଙ୍କ କରାମତି
କିନ୍ତୁ, ସାକ୍ଷୀ ଅଛନ୍ତି ସେ ସଂଗ୍ରାମର
ସୂର୍ଯ୍ୟ, ଚନ୍ଦ୍ର ଓ ଆକାଶ ॥