ବିକ୍ରି ହେଇଯାଇଥିବା ଆକାଶ
ବିକ୍ରି ହେଇଯାଇଥିବା ଆକାଶ
ଦିନେ ସକାଳୁ ଉଠି
ଅଳସ ଭାଙ୍ଗୁ ଭାଙ୍ଗୁ ଦେଖିଲି
ମୁଣ୍ଡ ଉପରେ ନାହିଁ ଆଉ ମୋର
ଛାତଟିଏ ପରି ସୁନୀଳ ଆକାଶ
ତା ବଦଳରେ ଧୂଳି ଧୁଆଁ ଭର୍ତ୍ତି
ଅଳନ୍ଧୁ ପରି ପ୍ରସ୍ତେ କଳା ପବନ।।
ଅବାକ ହେଲି ମୁଁ
କୁଆଡେ ଗଲା ଅବା
କାଲି ରାତିରେ ପଂଝାଏ ତାରା ଧରି
ଜକ ମକ କରୁଥିବା ସେ ଆକାଶ ।।
ମୋ ବିବଶତାକୁ ଚିରି
ଧାଇଁ ଧାଇଁ ଆସିଲା
ନଟ ...ଆମ ଗାଁର ଚଉକିଆ
ଧଇଁ ସଇଁ ହେଇ କହିଲା
ତୁମେ ଜାଣିନକି କାଲି ରାତି ଅଧରେ
ସନ୍ଧି ହେଇଛି ଆମ ସରକାରଙ୍କ
ସେମାନଙ୍କ ସଂଗେ।।
ସନ୍ଧି ମୁତାବକ ସରକାର ଆମର
ବିକିଦେଇଛି ଆକାଶରୁ ଫାଳେ
ଏବେ ଆମ ମଳିମୁଣ୍ଡିଆଙ୍କ ଭାଗର ଆକାଶ
ବି ସେମାନଙ୍କର ଯେଉଁମାନଙ୍କର ଅଛି
ସ୍ୱିସ ବ୍ୟାଙ୍କରେ ମୁଠା ମୁଠା ଟଙ୍କା
ସେ ଆକାଶ କେବଳ ତାଙ୍କର
ସେଠି ସେମାନେ ଛାଡିବେ ଯେତେ ସବୁ
ଧୂଳି ଧୁଆଁ କଳ କାରଖାନାର
ନା ସେ ଆମର ନା ପକ୍ଷୀମାନଂକର।।
ଆମର ବା କଣ ଅଛି ଯେ
ଆମ ଦୁଃଖ ବୁଝିବେ ସର୍କାର
ଖାଲି ନାଁକୁ ଆମର ଭୋଟ
କିନ୍ତୁ କଥା କହେ ଖାଲି ବିଡା ବିଡା ନୋଟ ।।
ନଟ କଥା ଶୁଣି ଚକିରି ପରି
ଘୁରିଗଲା ମୋ ମୁଣ୍ଡ ।।
ଆକାଶ ନାହିଁ, ତାହେଲେ ଜହ୍ନ ବି ନାହିଁ
ନାହିଁ ସୂର୍ଯ୍ୟ କି ତାରା
ତାହେଲେ ଆଉ ମିଳିବେନି
ପୂର୍ଵ ଦିଗରେ ତାରା ହେଇ
ଜକ ଜକ କରୁଥିବା
ଜେଜେବାପା ଆଉ ଜେଜେମାଆ
ଯାହାକୁ ମାଆ ଆଙ୍ଗୁଳି ଦେଖେଇ
ଚିଂହେଇ ଦେଇଥିଲା ଥରେ
ମିଳିବେନି ଆଉ ମାଆ କୋଳରେ
ଦୁଧ ଭାତ ଖାଉଥିବା ପିଲାକୁ ତା ଜହ୍ନ ମାମୁଁ
ରଘୁ ଅଜାକୁ ମିଳିବନି ସୂର୍ଯ୍ୟ ଦେବତା ଯାହାକୁ
ନିତି ସକାଳୁ ଗାଁ ପୋଖରୀରେ ଗାଧୁଆପରେ
ଆଞ୍ଜୁଳାଏ ଜଳ ଦାନ କରେ
ଅବୁଝା ମନ୍ତ୍ରସବୁ ଶୁଣେଇ ଶୁଣେଇ ।।
ଏବେ ଆକାଶ ନାହିଁ ତେବେ ମେଘବି ନାହିଁ
ମେଘ ନାହିଁ ତ ବର୍ଷା ବି
ଆଉ ଆମ ଭାଗରେ ଖାଲି ରହିଲା
ଶୁଖି ଫାଟି ଚଡ ଚଡ କରୁଥିବା
ବିଲ ବାଡ଼ି ଗଡ଼ିଆ ପୋଖରୀ
ମୁଠାଏ ଭାତ ମୁନ୍ଦାଏ ପାଣି ପାଇଁ
ଡହଳ ବିକଳ ସକାଳ ଆଉ ସଂଜ ।।
ବିକଳ ହେଇ ଅଣ୍ଡାଳି ପକେଇଲି
ପାଦ ତଳର ଭୂଇଁ
ଅଛିତ ନାଁ ସରି ଯାଇଛି ଆମ ଭାଗ
ଆମ ପାଦ ତଳର ପୃଥିବୀରୁ।।
ମାଟିରୁ ମୁଠାଏ ଆଣି
ବୋଳି ଦେଲି ମଥାରେ
ଜଣା ନାହିଁ ପୁଣି କେଉଁ ସକାଳେ
ସେମାନେ ଛଡେଇ ନେବେ
ଏ ପାଦ ତଳର ପୃଥିବୀ।।
ଧୂମକେତୁ ପରି ଗ୍ରାସୀ ଯିବେ
ସମଗ୍ର ପୃଥିବୀ ମାଟିରୁ ଆକାଶ
ତାଙ୍କ ପୁଞ୍ଜିବାଦର ଆଁରେ।।
ଭୋକ ବଢି ଚାଲିଛି ଦିନୁ ଦିନ
ସେ ଦିନ ଆଉ ଦୂର ନାହିଁ ଯେବେ
ତାଙ୍କ ବିକଟାଳ ଆଁରେ ନିଶ୍ଚିନ୍ନ ହେଇଯିବ
ଆକାଶ ପୃଥିବୀ ବନ ଜଙ୍ଗଲ
ପାହାଡ ପର୍ବତ ଜୀବ ଜନ୍ତୁ ।।
ପୁଞ୍ଜିବାଦର ଭୟାବହତା ଆଗରେ
ମରିଯିବ ସ୍ନେହ ପ୍ରେମ ଦୟା କ୍ଷମା ।।
ମଣିଷ ସଉଦା କରିବ ଆଉ ଏକ ମଣିଷର
ଧୀରେ ଧୀରେ ବିଲୁପ୍ତ ପ୍ରାଣୀଟିଏ ଭଳି
ହଜିଯିବ ପୃଥିବୀ ପୃଷ୍ଠରୁ ମାନବିକତା
ପୁଞ୍ଜିବାଦର କରାଳ ମୁଖରେ ।।