ସବୁଜର ଅଭିଧାନ
ସବୁଜର ଅଭିଧାନ
ସୁସ୍ଥ ସବଳ ସୁନ୍ଦର ଆଉ ସୁଖ ଶାନ୍ତିରେ ଭରା
ଯଦି ହେ ମାନବ ରଖିବାକୁ ଚାହଁ ଆମରି ବସୁନ୍ଧରା ॥
ଯତ୍ନଶୀଳ ହେବା ପରିବେଶ ଲାଗି, କର ଆଜିଠାରୁ ବ୍ରତ
ଭବିଷ୍ୟତର ପିଲାଛୁଆ ଲାଗି, ଆସ ହେ ନେବା ଶପଥ ॥
ରଚନା କରିବୁ ସବୁଜ ଦେଇକି ସୁନ୍ଦର ଅଭିଧାନ
ଫେରାଇବୁ ପୁଣି ସେ ଦିନର ପରି ଜଳସ୍ଥଳରେ ପ୍ରାଣ ॥
ନଗର କିମ୍ବା ଛୋଟ ଜନପଦ ରହିବ ସବୁଜେ ଭରା
ବାର୍ଦ୍ଧକ୍ୟରେ ଆଣି ଯୌବନ, ଦୂର କରି ଦେବା ଜରା ॥
ଫଳ ଫୁଲ ଡାଳେ ଖେଳିବେ ଚଢେଇ, କୋଇଲି ଗାଇବେ ଗୀତ
ବସନ୍ତ ଫୁଣି ଆସିବ ଫେରିକି, ଗଲାପରେ ସେହି ଶୀତ ॥
ଘଞ୍ଚ ଜଙ୍ଗଲ ଆମ ମଙ୍ଗଳ ରହନ୍ତି ପକ୍ଷୀ ପଶୁ
ଖେଳନ୍ତି କେତେ ହରିଣ, ବ୍ୟାଘ୍ର, ଶୃଗାଳ, ସିଂହ ଶିଶୁ ॥
ତାଙ୍କ କଥା ଆମେ ଭୁଲିବୁ କେମିତି
ସେମାନେ ଆମରି ଅଙ୍ଗ ।
ସବୁଜ ଧ୍ଵଂସ କରି କରିବାନି ତାଙ୍କର ସ୍ଵପ୍ନ ଭଙ୍ଗ ॥
ସବୁଜ ନ ଥିଲେ ସୁନା ମୃତ୍ତିକା କିଏ ରଖେ ତାକୁ ଧରି
ସବୁଜ ନଥିଲେ ସ୍ନିଗ୍ଧ ଶୀତଳ ପବନ ବି ଯିବ ସରି ॥
ସବୁଜ କୃପାରେ ବରସା ଆସଇ, ବରସା କୃପାରେ ଝର
ତାହାରି କୃପାରେ ନଦୀନାଳ ଭରେ
ଭରଇ ମହାସାଗର ।
ଆସ ଭାଇମାନେ ଏକ ମାତ୍ର କାମ, କରେ ସମସ୍ତେ ମିଶି
ସବୁଜ ସହିତ ସବୁବେଳେ ପ୍ରେମ,
ରହିବାକୁ ଖୁସିବାସୀ ॥