ଚେତାବନୀ
ଚେତାବନୀ
ମିଛ ଦୁନିଆର ଅଭିନୟ ଦେଖି
ସହି ନପାରିଲା ବିହି
ଫନି ରୂପେ ଫଣା ମେଲେଇ ଦେଇଣ
ଥରାଇଲା ଖଣ୍ଡେ ମହୀ ।
ଜଗତର ନାଥ ଯିଏ ଜଗନ୍ନାଥ
ତାଙ୍କରି ଧାମର ଦଶା
ନୟନେ ଲୋତକ ପୂର୍ଣ୍ଣ ହୋଇଅଛି
ଓଠରେ ତ ନାହିଁ ଭାଷା ।
ତୁଟି ଯାଇଅଛି ଶ୍ରୀକ୍ଷେତ୍ରର ଶିରୀ
ତାଣ୍ଡବ କଲା ପବନ
ବଡ଼ବଡ଼ ବୃକ୍ଷ ଭୂଇଁରେ ଶୋଇଛି
ଉଜୁଡିଛି ଉପବନ ।
ଗାଁ ଗଣ୍ଡା ଶରୀରେ ନାହିଁ ସେଇ ଶୋଭା
ଲାଗୁଛି ଶ୍ମଶାନ ଭୂମି
ବାସହରା ହୋଇ ଭାଗ୍ୟକୁ ଆଦରି
ସାହା ହୁଅ ଅନ୍ତର୍ଯ୍ୟାମୀ ।
ପଚାଶ ବରଷ ପୁର୍ବର ଜୀବନ
ପରିକା ଲାଗୁଛି ଏବେ
ସଞ୍ଜ ନଇଗଲେ ଅଗଣାରେ ଶୋଇ
ଏସି ଟିଭି କଥା ଭାବେ ।
ବିଞ୍ଚଣା ସୁରେଇ ବଞ୍ଚେଇ ଦେଇଛି
ଡହଡହ ଖରାଦିନେ
ଯୁଗ ସହ ତାଳ ଚାଲିଥିବା ବେଳେ
ଏସବୁ ନଥିଲା ମନେ ।
ଥରହର କରି ଛାରକାର କରି
ଫନି ଦେଲା ଚେତାବନୀ
ପ୍ରକୃତିକୁ ପ୍ରେମ ନକଲେ ମାନବ
କମ୍ପିବ ଆମ ମେଦିନୀ ।
ସ୍ଵୟଂ ପରଂବ୍ରହ୍ମ ନିରୂପାୟ ଯେବେ
ପ୍ରକୃତି ତାଣ୍ଡବ ଆଗେ
ଚିନ୍ତିତ ମଣିଷ ଚେତାବନୀ ପାଇ
ପ୍ରକୃତିକୁ କ୍ଷମା ମାଗେ ।।