କସ୍ତୁରୀ
କସ୍ତୁରୀ
ଅହର୍ନିଶ ଖୋଜୁଛି ମୁଁ
ଏତେବଡ ଦୁନିଆ ଭିତରେ
ବାସ୍ତବ ଅର୍ଥରେ ସୁଖି ଲୋକଟିଏ,
ମୁହୁର୍ତ୍ତଟେ ଶାନ୍ତିର କାନ୍ଥକୁ ଆଉଜି
ନିଃଶ୍ୱାସଟେ ନେଉଥିବ ଯିଏ ନିର୍ଦ୍ୱନ୍ଦରେ
ଆଉ,ଜୋର୍ ଦେଇ କହି ପାରୁଥିବ;
"ମୁଁ ଜଣେ ସୁଖି ଲୋକ,
ମୋ' ମୁହଁର ହସ ଖାଦ୍ ବିହୀନ,
ନିର୍ଭେଜାଲ ଶତ ପ୍ରତିଶତ,
ଗୋଟାପଣ ସତ ମୋ'ର ସୁଖ,
ଡାହା ମିଛର ଛଅହାତି ସଫେଦ ଚଦର ତଳେ
ଢାଙ୍କି ରଖିନି ମୁଁ
କୁହୁଳୁ ଥିବା ଅନ୍ତର୍ଦହନର ଧୁଆଁ,
ଛଟପଟ୍ ହେଉନାହିଁ ଛଳନାର ବିଷଜ୍ୱାଳାରେ,
ଅସଫଳ ହେଇନାହିଁ କେବେ
ନୀଳକଣ୍ଠ ହେବା ପ୍ରୟାସରେ।"
ଖୋଜୁଛି ମୁଁ ଲୋକଟିଏ
ନିଜଠୁଁ ଯେ ନିଜେ ଲୁଚି ରହୁନାହିଁ ,
ଡରୁନାହିଁ କହିବାକୁ ମୁକ୍ତ କଣ୍ଠରେ;
"ଥରେ ନୁହେଁ ଅଧେ ନୁହେଁ,
ବାରମ୍ବାର - ପ୍ରାୟ ପ୍ରତିଥର
ହାରିଛି ମୁଁ ଦୟନୀୟ ଭାବେ ମୋ'ନିଜ ସାମ୍ନାରେ।
ଇପସିତ ସୁଖ ଭାବି ପାଇଛି ଯାହା ଯେବେ କିଛି
ପରେ ତାକୁ ଭଲ କରି ପରଖି ଦେଖିଛି,
ସୁଖ ନୁହେଁ କୌଣସି ଅର୍ଥରେ ସିଏ,
ରଙ୍ଗୀନ୍ ଦୁଃଖଟିଏ ଯିଏ ବଞ୍ଚିରହେ ପରଜୀବି ପରି
ମଲାଯାଏ ଅହୋରାତ୍ର ଅବିରତ ଖାଇ ଚାଲିଥାଏ
ଟସର ପୋକଟେ ପରି
'ଶାନ୍ତି'ର ସବୁ ସବୁଜିମା
ଅଶାନ୍ତିର ଟସରଟେ ତା'ପାଇଁ ଗଢିବା ନିଶାରେ!"
'ଆଖି ଅଛି,ଲୁହ ନାହିଁ '- କେମିତି ସମ୍ଭବ ଯେ !
ସଭିଙ୍କ ଆଖିରେ ଲୁହଏଠି,ସମସ୍ତେ କାନ୍ଦୁଛନ୍ତି,
କାନ୍ଦିବାର ଶୈଳିରେ ସାମାନ୍ୟ ଭିନ୍ନତା ଯାହା।
କାହା ଲୁହ ଭିତରେ ଭିତରେ ଆଖିରୁ ଅନ୍ତରକୁ ବୋହେ,
କାହା ଲୁହ ଗାଲ ଦେଇ ଗଡିଯାଇ ମିଶୁଛି ମାଟିରେ।
କିଏ କାନ୍ଦେ ଆପଣା ଲୋକଙ୍କ ସାମ୍ନାରେ
ଗଛ ତଳେ ,ପିଣ୍ଡାରେ,ହିଡମୂଳେ ବସି
ଆଉ କିଏ ଚଷ୍ମା ଖୋଲି ପୋଛିଦିଏ ଲୁହ ଏକାନ୍ତରେ
ବହୁତଳ ପ୍ରାସାଦର ଶୀତତାପ ନିୟନ୍ତ୍ରିତ ନିଭୃତ କକ୍ଷରେ,
ପୁଣି କେବେ ମର୍ସିଡିଜ୍,ଜାଗୁଆର,
ଅଡି ଅବା ବି.ଏମ.ଡବ୍ଲ୍ୟୁରେ।
ସୁଖି ଲୋକ ଅନ୍ନ୍ୱେଷଣର ଅନ୍ତ ଘଟୁନି କେବେ
ଲାଗୁଛି, ସତେ ଅବା
ଦୁନିଆର ପାଣି ପବନରୁ ପୋଛି ନେଇଛି କେହି
ସୁଖ ଓ ଶାନ୍ତି ସବୁ ସମସ୍ତଙ୍କ ଅଲକ୍ଷରେ,
ଶ୍ରେଣୀ,ବର୍ଗ,ବର୍ଣ୍ଣ ନିର୍ବିଶେଷେ ଲେଖିଛି ସେ ସଭିଙ୍କ ଭାଗ୍ୟରେ
ଦୁର୍ମୂଲ୍ୟ ଜୀବନର ଭିନ୍ନ ଏକ ମୂଲ୍ୟହୀନ ନିରର୍ଥକ ସଜ୍ଞା,
ଅବା ଛୁପେଇ ଦେଇଛି ସେ ସବୁକୁ ଏଇଠି କେଉଁଠି
ଖୋଜୁଛି ମଣିଷ ଅସ୍ତବ୍ୟସ୍ତ ହେଇ,
କୃଷ୍ଣସାର ମୃଗମାନେ କସ୍ତୁରୀ ଖୋଜିଲା ପରି
ଅବକାଶ ନାହିଁ ଜାଣିବାକୁ,
କସ୍ତୁରୀର ଅବସ୍ଥିତି ଆପଣା ନାଭିରେ।
ସୁଖ ଆଉ ଶାନ୍ତି ପାଇଁ ଦିଶାହିନ ଦୌଡରେ ,
ବିତୁଛି ପ୍ରତିଟି ମୁହୁର୍ତ୍ତ-ଅପ୍ରାପ୍ତିରେ,
ଅଶାନ୍ତିରେ,ଅସହ୍ୟ ଦୁଃଖରେ।।
=====(ମିଟୁ)=====
ବିନମ୍ରତାର ସହ: ବିନୟ ଭୂଷଣ ପାଣିଗ୍ରାହୀ
ହରସିଂହ ପୁର,ପୀରହାଟ ବଜାର,ଭଦ୍ରକ,ଓଡିଶା-756131
ମୋ:9937548431,9438670120
--------------------------
ପ୍ଲଟ୍ ନଂ-342,ସେକ୍ଟର୍-5,ନିଳାଦ୍ରୀ ବିହାର୍,ଚନ୍ଦ୍ରଶେଖର୍ ପୁର,
ଭୂବନେଶ୍ୱର-751021,ଓଡିଶା
================== ======