ଲାଞ୍ଚୁଆ ଠାକୁର
ଲାଞ୍ଚୁଆ ଠାକୁର
ମୋ ଡାକ ଅବା କାହିଁକି ଶୁଣିବ
ତୁମେ ତ ପ୍ରଭୁ ହେ ଜଗତ ସାଇଁ
ମୁଁ ତ ଅକିଞ୍ଚନ ଅମଣିଷଟିଏ
ଦେବା ପାଇଁ ପାଖେ କିଛିବି ନାହିଁ ।
ଲାଞ୍ଚୁଆ ଠାକୁର ଲାଞ୍ଚେ ତୁମେ ମିଳ
କି ଦେଇ ଅବା ମୋହିବି ମତି
ଅଛି ତ କେବଳ ହୃଦୟଟି ମୋର
ବିକି ସାରିଛି ଯା’ ତୁମରି କତି ।
ଶବରୀଠୁ ଲାଞ୍ଚ ଖାଇଥିଲ କୋଳି
ଦାସିଆଠୁ ଖାଇଥିଲ ନଡ଼ିଆ
ବିଦୁରର ଶାଗ ଭଜା ଖାଇଥିଲ
ମନେ କି ନାହିଁ ହେ ପ୍ରଭୁ ସେ କଥା ।
ବାଲିରଥ ଗଢି ଭକ୍ତ ବଳରାମ
କରିଥିଲେ ପରା ତୁମକୁ ବଶ
କେଉଁ ଲାଞ୍ଚ ନେଇଥିଲ ତାଙ୍କ ଠାରୁ
କହିବ କି ପ୍ରଭୁ ଜଗତ ନାଥ ।
କେଉଁ ଦ୍ରବ୍ୟ ଦେଇ ମୋହିଥିଲା ମନ
ଘୋରିନୁ ତାରା ବତୀ ହରିଣୀ
ସହସ୍ର ଯୋଜନୁ ଶୁଣିଥିଲ ଡାକ
ହେ ପ୍ରଭୁ ଲାଞ୍ଚୁଆ ଜଗତ ସାଇଁ ।
କେଉଁ ଲାଞ୍ଚ ଅବା ଦେଇଥିଲା ଗଜ
ରଖିଲ ପ୍ରଭୁ ହେ ତାଙ୍କ ଜୀବନ
ପେଶି ସୁଦର୍ଶନ ଗ୍ରାହକୁ ନାସିଲ
କହ କହ ଆଜି ହେ ଭଗବାନ ।
କୁରୁସଭା ତଳେ ଡାକିଲେ ଦ୍ରୌପଦୀ
କୋଟି ବସ୍ତ୍ର ତାଙ୍କୁ କରିଛ ଦାନ
କେଉଁ ଲାଞ୍ଚ ନେଇଥିଲ ତାଙ୍କ ଠାରୁ
କହିବ କି ହେ ପତିତ ତାରଣ ।
ମୁଁ ଅତି ଗରିବ କିଛି ନାହିଁ ମୋର
ଯାହା ଅଛି ପ୍ରଭୁ ସବୁ ତୁମର
କେଉଁ ଦ୍ରବ୍ୟ ଲାଞ୍ଚ ଦେବିବା ତୁମକୁ
ଭକ୍ତି ଅର୍ଘ୍ୟ ଘେନ ବିଶ୍ୱସମ୍ରାଟ ।।