ଅନ୍ତିମ ଚେତାବନୀ
ଅନ୍ତିମ ଚେତାବନୀ
ରେ ସଇତାନ୍ !!
ବିଦ୍ଵେଷର ବିଷ ମଞ୍ଜି ବୁଣିବା ବନ୍ଦକର୍
ରକ୍ତର ହୋଲି ଖେଳିବା ବନ୍ଦକର୍ ଧର୍ମର ତନୁରେ
ଆଉ ବନ୍ଦକର୍ ତୋର ଏ ସଇତାନପଣ।
ତୋର ହିଂସାଳୁ ତୋଫାନରେ
ଆଶାର ଆଲୋକ ଆଜି ନିଷ୍ପ୍ରଭ ପ୍ରାୟ,
କାନ୍ଦୁଛି ମାନବିକତା, କାନ୍ଦନ୍ତି ଈଶ୍ୱର!
ନୀରବ ଆଖିରେ ବନ୍ୟା ତୁ ବୁହେଇଛୁ,
ସ୍ଵପ୍ନର ଉପନ୍ୟାସରେ ରକ୍ତର ମଲାଟ୍
ତୁ ମଡ଼େଇଛୁ।
ତୁ କ’ଣ ସତରେ ଶୁଣିପାରୁନୁ
ନୀରବତାର ଆର୍ତ୍ତ ଚିତ୍କାର?
ଶୁଣିପାରୁନୁ କୁଢକୁଢ କଞ୍ଚା ମାଂସର ବିଳାପ।
ତେବେ, କାନ ଡେରି ଶୁଣ୍
ଅକ୍ରୁରର ରଥଚକ।
ହଁ, ଫେରୁଛି ସେ
ସୃଷ୍ଟିର ନିୟମ ଭାଙ୍ଗି
ଧରିଛି ଏକ ହାତେ ବାର ହାତ ଖଣ୍ଡା,
ଅନ୍ୟ ହାତେ ସଭିଙ୍କ ପାପର ଦଲିଲ୍।
ସ୍ଵାର୍ଥ ଓ ଭୟର ଶିଉଳିରେ ଚକ ନଖସିଲେ
ତୁ ଜଳିଯିବୁ,
ଜଳିଯିବ ତୋର ସବୁ ସଇତାନପଣ
ଆଉ ତୋ ପାଉଁଶରୁ ପୁଣି ସୃଷ୍ଟିହେବ
ଗୋଟେ ସ୍ଵପ୍ନୀଳ ପୃଥିବୀ।
ମେଞ୍ଚାମେଞ୍ଚା ସ୍ନେହ, ପ୍ରେମ ଓ ଆବିଳତାରେ
ଯୋଡ଼ି ହୋଇଯିବେ ଛିଡିଯାଇଥିବା ହୃଦୟ ମାନେ
ଆଉ ଅହିଂସା ଶିଖାରେ ଜଳିଯିବ
ଅୟୁତ ଅୟୁତ ଦୁଃଖ.....