STORYMIRROR

Prabina kumar Kabi

Others

2  

Prabina kumar Kabi

Others

ଦେବୀ ଆସୁଛନ୍ତି!!

ଦେବୀ ଆସୁଛନ୍ତି!!

1 min
14.5K


କଣ କହିଲ ?

ଦେବୀ ଆସୁଛନ୍ତି!

ଏଇନେତ ଛାଡ଼ିଆସିଥିଲି ତାଙ୍କୁ,

ସେ ନଇପାରି ବୁଦ୍ଧାଶ୍ରମରେ,

ନଈରେ ତ ‘ତିତିଲି'ର ଭରାପାଣି,

କେମିତି ଆସିଲେ ଯେ!



ବଡ ଅଦ୍ଭୁତ ଏ ଦେବୀ!

ଥରେ ଆସିଥିଲେ ଅର୍ଦ୍ଧାଙ୍ଗିନୀ ସାଜି,

ମୋ ସୁପ୍ତ ପୁରୁଷାର୍ଥକୁ ଜାଗ୍ରତ କରିବା ପାଇଁ,

ସେଦିନବି ହତ୍ୟା କରିଥିଲି ତାଙ୍କୁ,

ତାଙ୍କ ଆଶାକୁ, ଅଭିଳାଷାକୁ।

ତାଙ୍କର ସ୍ୱପ୍ନର ଆକାଶକୁ ଭିଡିଆଣି,

ଅଚିରରେ ବାନ୍ଧିଦେଇଥିଲି,

କର୍ତ୍ତବ୍ୟର ଶକ୍ତଶିକୁଳିରେ,

ସ୍ବୀକାର କରିଥିଲେ ସେ,

ନୀରବରେ, ନିର୍ଦ୍ବନ୍ଦରେ।



ପୁଣି ଆସିବେ ଜାଣିଲି।

ଏଥର ଜନ୍ମପୂର୍ବରୁ ହିଁ,

ଶେଷକରିଦେଲି ମାତୃଗର୍ଭରୁ,

ଟିକେ ନିଆଁପାଇଁ,

ଟିକେ ପାଣିପାଇଁ,

ମିଛ ଅହମିକା ପାଇଁ।

ତଥାପି ସେ ଆସିଲେ,

ଖାଲି ଆସିଲେନି,

ସାର୍ଥକ କଲେ ମୋ ବାପପଣିଆକୁ।



ଶେଷରେ ଆସିଲେ ଦୀପଟିଏ ହୋଇ,

ଅନ୍ଧାରଚିରି, ନିଜେଜଳି,

ଜୀବନତମାମ୍ ମତେ ଆଲୋକିତ କଲେ,

ସବୁ ଯନ୍ତ୍ରଣାକୁ ଅମୃତସମ ପିଇନେଇ,

ଆଶୀର୍ବାଦର ହାତଥୋଇଦେଲେ,

ମୋ ମଥାଉପରେ।


ସେ ହାତ କିନ୍ତୁ,

ଦାୟିତ୍ବ ବୋଧହେଲା ମତେ,

ହାତ କାଢି ଥୋଇଦେଇଥିଲି ସେ ବୁଦ୍ଧାଶ୍ରମରେ,

କେମିତି ଆସିଲେ ଯେ!



ପାରି ହେବନି ତାଙ୍କୁ,

ଏଥର ଆସିଲେ କିନ୍ତୁ କହିବି,

ଆଉ ମୁ ନଷ୍ଟକରିପାରିବିନି,

ତାଙ୍କ ଅସ୍ତିତ୍ବକୁ, ସେ ତ ସ୍ରଷ୍ଟା-ସୃଷ୍ଟି ଉଭୟ,

ପାରିବେତ ନଷ୍ଟକରିଦିଅନ୍ତୁ,

ମୋ ବିକଳାଙ୍ଗ ପୌରୁଷର

ବିକଳ ମାନସାଙ୍କକୁ,

ଆଉ,ସୃଷ୍ଟି କରନ୍ତୁ,

ମାନବତାର ନୂତନ ସଂଜ୍ଞା.....l


-ପ୍ରବୀଣ କୁମାର କବି

ସମ୍ପାଦକ,“ବଣମଲ୍ଲୀ"

ଅଧ୍ୟାପକ, ପତିତପାବନ ମହାବିଦ୍ୟାଳୟ

ମଦନପୁର, କେନ୍ଦୁଝର

ଫୋନ ନଂ-୭୬୦୯୦୭୭୦୨୩


Rate this content
Log in