ଦେବୀ ଆସୁଛନ୍ତି
ଦେବୀ ଆସୁଛନ୍ତି
କଣ କହିଲ
ଦେବୀ ଆସୁଛନ୍ତି!
ଏଇନେ ତ ଛାଡ଼ିଆସିଥିଲି ତାଙ୍କୁ
ସେ ନଈ ପାରି ବୁଦ୍ଧାଶ୍ରମରେ,
ନଈରେ ତ ‘ତିତିଲି'ର ଭରାପାଣି
କେମିତି ଆସିଲେ ଯେ!
ବଡ ଅଦ୍ଭୁତ ଏ ଦେବୀ!
ଥରେ ଆସିଥିଲେ ଅର୍ଦ୍ଧାଙ୍ଗିନୀ ସାଜି
ମୋ ସୁପ୍ତ ପୁରୁଷାର୍ଥକୁ ଜାଗ୍ରତ କରିବା ପାଇଁ,
ସେଦିନ ବି ହତ୍ୟା କରିଥିଲି ତାଙ୍କୁ,
ତାଙ୍କ ଆଶାକୁ, ଅଭିଳାଷକୁ।
ତାଙ୍କର ସ୍ୱପ୍ନର ଆକାଶକୁ ଭିଡିଆଣି
ଅଚିରରେ ବାନ୍ଧିଦେଇଥିଲି
କର୍ତ୍ତବ୍ୟର ଶକ୍ତଶିକୁଳିରେ,
ସ୍ଵୀକାର କରିଥିଲେ ସେ
ନୀରବରେ, ନିର୍ଦ୍ବନ୍ଦରେ।
ପୁଣି ଆସିବେ ଜାଣିଲି।
ଏଥର ଜନ୍ମ ପୂର୍ବରୁ ହିଁ
ଶେଷ କରିଦେଲି ମାତୃ ଗର୍ଭରୁ
ଟିକେ ନିଆଁ ପାଇଁ,
ଟିକେ ପାଣି ପାଇଁ,
ମିଛ ଅହମିକା ପାଇଁ।
ତଥାପି ସେ ଆସିଲେ
ଖାଲି ଆସିଲେନି,
ସାର୍ଥକ କଲେ ମୋ ବାପ ପଣିଆକୁ।
ଶେଷରେ ଆସିଲେ ଦୀପଟିଏ ହୋଇ
ଅନ୍ଧାର ଚିରି, ନିଜେ ଜଳି
ଜୀବନ ତମାମ୍ ମତେ ଆଲୋକିତ କଲେ,
ସବୁ ଯନ୍ତ୍ରଣାକୁ ଅମୃତସମ ପିଇନେଇ
ଆଶୀର୍ବାଦର ହାତ ଥୋଇଦେଲେ
ମୋ ମଥା ଉପରେ।
ସେ ହାତ କିନ୍ତୁ
ଦାୟିତ୍ଵ ବୋଧହେଲା ମତେ
ହାତ କାଢି ଥୋଇଦେଇଥିଲି ସେ ବୁଦ୍ଧ ଶ୍ରମରେ,
କେମିତି ଆସିଲେ ଯେ!
ପାରି ହେବନି ତାଙ୍କୁ,
ଏଥର ଆସିଲେ କିନ୍ତୁ କହିବି
ଆଉ ମୁଁ ନଷ୍ଟ କରି ପାରିବିନି
ତାଙ୍କ ଅସ୍ତିତ୍ଵକୁ, ସେ ତ ସ୍ଵୟଂ ସୃଷ୍ଟି ଆଉ ସ୍ରଷ୍ଟା
ପାରିବେ ତ ନଷ୍ଟ କରିଦିଅନ୍ତୁ
ମୋ ବିକଳାଙ୍ଗ ପୌରୁଷର
ବିକଳ ମାନସାଙ୍କକୁ,
ଆଉ,ସୃଷ୍ଟି କରନ୍ତୁ
ମାନବତାର ନୂତନ ସଂଜ୍ଞା.....।
ପ୍ରବୀଣ କୁମାର କବି
ସମ୍ପାଦକ,“ବଣମଲ୍ଲୀ"
ଅଧ୍ୟାପକ, ପତିତପାବନ ମହାବିଦ୍ୟାଳୟ
ମଦନପୁର, କେନ୍ଦୁଝର
ଫୋନ ନଂ-୭୬୦୯୦୭୭୦୨୩