ବାପାଙ୍କ ଚପଲ
ବାପାଙ୍କ ଚପଲ
ଦିନ ତମାମ
ଦାନା କନାର ସଂଘର୍ଷରେ
ଜରାଜୀର୍ଣ୍ଣ ହୋଇ ସାରିଥିଲେ ବି
ମୋ ବାପାଙ୍କ
ଭାରି ବିଶ୍ଵସ୍ତ ସଖାଟେ ସେ ।
ସେଇଥି ପାଇଁ ତ
ବାପାଙ୍କ ସହ
ପ୍ରତିଦିନ ସକାଳୁ
ବାହାରି ପଡ଼େ
କର୍ମ ଭୂମି ଅଭିମୁଖେ ।
ନିଜର ପରବାୟ ନ କରି
ବାପାଙ୍କ ଦଦରା
ଫାଟୁଆ ପାଦ ଯୋଡାକୁ
କଷ୍ଟ ଦେବା ଆଗରୁ
ସେ ଦେଖେଇ ଦିଏ
ତା’ ପିଠିଟିକୁ
କେତେ ଯେ ଗୋଡ଼ି, ମାଟି, କଣ୍ଟା
ଆଉ ପଥର ଉପରେ ।
ଗ୍ରୀଷ୍ମର ତତଲା ତାୱାରେ
ସେ ସିଝି ଚାଲେ
ଶୀତରେ ବରଫ ପାଲଟେ
ଆଉ ବର୍ଷାରେ କାଦୁଅ ସବୁକୁ
ସର୍ବାଙ୍ଗରେ ବୋଲି ହେଇ
ସେ ବାପାଙ୍କ ପାଦକୁ ସୁରକ୍ଷା ଦିଏ ।
ବୋଧେ ସେଇଥି ପାଇଁ
ସେଇ ପୁରୁଣା ବଦଳରେ
ଗୋଟେ ନୂଆ ଆଣିବାର
ହଜାରେ ବରାଦକୁ ବି ବାପା
ଏଡାଇ ଦେଇ
ବାହାରି ଯାଆନ୍ତି ଫି’ ଦିନ ସକାଳେ ।