ତାରୁଣ୍ଯ
ତାରୁଣ୍ଯ
●●●●●●●●●●●●●●●●
ପଙ୍କଜିନୀ ଉପାଧ୍ଯାୟ ( ମିତା )
●●●●●●●●●●●●●●●●
ଅରଙ୍ଗାବାଦ
●●●●●●●●●
ଶୈଶବ ସମୟ ଅମୃତରେ ଭରା
ଛନ୍ଦ କପଟତା ହୀନ
ହସ ରସ ବାସ ସରସ ସୁନ୍ଦର
କିଣେ ସମସ୍ତଙ୍କ ମନ।
ସୂର୍ଯ୍ୟଙ୍କ ଉଦୟ ବାଳକ ସମୟ
ଜାଣିବା ଇଚ୍ଛା ପ୍ରବଳ
କ୍ରମେ ଇଚ୍ଛାବଢେ ଖୋଜଇ ସବୁଠି
ମିଳେ ଖୋଜିବାର ଫଳ।
ବାଳକରୁ କ୍ରମେ ହୁଏ ସେ ତରୁଣ
ସୁନ୍ଦରତା ତନୁମନ
ଦିବ୍ୟ ଶୋଭାବଢେ ସ୍ବପ୍ନମୟ ହୁଏ
ତାରୁଣ୍ଯ ତରୁଣପଣ।
ଦିବ୍ଯ ଆଲୋକରେ ଉଦ୍ଭାସିତ ତନୁ
ବିକଶିତ ମନ ପ୍ରାଣ
ଦୁଲ୍ଲଭ ଦରବ ମନ ଖୋଜୁଥାଏ
ଖୋଜିବାର ଗୋଟେ ପଣ।
ପିଲାଟି ବେଳରୁ ପିତା ମାତା ଠାରୁ
ଆଉ ପରିବେଶ ଶିକ୍ଷା
ସେ ଛାପ ପ୍ରଭାବ ଜୀବନ ପ୍ରବାହ
ତାରୁଣ୍ଯରେ ତା'ପରୀକ୍ଷା।
ତାରୁଣ୍ଯର ଗତି ବଡ ବେଗଗାମୀ
ସାଗର ଲହଡି ସମ
ମାନେନା ବନ୍ଧନ ଦୃତେ ସେ ଗମନ
ଗତି ତା ଅପରିସୀମ।
ସୁସଂସ୍କାର ତା'ର ଗଜମୋତି ହାର
ସୁପଥେ ଉଦବେଳିତ
ଧନ ଜନ ଲକ୍ଷ୍ମୀ ବାନ୍ଧି ପାରେ ନାହିଁ
କାର୍ଯ୍ୟରେ ଅବିଚଳିତ।
ମହାନ କର୍ତ୍ତବ୍ୟ ଗୁରୁଜନେ ଆଗ
ଦେଖାଅ ତାରୁଣ୍ଯେ ପଥ
ଜୀବନେ ନଦେଉ ଅବାଟରେ ପାଦ
ବୁଝୁ ସୁପଥ କୁପଥ।
ନିଜର ଆଦର୍ଶ କରି ସମାଦର୍ଶ
ଢାଳିବା ଆଦର ନୀର
ମାନବବାଦର ପଲ୍ଲବିତ ତରୁ
ସଫଳ ତାରୁଣ୍ଯ ତା'ର।
ସବୁ ସଦ୍ ଗୁଣ ମମତ୍ବର ପଣ
ତାରୁଣ୍ଯେ ଫୁଟିବ ଫୁଲ
ସମାଜ ଚେତନା ସେବାତ୍ଯାଗ କଥା
ଦେବ ମମତାର ମୂଲ।
ତାରୁଣ୍ଯ ଆସିବ ପ୍ରତିଟି ଜୀବନେ
ତାରୁଣ୍ଯ ପରୀକ୍ଷା ବେଳ
ତାରୁଣ୍ଯେ ସଫଳ ମାନସର ପ୍ରାଣ
ଜୀବନେ ନୁହଁ ଦୁର୍ବଳ।
ତାରୁଣ୍ଯ ସମୟ ତାମ୍ରମୟ ସୂର୍ଯ୍ୟ
ପ୍ରତୀଚୀ ଆକାଶେ ଶୋଭା
ମାନବ ତାରୁଣ୍ଯ ସଫଳ ହୋଇଲେ
ସଂସାରେ ଆଲୋକ ଆଭା।
ସମୟକୁ ଦେବା ସୁଷମ କାମରେ
ଶୈଶବୁ ଶିକ୍ଷା ଆଲୋକ
ମରତ ହୋଇବ ସରଗ ସମାନ
ପାଇ ସତ୍ୟ ସୂର୍ଯ୍ୟାଲୋକ।
ପ୍ରଣାମ କରିବା ସମଦର୍ଶୀ ସୂର୍ଯ୍ୟେ
କରି ଦିବ୍ଯ ଆବାହନ
ତାରୁଣ୍ଯ ଜାଗିଲେ ସଂସାର ବୃକ୍ଷରେ
ସୁଶାନ୍ତି ବିରାଜମାନ।