STORYMIRROR

Gyanendriya Dash

Others

4  

Gyanendriya Dash

Others

ନବଦୁର୍ଗା

ନବଦୁର୍ଗା

1 min
369


ଆଶ୍ୱିନ ମାସର ଶୁକ୍ଳ ପ୍ରତିପଦା

ଠାରୁ ନବମୀ ପର୍ଯ୍ୟନ୍ତ ।

ମାଆଁ ଦୁର୍ଗାଙ୍କର ନବରୂପା ଶକ୍ତି

ପାର୍ବଣର ଦିବ୍ୟ କାନ୍ତ ।୧।

ଆଦିଶକ୍ତିଙ୍କର ପ୍ରଥମ ସ୍ୱରୂପା

ଶୈଳପୁତ୍ରୀ ଉପାସନା ।

ମୂଳାଧାର ଚକ୍ରେ ଅବସ୍ଥାନ କରି

ଭକ୍ତ କରେ ଆରାଧନା ।୨।

ଦ୍ଵିତୀୟ ଦିବସେ ମାଁ ବ୍ରହ୍ମଚାରିଣୀ

ପୁଣି ଅପର୍ଣ୍ଣା ଓ ଉମା ।

ଅବସ୍ଥାନେ ଭକ୍ତ ସ୍ବାଧିଷ୍ଠାନ ଚକ୍ରେ

ଗାଏ ତାଙ୍କର ମହିମା ।୩।

ଉଗ୍ରରୂପୀ ଦେବୀ ଚିତ୍ରଘଣ୍ଟା ମାତା

ତୃତୀୟେ ସିଂହବାହିନୀ ।

ଅସ୍ତ୍ରଶସ୍ତ୍ର ଧରି ଦଶଭୁଜା ମାଗୋ

ସଂସାରେ ସୁଖଦାୟିନୀ ।୪।

ଚତୁର୍ଥରେ ମାଗୋ କୁଷ୍ମାଣ୍ଡା ରୂପରେ

ହସରୁ ବ୍ରହ୍ମାଣ୍ଡ ସୃଷ୍ଟ ।

କମଣ୍ଡଳୁ, ଧନୁ, କମଳ, କଳସ

ଚକ୍ର, ଗଦା ହାତେ ସ୍ପଷ୍ଟ ।୫।

ପଞ୍ଚମ ଦିବସେ ସ୍କନ୍ଦମାତା ରୂପେ

କୁମାର କାର୍ତ୍ତିକ ମାତ ।

ଷଷ୍ଠରେ ମାଁ ଦୁର୍ଗା କାତ୍ୟାୟନୀ ରୂପେ

ଜଗତେ ଅଟ ବିଖ୍ୟାତ ।୬।

ସପ୍ତମ ଦିବସେ କାଳରାତ୍ରୀ ଦେବୀ

ତ୍ରିନେତ୍ର ଧାରିଣୀ ମାତା ।

ଲୌହ ଖଡ୍ଗ ଧରି ବିକଟାଳ ରୂପେ

ଜଗତ ଭାଗ୍ୟବିଧାତା ।୭।

ମହାଗୌରୀ ଶ୍ଵେତ ବସ୍ତ୍ର ପରିହିତା

ଅଷ୍ଟମ ରୂପରେ ମାତା ।

ନବମ ଦିବସେ ସିଦ୍ଧିଦାତ୍ରୀ ରୂପେ

ପୂଜା ପା'ନ୍ତି ପଦ୍ମାସିତା ।୮।

ଜୟ ଜୟ ମାଗୋ ଦୁର୍ଗତିନାଶିନୀ

ଦେବୀ ମହିଷାମର୍ଦ୍ଦିନୀ ।

ନବରାତ୍ରେ ନବ ଦୁର୍ଗାରୂପ ଧରି

ପାଳୁଛ ମାଁ ଏ ମେଦିନୀ ।୯।

     


Rate this content
Log in