ଧ୍ରୁବ
ଧ୍ରୁବ
ଜନ୍ମ-
ଅନୁମତି ଲୋଡ଼ା ନାହିଁ,
ଆଲୁଅକୁ ଆସିବା ନିମିତ୍ତ-
ସ୍ରଷ୍ଟାଙ୍କ ଶ୍ରେଷ୍ଠ ଆଶୀର୍ବାଦ।
ପିତା-ମାତା-
ପ୍ରାର୍ଥନା ନ କରି ବି ମିଳେ,
ଅଯାଚିତ ଅନାବିଳ ସ୍ନେହ-
ବିକଳ୍ପ ବିହୀନ ସେ ଅମୂଲ୍ୟ ସମ୍ପଦ।।
ଆୟୁଷ-
ତଳଆଡୁ ଗଣିଗଣି ଗଢାହୁଏ
ବୟସର ଛୋଟ ହୁଙ୍କାଟିଏ
ସୂଚକ ସେ ଜୀବନକାଳର,
ଓଲଟା ବି ଗଣାଯାଏ
ଜାଣିବାକୁ ଦୁନିଆରେ
ବାକିଥିବା ଦିନ ଜୀବନର।।
ସମୟ-
ଚାଲ ବା ନ ଚାଲ ତମେ ,
ବାଟ ଏଠି ଚାଲେ ଅବିରତ-
ଗତି ତାର ଅବିଶ୍ରାନ୍ତ।
ଅତୀତ-
ଛାଡ଼ କି ନ ଛାଡ଼ କିଛି,
ରହିଯାଏ ସର୍ବସ୍ବ ପଛରେ-
ସେ ଅପରିତ୍ୟକ୍ତ।।
ମୃତ୍ୟୁ-
ଅଭିସାର କର ବା ନ କର
ଅତିଥି ସେ ସ୍ଥିତପ୍ରଜ୍ଞ
ଆଗମନ ପୂର୍ବ ନିର୍ଦ୍ଧାରିତ,
କହିପାର ଶେଷଗତି ତାକୁ ,
ଏକମାତ୍ର ଚିରନ୍ତନ ସତ୍ୟ ସେଇ
ସୁଶୀତଳ ସ୍ପର୍ଶ ତାର ନିଶବ୍ଦ-ଶାଶ୍ୱତ।।
------------