ସ୍ରଷ୍ଟାର ସୃଷ୍ଟି
ସ୍ରଷ୍ଟାର ସୃଷ୍ଟି
ସ୍ରଷ୍ଟା କରେ ସୃଷ୍ଟି ନିଜସ୍ୱ ଶୈଳୀରେ
ସାହିତ୍ୟ କଳା ସଂସ୍କୃତି ସଙ୍ଗୀତ
କେତେ ରକମର କଳାର ଚାତୁରେ
ଆଙ୍କି ଦିଏ ନିଜସ୍ୱ ଭାଵରୁ ଚିତ୍ର ।
ଯେତେବେଳେ ସ୍ରଷ୍ଟା କରିଥାଏ ସୃଷ୍ଟି
ଭାବନା କେତେ ଜାଗେ ମନରେ
ସେ ଭାଵନାକୁ ସେ ଆଙ୍କି ଦେଇ ଥାଏ
ତା’ କଳ। ଯାଦୁର ରୂପ ଶୈଳୀରେ ।
ଲେଖନୀରେ ହେଉ ବା ତୁଳୀରେ ହେଉ
ସ୍ବର ତାଳ ହେଉ ବା ନୃତ୍ୟରେ
ଫୁଟାଇବାକୁ ସେ ଚେଷ୍ଟା କରିଥାଏ
କେତେ ସୁନ୍ଦର ପ୍ରାଞ୍ଜଳ ଭାବରେ ।
ଯେତେବେଳେ ସୃଷ୍ଟି ହୁଏ ତରଙ୍ଗାୟିତ
ଜନ ମାନସର ସମୁଖରେ
ସେହି ଜନତା ହିଁ ପରଖି ବସନ୍ତି
କେତେ ଛୁଇଁଛି କାହା ହୃଦୟରେ ।
ହୃଦୟକୁ ଯଦି ପାରିଲା ସେ ଛୁଇଁ
ସ୍ରଷ୍ଟା ପାଇଯାଏ ତାର ସ୍ୱୀକୃତି
ଆହୁରି ଆଗକୁ ବଢି ଚାଲିବାକୁ
ସଦା ନେଇ ଚାଲେ ମନେ ନିଷ୍ପତ୍ତି ।।
ଅମ୍ବିକା ସ୍ୱାଇଁ