ଉପୁରି
ଉପୁରି
ପର୍ଶୁରାମ ପାଣି ସ୍କୁଟରରେ ଯାଉ ଯାଉ ପେଟ୍ରୋଲ୍ ପମ୍ପ ନିକଟରେ ବିଷ୍ଣୁ ବାବୁ ବିଷର୍ଣ୍ଣ ମୁହଁରେ ଠିଆ ହୋଇଥିବାର ଦେଖି ତାଙ୍କ ପାଖରେ ଗାଡ଼ି ଅଟକାଇ ପଚ଼ାରିଲା, " ସାର୍ ଏଠି କାହିଁକି ଏପରି ମନ ଦୁଃଖରେ ଠିଆ ହୋଇଛନ୍ତି ।"
ପାଣିକୁ ଦେଖି ବିଷ୍ଣୁ ବାବୁଙ୍କ ବିଷର୍ଣ୍ଣ ମୁହଁଟା ପୁରା ଖୁସିରେ ଉତ୍ଫୁଲିତ ହୋଇ ଉଠିଲା । ସେ ହସ ହସ ମୁହଁରେ କହିଲେ, " ଆରେ ପାଣି, ତତେ ତ ମୁଁ ମନେ ମନେ ଖୋଜୁଥିଲି । ଯାହା ହେଉ ଠିକ୍ ବେଳାରେ ଦେଖା ହୋଇଗଲା । ମୁଁ ପରା ଏ ଯାଏ କିଛି ଖାଇନି ରେ । "
ପାଣି ଆଶ୍ଚର୍ଯ୍ୟ ହୋଇଯାଇ କହିଲା," ସାର୍ ଏ କି କଥା ? ଦିନ ଆସି ୧୧ଟା ବାଜିଲାଣି ଆପଣ ଏଯାଏ କିଛି ଖାଇ ନାହାନ୍ତି କାହିଁକି ?"
ବିଷ୍ଣୁ ସାର୍ ସ୍କୁଟର ପଛ ସିଟ୍ ରେ ବସିପଡ଼ି କହିଲେ," କେମିତି ଖାଇ ଥାଆନ୍ତି କହିଲୁ ? ଏ ଯାଏ ପରା କେହି ବି ଜୁଟି ନ ଥିଲେ । ଚ଼ାଲ୍ ଗୋଟେ ଭଲ ଜଳଖିଆ ଦୋକାନକୁ ଯିବା, ମୁଁ ଆଗ ଖାଇବି ତାପରେ ସାଙ୍ଗ ହୋଇ ଅଫିସକୁ ଯିବା ।"
ପାଣି ବାଧ୍ୟ ହୋଇ ସେହି ପାଖରେ ଥିବା ଗୋଟେ ଜଳଖିଆ ଦୋକାନ ସାମ୍ନାରେ ସ୍କୁଟର ବ୍ରେକ୍ ମାରିଲା ।
ବିଷ୍ଣୁ ସାର୍ ତରତର ହୋଇ ଜଳଖିଆ ଦୋକାନ ଭିତରକୁ ପଶିଯାଇ କହିଲେ, " ଆରେ ତୁ ଖାଇଛୁ ନା ନାଇଁ ? ଆସେ ସାଙ୍ଗ ହୋଇ ଖାଇବା ।"
ପାଣି କହିଲା," ନାଁ ସାର୍ ମୁଁ ଏବେ ସଙ୍ଗେ ସଙ୍ଗେ ଘରୁ ଖାଇକି ଆସିଲି, ଆପଣ ଖାଆନ୍ତୁ ।"
ବିଷ୍ଣୁ ସାର୍ ଆଉ କିଛି ନ କହି ବିଭିନ୍ନ ପ୍ରକାରର ଜଳଖିଆ ମଗାଇ ଖାଇ ଚ଼ାଲିଲେ । ତାଙ୍କ ଖାଇବା ଭଙ୍ଗୀରୁ ଜଣା ଯାଉଥିଲା ସେ ଖୁବ୍ ଭୋକିଲା ଥିଲେ ବୋଲି ।
ପାଣି ଜଣେ ସ୍ୱଳ୍ପ ବେତନ ଭୋଗୀ ତଳିଆ କର୍ମଚାରୀ । କିନ୍ତୁ ବିଷ୍ଣୁ ବାବୁ ଜଣେ ଖୁବ୍ ଉଚ୍ଚ ପଦସ୍ଥ ଅଧିକାରୀ ଓ ସେ ମୋଟା ଅଙ୍କର ଦରମା ପାଆନ୍ତି । କିନ୍ତୁ ପାଣି ଜାଣେ ଏବେ ବିଷ୍ଣୁ ସାର୍ ଖାଉଥିବା ଜଳଖିଆର ବିଲ୍ ତାକୁ ହିଁ ଦେବାକୁ ହେବ । ପୂର୍ବରୁ ବହୁବାର୍ ଏମିତି ହୋଇଛି ମଧ୍ୟ । ସେ କେବଳ ଏକା ନୁହେଁ, ତାଙ୍କ ଅଫିସର ଅନ୍ୟ କର୍ମଚାରୀ ମାନଙ୍କ ଏପରି ଦଶା ମଧ୍ୟ ବହୁବାର ହୋଇଛି ।
ଖରାବେଳେ ଲଞ୍ଚ୍ ପାଇଁ ଗଳେ ବିଷ୍ଣୁ ସାର୍ ଙ୍କ ହାବୁଡ଼ରେ ପଡ଼ିଯିବେ, ସେ ଭୟରେ କିଛି ତର୍ମଚ଼ାରୀ ଲୁଚ଼ିକି ପଳାନ୍ତି ମଧ୍ୟ । କାହାର ଯଦି ଭାଗ୍ୟ ଖରାପ ହୋଇଥିବ, ତାହେଲେ ଲୁଚ଼ିକି ଯିବାବେଳେ ପଛରୁ ବିଷ୍ଣୁ ସାର୍ ଡ଼ାକି ଦିଅନ୍ତି ଆଉ ସେ ତାଙ୍କୁ ହୋଟେଲରେ ନେଇ ଖାଦ୍ୟ ଖୁଆଇବାକୁ ବାଧ୍ୟ । ଦିନେ ଦିନେ ଅଫିସରେ ପହଞ୍ଚୁ ପହଞ୍ଚୁ ବିଷ୍ଣୁ ସାର୍ ଆଗୁଆ ବି କହିଦିଅନ୍ତି ଆଜି ଲଞ୍ଚ୍ ଦେବା ପାଳି କାହାର । ବିଷ୍ଣୁ ସାର୍ ଖାଇବାରେ ଖୁବ୍ ଓସ୍ତାଦ୍ । ନିଜ ପକେଟରୁ ଟଙ୍କା ଯିବାର ନଥିବାରୁ ସେ ମନଭରି ଖାଆନ୍ତି । ଥରେ ଅଫିସ୍ ର ସବୁ କର୍ମଚ଼ାରୀ ମିଶି ଭୋଜି କଲେ । ଉକ୍ତ ଭୋଜିରେ ବିଷ୍ଣୁ ବାବୁ କିଛି ପଇସା ଦେଇ ନଥିଲେ । ସବୁ କର୍ମଚ଼ାରୀଙ୍କ ବସ୍ ହୋଇଥିବା ହେତୁ ତାଙ୍କୁ ପଇସା ମାଗିବ ବା କିଏ ? କିନ୍ତୁ ସେ ଭୋଜିରେ ବହେ ଖାସି ମାଂସ ସହ କିଛି ମାଛ ମୁଣ୍ଡ ଏପରି ଭାବରେ ବିଷ୍ଣୁ ସାର୍ ଖାଇଲେ, ସେଦିନ ସଂଧ୍ୟାରେ କଟକ ବଡ଼ ଡ଼ାକ୍ତରଖାନାରେ ଆଡ଼ମିଶନ ହେଲେ । ପାଖାପାଖି ୧୫ ଦିନ୍ ଲାଗିଲା ତାଙ୍କୁ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଡ଼ାକ୍ତରଖାନାରୁ ଫେରିବାକୁ । ପ୍ରଥମେ ପ୍ରଥମେ ଅବସ୍ଥା ଏତେ ଗୁରୁତର ହୋଇଥିଲା , ସମେସ୍ତେ ଆଶା ବି ଛାଡ଼ିଦେଇଥିଲେ ।
ଅଫିସରେ ଯାହାର ଫାଇଲ୍ କାର୍ଯ୍ୟ ହେବ ସେଥିପାଇଁ ମଧ୍ୟ ବିଷ୍ଣୁ ସାର୍ କିଛି ନିୟମ ଧାର୍ଯ୍ୟ କରିଛନ୍ତି । ହରେକମାଲ୍ ପରି ପ୍ରତି ଦସ୍ତଖସ୍ତର ମୂଲ୍ଯ ଦୁଇଶତ ଟଙ୍କା ଧାର୍ଯ୍ୟ କରିଛନ୍ତି । ଜଣଙ୍କ ଫାଇଲରେ ଯଦି ପାଞ୍ଚଟି ଦସ୍ତଖତ ଦରକାର ତେବେ ତାକୁ ଏକ ହଜାର ଟଙ୍କା ଦେବାକୁ ହୁଏ । ପାଣି ମଧ୍ୟ ପୂର୍ବ ରୁ ବହୁବାର ବିଷ୍ଣୁ ସାର୍ ଙ୍କ ଦସ୍ତଖତ ନେଇ ତା' ବାବଦକୁ ତାଙ୍କୁ ଟଙ୍କା ଦେଇଛି ।
ଜଳଖିଆ ଖାଇ ସାରିବା ପରେ ଉଭୟ ସ୍କୁଟରରେ ବସି ଅଫିସକୁ ବାହାରିଲେ । ବାଟରେ ଯାଉ ଯାଉ ହଠାତ୍ ପାଣି ବିଷ୍ଣୁ ସାରଙ୍କୁ ପଚ଼ାରିଲା ," ସାର୍ ଆପଣଙ୍କର ଚାକିରୀରୁ ଅବସର ନେବାକୁ ଆଉ କେତେ ବର୍ଷ ଅଛି ? "
ବିଷ୍ଣୁ ସାର୍ ଖୁବ୍ ବିଷର୍ଣ୍ଣ ମନରେ କହିଲେ," କାହିଁକି ସେକଥା ପଚ଼ାରୁଛୁ - ଆଉ ବର୍ଷ କେଉଁଠି ଅଛି, ମୁଁ ପରା ଆଉ ଦୁଇ ମାସ ପରେ ଅବସର ନେବିରେ । "
ପାଣି ଆଉ କିଛି କହିବା ଉଚିତ୍ ହେବନି ବୋଲି ଚିନ୍ତାକରି ମନେ ମନେ ଭାବିଲା - ଏ ଶଳାଟା ଅବସର ନେବା ପରେ ଉପୁରି ପାଉଥିବା ଟଙ୍କା ଓ ଖାଦ୍ୟ ସବୁକୁ ଝୁରିଝୁରି ଖୁବ୍ ଶିଘ୍ର ନିଶ୍ଚେ ମରିଯିବ ।