ଉଦ୍ଦୀପନା
ଉଦ୍ଦୀପନା
ପିଲାଟି ବାଣ ଦୋକାନରୁ ଆସିବାକୁ ନାରାଜ ଥିଲା ବେଳେ ମାଆ ତାକୁ ଲାଗିପଡି ରାଜି କରୁଥିଲା ଘରକୁ ଫେରିଯିବାକୁ. ପିଲାଟି କିନ୍ତୁ ଉଦ୍ଦୀପନାରେ ବାଣ ସାଜସଜ୍ଜାରେ ଦୋକାନ ଭିତରେ ଏମିତି ମଜ୍ଜି ହଜି ଯାଇଥିଲା ଯେ ମାଆ କଥାକୁ କର୍ଣ୍ଣପାତ ନକରି ପିଲାଟି ଦୋକାନରେ ସୁନ୍ଦର ଭାବେ ସୁସଜ୍ଜିତ ହୋଇ ରଖାଯାଇଥିବା ବାଣ ପ୍ୟାକେଟ ସବୁକୁ ଚାହିଁ ରହିଥିଲା ବେଳେ ପିଲାଟିକୁ ମାଆ କହିପାରୁନଥିଲା ଯେ ଏହି ବାଣ ବାନ୍ଧୁଥିବା ଅବସ୍ଥାରେ ବାଣ ଫାଟି ଦୋକାନରେ ବିସ୍ଫୋରଣ ହେବା ଫଳରେ ତୋ ବାପାଙ୍କ ଜୀବନ ଦୀପ ଲିଭିଯାଇଥିଲା. ଏକଥା କହିଲେ ପୁଅ ଏ ବୟସରେ ହୁଏତ ବିଶ୍ୱାସ କରିବ ନାହିଁ. ବାଣ ଫୁଟେଇ ସମସ୍ତେ ମଜା ନେଉଥିଲା ବେଳେ ବାଣ ପାଇଁ ତା ବାପା ସଜା ପାଇ ଆକାଶର ତାରା ହୋଇଗଲେ ବୋଲି ବିଶ୍ୱାସ କରିବାର ବେଳ ନଥିଲା ଏଇଟା. ସହଜେ ମାଆ ପାଖରେ ବାଣ କିଣିଦେବା ପାଇଁ ପଇସା ମଧ୍ୟ ନଥିଲା.ମାଆଟି କେବଳ ଉଦ୍ଦୀପନାରେ ଅତୀତ ରୋମନ୍ଥନ କରୁଥିଲା ମନେ ମନେ.
ହଠାତ ପିଲାଟି ଘରକୁ ଫେରିବାକୁ ରାଜି ହୋଇ ଯାଇ ମାଆ ହାତ ଭିଡୁଥିଲା ତ ମାଆ କାଳୀମାଆଙ୍କୁ ଦଣ୍ଡବତ କରି ଦୀପ ଓ ତେଲ କିଣି ପୁଅକୁ ନେଇ ଘରକୁ ଫେରିବା ପରେ ପୁଅ ହାତରେ ଫୁଲଝରି ବାଣ ପ୍ୟାକେଟ ଦେଖି ବୁଝିଗଲା ସବୁ କିନ୍ତୁ ପୁଅ ମାନିବାକୁ ନାରାଜ. ମାଆ କିଣିଦେଇନଥିବା ଅବା ଦୋକାନୀ ବାକିରେ କୌଣସି ବାଣ ଦେଇନଥିବା ବେଳେ ଦୋକାନ ସାରା ସଜା ହୋଇଥିବା ସୁନ୍ଦର ସୁନ୍ଦର ମଡେଲମାନଙ୍କ ଭିତରୁ ସେଇ ପୁରୁଷ ମଡେଲ ହାତରେ ଥିବା ଏଇ ଫୁଲଝରି ବାଣ ପ୍ୟାକେଟ ସେଇ ପୋଟ୍ରେଟଟି ନିଜେ ପିଲାଟି ହାତକୁ ପ୍ୟାକେଟଟି ବଢ଼େଇଦେଇଥିଲା ବୋଲି ମାଆ ବିଶ୍ୱାସ କରୁନଥିବା ବେଳେ କାନ୍ଥରେ ସ୍ୱାମୀଙ୍କ ଫଟୋ ରୁ ଖସିଯାଇଥିବା ସକାଳର ମାଳକୁ ଲୁହ ଭରା ଆଖିରେ ପୁଣି ସଜାଡି ପିନ୍ଧେଇ ଦେଉ ଦେଉ ଏ ସବୁ ତୁମେ କିଛି ଭଲ କଲନି କହି ପୁଅ ହାତ ମୁଠାରେ ବନ୍ଦ ଥିବା ଫୁଲଝରି ପ୍ୟାକେଟଟିକୁ ଭିଡ଼ିନେଇ କହୁଥିଲା ଚାଲ ଦୋକାନକୁ ଫେରେଇଦେଇ ଆସିବା. ବିନା ପଇସାରେ ବାଣ ପ୍ୟାକେଟ ଆଣିବା ଚୋରୀ ବୋଲି ଜାଣିଛୁ ନା ନାହିଁ! ଟଣା ଓଟରା ଭିତରେ ପ୍ୟାକେଟ ଚିରି ଯାଇଥିଲା ଓ ତା ଭିତରୁ ଖାଲି ବାଲି ନିଗିଡି ପଡୁଥିଲା ତଥାପି ପିଲାଟି ପ୍ୟାକେଟଟିକୁ ନିରିଖେଇ ଦେଖୁଥିଲା ବେଳେ କହୁଥିଲା ବିଶ୍ୱାସ କର ବୋଉ ସେ ପୁରୁଷ ପୋଟ୍ରେଟ ନିଜେ ମତେ ଏ ପ୍ୟାକେଟ ଦେଲା ବେଳେ ଏହା ଭିତରେ ଫୁଲଝରି ବାଣ ଥିଲା. ତୁ ମତେ ଚୋର କହିବାରୁ ତାହା ବାଲି ହୋଇଗଲା. ମାଆ ଟି ପାଖରେ କାନ୍ଦିବା ଛଡା ଅନ୍ୟ କିଛି ଉପାୟ ନଥିଲେ ମଧ୍ୟ ସେ ଲୁହ ପୋଛି ପୁଅକୁ ଗୋଟେ ଗପ କହିଥିଲା ଉଦ୍ଦୀପନା ବଶତଃ.
ସେବର୍ଷ ଦୀପାବଳି ଦିନ ହାତୀ ଦେଖିଲା ମାଙ୍କଡ଼ ବାଣ ସଜାଡ଼ୁଛି. ହାତୀ ପଚାରିଲା ତୁ କଣ ଦୀପାବଳିରେ ବାଣ ମାରି ଜଙ୍ଗଲ ପ୍ରଦୂଷଣ କରିବୁ ନା କଣ!ରାଗିଯାଇ ମାଙ୍କଡ଼ କହିଲା ତୁମେ ତ ଗଛ ଡ଼ାଳ ଫୁଲ ଫଳ ନଷ୍ଟ କରି ଆମ ପାଇଁ କିଛି ଛାଡ଼ୁନ ତ ଆମେ ଆଉ କୋଉଠୁ ପତ୍ରଗଣ୍ଡେ ପାଇବୁ ଯେ ପତ୍ର ଠୋଲା କରି ସେଥିରେ ତେଲ ଭରି ଦୀପ ବସେଇ ଜଙ୍ଗଲକୁ ଆଲୋକିତ କରିବୁ ତେଣୁ ବାଣ ଦିଟା ବାନ୍ଧୁଛି ପିଲାମାନେ ବାଣ ଢ଼ୋ ଢା ଶୁଣି ଖୁସି ହେବେ. ମାଙ୍କଡ଼ କଥା ଶୁଣି ହାତୀ କହିଲା ମୁଁ ଓ ମୋ ହାତୀ ବଂଶ ଯଦି ଡ଼ାଳ ଫୁଲ ଫଳ ସବୁ ନଷ୍ଟ କରୁଛୁ ବୋଲି କହୁଛୁ ତେବେ ଆସ ସବୁ ପଶୁ ଓ ପକ୍ଷୀ ମିଶି ଜଙ୍ଗଲର ଖାଲି ସ୍ଥାନରେ ଗଛ ଲଗେଇ ଜଙ୍ଗଲକୁ ସରସ ସୁନ୍ଦର କରି ନୂଆ ରୂପ ଦେବା. ମାଙ୍କଡ଼ ଉତ୍ତର ଦେଲା ଗଛ ବଢିଗଲା ପରେ ତୁମେ ତ ତା ଡ଼ାଳ ଭାଙ୍ଗିବ ଆଉ ଗଛ କାହିଁକି ଲଗେଇବା.
ଦୀପାବଳି ଦିନ ଅନ୍ୟ ସବୁ ପଶୁ ପକ୍ଷୀ ମିଶି ଜଙ୍ଗଲର ଖାଲି ଥିବା ସ୍ଥାନରେ ଗଛ ପୋତି ନୂତନ ଆଲୋକ ଦେବାକୁ ଚେଷ୍ଟା କଲାବେଳେ ମାଙ୍କଡ଼ ବାଣ ମାରୁ ମାରୁ ପୋଡି ହୋଇ କ୍ଷତାକ୍ତ ହେଲା. ସବୁ ପଶୁ ପକ୍ଷୀ ଦଉଡି ଆସି କିଏ କୋଉ ଗଛ ଚିହ୍ନି ତା ପତ୍ର ରସକୁ ମାଙ୍କଡ଼ କ୍ଷତ ସ୍ଥାନରେ ଲଗେଇ ଓ କିଛି ବେଲପତ୍ର ଓ ତୁଳସୀ ପରି ପତ୍ରକୁ ବାଟି ତାକୁ ପିଆଇ ଓ ଵିଶଲ୍ୟକରଣୀ ଭଳି ବାସଙ୍ଗ ଇତ୍ୟାଦି ପତ୍ରର ରସକୁ କ୍ଷତ ସ୍ଥାନରେ ବାନ୍ଧି ଉପଚାର କରିବାରୁ ଅଳ୍ପ ଦିନ ଭିତରେ ମାଙ୍କଡ଼ ସୁସ୍ଥ ହୋଇଥିଲା ଓ ବୁଝିଯାଇଥିଲା କି କେବଳ ଦୀପର ଆଲୋକ ଜାଳି ଅନ୍ଧକାର ଦୂରେଇ ହୁଏନା ବରଂ ବୈଜ୍ଞାନିକ କାରଣ ସହିତ ଉପକାର ହେଉଥିବା କାମ ଗୁଡିକ କଲେ ପ୍ରକୃତ ଜ୍ଞାନ ଓ ବୁଦ୍ଧିର ଆଲୋକ ମିଳିଥାଏ. ଏଥର ସେ ଏବର୍ଷ ଦୀପାବଳିରେ ଖୁବ ଗଛ ଲଗାଇ ବାର୍ତ୍ତା ପ୍ରଚାର ଓ ପ୍ରସାର କରିଥିଲା ଯେ ଗଛର ପ୍ରତିଟି ଡ଼ାଳ, ଛେଲି, ପତ୍ର, ଫଳ, ଫୁଲ ତଥା ମୂଳ ରେ ଭିର୍ନ୍ନ ଭିର୍ନ୍ନ ଔଷଧୀୟ ଗୁଣ ଥିବାରୁ ଗଛ ଲଗାଇବା ଆମ ପଶୁ ପକ୍ଷୀମାନଙ୍କର କର୍ମ ଓ ଧର୍ମ ଅଟେ. ଏହି ଶିକ୍ଷା ହିଁ ପ୍ରକୃତ ଅନ୍ଧାର କାଟି ଆଲୋକର ଶିକ୍ଷା ସୃଷ୍ଟି କରିପାରେ ବୋଲି ହାତୀ ମଧ୍ୟ ଅନ୍ୟ ସବୁ ପଶୁ ପକ୍ଷୀଙ୍କୁ କହିବା ସହ ଖାଦ୍ୟ ପାଇଁ ଯେତିକି ଆବଶ୍ୟକ ସେତିକି ଡ଼ାଳ ଭାଙ୍ଗି ଗଛକୁ ଆଉ କଷ୍ଟ ଦେଇ ନଷ୍ଟ କରୁନଥିଲା .ମାଆ କହୁଥିବା ଗପ ସରିଛି କି ନାହିଁ ପୁଅଟି ତାର ଗୋଲାପ, ମଲ୍ଲୀ ଡ଼ାଳ ସବୁ ପୋତି ଚାଲିଥିଲା ବେଳେ ମାଆ ଓସ୍ତ ଓ ବରଗଛ ଚାରା ସବୁ ରାସ୍ତା ଦୁଇପାଖରେ ଲଗେଇ ଚାଲିଥିଲା ଉଦ୍ଦୀପନା ବଶତଃ ଏବର୍ଷ ଦୀପାବଳିରେ.
