STORYMIRROR

Kanan Bala Nayak

Others

4  

Kanan Bala Nayak

Others

ଉଆଁସୀ କନ୍ୟା

ଉଆଁସୀ କନ୍ୟା

4 mins
478


 ରାତି ପାହିଲେ ସାବିତ୍ରୀ ବ୍ରତ । କିଛି ବି ମାର୍କେଟିଂ କରିନି ନେହା । ସାତଦିନ ହେଲାଣି ନାଇଟ୍ ଡ୍ୟୁଟି ପଡିଛି ନେହା ର। ସ୍ବାମୀ ବିମଳେନ୍ଦୁ ଅନେକ ଥର ଫୋନ୍ କରି ସାରିଲେଣି । କେତେବେଳେ ଆସିବ। ମାର୍କେଟ୍ ଯିବା ପରା। ତୁମେ କଣ ଜାଣିନ ସାବିତ୍ରୀ ମାର୍କେଟ କେତେ ଭିଡ ହୁଏ ବୋଲି। ସୋରିଷ ପକାଇବା ପାଇଁ ପରା ଯାଗା ହୁଏନି। ନେହା ନିଜର ଜଣେ ଜୁନିୟର ଷ୍ଟାଫ୍ କୁ କାମ ବିଷୟରେ ବୁଝାଇ ଦେଇ ତରତର ହୋଇ ଘର ଅଭିମୁଖେ ବାହାରି ପଡିଲା ।


 କିଛି ବାଟ ଯାଇଛି କି ନାହିଁ ତାକୁ ଲାଗିଲା ରାସ୍ତା ମଝିରେ କେହି ଜଣେ ପଡିଛନ୍ତି। ଆଉ ହାତ ଠାରି ସାହାଯ୍ୟ ଲୋଡୁ ଛନ୍ତି। କାଳ ବିଳମ୍ବ ନ କରି ରୋଡ଼ ସାଇଡ୍ ରେ ଗାଡିଟା ପାର୍କିଂ କରି, ନେହା ସେ ଲୋକଟି ଆଡକୁ ଆଗେଇ ଗଲା। ଦେଖିଲା ୬୫/୬୬ ବର୍ଷର ଜଣେ ଭଦ୍ର ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ରୋଡ଼ ଉପରେ ପଡିଛନ୍ତି। ଏକ୍ସିଟେଣ୍ଟ କେସ୍ ବୋଧେ । ନେହା ଭଦ୍ର ଲୋକଙ୍କ ପଲ୍ସ ଚେକ କଲା। ଜୀବିତ ଅଛନ୍ତି। କିନ୍ତୁ ମୁଣ୍ଡରୁ ବହୁତ ରକ୍ତ ବହି ଯାଇଛି। ଶୀଘ୍ର ହସ୍ପିଟାଲକୁ ନ ନେଲେ ଭଦ୍ର ବ୍ଯକ୍ତି ହୁଏତ ଆଉ ବଞ୍ଚି ବେନି।


 ଇଏ ତ ପୋଲିସ କେସ । କାହାକୁ ସାହାଯ୍ୟ କରିବାକୁ ଯାଇ ନିଜେ ଅଜଥା ପ୍ରବ୍ଲେମ୍ ରେ ଫସି ଯିବନି ତ? ହେଲେ ଏ ଭଦ୍ର ଲୋକଙ୍କ ଅବସ୍ଥା ତ ଅତ୍ୟନ୍ତ ସଙ୍କଟାପନ୍ନ। ତାଙ୍କୁ ଏମିତି ମୁର୍ମୁଷୁ ଅବସ୍ଥାରେ ଏ ଶୁନ ଶାନ ରାସ୍ତାରେ କେମିତି ଛାଡି ଦେଇ ଯିବ। ତା ବିବେକ ବାଧା ଦେଲା। ଆସନ୍ତା କାଲି ସାବିତ୍ରୀ ବ୍ରତ, ୟାଙ୍କ ସ୍ତ୍ରୀ ମଧ୍ୟ ୟାଙ୍କ ବାଟକୁ ଅନାଇ ବସିଥିବେ। ତେଣୁ ସେ ସ୍ଥିର କଲା ଯାହା ହେଉ ପଛେ ସେ ୟେ ଭଦ୍ର ଲୋକଙ୍କୁ ହସ୍ପିଟାଲ ନେଇ ଯିବ।


 ସାହାଯ୍ୟ ପାଇଁ ନେହା ରାସ୍ତା ଉପରେ ଏଣେ ତେଣେ ଲକ୍ଷ୍ୟ କଲା। ହେଲେ ୟେ କଣ ରାସ୍ତା ଉପରେ ନା କିଛି ଗାଡ଼ି ଦେଖା ଯାଉଛି ନା କେହି ଲୋକ। ବହୁତ ଚେଷ୍ଟା କରି ନେହା ସେ ଭଦ୍ର ବ୍ଯକ୍ତିଙ୍କୁ ଉଠାଇ ବସାଇଲା ।  ଆଉ ତାଙ୍କ ମୁହଁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲା । ଆରେ ଇଏ ତ ଆଶୁତୋଷ ମଉସା । ନେହା, ଆଶୁତୋଷ ବାବୁଙ୍କୁ ନିଜ ଉପରେ ଭରା ଦେଇ ଗାଡ଼ି ଭିତରକୁ ନେଲା ।ସେତେବେଳକୁ ଆଶୁତୋଷ ବାବୁଙ୍କ ସେନ୍ସ ଚାଲି ଯାଇଥାଏ । ବହୁତ କଷ୍ଟରେ ତାଙ୍କୁ ଗାଡିରେ ବସାଇ,ତାଙ୍କ ଫୋନ୍ ରୁ ତାଙ୍କ ଘର ଲୋକଙ୍କୁ ଖବର ଦେଲା ନେହା ।


 ଏଣେ ବିମଳେନ୍ଦୁ ବାରମ୍ବାର ଫୋନ୍ କରୁ ଥାଆନ୍ତି । ଏତେ ଡେରି କାହିଁକି କରୁଛ । ମାର୍କେଟ୍ ବନ୍ଦ ହେଇ ଯିବ ଯେ ।ନେହା ବିମଳେନ୍ଦୁ ଙ୍କୁ ସମସ୍ତ କଥା କହିଲା । କହିଲା କାହା ଜୀବନ ଠାରୁ ମୋ ମାର୍କେଟିଂ ଟା କଣ ବଡ଼। ମାର୍କେଟିଂ ଆଜି ନ ହେଲେ କାଲି ହେବ । ପୂଜାଟା ଟିକେ ବିଳମ୍ବ ହେବ ଯାହା. ଆଉ ମୋର ସାମାନ୍ୟ ବିଳମ୍ବ ଯୋଗୁଁ ଯଦି କାହାର ଜୀବନ ରକ୍ଷା ହୋଇଗଲା,ତେବେ ମୁଁ ଜାଣିବି ମୋ ବ୍ରତ ସଫଳ ହୋଇଗଲା । ଆଉ ପାରୁଛ ଯଦି ତୁମେ ହସ୍ପିଟାଲ ପଳାଇ ଆସ । ମୋତେ କିଛି ସାହାଯ୍ୟ ମିଳିଯିବ ।


 ନେହା ଆଶୁତୋଷ ବାବୁଙ୍କୁ ହସ୍ପିଟାଲରେ ଆଡମିସନ କରି ପୋଲିସକୁ ମଧ୍ୟ ଖବର ଦେଲା । ଡକ୍ଟର କହିଲେ ପେସେଣ୍ଟ ଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ । ଇମିଡିଏଟ୍ ଅପରେସନ କରିବା ଦରକାର ନ ହେଲେ ପେସେଣ୍ଟ କୁ ବଞ୍ଚାଇବା ଆମ ପକ୍ଷେ ସମ୍ଭବ ହେବନି । ଏଣେ ଆଶୁତୋଷ ମଉସାଙ୍କ ଘର ଲୋକ ମଧ୍ୟ ପହଞ୍ଚି ନ ଥାଆନ୍ତି. । କଣ କରିବ ନେହା କିଛି ବୁଝି ପାରୁ ନଥାଏ ।


 ସେଇ ସମୟରେ ସିଷ୍ଟର ଆସି କହିଲେ, ମାଡାମ ତୁରନ୍ତ AB- ବ୍ଲଡ୍ ଯୋଗାଡ଼ କରନ୍ତୁ । ପେସେଣ୍ଟଙ୍କର AB- ବ୍ଲଡ୍ ଗ୍ରୁପ୍ । ଯାହାକି ବହୁତ ରେୟାର ଆଉ ଆମ ହସପିଟାଲରେ ମଧ୍ୟ ବର୍ତ୍ତମାନ ଏଇ ବ୍ଲଡ୍ ଗ୍ରୁପ୍ ର ବ୍ଲଡ୍ ଉପଲବ୍ଧ ନାହିଁ । ନେହା କହିଲା ସିଷ୍ଟର ଆପଣ ମୋ ବ୍ଲଡ୍ ଟେଷ୍ଟ କରନ୍ତୁ. ମୋର AB- ବ୍ଲଡ୍ । ସେତେବେଳକୁ ବିମଳେନ୍ଦୁ ମଧ୍ୟ ହସ୍ପିଟାଲ ପହଞ୍ଚି ଯାଇଥାଆନ୍ତି ।


 ଆଶୁତୋଷ ବାବୁ ନେହା ବାପାଙ୍କର ଜଣେ ଘନିଷ୍ଠ ବନ୍ଧୁ। ତାଙ୍କ ପୁଅ ଅଂଶୁମାନ ସହିତ ନେହାର ବିବାହ ପ୍ରସ୍ତାବ ପଡିଥିଲା । ସବୁ କିଛି ଠିକ୍ ଠାକ୍ ହୋଇ ସାରିଥିଲା । ଅଂଶୁମାନ ଓ ନେହା ମଧ୍ୟ ଉଭୟ ଉଭୟଙ୍କୁ ପସନ୍ଦ କରିଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ଆଶୁତୋଷ ମଉସାଙ୍କ ସ୍ତ୍ରୀ ଶାନ୍ତି ମାଉସୀ ଜିଦି ଧରିଥିଲେ ଜାତକ ମେଳକ ପାଇଁ । ଆଉ ନେହା ଉଆଁସରେ ଜନ୍ମ ହୋଇଛି ବୋଲି, ତାକୁ ଉଆଁସୀ କନ୍ଯା ବୋଲି କହି ବାହାଘର ଭାଙ୍ଗି ଦେଇଥିଲେ । କାରଣ ଉଆଁସୀ କନ୍ଯା ମାନଙ୍କ ଭାଗ୍ୟରେ କୁଆଡେ ବିଧବା ଯୋଗ ଥାଏ ଓ ସେମାନେ ତାଙ୍କ ସ୍ବାମୀ ମାନଙ୍କର ଅକାଳ ମୃତ୍ୟୁର କାରଣ ହୋଇ ଥାଆନ୍ତି ।


 କିଛି ସମୟ ପରେ ଡକ୍ଟର ବାହାରକୁ ବାହାରି କହିଲେ ଆଶୁତୋଷ ବାବୁଙ୍କ ଅପରେସନ ସଫଳତାର ସହିତ ସମ୍ପନ୍ନ ହୋଇଛି । ସେତେବେଳକୁ ଆଶୁତୋଷ ବାବୁଙ୍କ ପରିବାର ମଧ୍ଯ ହସ୍ପିଟାଲରେ ପହଞ୍ଚି ଯାଇଥାଆନ୍ତି ।  ଅପରେସନ ସଫଳତାର ସହ ସମ୍ପନ୍ନ ହୋଇଛି ବୋଲି ଜାଣି ଶାନ୍ତି ମାଉସୀ ଓ ଅଂଶୁମାନ ଡକ୍ଟରଙ୍କୁ ଅଶେଷ ଧନ୍ୟବାଦ ଦେଲେ । ଡକ୍ଟର, ନେହା ଆଡକୁ ଆଙ୍ଗୁଳି ଦେଖାଇ କହିଲେ ଧନ୍ୟବାଦ ଦେବାର ଅଛି ଯଦି ଏଇ ଭଦ୍ର ମହିଳା ଙ୍କୁ ଦିଅନ୍ତୁ । ଯିଏ ଖାଲି ଆଶୁତୋଷ ବାବୁଙ୍କୁ ଠିକ୍ ସମୟରେ ହସ୍ପିଟାଲ କୁ ଆଣି ନାହାଁନ୍ତି,ନିଜ ଦେହରୁ ବ୍ଲଡ୍ ଦେବା ସହିତ ଅପରେସନ ପାଇଁ ସମସ୍ତ ଫିସ୍ ମଧ୍ୟ ଡିପୋଜିଟ୍ କରିଛନ୍ତି ।


 ଅଂଶୁମାନ ଓ ଶାନ୍ତି ଦେବୀ ନେହା କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଶାନ୍ତି ଦେବୀ ନେହାକୁ କହିଲେ ମୋତେ କ୍ଷମା କରିଦେ ଝିଅ । ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଉଆଁସୀ କନ୍ଯା ବୋଲି କହି, ବିଧବା ଯୋଗ ଅଛି କହି ମୁଁ ତୋତେ ସେଦିନ ମୋ ବୋହୂ କରିବା ପାଇଁ ରିଜେକ୍ଟ କରିଥିଲି, ହେଲେ ଆଜି ସେଇ ଉଆଁସୀ କନ୍ଯା ପାଇଁ ମୋ ଶଙ୍ଖା ସିନ୍ଦୂର ରହିଗଲା ଓ ମୁଁ ବିଧବା ହେବାରୁ ବଞ୍ଚି ଗଲି ।


 ନେହା ବିମଳେନ୍ଦୁଙ୍କୁ ଶାନ୍ତି ଦେବୀ ଙ୍କ ସହିତ ପରିଚୟ କରାଇ କହିଲା କ୍ଷମା କରିବା କଥା କଣ କହୁଛନ୍ତି ମାଉସୀ , ମୁଁ ତ ବରଂ ଆପଣଙ୍କୁ ଧନ୍ୟବାଦ ଦେବି କାରଣ ଆପଣ ସେଦିନ ମୋତେ ରିଜେକ୍ଟ କରି ନଥିଲେ, ମୁଁ କଣ ବିମଳେନ୍ଦୁ ଭଳି ସ୍ବାମୀ ପାଇ ଥାଆନ୍ତି । ଯିଏକି ମୋତେ ଉଆଁସୀ କନ୍ଯା ବୋଲି ଜାଣି ମଧ୍ୟ ସସମ୍ମାନେ ବିବାହ କରି ସ୍ତ୍ରୀ ର ମର୍ଯ୍ୟାଦା ଦେଇଛନ୍ତି ଓ ମୋର ପ୍ରତେକ ଟି ସୁଖ ଦୁଃଖ ରେ ମୋ ସାଥିରେ ଅଛନ୍ତି ।


Rate this content
Log in