Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Satyaprakash Sethy, M. A(UGC NET)

Others


5.0  

Satyaprakash Sethy, M. A(UGC NET)

Others


ତୁଳସୀ

ତୁଳସୀ

10 mins 569 10 mins 569


ତୁଳସୀ ବାପା ମାଆଙ୍କର ଗୋଟେ ବୋଲି ଝିଅ। ଭାରି ଅଲିଅଳି। ପିଲାଟି ଦିନରୁ ସୁଖ ସମ୍ଭୋଗ ଭାଗ୍ୟରେ ଜୁଟିଥିଲା। ଯାହା କହିଲେ ବାପା ମା ଦି'ଟା କିଣି ଆଣି ପହଁଞ୍ଚେଇ ଦେଉଥିଲେ। ଅଭାବ ବୋଲି କିଛି ନଥିଲା। 

ପୁଣି ପିଲାବେଳ ଧୂଳି ଘର ମନରେ ଭାରି କୌତୁହଳ ସୃଷ୍ଟି କରୁଥିଲା। ସାଙ୍ଗସାଥି ଓ ଖେଳସାଥି ସହ ହସି ଖେଳି ଜୀବନ ବିତିଯାଉଥିଲା, ସମୟଟା କେଉଁ ବାଟେ ଚାଲି ଯାଉଥିଲା କିଛି ଜଣାପଡୁ ନଥିଲା । ପୁଣି ସେଇଠି ଥାଏ ନିଜ ସମବୟସ୍କର ବିନୋଦ। ସେ ଭାରି ଭଲ ପାଉଥାଏ ତୁଳସୀକୁ। ଯେତେବେଳେ ଦେଖିବ ଦୁଇ ଜଣଙ୍କୁ ଏକାଠି। ବାପା ମା ଖୋଜି ବସିଲେ ଇଏ ତାଙ୍କ ଘରେ ନହେଲେ ସେ ୟାଙ୍କ ଘରେ । ଦୁଇ ଜଣଙ୍କର ଭାରି ଆତ୍ମୀୟତା। ପିଲାବେଳେ କଣ୍ଢେଇ ବାହାଘର ଓ ଧୂଳି ଘର ସଜାଡି ଖେଳୁଥାନ୍ତି। ବଡ଼ ହେଲାରୁ ସ୍କୁଲ ଗଲେ। ସେମାନେ ଏକା କ୍ଲାସ୍ ରେ ପାଠ ପଢନ୍ତି, ସାଙ୍ଗରେ ହାତ ଧରାଧରି ହୋଇ ଯାଆନ୍ତି। ଛୁଟି ହେଲେ ଥଟ୍ଟା ମଜ୍ଜା ହୋଇ ଘରକୁ ଫେରନ୍ତି। ସାଥୀ ଝିଅମାନେ ତୁଳସୀକୁ ଇର୍ଷା କରନ୍ତି ସେ ଝିଅ ସାଙ୍ଗ ନ ହୋଇ ବିନୋଦ ସହିତ ସାଙ୍ଗ ହେଉଛି ବୋଲି। ଏଥିରେ ତାକୁ କିଛି ଫରକ୍ ପଡେ ନାହିଁ। ସେ କହେ - "ବିନୋଦ ମୋ ସଖା" ମୁଁ ସାଙ୍ଗ ହେଲି ତୁମର କ'ଣ ଗଲା ସେଠୁ? 

କ୍ରମଶଃ ସେମାନେ ବଡ଼ ହେଲେ। ଶ୍ରେଣୀ ପରେ ଶ୍ରେଣୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ କଲେଜ ଆସିଗଲେ। କଲେଜରେ ମଧ୍ୟ ସେହି ବନ୍ଧୁତା ଅତୁଟ ରହିଥାଏ। କିଏ କ'ଣ ତୁଳସୀକୁ କହିଦେଲେ ବା ନଜର ଉଠେଇ ତାକୁ ଦେଖିଲେ ବିନୋଦ ଆଦୌ ସହି ପାରେ ନାହିଁ, ପ୍ରଚଣ୍ଡ ରାଗିଯାଏ, ଦରକାର ପଡିଲେ ଧୂଲେଇ ମଧ୍ୟ କରେ। ତୁଳସୀ କୁହେ-" ତୁ କାହିଁକି ଏତେ ମୋ ପାଇଁ ବ୍ୟସ୍ତ ହେଉଛୁ? ସେମାନେ କହିଦେଲେ ଯଦି, କହିଦେଲେ। ଆମେ ନ ଶୁଣିଲେ ଗଲା। ତା ବୋଲି ତୁ ସେମାନଙ୍କ ସହିତ ଲଢ଼ି ନିଜ ଜୀବନକୁ ବିପନ୍ନ କରିବୁ? ମୋତେ ଏଗୁଡାକ ଭଲ ଲାଗେ ନାହିଁ। ତୋର ଯଦି କିଛି ହୋଇଯାଏ ମୁଁ ଆଦୌ ସହି ପାରିବି ନାହିଁ"।

ବିନୋଦ ଚିଡ଼େଇବା ପାଇଁ କୁହେ - "ଆହା ଲୋ ମଲ୍ଲୀ! ମୋ ଦେହକୁ କାଟିଲେ ତୋତେ କାହିଁକି କାଟୁଛି"? ତୁଳସୀ କହେ -" ରହ! ରହ!! ତୋତେ ଦି'ଟା ଦେଉଛି "କହି ମାରି ଗୋଡ଼ାଏ। ବିନୋଦ ବାଙ୍କ ଶିଆଳି ଦେଇ ଖଣ୍ଡେ ବାଟ ଦୌଡ଼ି ପଳାଏ।ତୁଳସୀ ରାଗରେ ଗରଗର ହୁଏ। ନାକ ମୁହଁ ଫୁଲାଇ ମୁହଁ ଛିଞ୍ଚାଡେ। ବିନୋଦ ଫେରି ଆସି। କାନ ଧରି କହେ - "ଆଉ ଚିଡ଼େଇବି ନାହିଁ, ଭୁଲ ହୋଇଛି, ତୁ କିନ୍ତୁ ମୁହଁ ହାଣ୍ଡି କର ନାହିଁ"। ତା ପରେ ହସର ଜୁଆର ଛୁଟେ, ଯେଝା ଘରକୁ ଯେଝା ଚାଲି ଯା'ନ୍ତି। ତୁଳସୀର କିଛି ଦରକାର ଥିଲେ ଫୋନ୍ କରେ, ନହେଲେ ବାଡ଼ି ପଛ ପଟକୁ ଯାଇ ଚିଲାଏ।ପଦ୍ମ ତୋଳା ଡାକିଲେ ଯେପରି ସାପ ଗାତରୁ ବାହାରି ପଡ଼େ ସେହିପରି ବିନୋଦ ତୁଳସୀର ଡାକରା ପାଇଲା କ୍ଷଣି ଆସି ହାଜର । ଅନ୍ୟ ମାନେ ଈର୍ଷାରେ କହନ୍ତି ଏ ଦୁଇଟା ପୂର୍ବ ଜନ୍ମରେ ନାଗ ନାଗୁଣୀ ଥିଲେ, ଯୁଆଡେ ଦେଖିବ ଖାଲି ହଳି ହୋଇ ବୁଲୁଛନ୍ତି। ଏମାନେ ଉଭୟ ଉଭୟଙ୍କୁ ଏତେ ପାଖରେ ପାଇଲା ପରେ ବି ପୁଣି ଫୋନ୍ କରି ଗପିବେ। ସେମାନଙ୍କର ଗପ ସରେ ନାହିଁ। ଗପର ଗୋଟେ ପରେ ଗୋଟେ ଖିଅ ବାହାରି ପଡେ। ସେୟାକୁ ନେଇ ସେମାନଙ୍କର ଗପର ପେଡ଼ି ଖୋଲିଯାଏ। ଗପ ବୋଲି କ'ଣ କି ଖାଲି ଝଗଡ଼ା ଝାଣ୍ଟି। ଇଏ ତାକୁ ଚିଡ଼ଉଥିବ ଓ ସେ ତାକୁ ଚିଡ଼ଉଥିବ। ମା ବେଳେବେଳେ ଶୁଣିଲେ ପଚାରନ୍ତି - "ଆଲୋ କ'ଣ ହେଲା କି, କାହା ଉପରେ ରାଗୁଛୁ" ? ତୁଳସୀ କହେ - "ମା ଦେଖିଲୁ ବିନୋଦ କେମିତି ଚିଡ଼ାଉଛି" ? ମା କହେ-" ତୁମ ଦୁଇ ଜଣଙ୍କର ଝଗଡ଼ାରେ ମୋର କିଏ ପଶିବ ଲୋ ମା ', ପୁଣି ମେଣ୍ଟେଇ ପାରିଲେ ତ ହବ ନା? ହେଲେ ତୁ ଏଡ଼େ ବଡ଼ ହେଲୁଣି ତଥାପି ସେହି ପିଲା ବେଳର କଳିକୁ ନେଇ ମହାଭାରତ? ବଡ଼ ହେଲଣି, ଟିକିଏ ବୁଦ୍ଧି ଅକଲ ଶିଖ। ଜୀବନର ବାସ୍ତବତା କ'ଣ ବୁଝ ।ତୁ ଆଉ ବିନୋଦ ସହିତ ଏତେଟା ମିଳାମିଶା କର ନା ମା'! ଲୋକେ ଖରାପ ଭାବିବେ"।

ମାଆର ଏଇ ଶେଷ କେଇପଦ କଥା କାହିଁକି କେଜାଣି ତୁଳସୀ ମନରେ ଖୁବ୍ ଭାବାନ୍ତର ସୃଷ୍ଟି କଲା। ସେ କିଛି ସମୟ ଚୁପ୍ ଚାପ୍ ହୋଇଗଲା। ମା କାହିଁକି ଏମିତି କହିଲେ? ଏ ବୟସରେ କ'ଣ ସବୁ ଅଲଗା କି? ହଁ ହଁ ଏହି କେହି ଦିନ ହେବ ମୋର ହାବଭାବର କିଞ୍ଚିତ୍ ପରିବର୍ତ୍ତନ ଆସିଛି। ମୋତେ ଝିଅ ସାଙ୍ଗ ଅପେକ୍ଷା ବିନୋଦର ସାଥି ସାହଚର୍ଯ୍ୟ ଅଧିକ ବିମୋହିତ କରୁଛି। ତେବେ ଆଗରୁ ତ ମୁଁ ବିନୋଦ ସହିତ ମିଶିଛି, ସେତେବେଳେ ମୋ ହୃଦୟ ଭିତରେ ସେମିତି କିଛି ଭାବାବେଗ ସୃଷ୍ଟି ହେଉ ନଥିଲା। ତେବେ ଆଜିର ଏ ପରିବର୍ତ୍ତନରେ ନିଶ୍ଚିତ କିଛିଟା ଫରକ୍ ଅଛି ଯାହା ପାଇଁ କିଛି ବି ପ୍ରଯତ୍ନ କରା ଯାଇ ନାହିଁ, ଆପଣା ଛାଏଁ ସବୁ କିଛି ଘଟିଯାଉଛି। ତେବେ ବିନୋଦ ମନରେ ମୋ ପାଇଁ କ'ଣ କିଛି ଦୁର୍ବଳତା କେବେ ଆସି ନାହିଁ, ନା ସେ ମୁହଁ ଖୋଲି କିଛି କହି ପାରୁ ନାହିଁ।

 ଆମେ ତ ପିଲାଦିନୁ କେହି କାହାକୁ କିଛି ଲୁଚାଇ ନାହୁଁ। ସବୁ କଥା ଆମେ ଉଭୟଙ୍କୁ କହିଥାଉ। ନିଜ ମନର ଭାବଠାରୁ ଦୁନିଆ ଯାକର ଘଟଣା ପରା ଆମେ ହୋଇଥାଏ। ତେବେ ବିନୋଦ କ'ଣ କେବଲ ମୋର ବନ୍ଧୁ, କିନ୍ତୁ ତା'ର ଜୀବନ ସଙ୍ଗିନୀ ଅଲଗା? ସେ ହୁଏତ ବାଛି ସାରିଥିବ ବା କାହାକୁ ଭଲ ପାଇ ତା' ପଛରେ ପଡିଥିବ, ଯାହା ମୋତେ କେବେ କହି ନାହିଁ। ଆଜି ଆସୁ ତାକୁ ପଚାରିବି, ଉତ୍ତରଟା ନ ଆଦାୟ କଲା ଯାଏଁ ତାକୁ ଛାଡ଼ିବି ନାହିଁ।ସେ ପୋତା ମୁହାଁ କ'ଣ କମ୍ କି ଖାଲି ହିଁ ହିଁ ହୋଇ ହସିବ, ଏଣୁ ତେଣୁ କରି କଥା ବୁଲାଇବ। ହେଲେ ମୁଁ ତୁଳସୀ। ମୋତେ ସେ ଚିହ୍ନି ନାହିଁ। ଭାରି ଜିଦିଆଣୀ। ଥରେ କଥାଟା ଥାମ୍ ନେଲେ ଆଉ ଛାଡ଼ିବି ନାହିଁ"।

ରାତି ସାରା ଏମିତି ବ୍ୟସ୍ତତା ଓ ଭାବନା ଭିତରେ ରାତି ପାହିଗଲା। ସକାଳୁ ଉଠି ବିଛଣାରୁ ଦୁଇଥର ଫୋନ୍ କରି ସାରିଲାଣି - ବିନୋଦକୁ।ବିନୋଦ ଡେରି କରିବାରୁ ବାଡ଼ି ପଟେ ଯାଇ ଚିଲ୍ଲେଇଲା-ବଡ଼ ପାଟିରେ । ବିନୋଦ ଆସି ପହଞ୍ଚିଯିବାରୁ କହିଲା - "ଏ ପୋଡ଼ା ମୁହାଁ! ଏ ଯାଏଁ କୁଆଡ଼େ ଯାଇଥିଲୁ, କାହିଁ ତୋର ତ ଦେଖାନାହିଁ? ବିନୋଦ କହିଲା -" କାହିଁ ମୋଠିଁ ତୋର କି କାମ କି"?

ଏ ଯୋଗିନୀ ଖିଆ! କଥା ବାଁରା ନାହିଁ କହିଦେଉଛି, ନ ହେଲେ ଏଇ ଲାଗେ ଦେଖିବୁ( ବିଧା ଉଞ୍ଚାଇ)।।

-" ରହ ଲୋ! ରଣ ଚଣ୍ଡି ତୁ ଏମିତି ହଅ ନାହିଁ। କଥା କ'ଣ କହ! ସକାଳୁ ସକାଳୁ ବଢିଆ ନିଦଟେ ହୋଇଥିଲା ଭାଙ୍ଗି ଦେଲୁ" ।

-"କ'ଣ କହିବି, ତୁ ଆଜି କାଲି ପଦ ଗଦ ମାନୁ ନାହୁଁ। କୁଆଡ଼େ ବୁଲୁଛୁ ଯେ ବୁଲୁଛୁ। ଡାକିଲେ ଶୁଣୁନୁ। ନିଶ୍ଚୟ କୋଉ ଟୋକି ପଛରେ ପଡ଼ିଛୁ। ନହେଲେ ତୋଠି ଏ ପରିବର୍ତ୍ତନ ମୁଁ କେବେ ଦେଖି ନାହିଁ।

-" କଥାଟା ତାହେଲେ ଏଠି.. ହୁଁ । ଠିକ୍ ତୁ କହିଛୁ। ମୁଁ ଗୋଟେ ଝିଅକୁ ଭଲ ପାଉଛି। ତା ନାଁଟା ହେଲା.. ନା କହିବି ନାହିଁ, ତୋତେ କାହିଁକି କହିବି? କହିଲେ ତୁ ତା ପଛରେ ପଡ଼ିଯିବୁ" ।

ବିନୋଦକୁ କହ କହ ବୋଲି ତୁଳସୀ କେତେ ଅନୁରୋଧ କଲା। ବିନୋଦ ନ କହିବାରୁ ତୁଳସୀ ଏଥର ରାଗିଗଲା। କହିଲା - "ମୁଁ ତୋ ସହ ଆଉ ଜମାରୁ କଥା ହେବି ନାହିଁ। ମୁଁ ମୋର ସମସ୍ତ କଥା ତୋତେ କହେ, ହେଲେ ଏହି କଥାଟା ତୁ ମୋଠୁଁ ଲୁଚେଇ ରଖିଛୁ, ତୋ ସହିତ ଆଜିଠାରୁ କଟି କଟି ମାନେ ଡବଲ କଟି।

ମାନ ଅଭିମାନରେ କେଇଟା ଦିନ କଟିଗଲା। ଏଥି ଉତ୍ତାରୁ ଗୋଟେ ପ୍ରସ୍ତାବ ଆସିଲା। ବାପା ହଁ ଭରିଦେଲେ। ତୁଳସୀକୁ ପଚାରିଲାରୁ ସେ ବିନୋଦ ଉପରେ ରାଗିକି ନିରବ ରହିଲା। ବାହାଘରଟା ହଠାତ୍ ଉପରେ ହୋଇଗଲା। ସେପଟେ ଶ୍ୱଶୁର ଘର ପଟେ ବୁଢୀ ଶାଶୁ କୁଆଡେ ଗୋଟିକିଆ ପକାଉଥିଲେ। ନାତୁଣୀ ବୋହୂକୁ ଦେଖିବାକୁ ଥେଇ ଥେଇ କଲେ। ତେଣୁ କିଛି ଗୋଟେ ଧୀର ସ୍ଥିର ହୋଇ ନିଷ୍ପତ୍ତି ନେବା ଆଗରୁ ବାହାଘରଟା ଅଚାନକ ହୋଇଗଲା। ବିନୋଦ ବି ପରିସ୍ଥିତିଟାକୁ ଠିକ୍ ସେ କିଛି ବୁଝି ପାରିଲା ନାହିଁ। କେମିତି ଏତେ ସବୁ ଘଟିଗଲା ଚାହୁଁ ଚାହୁଁ। ସେ ଖାଲି ବୋକାଙ୍କ ଭଳି ଚାହିଁ ରହିଲା ସିନା କିଛି କରି ପାରିଲା ନାହିଁ। ହେଲେ ତୁଳସୀ ବାପ ଘର ଛାଡ଼ି ଚାଲି ଯାଉଥିବା ଶୁଣି ତା ମନ ଘର ଧରୁ ନଥାଏ। ରାତି ସାରା ବିଛଣାରେ ବସି ଏଣୁ ତେଣୁ ଭାବିଲା। କେତେ ଭାବନା ଆସି ମୁଣ୍ଡ ଟେକିଲା। ନିଜକୁ ମନେ ମନେ ଦୋଷୀ କରୁଥାଏ। ସେଦିନ ସାମନ୍ୟ ମିଛ କଥାଟିଏ ତୁଳସୀର ବିଶ୍ବାସବୋଧକୁ ଭାଙ୍ଗି ଦେଇନଥାଇ ପାରେ । ସତ କଥା ହେଲା ମୁଁ ତୁଳସୀକୁ ଭଲ ପାଏ। ସେ ମୋ ଆତ୍ମା। ମୋ ନିଶ୍ଵାସ ଓ ପ୍ରଶ୍ୱାସରେ ତୁଳସୀ । ତାକୁ ଛାଡ଼ି ମୁଁ ମୁହୂର୍ତ୍ତଟିଏ ବଞ୍ଚି ପାରିବି ନାହିଁ। କାରଣ ପିଲାଟି ଦିନରୁ ମୋର ବିଶେଷ ମୁହୂର୍ତ୍ତ ଗୁଡ଼ିକ କେବଳ ତାହାରି ସହିତ ବିତିଛି। ସେ ହିଁ ମୋର ସ୍ମୃତି ଓ ବିସ୍ମୃତି। ତା ବିନା ମୋ ସ୍ଥିତି ଅପରିକଳ୍ପନୀୟ। ହେଲେ ଏ କଥା ମୁଁ ତାକୁ କେମିତି କହିଥାନ୍ତି ଯେ? ସେ ପରା ମୋର ପ୍ରେମ ଓ ଭଲ ପାଇବା। ମୋ ପ୍ରେମ ଯଦି ମୋତେ ମନା କରି ଦେଇଥାନ୍ତା ମୁଁ କ'ଣ ତୁଳସୀକୁ ଆଉ ମୁହଁ ଦେଖାଇ ପାରିଥା'ନ୍ତି? ତେବେ ତୁଳସୀ କ'ଣ ମୋତେ ଭଲ ପାଉନଥିଲା। କାହିଁ ସେ ଦିନେ ମୋତେ ମୁହଁ ଖୋଲି ତ କହି ନାହିଁ। ତଥାପି ସେ କ'ଣ ମୋ ହୃଦୟକୁ ପଢି ପାରି ନଥିବ ନା କ'ଣ ମୁଁ ତା'ର ପସନ୍ଦ ନଥିଲି? ସେଥିପାଇଁ ସେ କ'ଣ ଆଉ କାହାକୁ ବାହା ହୋଇଗଲା। ନା.. ଏ କଥାଟା ଆଦୌ ବିଶ୍ବାସ କରି ହେଉ ନାହିଁ। ତୁଳସୀ ନିଶ୍ଚୟ ମୋତେ ଭଲ ପାଏ, କେବଳ ମୋତେ। ତେବେ ଆଉ କ' ଣ ଅଛି ଯେ, ବାହାଘରଟା ପରା ମୁଣ୍ଡ ଉପରେ। ଏଥରେ ଝାଡ଼ିଝୁଡ଼ି ହୋଇ ବିଛଣାରୁ ଉଠିଲା। ତୁଳସୀ ପାଖ ସିନା ମାଡ଼ିଲା ନାହିଁ, କିନ୍ତୁ ବାହାଘରର ସବୁ ଦାୟିତ୍ଵ ବୁଝିଲା। କାରଣ ଆଜି ଯାଏଁ ସେ ତୁଳସୀର ଖୁସି ପାଇଁ ସବୁ ତ କରିଛି, ଆଉ ଏତେବେଳେ ସେ ସାଥ ନଦେଲେ କିଏ ଦେବ? କିନ୍ତୁ ସେ ତୁଳସୀ ସାମ୍ନାକୁ ଯାଇ ପାରିବ ନାହିଁ, କାରଣ ସେ ସହି ପାରିବ ନାହିଁ , ତାକୁ କାନ୍ଦ ମାଡ଼ିବ। ହେଲେ ବାହାଘରର 'ଏ 'ଠୁଁ 'ଜେଡ୍'ସବୁ କାମ ବୁଝିଲା। ଯେପରି କେଉଁଠି ତ୍ରୁଟି ରହି ନଯାଏ। ଉଦ୍ଦେଶ୍ୟ ତୁଳସୀର ଖୁସି ପାଇଁ ସେ ସବୁ କରିବ। ବିଦାୟ ବେଳା ଆସିଲାଠୁଁ ତୁଳସୀ ମୁହଁ ଫଟାଇ କାନ୍ଦିଲା। କହିଲା - "ବିନୋଦ କାହିଁ? ମୁଁ ତାକୁ ନଦେଖିଲେ ଏଠୁ ଇଞ୍ଚେ ଘୁଞ୍ଚିବି ନାହିଁ। ବିନୋଦ ତୁଳସୀର କାନ୍ଦୁରା ମୁହଁକୁ ଦେଖି ପାରିବ ନାହିଁ ବୋଲି ଆସୁ ନଥିଲା। ହେଲେ ସମସ୍ତେ ହୁଡ଼ି ପକେଇବାକୁ ସେ ଆସିଲା। ଦୁଇ ସାଙ୍ଗ ପରସ୍ପରକୁ ଧରି ବହୁ ସମୟ କାନ୍ଦିଲେ। ଯେମିତି କିଛି ସମୟ ପାଇଁ ସେମାନେ କଅଁଳା ଛୁଆ ପାଲଟି ଯାଇଛନ୍ତି। ଶେଷରେ ସମସ୍ତେ ବୋଧଶୋଧ ଦେଇ ବିଦା କଲେ। ପରି ସମାପ୍ତି ଘଟିଲା ଗୋଟେ ଯୁଗର। ବାପ ଘରେ ଏତିକି ତୁଳସୀ ଜୀବନର ସୁଖ ଶାନ୍ତି। ଏହା ପରେ ଆରମ୍ଭ ହେବ ଶ୍ୱଶୁର ଘରେ ଜୀବନର ନୂଆ ଇନିଂସ।

ଏପଟେ ବିନୋଦ ତୁଳସୀ ଆଖି ସାମ୍ନାରୁ ଅଦୃଶ୍ୟ ହେବା ଯାଏଁ ସେମିତି ରାସ୍ତାଟା ଉପରେ ଆଁଟା କରି ଚାହିଁ ରହିଥିଲା। କେହି ଜଣେ "ଯାଉନୁ ଛିଡ଼ାହୋଇଛୁ କାହିଁକି" କହିଲାଠୁଁ ଫେରି ଆସିଥିଲା ଘରକୁ। ଦିନ ଯାକର କ୍ଳାନ୍ତି ସହ ଶାନ୍ତ ହୋଇ ନଥିଲା ନିଜର ଅଶାନ୍ତ ମନ। ଖାଲି ତୁହାଇ ତୁହାଇ ମନେ ପଡି ଯାଉଥାଏ ତୁଳସୀ ସହିତ ଅତିବାହିତ କରିଥିବା ଜୀବନ ତମାମର ଇତିହାସ। ସବୁ ଗୋଟି ଗୋଟି ହୋଇ ଦୃଶ୍ୟମାନ ହୋଇ ଯାଉଥାଏ। ତେବେ କାହିଁକି? ତୁଳସୀ କ'ଣ ଆଉ ବାହା ହୋଇ ନଥା'ନ୍ତା, ସେ ଖାଲି ସେଇ ଟିକି ପିଲା ହୋଇ କ' ଣ ଥା'ନ୍ତା ଆଉ ତା ସହ ଖେଳିଥାନ୍ତା। ନା ଆଦୌ ନୂହେଁ। ତା'ର ବି ମନ ଅଛି। ରୂପ ଯୌବନ ଅଛି। ବୟସ ହୋଇଗଲେ ସମସ୍ତେ ଚାହାଁନ୍ତି ଜୀବନ ସାଥିଟିଏ। ତେଣୁ ତୁଳସୀ ତ କିଛି ଭୁଲ କରି ନାହିଁ। ତେବେ ତୁଳସୀ କ'ଣ ତାଙ୍କୁ ଝୁରୁ ନଥିବ। ତାଙ୍କ ମନ ତ ସ୍ଥିର ହେଉ ନାହିଁ, ତୁଳସୀକୁ ଝୁରୁଛି? ସେମାନେ ପରା ଗୋଟିଏ ମନ, ଗୋଟିଏ ପ୍ରାଣ ଓ ଗୋଟିଏ ଆତ୍ମା। ପରସ୍ପରକୁ ଭୁଲିବେ କେମିତି? ରାତି ପାହି ଆସୁଥିଲା ମା ଡାକିଲେ ଉଠ୍! ଧଡ ପଡ ହୋଇ ଉଠି ପଡିଲା। ସେହିଦିନୁ ଆଉ ତା ମନରେ ସରାଗ ନଥାଏ କି କୌଣସିଥିରେ ଆଗ୍ରହ। ସବୁବେଳେ ଗୁମ୍ ସୁମ୍। 

 ମଝିରେ ପଡିଲା ବିରାଟ ବିରତି। କିଛି ଦିନର ବ୍ୟବଧାନ ପରେ।ତୁଳସୀର ଶରୀର ସିନା ଶ୍ୱଶୁର ଘରେ ହେଲେ ତାର ଆତ୍ମା ଥାଏ ବିନୋଦ ପାଖରେ। କେହି ଜଣେ ଘର ଲୋକ ଗଲେ ସେ ଆଗ ବିନୋଦ କଥା ପଚାରି ବୁଝେ । ତା'ର ଭଲ ମନ୍ଦର ବେଉରା ନିଏ । ସେମାନଙ୍କ ହାତରେ ଖବର ନହେଲେ ଚିଠିଟିଏ ଦିଏ - ବିନୋଦ! ତୁ ପରା ମୋ ସଖା? ଯେମିତି ଦ୍ରୌପଦୀଙ୍କର ସଖା ଭଗବାନ କୃଷ୍ଣ। ତେଣୁ ଭଲ ମଣିଷ ହେବୁ। ଜୀବନରେ କିଛି ବି ଭୁଲ କରିବୁ ନାହିଁ। ଭଲ ଝିଅଟିଏ ଦେଖି ବାହା ହୋଇଯିବୁ। ଜୀବନରେ ଏମିତି କିଛି କରିବୁ ନାହିଁ ଯେ, ମୁଁ ଯେମିତି ତୋ ଦୁଃଖ ସହି ନ ପାରି ମରି ନଯାଏ"।ତା 'ଠାରୁ ଖବର ପାଇ ବିନୋଦ ଉଦ୍ବିଗ୍ନ ହୋଇ ଉଠେ ।ମନ ଭିତରେ ନିଜକୁ ନିଜେ ଉତ୍ତର ବାଢେ -" ନା ଲୋ ତୁଳସୀ! ମୁଁ ତୋର ସବୁ କଥା ଅକ୍ଷରେ ଅକ୍ଷରେ ପାଳିବି ପଛେ ହେଲେ ତୋତେ କେବେ ଦୁଃଖୀ ଦେଖି ପାରିବି ନାହିଁ"।ଏ କଥାଟା ଯେମିତି ବିଦ୍ୟୁତ୍ ବେଗରେ ପବନ ସହିତ ଖେଳି ଯାଇ ଗୁଞ୍ଜରିତ ହୋଇ ଯାଏ - ତୁଳସୀ କାନରେ। ତୁଳସୀ କହେ - "ମୁଁ ଜାଣିଛି ବିନୋଦ! ତୁମେ ମୋ କଥା କାଟି ପାରିବ ନାହିଁ "।ଏହି ଭଳି ଦୁଇ ଜଣଙ୍କର କେମିସ୍ଟ୍ରି ବଡ଼ ଅଦ୍ଭୁତ। ତାଙ୍କ ଭିତରେ telepathy କାମ କରେ ବୋଧେ, ଜଣଙ୍କ କଥା ଆଉ ଜଣେ ଅତି ସହଜରେ ବୁଝି ନିଏ। ତୁଳସୀଟା ତ ଭାରି ଭଲ ଝିଅ। ସେ କେଇଟା ଦିନରେ ଶ୍ୱଶୁର ଘର ଲୋକଙ୍କୁ ସମସ୍ତଙ୍କୁ ନିଜର କରି ନେଲା।ଆଉ ତାଙ୍କ ସ୍ଵାମୀ ଅର୍ଜୁନ ମଧ୍ଯ ଜଣେ ଭଲ ମଣିଷ ଅନ୍ୟର ଭାବାବେଗକୁ ଅକ୍ଳେଶରେ ବୁଝି ପାରନ୍ତି। ଭାରି ବାସ୍ତବବାଦୀ ଚିନ୍ତାଧାରାର ମଣିଷଟେ। ସେ ତ ତୁଳସୀକୁ ବାଧ୍ୟ କରିଥାନ୍ତି ବିନୋଦ ପାଖକୁ ଚିଠି ଲେଖିବା ପାଇଁ ବା ଯୋଗାଯୋଗ ରକ୍ଷା କରିବା ପାଇଁ । କାରଣ ସେ ଜଣେ ଭଲ ଆତ୍ମା ଓ ପ୍ରଥମ ଦେଖାରେ ବୁଝି ଯାଇଥିଲେ ବିନୋଦଙ୍କର ମଣିଷ ପଣିଆକୁ ଓ ତା'ର ତୁଳସୀ ପ୍ରତି ଥିବା ଅହେତୁକ ସ୍ନେହ ମମତାକୁ। ତୁଳସୀ ବି ଚତୁର୍ଥୀ ରାତିରେ ସବୁ କଥା ସ୍ୱାମୀଙ୍କୁ ସଫା ସଫା କାହିଁ ଦେଇଥିଲା। କହିଲା - "ଦେଖ ସରଳ ତରଳ ଛୋଟ ଝିଅର ମନ ନେଇ ମୁଁ ଏବେ ବି କୁଆଁରୀ ଓ ମୋ ମନ ନିର୍ମଳ। ହେଲେ ମୋର ଗୋଟିଏ ଦୁର୍ବଳତା, ସେ ହେଉଛି ବିନୋଦ। ଏହା ଭଲ ପାଇବା କି ବନ୍ଧୁତା କି ପ୍ରେମ ମୁଁ କିଛି ବୁଝେ ନାହିଁ। ମୁଁ ଖାଲି ଏତିକି ବୁଝିଛି ସେ ମୋ ପିଲା ଦିନର ସାଥୀରୁ ଏଯାଏଁ ଉତ୍ତମ ବନ୍ଧୁ। ଆମେମାନେ ସାଙ୍ଗ ହୋଇ ମିଶିଛୁ, ବସିଛୁ ହସିଛୁ କିନ୍ତୁ ନିର୍ମଳ ହୃଦୟ ନେଇ, ଅନାବିଳ ପ୍ରେମ ଦେଇ, ବିକାରହୀନ ମଣିଷ ହୋଇ ।ତେବେ ବି ଯଦି ତୁମେ ଅବିଶ୍ବାସ କରିବ ମୁଁ ନିରୁପାୟ ଓ ଆତ୍ମ ହତ୍ୟା କରିବାକୁ ମୁଁ ବାଧ୍ୟ। ତେଣୁ ନା ମୁଁ ମୋ ପ୍ରେମକୁ ଠକି ପାରିବି ନା ବିବାହକୁ। ମୁଁ ମୋ ବନ୍ଧୁକୁ ଠକି ପାରିବି ନାହିଁ କି ମୋ ଇହକାଳ ଓ ପରକାଳର ଦେବତା ସ୍ୱାମୀଙ୍କୁ। ତେଣୁ ମୁଁ ଚାହେଁ ସମ୍ପର୍କଟା ବିଶ୍ବାସବୋଧ ଉପରେ ଗଢି ଉଠୁ। ସେଠି କେହି କାହାକୁ ଠକିବା ଠକ୍ ନୂହେଁ। ବରଂ ଖୋଲା ହୃଦୟରେ ଜୀବନର ବାସ୍ତବତାକୁ ବୁଝି ଆଗକୁ ବଢିବା ହିଁ ବାସ୍ତବତା। ସେଦିନ ମନସ୍ତତ୍ତ୍ଵର ଅଧ୍ୟାପକ ଅର୍ଜୁନ ବାବୁ କହିଥିଲେ - "ମୁଁ ସବୁ କଥା ବୁଝି ପାରୁଛି ଆଉ ତୁମ ମନର ଅବସ୍ଥାକୁ ମଧ୍ୟ। ବିନୋଦ ଆଉ ତୁମେ, ତୁମେ ଦୁଇଟା ଯାକ ଭାରି ସରଳ ଆଉ ତୁମ ଦୁଇଜଣଙ୍କର ପିଲାଳିଆମୀ ଏଯାଏଁ ଯାଇନାହିଁ। ଯାହା ହେଉ ମୁଁ ଦୁଇଟି ଭଲ ଆତ୍ମା ସହିତ ସଂଶ୍ଳିଷ୍ଟ ହୋଇଛି। ତୁମର ପରା ଭାଇ ନାହିଁ, ତେଣୁ ବିନୋଦ ଆଜିଠାରୁ ମୋର ଭାଇ। ମୁଁ ମଧ୍ୟ ତା'ର ଦାୟିତ୍ଵ ନେବି। ତାଛଡା ପ୍ରେମ ଆଉ ଭଲ ପାଇବା ଦୁଇଟିଯାକ ଏକା ଭଳି ପ୍ରତୀୟମାନ ହେଲେ ହେଁ ଦୁଇଟିଯାକ ଏକା କଥା ନୂହେଁ। ପ୍ରେମର ସାର୍ଥକତା ହୁଏ ବିବାହରେ, ଯେଉଁଠି ଶରୀର ସହିତ ଶରୀରର ମିଳନ ହୁଏ। ସେଠି ଆତ୍ମାର ମିଳନ ହୋଇ ପାରେ ବା ନହୋଇ ପାରେ କିନ୍ତୁ ଯୌନ ଅକାଂକ୍ଷା ଓ ଲାଳସା ଏବଂ ଅଦମ୍ୟ କାମନା ବାସନା ରହିଥାଏ। ଆହୁରି ମଧ୍ଯ ଏହା କେବଳ ଦୁଇ ବିପରୀତ ଲିଙ୍ଗ ମଧ୍ୟରେ ପ୍ରାୟତଃ ସଂଘଟିତ ହୋଇଥାଏ। ମାତ୍ର୍ ଭଲ ପାଇବା ଏକ ଭିନ୍ନ ବସ୍ତୁ, ଯେଉଁଠି ଦିବ୍ୟାନନ୍ଦାନୁଭୂତି ଥାଏ। ସେମାନେ ହୋଇପାରନ୍ତି ସ୍ତ୍ରୀ ଅବା ପୁରୁଷ ବା ଉଭୟ ସମଲିଙ୍ଗୀ। ମାତ୍ର୍ ଏ ଭଲ ପାଇବା ପାଇଁ କୌଣସି ବିଶେଷ ପ୍ରଯତ୍ନ କରିବାକୁ ପଡ଼ି ନଥାଏ। କାରଣ ଏହି ଭଲ ପାଇବା ହେଉ ହେଉ ହୋଇଯାଏ। ଯେମିତ ମା' ତା' ପୁଅକୁ ବା ବନ୍ଧୁ ତା ବନ୍ଧୁକୁ ଭଲ ପାଏ, ସେହି ପରି ଏହି ଭଲ ପାଇବା ସ୍ୱତଃ ଏକ ପରିସ୍ଥିତିରୁ ଜାତ। ଯେଉଁଠି ସମର୍ପଣ ଭାବ ଥାଏ, ଉତ୍ସର୍ଗୀକୃତ ମନୋଭାବ ଥାଏ, ଅଦେୟ ବୋଲି କିଛି ନଥାଏ, ହେଲେ ଅନ୍ୟ ଜଣେ ଆର ଜଣଙ୍କ ଠାରୁ କିଛି ବି ଲୁଟି ନିଏ ନାହିଁ। ଏହାହିଁ ବାସ୍ତବ ଭଲ ପାଇବା ଓ ଯଥାର୍ଥରେ ବନ୍ଧୁତା। ମୋର ତ ତୁମ ଦୁଇଜଣଙ୍କର ବନ୍ଧୁତା ଦେଖି ଇର୍ଷା ହେଉଛି। ଇଚ୍ଛା ହେଉଛି ମୋ ଭାଗ୍ୟରେ ବି ଏହି ଭଳି ବନ୍ଧୁ ମିଳିଥାନ୍ତା କି? ତେଣୁ ଆଜିଠାରୁ ବିନୋଦ କେବଳ ତୁମର ନୂହେଁ ମୋର ବି ସଖା ଓ ସହୋଦର।ସେଦିନ ତୁଳସୀ ଏତେ ଖୁସି ହୋଇଯାଇଥିଲା ଯେ ତା'ର ଖୁସିର ସୀମା ରହିଲା ନାହିଁ। କୃତଜ୍ଞତାରେ ତା' ଚକ୍ଷୁ ଯୁଗଳ ଲୋତକାପ୍ଲୁତ ହୋଇଯାଉଥିଲା। ଅର୍ଜୁନ ପାଖକୁ ଭିଡ଼ି ନେଇ ସ୍ନେହ ଆଶ୍ଳେଷରେ ବାନ୍ଧି ଦେଇଥିଲେ।


Rate this content
Log in