STORYMIRROR

Sunanda Mohanty

Children Stories Tragedy Thriller

4  

Sunanda Mohanty

Children Stories Tragedy Thriller

ଟୁଟା ତାରା

ଟୁଟା ତାରା

3 mins
0

ଚୁଙ୍ଗା ନାମକ ଗୋଟାଏ ଭୁଆବିଲେଇ ମୂଷାକୁ ଗୋଡ଼େଇ ଗୋଡ଼େଇ ପିଲାଙ୍କ ଖେଳ ପଡ଼ିଆକୁ ଚାଲିଗଲା । ମୂଷା ତ ଗାତ ଭିତରେ ପଶିଯାଇ ଲୁଚିଗଲା । ଚୁଙ୍ଗା ଏଣିକି ତେଣିକି ଚାହିଁ ରହିଲା । ସେପଟରୁ ତା' ସାଙ୍ଗ କୁକୁର ଟିଙ୍ଗା ଆସୁଥିଲା । ତାକୁ ଦେଖି ସେ ଖୁସିହେଇ କହିଲା-'ଏଇଠି ପିଲାମାନେ ମଜାରେ ଖେଳନ୍ତି । ଆଜି ଆମେ ଏଇଠି ଦୌଡ଼ା ଦୌଡ଼ି ଖେଳ ଖେଳିବା ଆସ'।
ଟିଙ୍ଗାକୁକୁର କହିଲା-'ଆରେ ! ଦୁଇଜଣରେ କି ଖେଳ ହେବ ? ମଜା ଆସିବ ନାହିଁ । ସେପାଖରେ ବେଙ୍ଗା ବାଛୁରୀ ତା' ମାଆ ପାଖରେ ଠିଆ ହେଇଛି । ତାକୁ ଡାକ, ସେ ଆମ ସାଙ୍ଗରେ ଖେଳିବ'।
ଚୁଙ୍ଗାର ଡାକ ଶୁଣି ବେଙ୍ଗା ଆସି ସେଇଠି ଖେଳରେ ଯୋଗଦେଲା ।
ମଜାରେ କିଛି ସମୟ ଖେଳ ଚାଲିଲା । ହଠାତ ଆକାଶରେ କଳାମେଘ ଘୋଟି ଆସିଲା । ସାଇଁସାଇଁ ପବନ ବହିଲା ।
ମେଘକୁ ଦେଖି ଚୁଙ୍ଗା କହିଲା-'ଏବେ ବର୍ଷାହେବ । ଆଉ ଖେଳିହେବ ନାହିଁ । ବର୍ଷାରେ ଓଦାହେଲେ, ମୋ ଦେହ ଖରାପ ହେଇଯିବ । ଜର ଆସିବ । ମୁଁ ଯାଉଛି, କାହାଘରେ ପଶିଯାଇ ଆରାମରେ ରହିବି । ଗୋଟାଏ କୁଦାରେ ତ ମୁଁ ଝରକାବାଟେ ତାଙ୍କ ଘରେ ପଶିଯାଇପାରିବି । ଟିଙ୍ଗାଭାଇ ! ଏବେ ତମେ କେମିତି କ'ଣ କରିବ'?
ଟିଙ୍ଗାକୁକୁର କହିଲା-'ମୋ ଦେହ ଓଦାହେଲେ, ଦେହରେ ଉକୁଣିଆ ପୋକହେଇ ଭାରିକଷ୍ଟ ଦିଅନ୍ତି । ସେଇଥିପାଇଁ ବର୍ଷାକୁ ମୋତେ ଭାରି ଡର । ତେବେ ମୋ ଚିନ୍ତା କରନା । ମୁଁ ଧାଇଁଯାଇ ଗାଈ ରହୁଥିବା ଗୁହାଳରେ ପଶିଯିବି । ସେଇଠି ପାଉଁଶ ଗଦାରେ ଶୋଇପଡ଼ି ଆରାମ କରିବି । କିନ୍ତୁ ବାଛୁରୀ ବିଚରା ବର୍ଷାରେ ଏକାଏକା ଓଦା ହେବା ନିଶ୍ଚତ । ସିଏ ତ କୁଆଡ଼େ ଯାଇ କାହାଘରେ ପଶି ପାରିବ ନାହିଁ । ଓଦାହେବ, ହେଉ । ଚାଲ ଆମେ ଆଗ ପଳାଇବା । ବେଙ୍ଗା କ'ଣ କରୁଛି କରୁଥାଉ'।
ଟିଙ୍ଗାକୁକୁର ଏତିକି କହି ଗାଈ ଗୁହାଳ ଆଡ଼କୁ ଧାଇଁଲା । ଗୁହାଳ ଭିତରେ ପଶିଛି କି ନାହିଁ, ଗୋଟାଏ ମାରଣାଗାଈ ତାକୁ ଗୋଜିଆ ଶିଙ୍ଗରେ ଟେକି ବାହାରକୁ ଫିଙ୍ଗିଦେଲା । ବିଚରା ଟିଙ୍ଗାକୁକୁର ଏପଟ ସେପଟହେଇ, ଧାଇଁଧାଇଁ ସୁରକ୍ଷିତ ଜାଗା ପାଇଲାନାହିଁ । ତା' ଦେହ ବର୍ଷାରେ ପୂରାଓଦା ହେଇଗଲା ।

ଏଣେ ଚୁଙ୍ଗାବିଲେଇ ହୁମ୍ପାମାରି ପାଖରେ ଥିବା ଘର ଝରକା ବାଟେ ଭିତରକୁ ପଶିଗଲା । ସେ ଘରେ ଥିବା ଲୋକେ ତାକୁ ଗୋଡ଼େଇ କହିଲେ-'ଚୋର ବିଲେଇ ଘରେ ପଶିଲା । ତାକୁ ବାଡ଼େଇ ବାହାର କର । ନହେଲେ ଖାଇବା ଜିନିଷକୁ ମାରା କରିଦେବ । ଦୁଧହାଣ୍ଡିକୁ ଗଡ଼େଇ ପକେଇବ'।
ମୋଟାଠେଙ୍ଗା ଭୟରେ ଚୁଙ୍ଗା ଜୀବନ ବିକଳେ ସେ ଘରୁ ବାହାରି ଯାଇ ଆଉ କେଉଁଠି ସୁରକ୍ଷିତ ଜାଗା ଅଛି ଖୋଜି ବୁଲିଲା । ସେତେବେଳକୁ ତା' ଦେହ ପୂରା ଓଦା ହେଇଯାଇଥିଲା ।
ବର୍ଷାହେବା ଜାଣି ବାଛୁରୀର ମାଆ ହମ୍ବାରଡ଼ି ଛାଡ଼ି ବାଛୁରୀ ପାଖରେ ପହଞ୍ଚିଗଲା । ବେଙ୍ଗା ଯାଇ ତା' ପେଟତଳେ ଲୁଚି ଠିଆ ହେଇଗଲା । ତା' ଦେହ ଟିକିଏ ବି ଓଦା ହେଲାନାହିଁ ।
ବର୍ଷା ଛାଡ଼ିବା ପରେ ଚୁଙ୍ଗା ସହିତ ଟିଙ୍ଗା ଆସି ଦେଖିଲେ, ବେଙ୍ଗା ଶୁଖିଲା ହେହରେ ସେଇ ପଡ଼ିଆରେ ଠିଆହେଇଛି । ଏମିତି କେମିତି ହେଲା ? ପଚାରିବାରୁ ସେ କହିଲା-'ସବୁଠାରୁ ସୁରକ୍ଷିତ ଜାଗା ହେଉଛି-ମାଆ କୋଳ । ମୁଁ ତୁମଭଳି ଆଶ୍ରା ନେବାକୁ ବାରଦୁଆରକୁ ଯାଇ ନଥିଲି । ମୋ ମାଆ ପେଟତଳ ଥିଲା, ମୋ ପାଇଁ ସବୁଠାରୁ ସୁରକ୍ଷିତ ଆଶ୍ରୟ ସ୍ଥଳ' । ଆଉ ଏଇ ସୌଭାଗ୍ୟ ମୋ ପାଇଁ ଆଣିଦେଇଛି ଟୁଟା ତାରା। ଟୁଟା ତାରା ବା ଉଲକା ଦେଖିଥିଲେ ଖୁବ ଶୁଭ ହୁଏ ବୋଲି ମୁଁ ଆଜି ମୋ ମାଆ କୋଳ ତଳ ଉଷୁମ ପାଇପାରିଛି ବୋଲି ବେଙ୍ଗା ବାଛୁରୀ କହିଥିଲା ତ ସେଦିନ ଚୁଙ୍ଗା ଓ ଟିଙ୍ଗା କୁକୁର ଦୁହେଁ ସାରାରାତି ଆକାଶକୁ ଚାହିଁ ରହିଥିଲେ ଟୁଟା ତାରା ଦେଖିବାକୁ। ସେ ଦୁହିଁଙ୍କର ବିଶ୍ୱାସ ଆସିଯାଇଥିଲା ଯେ ଟୁଟା ତାରା ଦେଖିଲେ ଶୁଭଫଳ ପାଇ ସେମାନେ ହଜିଥିବା ମାଆ ଓ ତା କୋଳ ସୁଖ ପାଇଯିବେ।

   -



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍