ତୋ ଭିତରେ ମୁଁ
ତୋ ଭିତରେ ମୁଁ


ସମୟ ଦୌଡୁଥିଲା ମୋ ଆଗେ ଜୋରେ ଜୋରେ ପାହୁଣ୍ଡ ପକାଇ।ବେଳେବେଳେ ଅଣନିଃଶ୍ଵାସୀ ଲାଗୁଥିଲା।କେଡେ ଫାଜିଲି ଟା ବା ଏ ସମୟ! କି କ୍ଷିପ୍ର ୟାର ଗତି!!ନାକେଦମ୍ କରି ରଖିଲାଣି ଦୌଡାଇ ଦୌଡାଇ।ହେ ମୁଁ ଆଉ ଦଉଡ଼ି ପାରିବି ନାହିଁ ଯା।ତୋ ମନ ଇଚ୍ଛା ଯେତେ ପାରୁଛୁ ଦଉଡୁ।ଦଉଡୁ ଦଉଡୁ ପଛରୁ ଜଣେ କିଏ ଟାଣି ଧରିଲା।
ହଇ ଲୋ ନାକ କାନ୍ଦୁରି ଝାମ୍ପୁଲି ମୁଣ୍ଡି ତୁ ଟା କିଏ ବା....
ସେ ପାଟିରେ ହାତ ଦେଇ ହସିଲା।
ଏ...ଏ ..କଣ ଏମିତି ହସୁଛୁ??
ସେ ଆହୁରି ଟିକେ ଖିଲି ଖିଲି ହୋଇ ହସିଲା।
ରହ ତୋ ମଜା ଦେଖୁଛି;କଥା ନାଇଁ ଖାଲି ହସ...
ଏଥର ସେ ବଡ଼ ପାଟିରେ ହୋ ହୋ ହୋଇ ହସିଲା।
ମୋ ରାଗ ବଢିଗଲା ଦଉଡି ଯାଇ ଖାପୁ କିନା ଧରି ପକେଇଲି ତା ହାତ।
ସେ ଆଉ ନଥିଲା।ମୋ ଭିତରେ ପଶି କେଉଁଠି ଲୁଚିଗଲା।
ମୁଁ ଚକିତ ହେଲି।ତାକୁ ଖୋଜିଲି ଇଆଡ଼େ ସିଆଡେ ଅନେଇଁ।
ସେ ପୁଣି ଦେଖା ଦେଲା।ଏଥରକ ମୂର୍କି ମୂର୍କି ହସୁଥିଲା।କୁଆଡେ ଲୁଚିଲାନି କି ଦଉଡ଼ି ପଳାଇଲା ନାହିଁ।ମୋ କୋଳରେ ବସି ମୋ ମୁହଁକୁ କରୁଣ ହୋଇ ଅନାଇଁଲା।
ଅଭିମାନ କରି କହିଲା ଯା ମୁଁ ତୋ ସଂଗେ କଥା ହେବିନି।
କାଇଁକି ମୋର ଦୋଷ କଣ କି???
ଦୋଷ ତୋର ନୁହଁ ଲୋ ମୋର ସେ ଅଭିଯୋଗ ଭଙ୍ଗୀରେ କହିଲା।ମୁଁ ହିଁ ସବୁ ପାଇଁ ଦାୟୀ।
ମୁଁ ଆହୁରି ଆଶ୍ଚର୍ଯ୍ୟ ହୋଇ ଦ୍ଵନ୍ଦରେ ପଡିଲି।କଣ କହୁଛି ଏ।କାହିଁକି କହୁଛି।
ତାକୁ ଟିକେ ଭଲ କରି ନିରୀକ୍ଷଣ କଲି। ଆରେ ଆରେ ତୁ।
ମୁଁ ଦୌଡ଼ିଲି ଗଡ଼ରେଜ ପାଖକୁ।ଅଣ୍ଡାଳିଲି ,ଘଣ୍ଟି ପକେଇଲି ସବୁ।ଶେଷରେ ପାଇଲି ଯାହା ଖୋଜୁଥିଲି।
ଦେଖ୍ ତ ଏଇଟା କାହାର ଫ୍ରକ୍!!!
ସେ ମୋ ହାତରୁ ଝାମ୍ପି ନେଲା।ଏଇଟା ତ ମୋରି।ମୋ ଫ୍ରକ୍ ସାଇତିଛୁ;କିନ୍ତୁ ମୋତେ ଭୁଲି ଯାଇଛୁ।କେମିତି ଭୁଲିଲୁ ନିଜକୁ।
ସରି ଏହା ଭିତରେ କୋଡିଏ ବର୍ଷ ହୋଇଗଲାଣି।ମୁଁ ନିଜକୁ ମାଜି ମୁଜି କେତେ ପିନ୍ ପିନ୍ କରିଦେଲେଣି।ଆଉ କଣ କିଛି ମନେ ଅଛି।
ହଁ ସେଇ କଥା କହୁ ନଥିଲି....ମୁଁ ଯଦି ସେତେବେଳେ ତୋ ଭାଇ ପରି ଚଗଲା ହୋଇ ଥାଆନ୍ତି;ମନ ଦେଇ ପଢୁ ନଥାନ୍ତି;ତାହେଲେ ତୁ କଣ ମୋତେ ଭୁଲି ଯାଇଥାନ୍ତୁ।ନା ଯାଇ ବାଙ୍ଗାଲୋରରେ ଚାକିରି କରିଥାନ୍ତୁ।
ତୋର ପ୍ୟାକେଜ ପ୍ରତି କେତେ??
ଷାଠିଏ ଲକ୍ଷ୍ୟ........।
ଏ ମା ଏତେ ରୋଜଗାର ତୁ କରୁଛୁ??ପଇସା ଚିହ୍ନିଲଣୁ;ମୋତେ କାଇଁ ଚିହ୍ନିବୁ।
ଆରେ ବାବୁ କହିଲି ପରା ମୋର ଭୁଲ୍ ହୋଇ ଯାଇଛି।
ଆଛା!!କହିଲୁ ତାହେଲେ ମୁଁ କିଏ??
ଓହୋ ତୁ ବା ସାନ୍ୟା,ସୁ।
ଆଉ ତୁ !!!
ମୁଁ ବି ସାନ୍ୟା,...ସୁ।କେତେ ଫଟେଇ ହଉଛୁ ତୁ ବା ମୋ ପିଲା ବେଳ
ଏତେବେଳେ ନିଜକୁ ଚିହ୍ନିଲୁ!!!ହୁଁ କଣ ହୋଇଛି ତୁମ ମାନଙ୍କୁ କେଜାଣି;କି ଡଟ୍ କମ୍ ଯୁଗର ମଣିଷ ତୁମେ;ନିଜକୁ ଚିହ୍ନି ପାରୁନ ଯେଉଁଠି ସେଠି ଅନ୍ୟକୁ ଚିହ୍ନିବ କେମିତି।
ବୁଝିଲୁ ତୁ ଆଉ ସୁ ହୋଇ ନୋହୁଁ।ତୁ ସାନ୍ୟା ଗୋଏଙ୍କା ମ୍ୟାନେଜିଙ୍ଗ ଡିରେକ୍ଟର ମାରୁତି କମ୍ପାନୀସର ହୋଇ ଯାଇଛୁ।
ସାନ୍ୟା ଲୋ ଫେରେଇ ଦେ ସୁ କୁ।ମୁଁ ସବୁବେଳେ ସୁ ହେବାକୁ ଚାହେଁ।ସାନ୍ୟା ମଣିଷ ରୂପୀ ଯନ୍ତ୍ର ହେବାକୁ ଚାହେଁନା।ତୁ ଟଙ୍କା ଖାଆ,ଚୋବା କି ପାରି କି ଶୋ;ମୋର କିନ୍ତୁ ସେଇ ଫ୍ରକ ଜୀବନ ଲୋଡା।ଖେଳିବା,କୁଦିବା ସରଳ,ନିଷ୍କପଟ ଜୀବନ।ତୁ ଚିପା ପ୍ୟାଣ୍ଟ ପିନ୍ଧି କି ଦାମୀ ଜିନ୍ସ।ଚୁଟି କାଟି କୁଟି ଖୋଲା ଛାଡେ କି ଯେତେ ଷ୍ଟାଇଲ କର ମୋର କି ଯାଏ।ମୋର ସେଇ ନାଣ୍ଡି ମୁଣ୍ଡ ଭଲ।
ଦେଖ୍ ଶୁଣ ମୋ କଥା।ମୁଁ ବା ପର ଘରେ ମୁଣ୍ଡ ବିକିଛି।ସମୟ ସହ ତାଳ ଦେଇ ଚାଲିବି ନା। ନହେଲେ ପଛରେ ପଡିଯିବି।ମୋତେ ବର୍ତ୍ତମାନକୁ ଆପଣେଇଁ ବାକୁ ପଡିବ।ନିର୍ବୋଧ ମାନେ ବର୍ତ୍ତମାନରେ ଥାଇ ଅତୀତରେ ବାସ୍ କରନ୍ତି।ତୁ ତ ମୋତେ ଖୁବ୍ ବୁଦ୍ଧିଆ କରି ଦେଇଛୁ।ତୁ ନିଜେ ମୋତେ ଏ ଜୀବନ ଟି ଦାନ ଦେଇଛୁ।ବଢ଼େଇ
ଗଢି ଶେଷରେ ଏମିତି କହୁଛୁ!!
ସାନ୍ୟା!!!
ସୁ!!!
ସାନ୍ୟା ଭିତରେ ସୁ;ସୁ ଭିତରେ ସାନ୍ୟା।ଶୈଶବ ହଜି ଯାଉଥିଲା ତାରୁଣ୍ୟ ଭିତରେ।ତାରୁଣ୍ୟ ଭିଡି ଧରିଥିଲା ଶୈଶବକୁ।