ତୋ ଭିତରେ ମୁଁ
ତୋ ଭିତରେ ମୁଁ
ସମୟ ଦୌଡୁଥିଲା ମୋ ଆଗେ ଜୋରେ ଜୋରେ ପାହୁଣ୍ଡ ପକାଇ । ବେଳେବେଳେ ଅଣନିଃଶ୍ଵାସୀ ଲାଗୁଥିଲା । କେଡେ ଫାଜିଲିଟା ବା ଏ ସମୟ! କି କ୍ଷିପ୍ର ୟାର ଗତି!!ନାକେଦମ୍ କରି ରଖିଲାଣି ଦୌଡାଇ ଦୌଡାଇ । ହେ ମୁଁ ଆଉ ଦଉଡ଼ି ପାରିବି ନାହିଁ ଯା । ତୋ ମନ ଇଚ୍ଛା ଯେତେ ପାରୁଛୁ ଦଉଡୁ । ଦଉଡୁ ଦଉଡୁ ପଛରୁ ଜଣେ କିଏ ଟାଣି ଧରିଲା ।
ହଇ ଲୋ ନାକ କାନ୍ଦୁରି ଝାମ୍ପୁଲି ମୁଣ୍ଡି ତୁ ଟା କିଏ ବା....
ସେ ପାଟିରେ ହାତ ଦେଇ ହସିଲା ।
ଏ...ଏ ..କଣ ଏମିତି ହସୁଛୁ??
ସେ ଆହୁରି ଟିକେ ଖିଲି ଖିଲି ହୋଇ ହସିଲା ।
ରହ ତୋ ମଜା ଦେଖୁଛି;କଥା ନାଇଁ ଖାଲି ହସ...
ଏଥର ସେ ବଡ଼ ପାଟିରେ ହୋ ହୋ ହୋଇ ହସିଲା ।
ମୋ ରାଗ ବଢିଗଲା ଦଉଡି ଯାଇ ଖାପୁ କିନା ଧରି ପକେଇଲି ତା ହାତ ।
ସେ ଆଉ ନଥିଲା । ମୋ ଭିତରେ ପଶି କେଉଁଠି ଲୁଚିଗଲା ।
ମୁଁ ଚକିତ ହେଲି । ତାକୁ ଖୋଜିଲି ଇଆଡ଼େ ସିଆଡେ ଅନେଇଁ ।
ସେ ପୁଣି ଦେଖା ଦେଲା । ଏଥରକ ମୂର୍କି ମୂର୍କି ହସୁଥିଲା । କୁଆଡେ ଲୁଚିଲାନି କି ଦଉଡ଼ି ପଳାଇଲା ନାହିଁ । ମୋ କୋଳରେ ବସି ମୋ ମୁହଁକୁ କରୁଣ ହୋଇ ଅନାଇଲା ।
ଅଭିମାନ କରି କହିଲା ଯା ମୁଁ ତୋ ସଂଗେ କଥା ହେବିନି ।
କାଇଁକି ମୋର ଦୋଷ କଣ କି???
ଦୋଷ ତୋର ନୁହଁ ଲୋ ମୋର ସେ ଅଭିଯୋଗ ଭଙ୍ଗୀରେ କହିଲା । ମୁଁ ହିଁ ସବୁ ପାଇଁ ଦାୟୀ ।
ମୁଁ ଆହୁରି ଆଶ୍ଚର୍ଯ୍ୟ ହୋଇ ଦ୍ଵନ୍ଦରେ ପଡିଲି । କଣ କହୁଛି ଏ । କାହିଁକି କହୁଛି ।
ତାକୁ ଟିକେ ଭଲ କରି ନିରୀକ୍ଷଣ କଲି । ଆରେ ଆରେ ତୁ ।
ମୁଁ ଦୌଡ଼ିଲି ଗଡ଼ରେଜ ପାଖକୁ । ଅଣ୍ଡାଳିଲି, ଘାଣ୍ଟି ପକେଇଲି ସବୁ । ଶେଷରେ ପାଇଲି ଯାହା ଖୋଜୁଥିଲି ।
ଦେଖ୍ ତ ଏଇଟା କାହାର ଫ୍ରକ୍!!!
ସେ ମୋ ହାତରୁ ଝାମ୍ପି ନେଲା । ଏଇଟା ତ ମୋରି । ମୋ ଫ୍ରକ୍ ସାଇତିଛୁ; କିନ୍ତୁ ମୋତେ ଭୁଲି ଯାଇଛୁ । କେମିତି ଭୁଲିଲୁ ନିଜକୁ ।
ସରି ଏହା ଭିତରେ କୋଡିଏ ବର୍ଷ ହୋଇଗଲାଣି । ମୁଁ ନିଜକୁ ମାଜି ମୁଜି କେତେ ପିନ୍ ପିନ୍ କରିଦେଲେଣି । ଆଉ କଣ କିଛି ମନେ ଅଛି ।
ହଁ ସେଇ କଥା କହୁ ନଥିଲି....ମୁଁ ଯଦି ସେତେବେଳେ ତୋ ଭାଇ ପରି ଚଗଲା ହୋଇଥାଆନ୍ତି; ମନ ଦେଇ ପଢୁ ନଥାନ୍ତି; ତାହେଲେ ତୁ କଣ ମୋତେ ଭୁଲି ଯାଇଥାନ୍ତୁ । ନା ଯାଇ ବାଙ୍ଗାଲୋରରେ ଚାକିରି କରିଥାନ୍ତୁ ।
ତୋର ପ୍ୟାକେଜ ପ୍ରତି କେତେ??
ଷାଠିଏ ଲକ୍ଷ........ ।
ଏ ମାଆ ଏତେ ରୋଜଗାର ତୁ କରୁଛୁ??ପଇସା ଚିହ୍ନିଲୁଣୁ;ମୋତେ କାଇଁ ଚିହ୍ନିବୁ ।
ଆରେ ବାବୁ କହିଲି ପରା ମୋର ଭୁଲ୍ ହୋଇ ଯାଇଛି ।
ଆଛା!!କହିଲୁ ତାହେଲେ ମୁଁ କିଏ??
ଓହୋ ତୁ ବା ସାନ୍ୟା,ସୁ ।
ଆଉ ତୁ !!!
ମୁଁ ବି ସାନ୍ୟା,...ସୁ । କେତେ ଫଟେଇ ହଉଛୁ ତୁ ବା ମୋ ପିଲା ବେଳ ।
ଏତେବେଳେ ନିଜକୁ ଚିହ୍ନିଲୁ!!!ହୁଁ କଣ ହୋଇଛି ତୁମମାନଙ୍କୁ କେଜାଣି;କି ଡଟ୍ କମ୍ ଯୁଗର ମଣିଷ ତୁମେ;ନିଜକୁ ଚିହ୍ନି ପାରୁନ ଯେଉଁଠି ସେଠି ଅନ୍ୟକୁ ଚିହ୍ନିବ କେମିତି ।
ବୁଝିଲୁ ତୁ ଆଉ ସୁ ହୋଇ ନୋହୁଁ । ତୁ ସାନ୍ୟା ଗୋଏଙ୍କା ମ୍ୟାନେଜିଙ୍ଗ ଡିରେକ୍ଟର ମାରୁତି କମ୍ପାନୀସର ହୋଇ ଯାଇଛୁ ।
ସାନ୍ୟା ଲୋ ଫେରେଇ ଦେ ସୁ କୁ । ମୁଁ ସବୁବେଳେ ସୁ ହେବାକୁ ଚାହେଁ । ସାନ୍ୟା ମଣିଷ ରୂପୀ ଯନ୍ତ୍ର ହେବାକୁ ଚାହେଁନା । ତୁ ଟଙ୍କା ଖାଆ,ଚୋବା କି ପାରି କି ଶୋ;ମୋର କିନ୍ତୁ ସେଇ ଫ୍ରକ ଜୀବନ ଲୋଡା । ଖେଳିବା, କୁଦିବା ସରଳ, ନିଷ୍କପଟ ଜୀବନ । ତୁ ଚିପା ପ୍ୟାଣ୍ଟ ପିନ୍ଧି କି ଦାମୀ ଜିନ୍ସ । ଚୁଟି କାଟି କୁଟି ଖୋଲା ଛାଡେ କି ଯେତେ ଷ୍ଟାଇଲ କର ମୋର କି ଯାଏ । ମୋର ସେଇ ନାଣ୍ଡି ମୁଣ୍ଡ ଭଲ ।
ଦେଖ୍ ଶୁଣ ମୋ କଥା । ମୁଁ ବା ପର ଘରେ ମୁଣ୍ଡ ବିକିଛି । ସମୟ ସହ ତାଳ ଦେଇ ଚାଲିବି ନା । ନଲେ ପଛରେ ପଡିଯିବି । ମୋତେ ବର୍ତ୍ତମାନକୁ ଆପଣେଇ ବାକୁ ପଡିବ । ନିର୍ବୋଧ ମାନେ ବର୍ତ୍ତମାନରେ ଥାଇ ଅତୀତରେ ବାସ୍ କରନ୍ତି । ତୁ ତ ମୋତେ ଖୁବ୍ ବୁଦ୍ଧିଆ କରି ଦେଇଛୁ । ତୁ ନିଜେ ମୋତେ ଏ ଜୀବନଟି ଦାନ ଦେଇଛୁ । ବଢ଼େଇ ଗଢି ଶେଷରେ ଏମିତି କହୁଛୁ!!
ସାନ୍ୟା!!!
ସୁ!!!
ସାନ୍ୟା ଭିତରେ ସୁ;ସୁ ଭିତରେ ସାନ୍ୟା । ଶୈଶବ ହଜି ଯାଉଥିଲା ତାରୁଣ୍ୟ ଭିତରେ । ତାରୁଣ୍ୟ ଭିଡି ଧରିଥିଲା ଶୈଶବକୁ ।
