Padmalaya Padhy

Others

4.5  

Padmalaya Padhy

Others

ଥେଟରବାଲୀ

ଥେଟରବାଲୀ

7 mins
319



ମୁହଁରେ ରଙ୍ଗ ମାଖି ଷ୍ଟେଜରେ ଅଭିନୟ କରୁ କରୁ ସତରେ ଦିନେ ଜୀବନର ରଙ୍ଗମଞ୍ଚରେ ଅଭିନୟ କରିବାକୁ ହେବ ବୋଲି ସ୍ବପ୍ନରେ ବି ଜାଣି ନଥିଲା କଳାବତୀ l ସେ ତ ଅଭିନୟକୁ ଆଦରି ନେଇଥିଲା l ନା ଥିଲା ଅତୀତ ନା ଭବିଷ୍ୟତ l ଥିଲା ତ କେବଳ ଆଜି ଓ ବର୍ତ୍ତମାନ l ଡାଏଲଗ ଘୋଷା ସାଙ୍ଗକୁ ରଙ୍ଗ ବୋଳା ଅଭିନୟ l ଗୋଟାକ ପରେ ଗୋଟାଏ ଦୃଶ୍ୟ ବଦଳିବା ସହିତ ତାଳ ଦେଇ ବଦଳି ଚାଲିବା କଥା l ବୀର ହନୁମାନ ଗଣନାଟ୍ୟ ଯୁଆଡେ କଳାବତୀ ସିଆଡେ l କାହାଣୀ ବଦଳିବା ସାଙ୍ଗେ ସାଙ୍ଗେ କଳାବତୀର ଭୂମିକା ବି ବଦଳି ଯାଉଥିଲା l କୋଉଠି ହିରୋଇନ, କୋଉଠି କଲେଜ ପଢୁଆ ଝିଅ ତ ପୁଣି କୋଉଠି ସୁନ୍ଦରୀ ବୋହୁ l


ଆଖିରେ ଗ୍ଲିସେରିନ ଦେଇ ଯେତେବେଳେ କାହାଣୀ ର ପ୍ରତାରିତା ନାୟିକା କଳାବତୀ କାନ୍ଦିବା ଆରମ୍ଭ କରେ ସେତେବଳେ ଡ୍ରାମା ରେ ତାକୁ କନ୍ଦାଇଥିବା ପୁରୁଷ ଟି ମଧ୍ୟ ନେପଥ୍ୟ ରେ କାନ୍ଦି ପକାଏ l ଏତେ ଜୀବନ୍ତ ଥିଲା କଳାବତୀ ର ଅଭିନୟ l କିନ୍ତୁ କଳାବତୀ ର ମନରେ କେଉଁଠି ନା କେଉଁଠି କିଛି ଅଭାବ ରହି ଯାଏ l ଅଭିନୟ କରୁ କରୁ ଅନ୍ୟମନସ୍କ ହୋଇ ଯାଏ ମନ l


ଆଜିକାଲି ମିଛ ଅଭିନୟ ର ସତସତିକା ରୂପରେଖ ଚାହୁଁଛି ସେ l ମିଛ ଘର ସଂସାର ରେ ସୁନାନାକୀ ପତ୍ନୀ ହେଉ ହେଉ ନିଜର ବି ଘର ସଂସାର ଆରମ୍ଭ କରିବାକୁ ମନ ହେଲାଣି ତାକୁ l ଥିଏଟର ର ପତି ନୁହେଁ ନିଜ ର ଗୋଟେ ସବୁଦିନିଆ ଜୀବନସାଥୀ ଦରକାର ଯେ କି ତାକୁ ଛାଡି ଦେଇ ଚାଲି ଯିବ ନାହିଁ ଥିଏଟର ହିରୋ ଭଳିଆ l ହେଲେ ଡ୍ରାମାବାଲି କୁ କିଏ ପତ୍ନୀ କରିବ ଅବା ! କଳା ର ଆଦର କାହିଁ ? ଦର୍ଶକ ଅଛନ୍ତି ନାୟିକା କୁ ଷ୍ଟେଜ ରେ ଦେଖି ହୁଇସିଲ ମାରିବେ କିନ୍ତୁ ଘର କୁ ଏମିତି ଘରବାଲୀ ଦରକାର ଯାହାକୁ ପବନ ବାଜି ନଥିବ ଓ ଯେ ନିଜେ ମଧ୍ୟ ସୂର୍ଯ୍ୟ ଚନ୍ଦ୍ର ଦେଖି ନଥିବ l


ଦିନେ ରୋଷେଇ କରୁଥିବା ଟୁବି ଆସି କହିଲା

--ନାନୀ କାଲି କଣ ହେଲା ଜାଣିଛ ନା ? ଟୁବି ର ସବୁ କଥା କୁ ଅତିରଂଜିତ କରି କହିବା ଅଭ୍ୟାସ l ତେଣୁ ସେଆଡେ଼ ନ ଦେଖି କଳାବତୀ ପଚାରିଲା

--ତୁ ଆଉ ଡ୍ରାମା ଆରମ୍ଭ କରନା ବାବୁ l ସିଧା ସିଧା କହ କଣ ହେଲା l

--ସେ ଯେଉଁ ଖଣ୍ଡା ନାକ ନିଶୁଆ ବାବୁ ଜଣକ ଆମ ଡ୍ରାମା ଉପରେ ପ୍ରଶଂସା କରି ଖବର କାଗଜ ରେ ଲେଖୁଛି ନା ସେ ତୁମ ବିଷୟରେ ପଚାରି ବୁଝୁଥିଲା l ବୋଧେ ସେ ତୁମ ଉପରେ ଫିଦା !

--ଯିଏ ଯାହା ବିଷୟରେ ପଚାରିବ ସେ ତା ଉପରେ ଫିଦା ହୋଇଗଲା ? ଯିବୁ ନା ନାହିଁ ଏଠୁ l


ସେ ନିଜେ ବି ଦେଖୁଛି ସବୁ କାହାଣୀ ର ପ୍ରଥମ ସୋ ରେ ଜଣେ ଆସି ସାମ୍ନା ସିଟ ରେ ବସି କଣ ସବୁ ଲେଖା ଲେଖି କରୁଛି l ମଉସା କହୁଥିଲେ ସେ କୁଆଡେ ଜଣେ ସାମ୍ବାଦିକ l ଟୁବି ର ଯେତେକ ସବୁ ଫାଜିଲାମୀ l କିନ୍ତୁ ଲୋକଟି ଦେଖିବାକୁ ବହୁତ…..! ଧେତ ! ଏ ସବୁ କଣ ସେ ଭାବୁଛି ସେ l


 ସତକୁ ସତ ଦିନେ ସେଇ ସାମ୍ବାଦିକ ଜଣକ ଆସି ପହଁଚିଲେ କଳାବତୀ ର ସାକ୍ଷାତକାର ନେବା ପାଇଁ l କଳାବତୀ ଏବେ ଜାଣିଲା ଯେ ତାଙ୍କ ନାମ ଅଶ୍ୱିନୀ ଓ ସେ ସେଇ ସହର ରେ ରହି ସାମ୍ବାଦିକତା କରୁଛନ୍ତି l କଳାବତୀ ଅଭିନୀତ କାହାଣୀ ଗୁଡିକ ର ମର୍ମ ଓ କଳାବତୀ ର ଅଭିନୟ ଉପରେ ସେ କୁଆଡେ ବହୁତ ଉଚ୍ଚ ପ୍ରଶଂସା କରି ଗୁଡ଼ାଏ ଲେଖିଛନ୍ତି ତାଙ୍କ ଖବର କାଗଜ ରେ l 


ଏଣିକି କେବଳ ପ୍ରଥମ ଦିନ ର ପ୍ରଥମ ସୋ ନୁହେଁ ସବୁ ସୋ ଦେଖିବାକୁ ସେ ଆସନ୍ତି ପୁଣି ବେଳ ଅବେଳ ରେ ମଧ୍ୟ ଦେଖା କରନ୍ତି  l ଜଣେ ମଞ୍ଚ କଳାକାର ର ଜୀବନ କୁ ଅତି ନିକଟରୁ ଜାଣି ତାରି ଉପରେ କିଛି ଲେଖିବାକୁ ମନସ୍ଥ କରିଛନ୍ତି l ସିନେମା ରେ ପୁଣି ମିଶାଇ ଦେବେ ବୋଲି ପ୍ରତିଶୃତି ବି ଦେଇଛନ୍ତି l କଳାବତୀ ର କିନ୍ତୁ ଏତେ ଉଚ୍ଚାଭିଳାଷ ନାହିଁ l ଅଶ୍ୱିନୀ ଙ୍କୁ ସେ ମନେ ମନେ ପ୍ରେମ କରି ବସିଲାଣି l ସାରା ଜୀବନ ପାଇଁ ଯଦି ସେ ମିଳି ଯାଆନ୍ତେ ? ଲାଜେଇ ଯାଏ କଳାବତୀ l


 ଅଶ୍ୱିନୀ ଙ୍କ ଆସିବାରେ ସାମାନ୍ୟ ବିଳମ୍ବ ହେଲେ କଳାବତୀର ଛାତି ଧଡ଼ ଧଡ଼ ହୁଏ l ସତରେ ଅଶ୍ୱିନୀ କଣ ହେବେ କି ତାର l ତାଙ୍କ ପାଇଁ ଏତେ ବ୍ୟସ୍ତ କାହିଁକି ଲାଗୁଛି l ନିର୍ଭିକ ସାମ୍ବାଦିକ ଅଶ୍ୱିନୀ ଙ୍କ ପିତା ଜଣେ ଶିକ୍ଷକ l ଅଶ୍ୱିନୀ ହେଉଛନ୍ତି ତାଙ୍କର ଏକମାତ୍ର ସନ୍ତାନ l କଳାବତୀ ପାଖେ ଗୋଟିଏ ସୁଯୋଗ୍ୟ ପତ୍ନୀ ହେବାର ସମସ୍ତ ଗୁଣ ମହଜୁଦ ଅଛି ବୋଲି ସେ ଅନେକ ଥର କହି ସାରିଲେଣି l ଅଶ୍ୱିନୀଙ୍କ ପ୍ରତ୍ୟେକ ଶବ୍ଦ କଳାବତୀ ର ମନରେ ଅସୁମାରୀ ସ୍ବପ୍ନ ର ବୀଜ ବୁଣି ଚାଲିଛି l ଅଶ୍ୱିନୀ ଙ୍କୁ ଯାହା ଯାହା ଭଲ ଲାଗେ କଳାବତୀ ସେଇ ସବୁ କରିବାକୁ ବଦ୍ଧପରିକର l ସେଥିପାଇଁ ଖାସ ଅଶ୍ୱିନୀ ଙ୍କୁ ଭଲ ଲାଗେ ବୋଲି କଳାବତୀ ଷ୍ଟେଜ ବାହାରେ ବି କଜ୍ଵଳ ଲଗାଉଛି l ନହେଲେ ଷ୍ଟେଜ ରୁ ଚାଲି ଆସିଲେ କଳାବତୀ ର ବେଶ ପୋଷାକ ଦେଖିବାକୁ ଅତି ସାଧାସିଧା l  


ସେଦିନ କଳାବତୀ ଭାବିଲା ଅଶ୍ୱିନୀ ଖାଲି ଦିନ ଗଡାଉଛନ୍ତି l ସୁତରାଂ ତାକୁ ହିଁ କିଛି କରିବାକୁ ହେବ l କିଛି ନାହିଁ ଖାଲି ଅଶ୍ୱିନୀ ଙ୍କ ମା ଙ୍କ ପାଖରେ ବିନତି କରି ଅଶ୍ୱିନୀଙ୍କୁ ହିଁ ମାଗିଥିଲା l

--ମୋତେ କିଛି ଲୋଡ଼ା ନାହିଁ ମା l ମୁଁ ଖାଲି ତାଙ୍କୁ ଚାହୁଁଛି l ତାଙ୍କ ବିନା ମୁଁ ବଞ୍ଚି ପାରିବିନି l ଉତ୍ତର ରେ ତାଙ୍କ ମା କହିଥିଲେ ଯେ ଏହା ସମ୍ଭବ ନୁହେଁ l

--ଶହ ଶହ ଲୋକଙ୍କ ଆଗରେ ଡିଆଁ କୁଦା ମାରୁଥିବା ଝିଅ କୁ କେବେ ବି କେହି ବୋହୁ କରିବେ ନାହିଁ l ଆଜି ୟାର ତ କାଲି ତାର ବାହୁ ବନ୍ଧନ ରେ ଆବଦ୍ଧ ହୋଇ ଲୋକଙ୍କ କରତାଳି ପାଇ ହେବ ସିନା କିନ୍ତୁ ସ୍ତ୍ରୀ କିମ୍ବା ବୋହୁ ର ପଦବୀ ମିଳିବ ନାହିଁ l

--ମା ! ସେମିତି କୁହ ନାହିଁ l ଅଶ୍ୱିନୀ ଙ୍କୁ ଛାଡି ମୁଁ ଜିଇଁ ପାରିବି ନାହିଁ l ମୋର ଧମନୀ ରେ ଅଶ୍ୱିନୀ ଙ୍କ ନାମ ହିଁ ପ୍ରବାହିତ ହେଉଛି l ତାଙ୍କ ଲାଗି ମୁଁ ସବୁ କିଛି ଛାଡି ଚାଲି ଆସିବି l ଆଜି ପର୍ଯ୍ୟନ୍ତ ତାଙ୍କୁ ଛାଡି ମୁଁ ଅନ୍ୟ କିଛି କଳ୍ପନା କରିନାହିଁ l


ଅଶ୍ୱିନୀ ଙ୍କ ବାପା ଏଥର ମୁହଁ ଖୋଲିଲେ l

--ଏ ବୟସରେ ଲୋକ ଆଙ୍ଗୁଳି ଦେଖାଇଲେ ଆମକୁ ପସନ୍ଦ ହେବନାହିଁ ରେ ମା l ଆମେ ବହୁତ ସ୍ଵାର୍ଥୀ l ଆମର ବି ପୁଅକୁ ନେଇ କେତେ କଣ ସ୍ବପ୍ନ ରହିଛି l

--ହେଲେ ଅଶ୍ୱିନୀ ତ ମୋ ବିଷୟରେ ବହୁତ ଭଲ ଭଲ କଥା ଲେଖନ୍ତି ବାପା ! ମୋ ଡ୍ରାମା ଓ ମୋର ଅଭିନୟ କୁ ପ୍ରଶଂସା କରି ପୃଷ୍ଠା ପୃଷ୍ଠା ଲେଖନ୍ତି ସେ l

--ତୁମେ କୁହ ନା ଅଶ୍ୱିନୀ l ବୁଝେଇ ଦିଅ ଯେ ତୁମେ ବି କଳା ର ପୂଜାରୀ l ଅଶ୍ୱିନୀ ଙ୍କ କଥା ପଦକରେ କଳାବତୀ ର ଭ୍ରମ ସବୁ ଦିନ ପାଇଁ ଭାଙ୍ଗି ଯାଇଥିଲା l

--ଯାହାର ଯେଉଁଠି ସ୍ଥାନ ସେ ସେଇଠି ହିଁ ରହେ କଳା ! ସୁନା ରେ ତିଆରି ହେଲେ ବି ଜୋତା କୁ ପାଦରେ ହିଁ ପିନ୍ଧା ଯାଏ l ସୁନା ବୋଲି ତାକୁ ମୁଣ୍ଡ ଉପରେ ରଖା ଯାଏନା l


ହେଲେ ବି କଳାବତୀ ଶେଷ ଆଶା ଟି ଛାଡି ନଥିଲା l ଅଶ୍ୱିନୀ ଙ୍କ ଶିକ୍ଷକ ପିତା ନିଶ୍ଚୟ ଏମାନଙ୍କୁ ଅନୁମତି ଦେବେ l

--ବାପା ଆପଣ ତ ଜଣେ ଶିକ୍ଷକ l ସମାଜ ର ଚିନ୍ତାଧାରା ଓ ଗତିପଥ କୁ ବଦଳାଇ ନୂଆ ଯୁଗକୁ ଆବାହନ କରିବା ଆପଣଙ୍କ ଦ୍ୱାରା ହିଁ ସମ୍ଭବ l ବୃତ୍ତି ରେ ମୁଁ କରୁଥିବା ଅଭିନୟ ହେଉଛି ଗୋଟିଏ କଳା l ପେଟ ପୋଷିବା ପାଇଁ କଳା ର ହିଁ ତ ପୂଜା କରୁଛି ନା ବାପା l ନିଜର ସଉକ ପାଇଁ ତ ମୁଁ ଏସବୁ କରୁନାହିଁ l ପୁଣି ଲୋକ ଖର୍ଚ୍ଚ କରି ଦେଖୁଛନ୍ତି ତାଳି ବି ମାରୁଛନ୍ତି l

--ନିଶ୍ଚୟ ଦେଖିବେ l ଗୋଟେ ନାରୀ ସର୍ବ ସମକ୍ଷ ରେ ପର ପୁରୁଷ ଙ୍କ ସହ ଅନ୍ତରଙ୍ଗ ଭାବେ ଯାହା କରିବ ଲୋକ ତ ଦେଖିବେ ନା l ସେ ଅଭିନୟ ହେଉ ଅବା ବାସ୍ତବ l ଦେଖିଲେ ବୋଲି ତାକୁ ଘରେ ଆଣି କୁଳବଧୂ ର ମର୍ଯ୍ୟଦା ତ ଦେଇ ହେବନାହିଁ ?


କେତେ ନିଉନ ହୋଇ କହିଲେ ବି ସେମାନେ ଅଶ୍ୱିନୀଙ୍କ ସମ୍ମୁଖରେ କଟୁ ସତ୍ୟ ଗୁଡିକ ମୁହଁ ଖୋଲି କହି ଦେଇଥିଲେ ଓ ଅଶ୍ୱିନୀ ଏମାନଙ୍କ ଗହଣ ରେ ନୀରବ ଦର୍ଶକ ସାଜି ବସିରହିଥିଲେ l ବରଂ ଭଲ ହେଲା l ଆଉ ଅଧିକା ସ୍ବପ୍ନ ଦେଖିବାକୁ ପଡିଲା ନାହିଁ l କଳାବତୀ ଧୀର ପାଦ ରେ ଫେରି ଆସିଥିଲା ସେଇ ମଞ୍ଚ କୁ ଯେଉଁଠି ରଙ୍ଗ ଲଗାଇ ସୁଖୀ ଦିଶୁଥିବା ଚେହେରା କୁ ଦେଖି ଦର୍ଶକ ମତୁଆଲା ହୋଇ ଉଠନ୍ତି l ଯେଉଁଠି ଗ୍ଲିସେରିନ ର ଲୁହ ସଙ୍ଗେ ନିଜ ଲୁହକୁ ମିଶାଇ ଦେଇ ହୁଏ l ଯେଉଁଠି ମନ ର ବେଦନା କୁ ଷ୍ଟେଜ ଉପରେ ଧାର ଧାର ଅଶ୍ରୁ ନିଗାଡ଼ି ଶାନ୍ତ କରି ହୁଏ l


ଥିଏଟର ରେ ଆଜିର କାହାଣୀ ହେଉଛି ଜଣେ ପ୍ରେମିକା ର ଯିଏ କି ପ୍ରେମ ରେ ବିଫଳ ହେଲା ପରେ ଆତ୍ମହତ୍ୟା କରିଛି l ପ୍ରଥମ ସୋ ର ଶେଷ ଦୃଶ୍ୟ l ଖେଳନା ନୁହେଁ ସତ ରିଭଲଭର ମଗାଇ ରଖିଛି କଳାବତୀ l ଶେଷ ଦୃଶ୍ୟରେ ଡାଏଲଗ ବେଶି ନାହିଁ କିନ୍ତୁ ଦୁଃଖ କୁ ଫୁଟାଇ ପାରିଲେ କାହାଣୀ ଟି ସୁପରହିଟ ହେବ l କଳାବତୀ କାନ୍ଦୁଛି ଆଜି ଅସରନ୍ତି ଲୁହ ଓ ଅଗଣିତ କୋହ ର ଯନ୍ତ୍ରଣା l ବିନା ଗ୍ଲିସେରିନ ରେ ଧାର ଧାର ହୋଇ ବୋହି ଯାଉଛି କେଉଁ କାଳରୁ ଭରି ରହିଥିବା ହୃଦୟ ର ଜ୍ୱାଳା l ଷ୍ଟେଜ ଅନ୍ଧାର ହେଲା l ବ୍ୟାଗ ରେ ଦୁଇଟି ରିଭଲଭର l ଅସଲି ଜିନିଷ ଟି କଳାବତୀ କୁ ସବୁ ଦିନ ପାଇଁ ମୁକ୍ତି ଦେଇଦେବ ଅଶ୍ୱିନୀ ମାନଙ୍କ ଠାରୁ l ଆଉ ନକଲି ଖେଳନା ଟି ବଞ୍ଚାଇ ରଖିବ କଳାବତୀ କୁ ଆହୁରି ଲୁହ ପିଇବା ପାଇଁ, ଆହୁରି ଜଳିବା ପାଇଁ, ଆହୁରି ସରିବା ପାଇଁ ଏବଂ ଆହୁରି ସହିବା ପାଇଁ l 


କେଉଁ ଯୁଗରୁ କେତେ ଅଶ୍ୱିନୀ କେତେ କଳାବତୀଙ୍କ ହୃଦୟ ସହିତ ଖେଳିବା ପରେ ସଂସ୍କାର ଓ ମର୍ଯ୍ୟାଦାର ଦ୍ୱାହି ଦେଇ ଗୋଡ଼ରେ ଆଡେଇ ଚାଲି ଯାଇଛନ୍ତି l କେତେ କଳାବତୀ ଲୁହ ବଦଳରେ ଲହୁ ପିଇ ସେଇଠି ହିଁ ଜୀବନର ଶେଷ ବୋଲି ଭାବି ନିଜେ ନିଜକୁ ଶେଷ କରି ଦେଇଛନ୍ତି l ଆଜି ଆଉ ଗୋଟିଏ କଳାବତୀର ପୁନରାବୃତ୍ତି l ବେଶି କିଛି ନୁହେଁ ମାତ୍ର କେତେଟା ନିଶ୍ୱାସ ର ବଦଳରେ ରେ ଜୀବନ ଟା ଏପଟେ ନଚେତ ସେପଟେ l


ଯଥା ସମୟ ରେ ଷ୍ଟେଜ ଅନ୍ଧାର ହୋଇଗଲା l ରିଭଲଭର ରୁ ଗୁଳି ଫୁଟିଲା l ଚାରି ଆଡେ ନିସ୍ତବ୍ଧ l ଷ୍ଟେଜ ପୁଣି ଆଲୋକିତ ହେଲା ବେଳକୁ ଦେଖା ଗଲା ଯେ ନାୟିକା ଆତ୍ମହତ୍ୟା କରିଛି l ଦର୍ଶକଙ୍କ କରତାଳିରେ ଷ୍ଟେଜ ଉଠୁଛି ପଡୁଛି l ଏତେ ବଡ଼ ଉଚ୍ଚକୋଟୀର ଅଭିନେତ୍ରୀକୁ ଦର୍ଶକ ମାନେ ଡ୍ରାମାରେ ନୁହଁ ସିନେମା ରେ ଦେଖିବାକୁ ଚାହୁଁଛନ୍ତି l ଡ୍ରାମା ସରି ଯାଇଛି l ହେଲେ ଏବେବି ଲୋକଙ୍କ ମନ ଭାଙ୍ଗି ନାହିଁ l ଲୋକ ଆହୁରି ଦେଖିବାକୁ ଚାହୁଁଛନ୍ତି l ପରଦା ପଡିଲା ପରେ ବାଧ୍ୟ ହୋଇ ଦର୍ଶକ ମାନେ ଉଠି ଚାଲି ଯାଇଥିଲେ l ଏଥର କଳାବତୀ ଉଠିଥିଲା l ଅସଲି ଯନ୍ତ୍ରଟି ଅବ୍ୟବହୃତ ହୋଇ ବ୍ୟାଗ ଭିତରେ ପଡି ରହିଥିଲା l


କଳାବତୀ ମରି ନାହିଁ l ସେ ମରି ପାରିବ ନାହିଁ l କଳାବତୀ ଯେ କଳାକାର l କଳାକାର କେବେ ମରି ପାରେ କି ? ସେ ଭୀରୁ ନୁହେଁ l ପଳାୟନପନ୍ଥୀ ବି ନୁହେଁ l ଅଗଣିତ ଦର୍ଶକଙ୍କୁ ଅଭିନୟ ର ଯାଦୁ ରେ ଅନ୍ୟ ଏକ ଦୁନିଆରେ ପହଞ୍ଚାଇବାର ଦାୟିତ୍ୱ ତାର l ସେଇଥିପାଇଁ ପରା ତାର ଜନ୍ମ l ସେ ଦର୍ଶକ ଙ୍କୁ ହସାଇବ ଓ କନ୍ଦାଇବ l ଅଭିନୟ ଯେ ତାର ଜୀବନ l କଳାବତୀର ଭୂମିକା ଏ ପର୍ଯ୍ୟନ୍ତ ସରିନାହିଁ ସେ କେମିତି ଯିବ ? କଳାବତୀ ଆଉ ହାରିବ ନାହିଁ l ସରିବ ନାହିଁ l ଗୋଟିଏ ଅଶ୍ୱିନୀ ପାଇଁ ସେ ପ୍ରିୟ ରଙ୍ଗମଞ୍ଚକୁ ତାର ଆଦରଣୀୟ ଦର୍ଶକ ବୃନ୍ଦ ଙ୍କୁ ଛାଡି ଯିବ ନାହିଁ l ଏଥର ସେ ବିନା ଗ୍ଲିସେରିନରେ ବି କାନ୍ଦି ପାରିବ l


ଆଜିର ଡ୍ରାମା ସୁପରହିଟ ହୋଇଥିବାରୁ ତାର ସେଲିବ୍ରେସନ ବାକି ଅଛି l କଳାବତୀ ଗ୍ରୀନ ରୁମକୁ ଫେରି ଆସି ପାଖ ହୋଟେଲରୁ ବିରିୟାନୀ ମଗାଇ ଥିଲା l


Rate this content
Log in