Deepak Sarangi

Others

3.0  

Deepak Sarangi

Others

ସ୍ପଟଲାଇଟ୍

ସ୍ପଟଲାଇଟ୍

6 mins
581



ଛୋଟନାଗପୁର ଅଞ୍ଚଳର ନେତରହାଟ୍ ହେଉଛି ଗୋଟିଏ ଛୋଟିଆ ସହର । ଆମେମାନେ ସାଧାରଣତଃ ଦୂର୍ଗାପୂଜାର ଛୁଟି କାଟିବା ପାଇଁ ଏଠିକି ପ୍ରାୟ ପ୍ରତିବର୍ଷ ଆସିଥାଉ । ଏ ଜାଗାର ପ୍ରକୃତିକ ଶୋଭା ହିଁ ଆମକୁ ଏଠିକି ଆସିବାକୁ ବାଧ୍ୟ କରିଥାଏ । ବାପା ନେତରହାଟ୍ ରେ ଗୋଟେ ଫାର୍ମ ହାଉସ୍ କିଣି ରଖିଥିଲେ ଯାହାର କି ଦେଖାଶୁଣା କରିବାର ଦାୟିତ୍ଵ ସେଠିକାର ଜଣେ ଲୋକକୁ ଦେଇ ଥିଲେ । ସବୁବର୍ଷର ଛୁଟି ଠାରୁ ଏ ବର୍ଷର ଛୁଟି ଥିଲା ଟିକେ ନିଆରା । କାରଣ ଏଥର ପୂଜା ଛୁଟି କାଟିବା ପାଇଁ ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତା ଅଂଶୁମାନ ଚାଟାର୍ଜୀ ଆସିଥିଲେ ନେତରହାଟ୍ କୁ । ମୋ ସାନ ଭଉଣୀ ମୀରା ଥିଲା ଅଂଶୁମାନ ବାବୁଙ୍କର ଜଣେ ବହୁତ ବଡ ଫ୍ୟାନ୍ । ସମ୍ବାଦପତ୍ର, ସିନେମା ପତ୍ରିକା ଓ ବିଭିନ୍ନ ମାଗାଜିନ୍ ଗୁଡିକରୁ ସେ ଅଂଶୁମାନର ଫୋଟୋ କାଟି କି ରଖିରଖି ସେ ପ୍ରାୟ ୨/୩ ଟା ଡାଏରୀ ଭର୍ତି କରି ସାରିଥିଲା । ମୋତେ ଯଦିଓ ଅଂଶୁମାନ ଏତେ ଭଲ ଲାଗୁ ନ ଥିଲା କିନ୍ତୁ ଆମ କଲେଜର ମୋର ବହୁତ ବନ୍ଧୁ ତା ଭଳିଆ ଚୁଟିକୁ ଷ୍ଟାଇଲ୍ ରେ ସଜାଉଥିଲେ, ତା’ରି ଭଳି ଟି ସାର୍ଟ ଓ ପ୍ୟାଣ୍ଟ୍ ପିନ୍ଧୁଥିଲେ । ଏମିତିକି ତା’କୁ ନକଲ କରିବାକୁ ଯାଇ ତା’ରି ଭଳି ଭାରୀ ସ୍ଵରରେ ତା’ର ମିମିକ୍ରୀ ମଧ୍ୟ କରୁଥିଲେ ।


 ଅଂଶୁମାନ, ଆମେ ଯେଉଁଠି ରହୁଥିଲୁ ସେଇ ପାଖାପାଖି ଗୋଟେ ହୋଟେଲରେ ନିଜର ୩ ଜଣ ଚେଲାଙ୍କ ସହ ଆସି ରହୁଥିଲା । ହୋଟେଲର ବାହାରେ ତା’ର ନାମୀ ମର୍ଶିଡିଜ୍ କାର୍ ରଖା ହୋଇଥିଲା । ଯାହାକୁ କି ଖାଲି ଦେଖିବାକୁ ହୋଟେଲ ବାହାରେ ଲୋକ ମାନଙ୍କର ଭିଡ ଜମୁଥିଲା । ଏ ସବୁ ଦେଖି ବାପା ମୋର କହିଲେ “ଏତେ ବଡ ଷ୍ଟାର୍ ଆମ ପାଖରେ ଅଛନ୍ତି ମୁଁ ଥରେ ଯାଇଁ ତାଙ୍କୁ ଦେଖା କରି ଆସନ୍ତି କାରଣ ଏ ସବୁ କଲିକତା ସହରରେ ତ କେବେବି ସମ୍ଭବ ହବନି” । ମୋ ମା ର ଇଚ୍ଛା କିନ୍ତୁ ଏକଦମ ଅଲଗା ଥିଲା । ସେ ମୀରାକୁ ଚାହିଁ କହିଲା “ଆଲୋ ତୁ ତ ଅଂଶୁମାନ ବିଷୟରେ ସବୁବଳେ ସିନେମା ପତ୍ରିକାରେ ପଢାପଢି କରୁ ତୁ କି ଜାଣୁ ସେ କଣ ସବୁ ଖାଇବାକୁ ଭଲ ପାଏ” ? ମୀରା ମା ଠାରୁ ଏ କଥା ଶୁଣି ପଣିକିଆ ମୁଖସ୍ଥ କଲା ଭଳିଆ ମା ଆଗରେ ଗାଇ ଗଲା “ମାଛ ବେସର,ଆଳୁ ପୋସ୍ତ,ଇଲିଶି ମାଛର ଝୋଳ,ମସୁର ଡାଲି, ଦହିଭାତ କିନ୍ତୁ ଅଂଶୁମାନଙ୍କୁ ସବୁଠାରୁ ବେଶୀ ଭଲ ଲାଗେ ଚାଇନିଜ୍” । ମା ମୀରା କଥା ଶୁଣି ଗୋଟେ ଦୀର୍ଘଶ୍ଵାସ ପକେଇଲା । ବାପା ସବୁ ବସି କି ଶୁଣୁ ଥାଆନ୍ତି ଟିକେ ରହି ଯାଇ କହିଲେ “ହଁ ଡାକିଲେ ବୋଧେ ଖାଇବାକୁ ଆସିବ ଅଂଶୁମାନ, କିନ୍ତୁ ତା ସାଙ୍ଗରେ ଯୋଉ ତିନିଟା ମୁସ୍ତଣ୍ଡା ଅଛନ୍ତି ସେମାନେ ଆସିଲେ ତ ମୁସ୍କିଲ” । ପାଖରେ ବସିଥିଲେ ମୋ ଶଙ୍କର ମାମୁଁ  ଯିଏ କି କଲିକତାର ଗୋଟେ ନାମୀ ସମ୍ବାଦପତ୍ରରେ ରିପୋର୍ଟର ଭାବେ କାମ କରନ୍ତି ତାଙ୍କର ବି ଇଚ୍ଛା ଥିଲା ଅଂଶୁମାନ ଆମ ଘରକୁ ଆସୁ ବୋଲି ଏଇ ବାହାନାରେ ସେ ତା’ର ଗୋଟେ ଇଣ୍ଟରଭିଉ ବି ନେଇ ଯାଆନ୍ତେ ଯୋଉଟାକି ରବିବାର ସଂଖ୍ୟା ପାଇଁ ଗୋଟେ ଭଲ ମସଲା ହୋଇ ଯାଆନ୍ତା । ସେ କହି ଉଠିଲେ “ଲୋକଟା ବର୍ଷ କୁ ୩୬୫ ଦିନ ସିନେମା ସୁଟିଙ୍ଗ୍ କରିବାରେ ବ୍ୟସ୍ତ ରହୁଛି ପୁଣି ଏଇ ଛୁଟି ମନେଇବା ପାଇଁ ତା ପାଖରେ ସମୟ ଆସୁଛି କୋଉଠୁ? ଯୋଉଟାକି ଗୋଟେ ମୋ ପାଇଁ ବଡ ଷ୍ଟୋରି” । ଶଙ୍କର ମାମୁଁ  ବଙ୍ଗଳା ଫିଲ୍ମ ଜମା ଦେଖନ୍ତିନି । ତାଙ୍କର ପସନ୍ଦ ହଲିଉଡ୍ , ଇଟାଲିୟାନ୍ ଜାପାନୀଜ୍ ଆଦି ସିନେମା । ଅଂଶୁମାନ ର ଗୋଟେ ସୁପରହିଟ୍ ଫିଲ୍ମ “ବିନିଦ୍ର ରଜନୀ” କୁ ସେ ମାତ୍ର ୧୦ ମିନିଟ୍ ରେ ଦେଖି ଦେଇ କହିଥିଲେ “ହେ ଏ ବଙ୍ଗାଳୀ ଗୁଡା ଜମା ସିନେମା କରି ଜାଣି ନାହାଁନ୍ତି” । ତାଙ୍କ ଭଳି ଲୋକ ଯେ ବଙ୍ଗଳା ସିନେମା ଷ୍ଟାର୍ ଅଂଶୁମାନର ଇଣ୍ଟରଭିଉ ନେବେ ଶୁଣି ମୋତେ ଟିକେ ଅଡୁଆ ଲାଗୁଥିଲା ।


ଆମ ଘର ପାଖରେ ଆଉ ଦୁଇ ତିନି ଜଣ ବଙ୍ଗାଳୀ ପରିବାର ରହୁଥିଲେ । ସେଥି ମଧ୍ୟରୁ ଗୋପେନ ବାବୁ ଥିଲେ ଏକଦମ ନିଆରା ମଣିଷ । ଭାରି ରସିକିଆ ଲୋକ । ଆମେ ନେତରହାଟ୍ ପହଞ୍ଚିବାର କିଛି ଦିନ ପରେ ସେ ଆମ ଘରକୁ ଆସିଲେ । ବାପା ତାଙ୍କୁ ଡାକି ଆଣି ଘରେ ବସେଇଲେ ମା କୁ କହିଲେ ଚା କରି ନେଇ ଆସିବାକୁ ।


 ଚା ପିଉ ପିଉ ଶଙ୍କର ମାମୁଁ ଗୋପେନ ବାବୁଙ୍କୁ ପଚାରିଲେ “ଆଉ ଗୋପେନ ବାବୁ ଆପଣ ଜାଣିଛନ୍ତି ନା ନାହିଁ ଅପଣଙ୍କ ଏରିୟାରେ ବର୍ତ୍ତମାନ ଷ୍ଟାର ଆସି ଛୁଟି କଟାଉଛନ୍ତି । ବଙ୍ଗଳା ସିନେ ଜଗତର ଲୋକ ପ୍ରିୟ ହିରୋ ଅଂଶୁମାନ ଚାଟାର୍ଜୀ” । ଏ କଥା ଶୁଣି ଗୋପେନ ବାବୁ ଟିକେ ନାକ ଟେକି କହିଲେ “ ହେ ଛାଡ ହୋ ସେ କି ହିରୋ ସେ ଯାହା କରୁଛି ସବୁ ପରଦା ଉପରେ ଆଉ କ୍ୟାମେରା ଆଗରେ ଅସଲି ଜୀବନରେ ସେ ତା ଆମ ଭଳି ଗୋଟେ ସାଧାରଣ ମଣିଷ ମାତ୍ର ହିଁ ନା , ମୁଁ କିନ୍ତୁ ଜଣେ ଅସଲି ଷ୍ଟାରଙ୍କୁ ଆପଣ ମାନଙ୍କ ସହ ଦେଖା କରେଇ ଦେବି” । ବାପା ମୋର ଖୁବ ଆଶ୍ଚର୍ଯ୍ୟ ସହକାରେ ଗୋପେନ ବାବୁଙ୍କୁ ଅନେଇକି କହିଲେ “କଣ ଅସଲି ଷ୍ଟାର? ବାପାଙ୍କ ସହ ଆମେ ସମସ୍ତେ ଗୋପେନ ବାବୁ ଙ୍କୁ ଅନେଇ ଥାଉ ଯେ ସେ କାହା କଥା କହିବେ ବୋଲି ଗୋପେନ ବାବୁ ଚା ପିଉ ପିଉ କହିଲେ “ହଁ ଅସଲ ଷ୍ଟାର ଆଗ ଛକରେ ଯୋଉ ଗୀର୍ଜା ଘର ଅଛି ତା’ରି ପଛ ପଟେ ଜଣେ ଲୋକ ରୁହନ୍ତି ତାଙ୍କ ନା ହଉଛି କାଳୀ କିଂକର ଘୋଷାଲ ବୟସ କେତେ ଜାଣନ୍ତି ସେଞ୍ଚୁରି ଆଉ ଟ୍ୱେନ୍ଟିସିକ୍ସ ମାନେ ୧୨୬ ବର୍ଷ । କିନ୍ତୁ ଦେଖିଲେ ଆପଣ କହିବେ ଯେ ମାତ୍ର ୭୫/୮୦ ବର୍ଷ ବୋଲି ଏକଦମ ଯୁବ ସୁଲଭ ଚେହରା” । ଶଙ୍କର ମାମୁଁ   ଛେପ ଢୋକି କି ଆଖି ତରାଟି ପଚାରିଲେ “କଣ ୧୨୬ ବର୍ଷ” ? ଗୋପେନ ବାବୁ କହିଲେ “କାଳୀ ବାବୁଙ୍କ ଜନ୍ମ ୧୮୫୬ ଆଉ ରବୀନ୍ଦ୍ର ନାଥଙ୍କ ଜନ୍ମ ୧୮୬୧ ମାନେ ରବୀନ୍ଦ୍ର ନାଥଙ୍କ ଠାରୁ କାଳୀ ବାବୁ ୫ ବର୍ଷ ବଡ” । ଏଥର ଆମ ସମସ୍ତଙ୍କ ମୁହଁ ଏକବାର ଚୁପ ଆଉ ଚା ପିଆ ବି ବନ୍ଦ । ପ୍ରାୟ ଦୁଇ ମିନିଟ୍ ର ନୀରବତା ପରେ ବାପା ଗୋପେନ ବାବୁଙ୍କୁ ପଚାରିଲେ “ତାଙ୍କ ବୟସ ୧୨୬ ବର୍ଷ ବୋଲି ଆପଣ କେମିତି ଜାଣିଲେ ସେ କଣ ଆପଣଙ୍କୁ କେବେ ତାଙ୍କ ବୟସ ବିଷୟରେ କହିଛନ୍ତି”? ଗୋପେନ ବାବୁ ପୁଣି କହିଲେ “ନା ନା ଏମିତି ଥରେ କଥା ଛଳରେ ସେ କହୁ କହୁ କହିଦେଲେ ଯେ ମୋର ବୟସ ୧୨୬ ବୋଲି” । 


ଆମେ ସମସ୍ତେ ଜାଣିକି ଅବାକ ହେଇ ଗଲୁ ଯେ ଏମିତି ଜଣେ ଦୀର୍ଘାୟୁ ପୁରୁଷ ଆମ ଅଞ୍ଚଳ ରେ ଅଛନ୍ତି ବୋଲି । ଶଙ୍କର ମାମୁଁ   କହିଲେ “ ଆରେ ବାଃ ଏମିତିଆ ଲୋକଙ୍କ ଇଣ୍ଟରଭିଉ ତ ନବାକୁ ହିଁ ପଡିବ ଏପରି ଲୋକଙ୍କ ସୁସ୍ଥ ରହିବାର ରହସ୍ୟ ସମସ୍ତଙ୍କ ପାଇଁ ଗୋଟେ ଜାଣିବାର ଖୋରାକ ଯୋଗାଇବ” । ସେ ଯାହା ହେଉ ଦିନେ ଗୋପେନ ବାବୁ ଆମ ସମସ୍ତଙ୍କୁ ନେଇ କାଳୀ ଘୋଷାଲଙ୍କ ଘରକୁ ଗଲେ । ଘୋଷାଲ ବାବୁ ଘରୁ ବାହାରକୁ ଆସି ଆମକୁ ସ୍ଵାଗତ ଜଣେଇଲେ ପ୍ରକୃତରେ ସେ ୧୨୬ ବର୍ଷ ବୟସର ବୋଲି କେହି ବି କହି ପାରିବେନି । ପ୍ରାୟ ୬ ଫୁଟ୍ ଉଚ ର ମଣିଷ । ଗୋରା ରଙ୍ଗ ଚୁଟି ଗୁଡିକ ଅଧା ପାଚିଲା ଅଧା କଳା I ଶରୀରର ଚମ ଗୁଡିକ ବି ବେଶୀ ଧୁଡଧୁଡ ହୋଇନି । ଦୁଇ ପଟ କାନରେ କିଛି ପାଚିଲା ଚୁଟି । ଦାନ୍ତ ଗୁଡିକ ସଫା ଧଳା । ଆମକୁ ଦେଖି ହସିହସି କହିଲେ “ଆସନ୍ତୁ ଘର ଭିତରକୁ” । ସମସ୍ତେ ଆମେ ଯାଇଁ ବସିଲୁ । ତା ପରେ ବାପା ଶଙ୍କର ମାମୁଁଙ୍କ ଆଡ କୁ ହାତ ଦେଖାଇ କହିଲେ “ଏ ହେଉଛି ମୋ ଶାଳକ ଶଙ୍କର କଲିକତାର ଗୋଟେ ବଡ ସମ୍ବାଦପତ୍ର ରେ ସାମ୍ବାଦିକ ଅଛି । ସେ ଚାହୁଁଛି ଆପଣଙ୍କର ଗୋଟେ ଇଣ୍ଟରଭିଉ ନେବା ପାଇଁ ଆପଣଙ୍କର ଏଥିରେ କିଛି ଆପତି ନାହିଁ ତ” ।


  ଘୋଷାଲ ବାବୁ ହସି ହସି କହିଲେ “ଏଥିରେ ଆପତି ନବାର କଣ ଅଛି । ମୋ ଭଳି ଜଣେ ଶତାୟୁ ଲୋକ ଯଦି ମୃତ୍ୟୁ ବେଳକୁ ଟିକେ ଲୋକଲୋଚନ କୁ ଆସି ପାରୁଛି ଏ ତ ବଡ ଆନନ୍ଦ ର ବିଷୟ” । ଏ କଥା ଶୁଣି ଶଙ୍କର ମାମୁଁ  ତାଙ୍କ ବ୍ୟାଗରୁ ଖାତା କଲମ ବାହର କରି ଲେଖିବାକୁ ଉଦ୍ୟତ ହେଲେ । ଘୋଷାଲ ବାବୁ କହି ଚାଲିଲେ “ମୋ ଘର ମୁର୍ଶିଦାବାଦରେ ସେତେବେଳେ ଯିବାଆସିବା ପାଇଁ କିଛି ସୁବିଧା ନଥିଲା ।  ଡଙ୍ଗା ସାହାଯ୍ୟରେ ଯାହା ଆତଯାତ କରୁଥିଲୁ । ଆମର ସେତେବେଳେ ଜମିଦାରୀ ଥିଲା । ସ୍କୁଲ କୁ ଯିବା ପାଇଁ ୧୨ କିଲୋମିଟର ଚାଲିଚାଲି ଯିବାକୁ ପଡୁଥିଲା । ମୋ ବାହାଘର ହୋଇଥିଲା ୧୫ ବର୍ଷ ବୟସରେ ଆଉ ମୋ ସ୍ତ୍ରୀ କୁ ହୋଇଥିଲା ୧୨ ବର୍ଷ । ସ୍ତ୍ରୀ ମରିବା ପ୍ରାୟ ୪୦ ବର୍ଷ ହୋଇ ଗଲାଣି । ଦୁଇ ପୁଅ ଥିଲେ ସେମାନେ ବି ସମସ୍ତେ ଚାଲି ଗଲେଣି ଖାଲି ଗୋଟିଏ ନାତି ଅଛି କଲିକତା ରେ ଡାକ୍ତରୀ ପଢୁଛି । ଶଙ୍କର ମାମୁଁ ସବୁ କଥା ଖାତାରେ ଲେଖି ଚାଲିଛନ୍ତି । ମାମୁଁ ପୁଣି ପଚାରିଲେ “ଆପଣ କେବେ କଲିକତା ସହର ଯାଇଛନ୍ତି”? ଘୋଷାଲ ବାବୁ ହସିହସି କହିଲେ “କଲିକତା ଇଉନିଭର୍ସିଟିରେ ପଢିବା ବେଳେ ମୁଁ ପାର୍କଷ୍ଟ୍ରୀଟ୍ ରେ ରହୁଥିଲି । ଚାଲିଚାଲି ଯିବାକୁ ପଡୁଥିଲା ନ ହେଲେ ହାତଟଣା ରିକ୍ସା ରେ । ସେତେବେଳେ ଭଡା ମାତ୍ର ଦୁଇ ଅଣା” । ମାମୁଁ ପୁଣି ପଚରିଲେ “ଆପଣଙ୍କର କୌଣସି ପ୍ରସିଦ୍ଧ ଲୋକଙ୍କ ସହ ସେତେବେଳେ ଦେଖା ହେଇଛି କି” ? ଘୋଷାଲ ବାବୁ କହି ଉଠିଲେ ହଁ ଆମେ ପଢିବା ବେଳେ ରବୀନ୍ଦ୍ର ନାଥ, ବିଦ୍ୟାସାଗର ପ୍ରାୟ ସମସ୍ତେ ଇଉନିଭର୍ସିଟି କୁ ଆସିଛନ୍ତି । ମୁଁ ତ ବିଦ୍ୟାସାଗର ଙ୍କ ହାତ ଧରି ତାଙ୍କୁ ଷ୍ଟେଜ୍ ଉପରକୁ ନେଇଥିଲି” । ମାମୁଁ ସବୁ ଲେଖି ନେଇଥିଲେ ତାଙ୍କର ଖାତାରେ ଆହୁରି ବହୁତ କିଛି ରୋମାଞ୍ଚଙ୍କର କଥା ଯାହା ସବୁ ଘଟି ଥିଲା ଘୋଷାଲ ବାବୁଙ୍କ ଜୀବନ ରେ


ନେତରହାଟ୍ ରୁ ଛୁଟି କାଟି ଆସିବାର କିଛି ଦିନପରେ ହିଁ ଫୋଟୋ ସହିତ ପ୍ରକାଶିତ ହେଲା ଶତାୟୁଙ୍କ ଇଣ୍ଟରଭିଉ ଶଙ୍କର ମାମୁଁ ଙ୍କ ସହ ପଶ୍ଚିମବଙ୍ଗର ଏକ ବିଖ୍ୟାତ ଖବର କାଗଜରେ  । ଯାହାକୁ ପଢି ବହୁତ ଖୁସି ହେଇକି ଘୋଷାଲ ବାବୁ ଆମ ସମସ୍ତଙ୍କୁ ଖୁବ ଧନ୍ୟବାଦ ଦେଲେ ଖାସ୍ କରି ଶଙ୍କର ମାମୁଁଙ୍କୁ । କିଛିଦିନ ପରେ ଥରେ ମୁଁ ଲାଇବ୍ରେରୀରେ ଏମିତି କିଛି ପୁରୁଣା ମଗାଜିନ୍ ଦେଖୁ ଦେଖୁ ମୋ ହାତରେ ପଡେ ଗୋଟେ ୧୯୨୧ ମସିହାର ନବରଙ୍ଗ ମଗାଜିନ୍ ।  ପୃଷ୍ଠା ଓଲଟାଇ ଦେଖୁ ଦେଖୁ ମୋ ନଜର ପଡେ ଗୋଟେ କଳା ଧଳା ଫୋଟୋ ଉପରେ । ଫୋଟୋ ଉପରେ ଲେଖା ଅଛି ନାଟକ “ଶବରୀ” । ଆଉ ମୁଖ୍ୟ ଭୂମିକା ରାମରେ ଅଭିନୟ କରିଛନ୍ତି କାଳୀ କିଂକର


ଘୋଷାଲ ଆଉ ଶବରୀ ଭୂମିକାରେ ଅଛନ୍ତି ଅରୁଣିମା ଘୋଷାଲ । ମୁଁ ଫୋଟୋ ଟାକୁ ଟିକେ ଭଲ କରି ନିରିଖେଇ ଦେଖିଲି । ଆରେ ଏ କଣ ଏ ତ ସେଇ ନେତରହାଟ୍ ର ଘୋଷାଲ ବାବୁ । ମୁଁ ମଗାଜିନଟି ଧରି ସିଧା ଗଲି ମାମୁଁ ଙ୍କ ପାଖକୁ । ତାଙ୍କୁ ଦେଖେଇ କହିଲି “ଦେଖିଲେ ତ ମାମୁଁ ସେ କାଳୀ ଘୋଷାଲ କେମିତି ଆମ ସମସ୍ତଙ୍କୁ ବୋକା ବନେଇ ସ୍ପଟଲାଇଟ୍ ଟା ଅଂଶୁମାନ ଠାରୁ ଦୂରେଇ ନେଇ ନିଜ ଉପରେ ପକେଇ କେମିତି ରାତାରାତି ଷ୍ଟାର୍ ବନିଗଲା” । ଶଙ୍କର ମାମୁଁ  ଖୁବ ଜୋରରେ ରାଗି ଯାଇ କହିଲେ “ମୁଁ ତାର ପର୍ଦାଫାଶ ଆମ ସମ୍ବାଦ ପତ୍ର ଜରିଆରେ କରେଇବି” । ମୁଁ କିନ୍ତୁ ମାମୁଁ ଙ୍କୁ ମନା କଲି କାରଣ ତା’ର ବୁଦ୍ଧି ଓ କଥାଚାତୁରୀ କୁ ମୁଁ ବି ମନେମନେ ସଲାମ କରୁଥିଲି । 



Rate this content
Log in